Odia Naba barsa: ଓଡ଼ିଆ ନବବର୍ଷ ପାଇଁ ଚଳଚଞ୍ଚଳ ପୁରୀ ଆଖଡ଼ା, ମହାବିଷୁବ ସଂକ୍ରାନ୍ତିରେ ଜାରି ହେଲା ନୂତନ ପଞ୍ଜିକା
Advertisement
Article Detail0/zeeodisha/odisha2716714

Odia Naba barsa: ଓଡ଼ିଆ ନବବର୍ଷ ପାଇଁ ଚଳଚଞ୍ଚଳ ପୁରୀ ଆଖଡ଼ା, ମହାବିଷୁବ ସଂକ୍ରାନ୍ତିରେ ଜାରି ହେଲା ନୂତନ ପଞ୍ଜିକା

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ହୋଇଥିବାରୁ ଏହାକୁ ନେଇ ଶ୍ରୀକ୍ଷେତ୍ରରେ ବେଶ୍ ଆଗ୍ରହ ଉତ୍ସାହ ପ୍ରକାଶ ପାଇଛି। ସହରର ବିଭିନ୍ନ ସ୍ଥାନରେ ସୁସ୍ୱାଦୁ ପଣା ବଣ୍ଟନ କରାଯାଇ ଏହାକୁ ଧୁମ୍ ଧାମ ରେ ପାଳନ କରଯାଇଛି।

Odia Naba barsa: ଓଡ଼ିଆ ନବବର୍ଷ ପାଇଁ ଚଳଚଞ୍ଚଳ ପୁରୀ ଆଖଡ଼ା, ମହାବିଷୁବ ସଂକ୍ରାନ୍ତିରେ ଜାରି ହେଲା ନୂତନ ପଞ୍ଜିକା

Odia Naba barsa: ପୁରୀ: ଆଜି ପବିତ୍ର ଓଡିଆ ନବବର୍ଷ। ମହାବିଷୁବ ସଂକ୍ରାନ୍ତି ଓ ମହାବୀରଙ୍କ ଜୟନ୍ତୀ। ଏହି ପବିତ୍ର ତିଥିରେ ଶ୍ରୀକ୍ଷେତ୍ର ଉତ୍ସବ ମୁଖର। ଆଜିଠାରୁ ସୂର୍ଯ୍ୟଦେବଙ୍କର ପ୍ରଖର ରଶ୍ମି ପ୍ରବାହିତ ହୋଇଥାଏ। ହଜାର ହଜାର ଭକ୍ତ, ଦର୍ଶନାର୍ଥି ଓ ପର୍ଯ୍ୟଟକମାନେ ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି। ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନିତି। ସେପଟେ ହନୁମାନ ଜୟନ୍ତି ଅବସରରେ ଯାଗା ଆଖଡ଼ାରେ କୁସ୍ତି ସହ କୁନିକୁନି ପିଲାମାନଙ୍କର ପ୍ରଶିକ୍ଷଣର ଶୁଭାରମ୍ଭ ହୋଇଥାଏ। ଆଜି ନୂତନ ପଞ୍ଜିକା ପ୍ରଚଳନ ହେବାର ବିଧି ରହିଛି।

ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ସହରର ପ୍ରତ୍ୟେକ ଗଳି ଓ ସାହି ମାନଙ୍କରେ ହନୁମାନଙ୍କ ପୂଜାର୍ଚ୍ଚନା ସହ ଯାଗା ଆଖଡ଼ା ଘରେ ସ୍ୱତନ୍ତ୍ର ଆସରର ବ୍ୟବସ୍ଥା ହୋଇଛି। ପୁରୀର ପ୍ରାୟ ୩୦ରୁ ଉର୍ଦ୍ଧ ଯାଗା ଘରେ ପ୍ରଭୁ ହନୁମାନ ଇଷ୍ଟଦେବ ଭାବେ ପୂଜା ପାଉଥିବାରୁ ଏଠାରେ ହୋମଯଜ୍ଞ ସହ ପ୍ରଭୁ ହନୁମାନଙ୍କ ଆରାଧନା କରାଯାଇଛି। ଏହି ପବିତ୍ର ତିଥିରେ ଯାଗା ଆଖଡ଼ା ଗୁଡ଼ିକରେ ବ୍ୟାୟମ ଓ କୁସ୍ତିର ପ୍ରଶିକ୍ଷଣର ଶୁଭାରମ୍ଭ ହୋଇଥାଏ। ଏଥିପାଇଁ ମଲ୍ଲଯୋଦ୍ଧା ଓ କସରତ କରୁଥିବା ଯୁବକ ମାନେ ବହୁ ସଂଖ୍ୟାରେ ନୂତନ ବସ୍ତ୍ର ପରିଧାନ କରି ପ୍ରଶିକ୍ଷଣ ଆରମ୍ଭ କରିଥାନ୍ତି। ପ୍ରଭୁ ହନୁମାନଙ୍କ ଆରାଧନା କରି କ୍ରୀଡ଼ା କସରତରେ ଯୁବକ ମାନେ ସାମିଲ ହୋଇଛନ୍ତି। ବିଭିନ୍ନ ଯାଗା ଆଖଡ଼ାରେ କୁସ୍ତି ଗୁରୁମାନେ ନୂତନ ଶିଶୁ ମଲ୍ଲଯୋଦ୍ଧା ମାନଙ୍କୁ ନେଇ ପ୍ରଶିକ୍ଷଣ ମଧ୍ୟ ଆରମ୍ଭ କରିଥାଆନ୍ତି। ଏହି ପବିତ୍ର ଦିନରେ ଯୁବକମାନେ ଯାଗା ଆଖଡ଼ା ଘରକୁ କୁସ୍ତି କସରତ କରିବା ଉଦ୍ଦେଶ୍ୟରେ ମୁହାଁଇ ଥାନ୍ତି ଏବଂ କୁସ୍ତି ସାରି ଭୋଗ ପଣା ପାଇଥାନ୍ତି। 

ସେପଟେ ମା ବାରବାଟି ଯାଗାରେ କୁସ୍ତି ପ୍ରଶିକ୍ଷଣ ଶିବିରରେ ପ୍ରଥମକରି ଯୋଗ ଦେଇଛନ୍ତି ଅନେକ ଶିଶୁ। ମାଆଙ୍କୁ ପ୍ରଣାମ କରି କାଛା ପିନ୍ଧି ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇଥିଲେ। କୁସ୍ତି ଗୁରୁଙ୍କ ସହ କୁସ୍ତି ଯୁଦ୍ଧ ଶିଖିଥିଲେ। ପୂର୍ବକାଳରେ ବାହ୍ୟ ଶତୃଙ୍କ କବଳରୁ ମହାପ୍ରଭୁଙ୍କୁ ସୁରକ୍ଷା ଦେବା ଲାଗି ସେବାୟତ ଭେଣ୍ଡିଆ ମାନେ ଆଗକୁ ଆସିଥିଲେ। ଯାଗାଘର ପ୍ରତିଷ୍ଠା କରି କୁସ୍ତି ଅଭ୍ୟାସ ଆରମ୍ଭ କରିଥିଲେ। ଶିଶୁ ବୟସରୁ ସାମିଲ ହୋଇ ଯୁବାବସ୍ଥାରେ ନିଜକୁ ବଳିଷ୍ଠ କରିବାକୁ ସକ୍ଷମ ହୋଇଥିଲେ। ସେହି ପରମ୍ପରା ଏବେବି ରହିଛି।
ତେଣୁ ଏହି ପବିତ୍ର ଦିବସ ରେ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ପଣା ଓ ଛତୁଆ ଭୋଗର ପରମ୍ପରା ରହିଛି। ଯାଗା ଆଖଡ଼ା ଗୁଡ଼ିକରେ କ୍ଷୀର, ଖୁଆ, ରାବିଡ଼ି ଓ ସର ମିଶ୍ରିତ ପଣା ସହ ଛତୁଆକୁ ଭୋଗ କରାଯାଇ ସମସ୍ତଙ୍କୁ ବଣ୍ଟନ କରାଯାଏ। ତେବେ ଆଜି ବିଭିନ୍ନ ଯାଗା ଆଖଡ଼ା ମାନଙ୍କରେ ଭାଙ୍ଗ ବଟା ମଧ୍ୟ ହେବାର ପରମ୍ପରା ରହିଛି।

