BJP: କେନ୍ଦ୍ର ହୁଅନ୍ତୁ ବା ରାଜ୍ୟ ସବୁଠି ତାଙ୍କୁ ହିଁ ଶୀର୍ଷରେ ରଖୁଛି ବିଜେପି। ତାଙ୍କରି ନୀତି, ଆଦର୍ଶ ଏପରିକି ନେତା ଚୟନରେ ଦେଶ ନୁହେଁ ବିଜିତ ରାଜ୍ୟଗୁଡ଼ିକ ଚାଲୁଛି ବୋଲି ଏକ ଧାରଣା ଲୋକଙ୍କ ମନରେ ଜନ୍ମାଯାଇଛି। ଓଡ଼ିଶାରେ ବି ସେଇ ସ୍ଥିତି। ଏଠାରେ ମନ୍ତ୍ରିମଣ୍ଡଳ ଚୟନ, ବିଭାଗ ବଣ୍ଟନ ଏପରିକି ସଚିବ ନିଯୁକ୍ତି ବି ମୋଦୀଙ୍କ ଅନୁସାରେ ହୋଇଛି ବୋଲି ଏକ ଧାରଣା ରାଜ୍ୟବାସୀଙ୍କ ମନରେ ଗଲା ଏକ ବର୍ଷ ହେଲା ମୋହନ ମାଝିଙ୍କ ସରକାର ଓ ଶାସକ ଦଳ ରୋପଣ କରିଛନ୍ତି।
Trending Photos
BJP: ଓଡ଼ିଶାରେ ବିଜେପି ସରକାର ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଛି। ଗଲା ଏକ ବର୍ଷର ଶାସନକୁ ଯଦି ଅନୁଶୀଳନ କରାଯାଏ ତେବେ ଏହା ଦୁର୍ବଳ, ଅପରିପକ୍ୱ ରାଜ୍ୟ ନେତୃତ୍ୱକୁ ସ୍ପଷ୍ଟ କରିଛି। ସବୁବେଳେ କେନ୍ଦ୍ରୀୟ ନେତାଙ୍କ ଉପରେ ନିଷ୍ପତ୍ତିକୁ ଛାଡ଼ି ରାଜ୍ୟ ନେତାମାନେ ଏ ସମୟକୁ ହନିମୁନ୍ ସମୟ ପରି ଅତିବାହିତ କରିଛନ୍ତି। ଫଳସ୍ୱରୂପ ରାଜ୍ୟରେ ଯେଉଁ ଅପରାଧ ସବୁ କିଛି ବର୍ଷ ହେଲା ନିଖୋଜ ହୋଇଥିଲେ ତାହା ପୁଣି ଚେଇଁ ଉଠି ଲୋକଙ୍କ ନିଦ ହଜାଇଛନ୍ତି। ସ୍ୱାସ୍ଥ୍ୟାବସ୍ଥା, ଆଇନ ଶୃଙ୍ଖଳା, ସରକାରୀ ଅଫିସରଙ୍କ ଦୁର୍ନୀତି ସବୁକିଛିରେ ଲୋକ ଦହଗଞ୍ଜ ହେଉଛନ୍ତି। ଗୋଟିଏ ଦୁଇଟି ଉଦାହରଣର ତ ପଦାକୁ ଆସିଛି ଆହୁରି ଅନେକ ପାଉଁଶ ତଳର ନିଆଁ ହୋଇ କୁହୁଳୁଛି। ଏହା କ’ଣ ମୋଦୀଙ୍କ ଶାସନ? ମୋଦୀଙ୍କ ଷଷ୍ଠ ଓଡ଼ିଶା ଆଗମନ ଅବସରରେ ଏ ପ୍ରଶ୍ନ ରହିଛି ଓଡ଼ିଶାବାସୀଙ୍କ ମନରେ।
ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ନାହିଁ। ଏ କଥା ବାରମ୍ବାର ପ୍ରମାଣିତ ହୋଇଛି, ବା ବିଜେପି ତରଫରୁ ଯେଉଁ ପଦକ୍ଷେପ ନିକଟ ଅତୀତରେ ନିଆଯାଇଛି ତାହା ଏହାକୁ ପ୍ରମାଣିତ କରୁଛି। ସେ ହିଁ ଏକମାତ୍ର ନେତା। କେନ୍ଦ୍ର ହୁଅନ୍ତୁ ବା ରାଜ୍ୟ ସବୁଠି ତାଙ୍କୁ ହିଁ ଶୀର୍ଷରେ ରଖୁଛି ବିଜେପି। ତାଙ୍କରି