Trending Photos
Rath Jatra 2025: ଭୁବନେଶ୍ୱର: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସେବା ପାଇଁ ଆସିଥିବା ମୋଦକ ଲଡ଼ୁ ଚୋରି ହେବା ଘଟଣାକୁ ଏଡ଼ାଇ ଯିବାକୁ ଉଚିତ ମନେ କରିଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ‘ଏହା ଏକ ଗୁପ୍ତ ନୀତି। ଗୁପ୍ତନୀତି ସମ୍ପର୍କରେ ଆମେ ଆଲୋଚନା କରିବାକୁ ଚାହୁଁନାହୁଁ। ଏହା ଏକ ସମ୍ବେଦନଶୀଳ ବିଷୟ ଏଣୁ ସ୍ପଷ୍ଟୀକରଣ ଦେଉଛୁ। ଯେଉଁ ଅଭିଯୋଗ ଆସିଛି ତାହାର ପ୍ରାରମ୍ଭିକ ତଦନ୍ତ ସରିଛି। ସେହି ଆଧାରରେ ଅଭିଯୋଗର ସତ୍ୟାସତ୍ୟ ନାହିଁ’ ବୋଲି କହିଛନ୍ତି ଡ. ପାଢ଼ୀ।
ଗତ ୨୨ ତାରିଖରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ଚିଠି ଲେଖି ମୋଦକ ଚୋରି ବିଷୟ ଉଲ୍ଲେଖ କରିଥିଲେ। ଆଜି ଦୁଇଦିନ ପରେ ଏହି ଚିଠି ଗଣମାଧ୍ୟମକୁ ଆସିଥିଲା। ଏହି ଚିଠିରେ ସେ କବିରାଜ ଭକ୍ତମାନେ ଶ୍ରୀ ଜିଉଙ୍କୁ ୩୧୩ ମୋଦକ ଦେଇଥିବା ବେଳେ ସେଥିରୁ ୭୦ଟି ଗାଏବ ରହିଥିବା ସୂଚିତ କରିଥିଲେ। ଏହା ଏକ ଗମ୍ଭୀର ବିଷୟ ହୋଇଥିବାରୁ ଏ ବିଷୟ ପ୍ରତି ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା ଅମୁଣିଆ ହୋଇଥିବାରୁ ଏହା କ’ଣ ହେଲା ବୋଲି ସେ ପ୍ରଶ୍ନ କରିଥିଲେ। ଏହାପରେ ଶ୍ରୀ ଦାସ ମହାପାତ୍ର ଶ୍ରୀମନ୍ଦିରର ତଦନ୍ତ ବ୍ୟବସ୍ଥା ଉପରେ ବି ପ୍ରଶ୍ନ ଉଠାଇଥିଲେ।
ଶ୍ରୀ ଦାସମହାପାତ୍ରଙ୍କ ଗଣମାଧ୍ୟମରେ ବ୍ରାନ ପରେ ସାରା ରାଜ୍ୟ ଏହାକୁ ନେଇ ଚର୍ଚ୍ଚା କରିଥିଲା। ଶ୍ରୀମନ୍ଦିର ପ୍ରଶାସକଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। କିଛି ସମୟ ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ସମ୍ପୃକ୍ତ ଅଭିଯୋଗର କୌଣସି ସତ୍ୟାସତ୍ୟ ନାହିଁ ବୋଲି କହିଥିଲୋ।
‘ଦଇତାପତି ନିଯୋଗର ସମ୍ପାଦକଙ୍କ କିଛି ଅଭିଯୋଗ ନାହିଁ। କିନ୍ତୁ ଯେଉଁ ଅଭିଯୋଗ ଶ୍ରୀ ଦାସ ମହାପାତ୍ର ଆଣିଛନ୍ତି ତାହାକୁ ଯାଞ୍ଚ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ପ୍ରମାଣ ମିଳି ନାହିଁ। ହେଲେ ସିସିଟିଭି ଯାଞ୍ଚ କରାଯିବ ବୋଲି କହିଛନ୍ତି ଡ. ପାଢ଼ୀ।
ସେ କହିଛନ୍ତି ମୋଦକକୁ ବୈଦ୍ୟମାନେ ଦେବା ପରେ ଏହାକୁ କେହି ଛୁଅଁନ୍ତି ନାହିଁ କି ଗଣତି ନାହିଁ। କିନ୍ତୁ ଏକ ଟିପାଖାତାରେ ଏହାକୁ ଉଲ୍ଲେଖ କରାଯାଏ ବୋଲି କହିଛନ୍ତି ଶ୍ରୀ ପାଢ଼ୀ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହିପରି ଭାବେ ଅନେକ ଅଭିଯୋଗକୁ ଖଣ୍ଡନ କରାଯାଇଛି। ଜଣେ ଦଇତା ସେବକ ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କ ଦାରୁ କାଠ ନେଇ ପଶ୍ଚିମବଙ୍ଗ ଦିଘାକୁ ପ୍ରଦାନ କରିବା ଅଭିଯୋଗକୁ ମଧ୍ୟ ଏହିପରି ଭାବେ ଖଣ୍ଡନ କରାଯାଇଥିଲା। ଶ୍ରୀମନ୍ଦିରରୁ କୌଣସି ଦାରୁ କାଠ ଚୋରି ହୋଇ ନାହିଁ ବୋଲି ସେ କହିଥିଲେ।