Flight Service: ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା। ମୁମ୍ବାଇ-ଝାରସୁଗୁଡା ସେକ୍ଟରରେ ବିମାନ ସେବା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଶିଳ୍ପ ନଗରୀ ଝାରସୁଗୁଡା ସହ ମାୟାନଗରୀ ମୁମ୍ବାଇ ସିଧା-ସଳଖ ଆକାଶ ପଥରେ ଯୋଡି଼ ହେବ। ତେବେ, ଆସନ୍ତୁ ଜାଣିବା ସପ୍ତାହରେ କେତେ ଦିନ ଏହି ସେବାଯାତ୍ରୀଙ୍କୁ ମିଳିବ।
ସପ୍ତାହର ସବୁଦିନ ବିମାନ ଚଳାଚଳ କରିବ। ଅପରାହ୍ନ ପ୍ରାୟ ୧ଟା ରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଇଣ୍ତିଗୋ -ବିମାନ ସେବା ପହଞ୍ଚିବା ପରେ ଓ୍ବାଟର କେନନ ଦ୍ବାରା ସ୍ବାଗତ କରାଯିବ। ଯାତ୍ରୀଙ୍କୁ ମଧ୍ୟ ଭବ୍ୟ ସ୍ବାଗତ କରାଯିବ ବୋଲି କହିଛନ୍ତି ଝାରସୁଗୁଡା ବିମାନ ବନ୍ଦରର ନିର୍ଦ୍ଦେଶକ ଦାୟିତ୍ବରେ ଥିବା ଡିଜିଏମ୍ ସିଏନ୍-ଏସ୍-ୟୁ.ଏନ୍- ଧଣ୍ତିଆ।
ମୁମ୍ବାଇ ବିମାନ ବନ୍ଦରରୁ ପୂର୍ବାହ୍ନ ୧୦ଟା ୫୫ ମିନିଟ୍ ରେ ବିମାନ ଉଡାଣ ଭରିବ। ଝାରସୁଗୁଡାରେ ଅପରାହ୍ନ ୧ଟା ରେ ପହଞ୍ଚିବ।
ସେହିପରି, ଝାରସୁଗୁଡାରୁ ଅପରାହ୍ନ ୨ଟାରେ ପ୍ରତ୍ୟାବର୍ତ୍ତନ କରି, ଅପରାହ୍ନ ୪ଟା ୧୫ ରେ ମୁମ୍ବାଇରେ ପହଞ୍ଚିବ। ଇଣ୍ତିଗୋର ଏୟାର ବସ୍-୩୨୦ ବିମାନ ଏହି ରୁଟ୍ ରେ ଚଳାଚଳ କରିବ। ପ୍ରାୟ ୧୮୦ ଜଣ ଯାତ୍ରୀ ସୁବିଧାରେ ଯାତ୍ରା କରିପାରିବେ।
ବିମାନ ସେବାକୁ ନେଇ ସମୟ ସିଡ୍ୟୁଲ୍ ପ୍ରକାଶ ପାଇ ନଥିବା ବେଳେ ଆଗକୁ ସମୟ ସାରଣୀ ପରିବର୍ତ୍ତନର ସମ୍ଭାବନା ରହିଛି।
ସୂଚନା ଯୋଗ୍ୟ, ଝାରସୁଗୁଡା ସହ ଦେଶର ପ୍ରମୁଖ ମେଟ୍ରୋ ସିଟି ଆକାଶ ମାର୍ଗରେ ଯୋଡି଼ ହୋଇଛି। ରାଜଧାନୀ ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁରୁ ଇଣ୍ତିଗୋର ବିମାନ ସେବା ଜାରି ରହିଛି। ସେହିପରି ଷ୍ଟାର ଏୟାର ପକ୍ଷରୁ ହାଇଦ୍ରାବାଦ, ରାୟପୁର ଏବଂ ଲକ୍ଷ୍ନୌକୁ ବିମାନସେବା ଆରମ୍ଭ ହୋଇଛି। ଏଲାଏନ୍ସ ଏୟାର ପକ୍ଷରୁ ଭୁବନେଶ୍ବର -ଝାରସୁଗୁଡା ମଧ୍ୟରେ ବିମାନ ସେବା ସପ୍ତାହକୁ ତିନି ଦିନ ଜାରି ରହିଛି। ଝାରସୁଗୁଡା-ମୁମ୍ବାଇ ସେକ୍ଟରରେ ବିମାନ ଚଳାଚଳକୁ ନେଇ ଯାତ୍ରୀଙ୍କ ମଧ୍ୟର ଖୁସିର ଲହରୀ ଖେଳି ଯାଇଛି।
ट्रेन्डिंग फोटोज़