ନୀତି, ଆଦର୍ଶ ଏପରିକି ନେତା ଚୟନରେ ଦେଶ ନୁହେଁ ବିଜିତ ରାଜ୍ୟଗୁଡ଼ିକ ଚାଲୁଛି ବୋଲି ଏକ ଧାରଣା ଲୋକଙ୍କ ମନରେ ଜନ୍ମାଯାଇଛି। ଓଡ଼ିଶାରେ ବି ସେଇ ସ୍ଥିତି। ଏଠାରେ ମନ୍ତ୍ରିମଣ୍ଡଳ ଚୟନ, ବିଭାଗ ବଣ୍ଟନ ଏପରିକି ସଚିବ ନିଯୁକ୍ତି ବି ମୋଦୀଙ୍କ ଅନୁସାରେ ହୋଇଛି ବୋଲି ଏକ ଧାରଣା ରାଜ୍ୟବାସୀଙ୍କ ମନରେ ଗଲା ଏକ ବର୍ଷ ହେଲା ମୋହନ ମାଝିଙ୍କ ସରକାର ଓ ଶାସକ ଦଳ ରୋପଣ କରିଛନ୍ତି।
ଓଡ଼ିଶା ରାଜନୀତିକ ଇତିହାସରେ ଏମିତି ଅନେକଥର ହୋଇଛି। ବିଶେଷକରି କଂଗ୍ରେସ ଶାସନ ସମୟରେ ଏପରି ହେଉଥିଲା। ସେହିକ୍ରମରେ ଫଳାଫଳ କ’ଣ ହେଲା ତାହା ବି ଜାଣିବା ଦରକାର। ଆଉ ଓଡ଼ିଶାରେ ଗଲା ୧ ବର୍ଷର ଶାସନକୁ ଦେଖିଲେ ତାହାର ଆଉଥରେ ପୁନରାବୃତ୍ତି ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ପ୍ରଭାବଗୁଡ଼ିକୁ ନିମ୍ନ ବିନ୍ଦୁରେ ଆଲୋଚନା କରାଯାଉ।
(୧) ପ୍ରଥମେ ସରକାର ଗଠନରେ ବିଳମ୍ବ
ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ଅନେକ ପ୍ରତିଶୃତି ଦେଇଥିଲେ। ସେ କହିଥିଲେ ଦଳ ଜିତିଲେ ଜୁନ୍ ୧୦ ତାରିଖରେ ସରକାର ଗଠନ ହେବ। ଯେଉଁ ଜନତା ମଇଦାନକୁ ସେ ୨୦ ତାରିଖ ଦିନ ଆସି ବର୍ଷପୂରାଣୀ ପାଳନ କରିବେ ସେଠାରେ ଏ ବିଷୟ ଘୋଷଣା କରାଯାଇଥିଲା। ହେଲେ ତାଙ୍କର ଅନ୍ୟ ବ୍ୟସ୍ତତା କାରଣରୁ ସେ ଏହାକୁ ଦୁଇଦିନ ଘୁଞ୍ଚାଇଲେ। ଦେଶର ପ୍ରଧାନମନ୍ତ୍ରୀ, ବ୍ୟସ୍ତ ବହୂଳତା କାରଣରୁ ଏପରି ପଦକ୍ଷେପ ନେବା ଆଦୌ ସମାଲୋଚନାକାରୀ ନୁହେଁ। କିନ୍ତୁ ଓଡ଼ିଶାକୁ ଦି ଏତେ ଭଲ ପାଉଛନ୍ତି ତେବେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିଟା ତ ଠିକ୍ ତିଥିରେ ହୋଇପାରିଥାଆନ୍ତା! କିନ୍ତୁ ତାହା ହେଲା ନାହିଁ। ଏହାରି କାରଣ ପଛରେ ଯୁକ୍ତି ରହିଲା ମୋଦୀଙ୍କ ବ୍ୟସ୍ତତା। ଏହା ପ୍ରମାଣିତ କରୁଛି ଯେ, ମୋଦୀଙ୍କ ବ୍ୟସ୍ତତା କାରଣରୁ ଓଡ଼ିଶା ଏହାର ସରକାର ଗଠନ ଏବଂ ବର୍ଷ ପୂରାଣୀକୁ ବି ବିଳମ୍ବିତ ପାଳନ କରିପାରିବ।
