Trending Photos
Odisha News: ନୂଆଦିଲ୍ଲୀ: ଦେଶର ୧୭ଟି ଆଦିବାସୀ ଅଧ୍ୟୁଷିତ ରାଜ୍ୟ ଭିତରୁ ଓଡିଶାରେ ରକ୍ତହୀନତା ରୋଗୀଙ୍କ ସଂଖ୍ୟା ଅଧିକ। ସମୁଦାୟ ପରୀକ୍ଷା ହୋଇଥିବା ରକ୍ତରୁ ଲୋକଙ୍କ ଭିତରେ ୨ ପ୍ରତିଶତ ସିକଲସେଲ ବା ରକ୍ତହୀନତା ରୋଗର ଶିକାର ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।
ଆଜି ଲୋକସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ସୂଚନା ଦେବା ଅବସରରେ ଏହା କହିଛନ୍ତି। ସଦସ୍ୟ ରାଜକୁମାର ରାୱତଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଦେଶର ୧୭ଟି ରାଜ୍ୟରେ ସିକିଲସେଲ ବା ରକ୍ତହୀନତା ରୋଗ ସମ୍ପର୍କରେ ଜାଣିବା ପାଇଁ ୬ କୋଟି ୪ ଲକ୍ଷ ୫୦ ହଜାର ଲୋକଙ୍କର ସ୍କ୍ରିନିଂ କରାଯାଇଥିଲା । ଏହି ସ୍କ୍ରିନିଂ ଅନୁସାରେ ୨୮ ଜୁଲାଇ ସୁଦ୍ଧା ଓଡିଶାରେ ୯୬୪୮୪ ଜଣ ବ୍ୟକ୍ତି ରକ୍ତ ହୀନତାର ଶିକାର ହୋଇଥିବା ଜଣାପଡ଼ିଛି।
ଅପରପକ୍ଷେ ଦେଶରେ ସମୁଦାୟ ରକ୍ତହୀନତାର ଶିକାର ହୋଇଥିବା ରୋଗୀଙ୍କ ସଂଖ୍ୟା ହେଉଛି ୨ ଲକ୍ଷ ୧୬ ହଜାର ଶହେ। ଅର୍ଥାତ ଦେଶର ପ୍ରାୟ ୪୫ ପ୍ରତିଶତ ରକ୍ତହିନତା ରୋଗୀ ଓଡ଼ିଶାରେ ରହୁଛନ୍ତି। ଏହି ସମୁଦାୟ ରୋଗୀଙ୍କ ଭିତରୁ ୭୩ ହଜାର ୮୧୦ ଜଣ ଆଦିମ ଆଦିବାସୀ ହୋଇଥିବା ବେଳେ ଓଡ଼ିଶାରେ ଏହି ବର୍ଗର ଲୋକଙ୍କ ସଂଖ୍ୟା ହେଉଛି ୧୫୫୨୫। ସେହିଭଳି ରାଜ୍ୟର ପରୀକ୍ଷା ହୋଇଥିବା ନମୂନାରୁ ୨୧୨୮୪ ଜଣ ଅନୁସୂଚିତ ଜାତି ବର୍ଗର ବ୍ୟକ୍ତି ରକ୍ତହୀନତା ବା ସିକଲସେଲର ଶିକାର ହେଉଛନ୍ତି। ସମୁଦାୟ ୨୧୧୮୦ ଜଣ ଓବିସି ବର୍ଗର ହୋଇଥିବା ବେଳେ ସମୂଦାୟ ପରୀକ୍ଷା ହୋଇଥିବା ଜନସଂଖ୍ୟାରୁ ୩୮୪୯୫ ଜଣ ହେଉଛନ୍ତି ସାଧାରଣ ବର୍ଗର।
ଜାତୀୟ ସିକିଲସେଲ ଆନିମିଆ ଏଲିମିନେସନ ମିଶନ ଜରିଆରେ ଏହି ସମସ୍ତ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଚିହ୍ନିତ ରୋଗୀ ମାନଙ୍କର ନିୟମିତ ପରୀକ୍ଷଣ କରାଯିବା ସହ ସେମାନଙ୍କର ଜୀବନଶୈଳୀ ପରିଚାଳନା ବାହାଘର ପୂର୍ବ ଓ ସନ୍ତାନ ଜନ୍ମ ପୂର୍ବର ନିଷ୍ପତ୍ତି ସମ୍ପର୍କରେ ପରାମର୍ଶ ଦିଆଯିବାର ବ୍ୟବସ୍ଥା କରାଯାଇଛି। ରକ୍ତହୀନତାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଫୋଲିକ ଏସିଡ ଟାବ୍ଲେଟ ମାଗଣାରେ ବଣ୍ଟନ କରାଯାଉଛି। ଏହା ସହ ପ୍ରଭାବିତ ଲୋକଙ୍କୁ ଜିନ ପରାମର୍ଶ ପରିଚୟ ପତ୍ର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରଭାବିତ ଲୋକଙ୍କର ଔଷଧ ଖର୍ଚ୍ଚକୁ କମାଇବା ଲାଗି ହାଇଡ୍ରୋକସରିଆ ଭଳି ଔଷଧ କିଣିବା ଲାଗି ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଆଦିବାସୀଙ୍କ କ୍ଷେତ୍ରରେ ସ୍ୱତନ୍ତ୍ର ପରାମର୍ଶ ଏବଂ ଔଷଧ ବିତରଣ କାର୍ଯ୍ୟକ୍ରମ କରାଯାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି।