Kartavya Bhavan: କର୍ତ୍ତବ୍ୟ ଭବନ-୩ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଏହି ସବୁ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକୁ ମିଳିଲା ନୂଆ ସ୍ଥାନ
Advertisement
Article Detail0/zeeodisha/odisha2869721

Kartavya Bhavan: କର୍ତ୍ତବ୍ୟ ଭବନ-୩ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଏହି ସବୁ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକୁ ମିଳିଲା ନୂଆ ସ୍ଥାନ

Kartavya Bhavan: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କର୍ତ୍ତବ୍ୟ ପଥ ଉପରେ ନବନିର୍ମିତ କର୍ତ୍ତବ୍ୟ ଭବନ-୩ ଉଦଘାଟନ କରିଛନ୍ତି। କର୍ତ୍ତବ୍ୟ ଭବନ-୧ ଏବଂ କାର୍ତ୍ତବ୍ୟ ଭବନ-୨ ମଧ୍ୟ ଆସନ୍ତା ମାସ ସୁଦ୍ଧା ସମାପ୍ତ ହେବ। ଉଭୟର କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। 

 

କର୍ତ୍ତବ୍ୟ ଭବନ-୩ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
କର୍ତ୍ତବ୍ୟ ଭବନ-୩ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

Kartavya Bhavan: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ ନବନିର୍ମିତ କର୍ତ୍ତବ୍ୟ ଭବନକୁ ଉଦଘାଟନ କରିଛନ୍ତି। ଦକ୍ଷତା, ନବସୃଜନ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକୁ ଏକାଠି କରାଯାଇ କର୍ତ୍ତବ୍ୟ ଭବନକୁ ସ୍ଥାନାନ୍ତରିତ କରାଯିବ। ଏଥିରେ ଗୃହ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, MSME ମନ୍ତ୍ରଣାଳୟ, କାର୍ମିକ ଏବଂ ତାଲିମ ବିଭାଗ (DoPT), ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ/ବିଭାଗ ଏବଂ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା (PSA)ଙ୍କ କାର୍ଯ୍ୟାଳୟ ରହିବ।

ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧୀନରେ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ପାଇଁ ମୋଟ ୧୦ଟି ଏପରି କୋଠା ନିର୍ମାଣ କରାଯିବାର ଅଛି। ଏଥିମଧ୍ୟରୁ କର୍ତ୍ତବ୍ୟ ଭବନ-୩ ସମ୍ପୂର୍ଣ୍ଣ ହୋଇଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ଟାରେ କର୍ତ୍ତବ୍ୟ ପଥଠାରେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ। ପ୍ରକଳ୍ପ ସମାପ୍ତ ହେବା ପରେ ଭଡା ବାବଦକୁ ଖର୍ଚ୍ଚ ହେଉଥିବା ୧୫୦୦ କୋଟି ଟଙ୍କା ସଞ୍ଚୟ ହେବ।

କର୍ତ୍ତବ୍ୟ ଭବନରେ କ’ଣ ରହିଛି ବିଶେଷତା
ପ୍ରାୟ ୧.୫ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ବିସ୍ତୃତ ଏହି ଅତ୍ୟାଧୁନିକ କାର୍ଯ୍ୟାଳୟ କମ୍ପ୍ଲେକ୍ସରେ ଦୁଇଟି ବେସମେଣ୍ଟ ଏବଂ ସାତ ମହଲା (ଭୂତଳ ମହଲା + ୬ ମହଲା) ଅଛି। ବର୍ତ୍ତମାନ ଅନେକ ପ୍ରମୁଖ ମନ୍ତ୍ରଣାଳୟ ୧୯୫୦ ରୁ ୧୯୭୦ ଦଶକ ମଧ୍ୟରେ ନିର୍ମିତ ଶାସ୍ତ୍ରୀ ଭବନ, କୃଷି ଭବନ, ଉଦ୍ୟୋଗ ଭବନ ଏବଂ ନିର୍ମାଣ ଭବନ ଭଳି ପୁରୁଣା କୋଠାରୁ କାର୍ଯ୍ୟ କରନ୍ତି।