(୨) ମନ୍ତ୍ରିମଣ୍ଡଳରେ ଶୂନ୍ୟସ୍ଥାନ
ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ସଂଖ୍ୟା ଗରିଷ୍ଠ ଦଳ ନିଷ୍ପତ୍ତି ନେବ। ଏଥିରେ ପ୍ରଧାନମନ୍ତ୍ରୀ ବା ଅନ୍ୟ କୌଣସି କେନ୍ଦ୍ରୀୟ ନେତାଙ୍କ ହସ୍ତକ୍ଷେପକୁ କେଉଁଠି ସମ୍ବିଧାନରେ ଉଲ୍ଲେଖ ନାହିଁ। ତଥାପି ଅନେକ ଚର୍ଚ୍ଚା, ପରିଚର୍ଚ୍ଚା ପରେ ରେସରେ ନଥିବା ପୂର୍ବତନ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କୁ କେନ୍ଦ୍ରୀୟ ନେତା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଥିଲେ। ଏହାପରେ ରାଜ୍ୟର ମନ୍ତ୍ରିମଣ୍ଡଳ ଗଠନ, ସମ୍ପ୍ରସାରଣ, ନିଗମ, ସରକାରୀ ପରିଷଦ ଗୁଡ଼ିକରେ ଅଧ୍ୟକ୍ଷ ନିଯୁକ୍ତି, ବିଭିନ୍ନ ସରକାରୀ ନିଯୁକ୍ତିର ସରଳୀକରଣ ପ୍ରଭୃତି ତାଙ୍କର ଇଚ୍ଛାଧୀନ ବ୍ୟାପାର ବୋଲି ସମ୍ବିଧାନରେ ବ୍ୟବସ୍ଥା ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଏଯାଏ ନିଜର ମନ୍ତ୍ରିମଣ୍ଡଳକୁ ସମ୍ପ୍ରସାରଣ କରିବାକୁ ବି ସମର୍ଥ ହୋଇପାରି ନାହାନ୍ତି। ଯେଉଁ ୧୬ ମନ୍ତ୍ରିମଣ୍ଡଳକୁ ସେତେବେଳେ ସ୍ୱିକୃତୀ ମିଳିଥିଲା ତାହା ଏବେ ବି ଚାଲିଛି।
(୩) ନିଗମ, କମିଶନ ଖାଲି
ରାଜ୍ୟର ନିଗମ, କମିଶନ, ପରିଷଦ ବା ବୋଡ଼ କଥାବି ସେଇଆ। ଏସବୁ ସ୍ଥାନରେ ଅଧ୍ୟକ୍ଷ ପଦବୀ ସାଧାରଣତଃ ରାଜନୀତିକ ଆଧାରରେ ବିଶେଷଜ୍ଞଙ୍କୁ ନିଯୁକ୍ତି କରାଯାଇଥାଏ। ଏହାକୁ କେହି କେହି ରାଜନୀତିକ ଥଇଥାନ କେନ୍ଦ୍ର ବୋଲି କହନ୍ତି। କିନ୍ତୁ ଏସବୁର ବେଶ୍ ଗୁରୁତ୍ୱ ରହିଛି। ହେଲେ ମୁଖ୍ୟମନ୍ତ୍ରୀ ମହୋଦୟ ଏସବୁକୁ ଯେମିତି ଗଲା ୧ ବର୍ଷ ହେଲା ଭୁଲି ଯାଇଛନ୍ତି। ଏଥିଯୋଗୁ ଦଳରେ ଅସନ୍ତୋଷ ଦେଖିବାକୁ ମିଳୁଛି। କିନ୍ତୁ ଖବରଦାତାମାନଙ୍କୁ ଦିଆଯାଉଥିବା ସୂଚନା ଅନୁସାରେ କେନ୍ଦ୍ରୀୟ ନେତାଙ୍କ ଗ୍ରୀନ୍ ସିଗ୍ନାଲ୍ ଏଥିଲାଗି ମିଳି ନାହିଁ। କେବେ ମିଳିବ ତାହା ବି ପ୍ରଧାନମନ୍ତ୍ରୀ ଜାଣିଥିବେ! ନୁହେଁ କି?
