ଅଭିନେତା ପିୟୁଷଙ୍କୁ ନେଇ ବିବାଦ ଘଟଣା, କୋର୍ଟର ଦ୍ୱାରସ୍ଥ ହେବେ ସିଂହବାହିନୀ ପ୍ରଯୋଜକ
Advertisement
Article Detail0/zeeodisha/odisha2665959

ଅଭିନେତା ପିୟୁଷଙ୍କୁ ନେଇ ବିବାଦ ଘଟଣା, କୋର୍ଟର ଦ୍ୱାରସ୍ଥ ହେବେ ସିଂହବାହିନୀ ପ୍ରଯୋଜକ

ଲୋକପ୍ରିୟ ଯାତ୍ରା ଅଭିନେତା ପିୟୁଷଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି । ଟଙ୍କା ସହ ଗାଡ଼ି ନେବା ପରେ ପିୟୁଷ ଏବେ ଯାତ୍ରା ସିଂହବାହିନୀରେ ଯୋଗ ଦେବାକୁ ମନା କରୁଛନ୍ତି ବୋଲି ପ୍ରଯୋଜକ ଅଭିଯୋଗ ଆଣିଛନ୍ତି । 

ଅଭିନେତା ପିୟୁଷଙ୍କୁ ନେଇ ବିବାଦ ଘଟଣା, କୋର୍ଟର ଦ୍ୱାରସ୍ଥ ହେବେ ସିଂହବାହିନୀ ପ୍ରଯୋଜକ

ଭୁବନେଶ୍ୱର:  ପୁଣିଥରେ ବିବାଦ ଘେରକୁ ଆସିଛନ୍ତି ଲୋକପ୍ରିୟ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ । ଯାତ୍ରା ସିଂହବାହିନୀ ମାଲିକଙ୍କ ନିକଟରୁ ପିୟୁଷ ଟଙ୍କା ଏବଂ ଗାଡ଼ି ନେବା ପରେ ମଧ୍ୟ ଏବେ ଯାତ୍ରାରେ ଯୋଗ ଦେବାକୁ ମନା କରୁଛନ୍ତି । ଏଭଳି କିଛି ସଙ୍ଗୀନ ଅଭିଯୋଗ କରିଛନ୍ତି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢୀ । ପୂର୍ବରୁ ଯାତ୍ରା ସିଂହାବାହିନୀ ପକ୍ଷରୁ ସୋସିଆଲ ମିଡିଆରେ ପିୟୁଷ ତ୍ରିପାଠୀଙ୍କ ନାମ ଷ୍ଟାରକାଷ୍ଟରେ ପ୍ରକାଶ କରିବାରୁ ଏହି ବିବାଦ ଅଧିକ ଘନେଇଛି ।

ଅନ୍ୟପଟେ ଅଭିନେତା ପିୟୁଷ ସୋସିଆଲ ମିଡ଼ିଆରେ ଭିଡିଓ ଜାରି କରି କହିଛନ୍ତି ଯେ, ମୁଁ କେବେ ସିଂହବାହିନୀକୁ ଯିବି ନାହିଁ । ପିୟୁଷଙ୍କ କହିବାନୁଯାୟୀ, ଯାତ୍ରା ସିଂହବାହିନୀ ପକ୍ଷରୁ ଅଫିସିଆଲ ସୋସିଆଲ ମିଡିଆ ପେଜରେ ପୋଷ୍ଟ କରାଯାଇଛି ଯେ, ମୁଁ ଆସନ୍ତା ବର୍ଷ ସିଂହବାହିନୀ ଯିବି । କଥାଟା ସମ୍ପୂର୍ଣ୍ଣ ସତ୍ୟ ନୁହେଁ କି ସମ୍ପୂର୍ଣ୍ଣ ମିଥ୍ୟା ମଧ୍ୟ ନୁହେଁ । ସେ ଅନୁଷ୍ଠାନକୁ ଯିବା ପାଇଁ ବାବୁଙ୍କ ସହ ମୋର କଥାବାର୍ତ୍ତା ହୋଇଥିଲା ଚୁକ୍ତି ମଧ୍ୟ ହୋଇଥିଲା। କିନ୍ତୁ ସମୟାନୁକ୍ରମେ ମାଲିକ ଏବଂ କଳାକାରଙ୍କ ମଧ୍ୟରେ ଯେଉଁ ବୁଝାମଣା ରହିବା କଥା ତାହାର ଘୋର ଅଭାବ ଦେଖାଯାଇଥିଲା । ଯାହା ଫଳରେ ସୁସ୍ଥ ମସ୍ତିକରେ ସେହି ଅନୁଷ୍ଠାନରେ ବର୍ଷେ କାମ କରିବା ଏବଂ ଶତ ପ୍ରତିଶତ ଦେବା ମୁଁ ସଠିକ୍ ଭାବିଲି ନାହିଁ । ତେଣୁ ମୁଁ ବାବୁ ଆପଣଙ୍କୁ ମନା କଲି ଯେ ମୁଁ ଆସିପାରିବି ନାହିଁ । କିନ୍ତୁ ପିୟୁଷଙ୍କ କହିବା ପରେ ମଧ୍ୟ ତାଙ୍କ ଫଟୋକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରାଗଲା ଏବଂ ସେ ନିନ୍ଦାର ପାତ୍ର ହେଲେ ବୋଲି ପିୟୁଷ ଅଭିଯୋଗ କରିଛନ୍ତି । ପିୟୁଷ ଏକଥା ମଧ୍ୟ କହିଥିଲେ ଯେ, କେବଳ ଆସନ୍ତାବର୍ଷ ନୁହେଁ ମୁଁ ଯାତ୍ରାରେ ଥିବା ପର୍ଯ୍ୟନ୍ତ ସିଂହବାହିନୀ ସହ ନାହିଁ । ମୁଁ ଅପେରା ସୂର୍ଯ୍ୟ ମନ୍ଦିରରେ କାର୍ଯ୍ୟରତ ଥିଲି, ଏବେ ଅଛି ଏବଂ ଆସନ୍ତାବର୍ଷ ମଧ୍ୟ କାର୍ଯ୍ୟରତ ରହିବି ବୋଲି ପିୟୁଷ କହିଥିଲେ। 

ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢୀ । ତାଙ୍କ କହିବାନୁଯାୟୀ, ପିୟୁଷ ବାବୁ ଗତ ନଭେମ୍ବରରେ ମୋତେ ହଠାତ୍ ଫୋନ୍ କରିଥିଲେ । ପିୟୁଷ କହିଥିଲେ ଯେ, ବାବୁ ମୁଁ ଆପଣଙ୍କ ପାର୍ଟିରେ କାମ କରିବାକୁ ଚାହୁଁଛି । କିନ୍ତୁ ଆସନ୍ତାବର୍ଷ ପାଇଁ କାହ୍ନା ବାବୁଙ୍କ ସହ ଆମର କଥା ହୋଇଥିଲା ଏବଂ ଏହାସହ ନାଟକ ମଧ୍ୟ ଡିକ୍ଲାର ହୋଇଥିଲା । ଏହା ସତ୍ୱେ ମଧ୍ୟ ଏକ ହୋଟେଲରେ ଆଲୋଚନା ହୋଇଥିଲା । ସେଠି ଫାଇନାଲ୍ ହୋଇଥିଲା ଯେ, ପିୟୁଷ ମୋ ପାର୍ଟିରେ ୫ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଏହାପରେ ସେଠାରେ ଏଗ୍ରିମେଣ୍ଟ କରିଥିଲେ । ଅଗ୍ରୀମ ଭାବେ ତାଙ୍କୁ ଏକ ଗାଡ଼ି ଦେବାକୁ ସେ କହିଥିଲେ । ଏହା ସହ ବାର୍ଷିକ ୭୦ଲକ୍ଷ ଟଙ୍କା ଦେବା ପାଇଁ ପିୟୁଷ କହିଥିଲେ । ପିୟୁଷ ବ୍ୟବହାର କରୁଥିବା ଗାଡ଼ିଟି ଆମ ସଂସ୍ଥା ନାଁରେ ରହିଛି । ୧୧ ଡିସେମ୍ବରରେ ସେ ଆମଠାରୁ ଗାଡ଼ି ନେଇଛନ୍ତି। ପିୟୁଷ ବାବୁଙ୍କୁ ମୁଁ ଏପର୍ଯ୍ୟନ୍ତ ୫୫ ଲକ୍ଷ ଟଙ୍କା ଦେଇଛି । ୩୦ଲକ୍ଷ ଟଙ୍କା ଆକାଉଣ୍ଟରେ ଏବଂ ନଗଦ ୨୫ଲକ୍ଷ ଟଙ୍କା ନେଇଛନ୍ତି ବୋଲି ସିଂହବାହିନୀ ମାଲିକ କହିଛନ୍ତି । ଗାଡ଼ି ବାବଦରେ ଏଗ୍ରିମେଣ୍ଟ ହୋଇ ସାରିଛି । ୫ ବର୍ଷ ପାଇଁ ସିଂହବାହିନୀରେ ରହିବି ଏବଂ ଗାଡି ସେହି କ୍ରମରେ ନେଇଛି ବୋଲି ସେଥିରେ ଲେଖା ରହିଛି । ସେ ତାଙ୍କ ପିଲାମାନଙ୍କ ମୁଣ୍ଡ ଛୁଇଁ ମଧ୍ୟ କହିଛନ୍ତି । ଖଣ୍ଡଗିରି ମେଳା ସମୟରେ ସେ ମୋ ସହ ପୁରୀ ଯାଇଥିଲେ ଏବଂ ସେଠାରେ ପ୍ରତିଜ୍ଞା ମଧ୍ୟ କରିଥିଲେ । ମୋ ପାଖରେ ପ୍ରତିବର୍ଷ ୭୦ ଲକ୍ଷ ଟଙ୍କାରେ ଚୁକ୍ତି କରିଥିଲେ । କିନ୍ତୁ ସେ ଏବେ ମୋ ଫୋନ ଉଠାଉନାହାନ୍ତି । ବର୍ତ୍ତମାନ ଏହା ମୋର ଇଜ୍ଜତର କଥା ମୋ ସମ୍ମାନକୁ ଯଦି ବାଧେ ମୁଁ କିଛି ବି କରିପାରେ । ଏଥିସହ ସିଂହବାହିନୀ ମାଲିକ ଏକଥା ମଧ୍ୟ କହିଛନ୍ତି ଯେ, ଆଗକୁ ମୁଁ କୋର୍ଟଙ୍କ ଦ୍ୱାରସ୍ଥ ହେବି ।

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

;