ଏହି ଭବନରେ ସୁରକ୍ଷିତ ଏବଂ ଆଇଟି-ସକ୍ଷମ କାର୍ଯ୍ୟସ୍ଥଳ, ସ୍ମାର୍ଟ ପ୍ରବେଶ ବ୍ୟବସ୍ଥା, ଇଲେକ୍ଟ୍ରୋନିକ୍ ନିରୀକ୍ଷଣ ଏବଂ କମାଣ୍ଡ ସେଣ୍ଟର, ସୌର ପ୍ୟାନେଲ, ସୌର ଜଳ ହିଟର ଏବଂ ଇ-ଯାନ ଚାର୍ଜିଂ ଷ୍ଟେସନ ଭଳି ଫିଚର ରହିଛି। ଏହା ପରିବେଶ ଅନୁକୂଳ ନିର୍ମାଣକୁ ମଧ୍ୟ ପ୍ରୋତ୍ସାହିତ କରେ। ଯେଉଁଥିରେ ବର୍ଜ୍ୟଜଳ ପୁନଃବ୍ୟବହାର, କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଏହି ଭବନକୁ ଥଣ୍ଡା ରଖିବା ଏବଂ ବାହ୍ୟ ଶବ୍ଦ ପ୍ରଦୂଷଣ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର କାଚ ଝରକା ଲଗାଯାଇଛି।

କର୍ତ୍ତବ୍ୟ ଭବନକୁ ୩୦ ପ୍ରତିଶତ କମ୍ ଶକ୍ତି ବ୍ୟବହାର କରିବା ପାଇଁ ଡିଜାଇନ୍ କରାଯାଇଛି। ଶକ୍ତି ସଂରକ୍ଷଣକାରୀ LED ଲାଇଟ୍, ଆବଶ୍ୟକ ନଥିବା ସମୟରେ ଲାଇଟ୍ ବନ୍ଦ କରିବା ପାଇଁ ସେନ୍ସର, ଶକ୍ତି ସଂରକ୍ଷଣକାରୀ ସ୍ମାର୍ଟ ଲିଫ୍ଟ ଏବଂ ବିଦ୍ୟୁତ୍ ବ୍ୟବହାର ପରିଚାଳନା ପାଇଁ ଏକ ଉନ୍ନତ ବ୍ୟବସ୍ଥା ସ୍ଥାପିତ ହୋଇଛି।

ମଙ୍ଗଳବାର ଦିନ ନବନିର୍ମିତ କର୍ତ୍ତବ୍ୟ ଭବନ-୩ର ଅଡିଟୋରିୟମରେ ନଗର ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ କର୍ତ୍ତବ୍ୟ ଭବନ-୧ ଏବଂ କର୍ତ୍ତବ୍ୟ ଭବନ-୨ ମଧ୍ୟ ଆସନ୍ତା ମାସ ସୁଦ୍ଧା ସମାପ୍ତ ହେବ। ଉଭୟର କାମ ପ୍ରାୟ ଶେଷ ପର୍ଯ୍ୟାୟରେ। ଅନ୍ୟ ସାତଟି ପ୍ରସ୍ତାବିତ କୋଠା ମଧ୍ୟ ଏପ୍ରିଲ ୨୦୨୭ ସୁଦ୍ଧା ସମାପ୍ତ ହେବ। ଏହି ପ୍ରକଳ୍ପରେ ପ୍ରାୟ ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। 

ମନ୍ତ୍ରଣାଳୟ ପାଇଁ ନିର୍ମିତ ଏହି କୋଠାଗୁଡ଼ିକରେ ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ଏବଂ ପରିବେଶ ଅନୁକୂଳତାର ସମ୍ପୂର୍ଣ୍ଣ ଯତ୍ନ ନିଆଯାଇଛି। ସମଗ୍ର କୋଠା ଉପରେ ନଜର ରଖିବା ପାଇଁ ଏକ କମାଣ୍ଡ ସିସିଟିଭି କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି, ଯେଉଁଠାରୁ ପରିସର ଏବଂ ଭିତର କରିଡର ଉପରେ କଡ଼ା ନଜର ରଖାଯିବ। ବିଶେଷ କଥା ହେଉଛି କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ପାଇଁ ଏହି ନବନିର୍ମିତ କୋଠାଗୁଡ଼ିକୁ ପୂର୍ବରୁ କମନ୍ ସେଣ୍ଟ୍ରାଲ୍ ସେକ୍ରେଟେରିଏଟ୍ (CCS) ନାମ ଦିଆଯାଇଥିଲା। ଏହି କାର୍ତ୍ତବ୍ୟ ଭବନଗୁଡ଼ିକୁ ମେଟ୍ରୋ ଲାଇନ ସହିତ ସଂଯୋଗ କରିବା ପାଇଁ ଇନ୍ଦ୍ରପ୍ରସ୍ଥ ମେଟ୍ରୋ ଷ୍ଟେସନରୁ ଏକ ନୂତନ ଲାଇନ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି।

;