(୩) ରାଜ୍ୟ ପ୍ରଶାସନରେ ମଧ୍ୟସ୍ଥି ନିଯୁକ୍ତି
କେନ୍ଦ୍ରୀୟ ସୁପାରିସରେ ରାଜ୍ୟରେ ଷଷ୍ଠ ଅର୍ଥ କମିଶନଙ୍କ ଅଧ୍ୟକ୍ଷଙ୍କୁ ନିଯୁକ୍ତି କରାଯାଇଛି। ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀ ଏହି ପଦବୀ ଲାଭ କରିଛନ୍ତି। ଖାଲି ସେତିକି ନୁହେଁ କେନ୍ଦ୍ରୀୟ ସୁପାରିସରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଉପଦେଷ୍ଟା ଭାବେ ପୂର୍ବତନ ଡିଜି ପୁଲିସ ପ୍ରକାଶ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନୋଜ ମିଶ୍ର ବି ନିଯୁକ୍ତି ପାଇଛନ୍ତି। ରାଜ୍ୟର ମୁଖ୍ୟ ସଚିବ ବି ସେହି ସୂତ୍ରରେ ନିଯୁକ୍ତି ପାଇଁ ନିଜର ଚାକିରିକାଳକୁ ବଢ଼ାଇ ଚାଲିଥିବା ଆଲୋଚନା ହେଉଛି। ଏଠି କେନ୍ଦ୍ରୀୟ ସୁପାରିସ କହିଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସିଧାସଳଖ କେହି କେହି ଯୋଡ଼ିବାକୁ ଭୁଲୁ ନାହାନ୍ତି। ଖାଲି ପ୍ରଶାସନିକ ଢାଞ୍ଚା ନୁହେଁ, ରାଜ୍ୟ ସରକାରଙ୍କ ପୁଲିସ ଶାସନରେ ମଧ୍ୟା ସମାନ ହସ୍ତକ୍ଷେପ ରହିଛି। ଏ ରାଜ୍ୟରେ ଡିଜିଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ନୋମିନି ଭାବେ ଗ୍ରହଣ କରାଯାଏ। ଏହାର ଅର୍ଥ ଓଡ଼ିଶା ଶାସନ ପଛରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ଜୋରଦାର ରହିଛି। ଏହା ମୋଦୀ ଚାହାନ୍ତି କି ନା ତାହା ଆସନ୍ତା ଗସ୍ତରେ ସ୍ପଷ୍ଟ ହୋଇପାରେ!