ସେହିପରି ପଣା ସଂକ୍ରାନ୍ତିକୁ ଉତ୍କଳୀୟ ନବବର୍ଷ ଭାବେ ପାଳନ କରାଯାଏ। ଆଜି ଠାରୁ ନୂତନ‌ ପଞ୍ଜିକା ମଧ୍ୟ ପ୍ରଚଳିତ ହେଇଥାଏ। ଶ୍ରୀମନ୍ଦିର ନୀତି କାନ୍ତି, ଯାନି ଯାତ୍ରା, ବିବାହ, ବ୍ରତଘର ସବୁକିଛି ଏହି ପାଞ୍ଜି ଅନୁସାରେ କରାଯିବ। ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ମଧ୍ୟ ଆଜି ଓଡ଼ିଆ ନବବର୍ଷ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରବଳ ଖରା ଦାଉରୁ ରକ୍ଷା ପାଇବା ପାଇଁ ବଡ଼ଦାଣ୍ଡରେ ବଡ ବଡ ଛତା ଲଗାଯାଇଛି‌। ସେପଟେ ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ଆଜି ଓଡିଆ ନବବର୍ଷ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତମାନେ ଆତ୍ମସନ୍ତୋଷ ଲାଭ କରିଥିବା ବେଳେ ବିଶ୍ବର ମଙ୍ଗଳ କାମନା ନେଇ ପ୍ରାର୍ଥନା କରିଛନ୍ତି। ତେବେ ଆଜି ମହାପ୍ରଭୂଙ୍କ ସକାଳ ଧୂପ ନୀତି ସରିବା ପରେ ମହାପ୍ରଭୂଙ୍କ ଠାରୁ ଆଜ୍ଞା ମାଳ ଯାଇଥାଏ ଶ୍ରୀ ମନ୍ଦିର ଚାରି ଦ୍ବାରରେ ଥିବା ପ୍ରଭୂହନୁମାନଙ୍କ ନିକଟକୁ । ସେଠାର ସ୍ଵତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଇଥାଏ। ତେବେ ପ୍ରଭୁ ହନୁମାନ ହେଉଛନ୍ତି ସଙ୍କଟମୋଚକ। ତାଙ୍କୁ ଆଜି ନିଷ୍ଠାର ସହ ପୂଜାର୍ଚ୍ଚନା କଲେ ମଙ୍ଗଳ ହୋଇଥାଏ ବୋଲି ଶ୍ରୀ ମନ୍ଦିର ଚୂନରା ସେବୟତ ଶରତ ମହାନ୍ତି କହିଚନ୍ତି।

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ହୋଇଥିବାରୁ ଏହାକୁ ନେଇ ଶ୍ରୀକ୍ଷେତ୍ରରେ ବେଶ୍ ଆଗ୍ରହ ଉତ୍ସାହ ପ୍ରକାଶ ପାଇଛି। ସହରର ବିଭିନ୍ନ ସ୍ଥାନରେ ସୁସ୍ୱାଦୁ ପଣା ବଣ୍ଟନ କରାଯାଇ ଏହାକୁ ଧୁମ୍ ଧାମ ରେ ପାଳନ କରଯାଇଛି।

;