ଦିଲ୍ଲୀ-ଏନସିଆର ରାସ୍ତାରୁ ହଟିବେ ବୁଲା କୁକୁର !
Advertisement
Article Detail0/zeeodisha/odisha2876222

ଦିଲ୍ଲୀ-ଏନସିଆର ରାସ୍ତାରୁ ହଟିବେ ବୁଲା କୁକୁର !

କୋର୍ଟ ଦିଲ୍ଲୀ ସରକାର, ଏମସିଡି ଏବଂ ଏନଡିଏମସିକୁ ଏହା ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ଅଞ୍ଚଳରୁ ବୁଲା କୁକୁରମାନଙ୍କୁ ଧରି ସେମାନଙ୍କ ପାଇଁ ସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ କରନ୍ତୁ ।

ଦିଲ୍ଲୀ-ଏନସିଆର ରାସ୍ତାରୁ ହଟିବେ ବୁଲା କୁକୁର !

Stray dogs: ଦିଲ୍ଲୀ-ଏନସିଆରରେ ବୁଲା କୁକୁରମାନଙ୍କ କାରଣରୁ ବଢ଼ୁଥିବା ବିପଦ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ବୁଲା କୁକୁର କାମୁଡ଼ିବା କାରଣରୁ ବଢ଼ୁଥିବା ରେବିଜ୍ ମାମଲାକୁ ସ୍ୱତଃ ବିଚାର କରି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିଥିଲେ। ଜଷ୍ଟିସ୍ ଜେବି ପାରଦିୱାଲା ଏବଂ ଜଷ୍ଟିସ୍ ଆର. ମହାଦେବନଙ୍କ ଖଣ୍ଡପୀଠ କହିଥିଲେ ଯେ, ଏବେ ଭାବପ୍ରବଣତାର ସମୟ ନୁହେଁ, ବରଂ କାର୍ଯ୍ୟାନୁଷ୍ଠାନର ସମୟ। ତେଣୁ କୋର୍ଟ ଦିଲ୍ଲୀ ସରକାର, ଏମସିଡି ଏବଂ ଏନଡିଏମସିକୁ ଏହା ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ଅଞ୍ଚଳରୁ ବୁଲା କୁକୁରମାନଙ୍କୁ ଧରି ସେମାନଙ୍କ ପାଇଁ ସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ କରନ୍ତୁ ।

ଜଷ୍ଟିସ୍ ପାରଦିୱାଲାଙ୍କ କହିବାନୁଯାୟୀ, 'ସମସ୍ତ ଅଞ୍ଚଳରୁ କୁକୁରମାନଙ୍କୁ ହଟାଇବା ପଦକ୍ଷେପ ଜନସ୍ୱାର୍ଥରେ ଗ୍ରହଣ କରିବା ଉଚିତ। ଭାବପ୍ରବଣତା ବଦଳରେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।' ସେ ଏହା ମଧ୍ୟ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ରାସ୍ତାକୁ କୁକୁରରୁ ମୁକ୍ତ କରାନଯିବ ସେପର୍ଯ୍ୟନ୍ତ ପିଲା ଏବଂ ବୃଦ୍ଧଙ୍କ ସୁରକ୍ଷା ସୁନିଶ୍ଚିତ ହେବ ନାହିଁ।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି ଏବଂ ପିଲାମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ କୋର୍ଟକୁ ଧନ୍ୟବାଦ ଜଣାଇଥିଲେ। ଏସଜି ମେହେଟ୍ଟା କହିଛନ୍ତି ଯେ, ପିଲାମାନଙ୍କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ ସୂଚନା ଦେଇଥିଲେ ଯେ, ଏହି ଉଦ୍ଦେଶ୍ୟରେ ଏକ ଜମି ଚିହ୍ନଟ କରାଯାଇଥିଲା, କିନ୍ତୁ ଦିଲ୍ଲୀ ହାଇକୋର୍ଟରେ କିଛି କୁକୁର ପ୍ରେମୀ ଆବେଦନ କରିବା କାରଣରୁ ଏହା ସ୍ଥଗିତ ରହିଛି।