ହେଲେ, ଏତେସବୁ ହସ୍ତକ୍ଷେପ ପରେ ରାଜ୍ୟରେ ସୁଶାସନ ଆସିଛି କି? ଲୋକେ ୨୪ ବର୍ଷର ଶାସନକୁ ଭୁଲି ପାରିଛନ୍ତି କି? ରାସ୍ତାକଡ଼, ଗାଁ ଗହଳ, ଚା’ ଖଟି ସୋଶାଲ୍ ମିଡିଆ ଯେଉଁଠି ବି ଦେଖିଲେ ଏକଥା କେବେ ସ୍ପଷ୍ଟ ହୁଏ ନାହିଁ। ସରକାର ବି ଏ କଥା ଜାଣିଛନ୍ତି ଏଣୁ ପୂର୍ବରୁ ସରକାରକୁ ଶିଶୁ ସରକାର ବୋଲି କହି ଲୋକଙ୍କ ଧ୍ୟାନଚ୍ୟୁତ କରିବାକୁ ଚାହୁଁଥିଲେ। କିଛିଦିନ ତୃଣମୂଳଠାରୁ ଉପରିସ୍ଥ ଅଧିକାରୀଙ୍କୁ ଜନ ପ୍ରତିନିଧିଙ୍କ ଅନୁସାରେ ପ୍ରଶାସନ ଚଳାଇବାକୁ ବୁଲି ବୁଲି ନିର୍ଦ୍ଦେଶ ଦେଲେ, ଚିଠି ଲେଖିଲେ। ଯାହା ସ୍ପଷ୍ଟ କରିଥିଲା ଯେ, ରାଜ୍ୟ ସରକାର ପ୍ରଶାସନିକ କଳର ଆସ୍ଥା ହରାଇଛନ୍ତି। ଅର୍ଥାତ୍ ଡବଲ ଇଞ୍ଜିନ ଥିଲେ ବି ରାଜନୀତିକ ଭିତ୍ତିରେ ନିର୍ବାଚିତ ହୋଇଥିବା ସରକାର ଅମଲାତନ୍ତ୍ରୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି।
ଏହି ବିଫଳତା ରାଜ୍ୟର ପ୍ରତି ବିଷୟରେ ଦେଖିବାକୁ ମିଳୁଛି। ପ୍ରଥମେ ଆଇନଶୃଙ୍ଖଳା କଥା। ଦୁଇଦିନ ତଳେ ଗୋପାଳପୁର ସମୁଦ୍ରକୂଳରେ ଜଣେ ୨୦ ବର୍ଷୀୟ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଗଲା। ଓଡ଼ିଶା ଅର୍ଥନୀତିର ଏକ ପ୍ରମୁଖ ମାଧ୍ୟମ ହେଉଛି ଆମ ସମୁଦ୍ରକୂଳିଆ ପର୍ଯ୍ୟଟନ କିନ୍ତୁ ଏହା ବି ସୁରକ୍ଷିତ ନୁହେଁ। ପୁଣି ଘଟଣାର ଦୁଇଦିନ ସରକାର ଏହାକୁ ଗୁରୁତ୍ୱ ଦେଉଥିବା ମନେ ହେଉ ନଥିଲା। ଗଣମାଧ୍ୟମର ହସ୍ତକ୍ଷେପ ଓ ମହିଳା କମିଶନଙ୍କ ମାମଲା ରୁଜୁ ପରେ ରାଜ୍ୟ ସରକାର ଏହାକୁ ରେଡ୍ ଫ୍ଲାଗ୍ କ୍ରାଇମ୍ ଭାବେ ଗ୍ରହଣ କରି କ୍ରାଇମ୍ ବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି। ଓଡ଼ିଶା ଭଳି ରାଜ୍ୟରେ ଏପରି ଗଣଦୁଷ୍କର୍ମ ମାମଲାକୁ ନିୟନ୍ତ୍ରଣ କରା ନଯାଇପାରିଲେ ଲୋକ ସରକାରଙ୍କୁ ଲେଉଟାଇ ଦେଉଥିବାର ନଜୀର ରହିଛି।
ଏହି ଭୁଶୁଡ଼ା ଆଇନ ଶୃଙ୍ଖଳା ପରିସ୍ଥିତିରେ ଦିନ ଦ୍ୱିପ୍ରହରେ ରାଜଧାନୀର ରାଜରାସ୍ତାରେ ଦିନ ଦ୍ୱିପ୍ରହରରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା, ଭଦ୍ରକରେ ଗୋ ରକ୍ଷକଙ୍କୁ ହତ୍ୟା ପରେ ସାମ୍ପ୍ରଦାୟିକ ଦଙ୍ଗା ବ୍ୟାପିବା, ରାଜଧାନୀରେ ମଦମୃତ୍ୟୁ ହେବା ଆଦି ବିଷୟ ଉଲ୍ଲେଖ ଯୋଗ୍ୟ। ପ୍ରଶ୍ନ ଏହା ଯେ, ଏହା କ’ଣ ମୋଦୀଙ୍କ ସୁଶାସନ ନା ସୁଶାସନକୁ କଳଙ୍କିତ କରୁଥିବା ଅଧ୍ୟାୟ?
ଜନସ୍ୱାସ୍ଥ୍ୟ ବିଷୟ କଥାକୁ ଏଠାରେ ଆଲୋଚନା କରାଯାଇପାରେ। ଗତକାଲି ପଲିଟିକାଲ୍ ଭାଗବତରେ ମୁଁ ଆପଣଙ୍କୁ ଏ ବିଷୟରେ ବିସ୍ତୃତ ସୂଚନା ଦେଇଥିଲି। ଆଜିର ତଥ୍ୟ ଅନୁସାରେ ସରକାରୀ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି, ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଉପରେ ରହିଛି। ରାଜ୍ୟର ୮ ଜିଲ୍ଲା ପ୍ରଭାବିତ ହେଲାଣି। ସରକାରକାରଣ ଖୋଜି ପାଇପାରୁ ନାହାନ୍ତି। ଏହା ଅବ୍ୟବସ୍ଥିତ ପ୍ରଶାସନର ଉଦାହରଣ ନୁହେଁ କି? ହଇଜା ଭଳି ଏକ ବହୁ ପୁରୁଣା ଜଣାଶୁଣା ଜୀବାରୁଜନିତ ଜଳ ବାହିତ ରୋଗକୁ ନିୟନ୍ତ୍ରଣ କରିବାରେ ଆମେ ବିଫଳ ହେବା ସରକାରଙ୍କ ବିଫଳତା ତଥା ସରକାର ଓ ତୃଣମୂଳର ସମନ୍ୱୟରେ ଥିବା ଦୂରତାକୁ ସ୍ପଷ୍ଟ କରୁନାହିଁ କି?
ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟାଳୟର ଅଧିକାରୀ ତଥା ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଉଥିବା ନେତା ଓ ଅଧିକାରୀମାନେ କ’ଣ ଏହାକୁ ରାଜ୍ୟରେ ମୋଦୀଙ୍କ ସୁଶାସନ ବୋଲି କହିବାକୁ ଚାହାନ୍ତି? ଯଦି ରାଜ୍ୟରେ ସମନ୍ୱୟ ରକ୍ଷା କରିବାରେ ଏମାନେ ବିଫଳ ହେଉଛନ୍ତି ତେବେ ମୋଦୀଙ୍କ ବାରମ୍ବାର ଗସ୍ତ କାହିଁକି?
କେନ୍ଦ୍ରରେ ସରକାର ଗଠନ ପରେ ମୋଦୀ ଓଡ଼ିଶାକୁ ୧୦ ବର୍ଷ ଭିତରେ ୩୦ ଥର ଆସିଛନ୍ତି। କିନ୍ତୁ ଗଲା ୧ ବର୍ଷ ଭିତରେ ମୋଦୀ ୬ ଥର ଓଡ଼ିଶା ଆସିଲେଣି। ଖାଲି ତାଙ୍କ ଗସ୍ତ, ମଞ୍ଚ ଉପରୁ ଭାଷଣ କ’ଣ ଓଡ଼ିଶାବାସୀଙ୍କୁ ଖୁସିରେ ରଖିପାରିବ? ଏହା କ’ଣ ମୋଦୀଙ୍କ ସୁଶାସନ?