ଏକ ରିପୋର୍ଟ ଅନୁଯାୟୀ, ଜଷ୍ଟିସ୍ ପାରଡିୱାଲା ଶୁଣାଣି ସମୟରେ କିଛି ଚଳଚ୍ଚିତ୍ର ସମ୍ପର୍କରେ ଉଲ୍ଲେଖ କରି କହିଥିଲେ, ତଥାକଥିତ କୁକୁର ପ୍ରେମୀମାନେ ବୁଲା କୁକୁର ଆକ୍ରମଣରେ ମୃତ୍ୟୁବରଣ କରିଥିବା ପିଲାମାନଙ୍କର ଜୀବନ ଫେରାଇ ଆଣିପାରିବେ କି?

ସୁପ୍ରିମକୋର୍ଟ ଦିଲ୍ଲୀ ସରକାର, ଏମସିଡି ଏବଂ ଏନଡିଏମସିକୁ ୮ ସପ୍ତାହ ମଧ୍ୟରେ କୁକୁରଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ପ୍ରଥମ ୬ ସପ୍ତାହରେ ୫ ହଜାର କୁକୁରଙ୍କୁ ଧରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି କିମ୍ବା ସଂଗଠନ କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କୋର୍ଟଙ୍କ କହିବା ମୁତାବକ, MCD, NDMC, ନୋଏଡା ଏବଂ ଗୁରୁଗ୍ରାମର ସମସ୍ତ ଏଜେନ୍ସି ପ୍ରତିଦିନ କେତେ ସଂଖ୍ୟାରେ କୁକୁର ଧରି ଆଶ୍ରୟସ୍ଥଳରେ ରଖିବେ ସେ ରେକର୍ଡ ରଖିବା ଉଚିତ। ଯଦି ଗୋଟିଏ ବି କୁକୁରକୁ ରାସ୍ତାରେ ଛାଡ଼ି ଦିଆଯାଏ, ତେବେ କଠୋର ଦଣ୍ଡ ଦିଆଯିବ। ଏଥିସହ କୁକୁର କାମୁଡ଼ା ଏବଂ ରାବିଜ୍ ମାମଲା ରିପୋର୍ଟ କରିବା ପାଇଁ ଏକ ସପ୍ତାହ ମଧ୍ୟରେ ଏକ ହେଲ୍ପଲାଇନ୍ ଆରମ୍ଭ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ହେଲ୍ପଲାଇନ୍‌ରେ ଅଭିଯୋଗ ଆସିବାର ୪ ଘଣ୍ଟା ମଧ୍ୟରେ କୁକୁରକୁ ଧରାଯିବା ଉଚିତ। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏହା ପିଲା ଏବଂ ବୃଦ୍ଧଙ୍କ ଜୀବନ ରକ୍ଷା କରିବାର ବିଷୟ, ଏଥିରେ କୌଣସି ଭାବପ୍ରବଣତାକୁ ସାଲିସ କରାଯାଇପାରିବ ନାହିଁ। ଯେଉଁ ବ୍ୟକ୍ତି କିମ୍ବା ସଂଗଠନ ନିର୍ଦ୍ଦେଶ ପାଳନ କରିବେ ନାହିଁ କିମ୍ୱା ବାଧା ସୃଷ୍ଟି କରିବେ ସେମାନଙ୍କ ବିରୁଦ୍ଧରେ ଅବମାନନା ମାମଲା ଲାଗୁ କରାଯିବ।

Also Read- ଆମବସ୍ ଫଟୋଗ୍ରାଫି ପ୍ରତିଯୋଗିତା, ମିଳିବ ବିଶେଷ ପୁରସ୍କାର

Also Read- ରୋଗୀ ସେବା କରି ଡାକ୍ତର ଚାପଗ୍ରସ୍ତ, CDMOଙ୍କୁ ଲେଖିଲେ ଚିଠି

;