ଭକ୍ତମାନେ ମାନସିକ ପୂରଣ ହେବା ଆଶାରେ ଦଣ୍ଡନାଚରେ ଅଂଶ ଗ୍ରହଣ କରିଥାନ୍ତି। ଦୂରାରୋଗ୍ୟ ବ୍ୟଧିରୁ ତ୍ରାହି ପାଇବା, ମନୋସ୍କାମନା ପୂରଣ କରିପାଇବା ଆଶାରେ ଲୋକମାନେ ଦଣ୍ଡ ନାଚରେ ଭାଗ ନିଅନ୍ତି। ଅନ୍ୟପକ୍ଷରେ ପୁରାତନ ସଭ୍ୟ ସଂସ୍କୃତି ଲୋକକଳା ପରମ୍ପରା କୁ ନେଇ ଚାଲି ଆସିଛି ମାଁ ଦଣ୍ଡକାଳୀ ଙ୍କ ଦଣ୍ଡନାଚ। ଯାହା ଜନସାଧାରଣଙ୍କ ମନରେ ଭକ୍ତିଭାବ ଆନ୍ଦୋଳିତ କରିଥାଏ।
Trending Photos
Odisha Festival:ବ୍ରହ୍ମପୁର (ପ୍ରେମାନନ୍ଦ ପୂଜାରୀ): ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀ ସହର ର ସାହି ସାହି ଚାଲିଛି ପ୍ରସିଦ୍ଧ ଦଣ୍ଡ ନାଚ ପରମ୍ପରା। ଦଣ୍ଡୁଆଙ୍କ ଦଣ୍ଡ ଓ ନାଚଗୀତରେ ଉଠୁଚି ପଡୁଛି ଗାଁରୁ ସହର। ଗାଁ ଗାଁ ବୁଲି ଦଣ୍ଡ ନାଚ ଦେଖାଉଛନ୍ତି ମାନସିକଧାରୀ ଦଣ୍ଡୁଆମାନେ। ଏହି ଦଣ୍ଡ ପରମ୍ପରା ୨୧ ଦିନ ଧରି ଚାଲିଥିବା ବେଳେ ଆଜି ଶେଷ ଦିନରେ। ମେରୁ ଉତ୍ସବ ଅନୁଷ୍ଠିତ ହେବ। ଦିନରେ ଧୂଳିଦଣ୍ଡ, ପାଣିଦଣ୍ଡ ପରିବେଷଣ ହେବା ସହ ରାତିରେ ଅଗ୍ନିଦଣ୍ଡ ପାଳନର ପରମ୍ପରା ରହିଛି। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକନୃତ୍ୟ ଆୟୋଜନ କରାଯାଇଥାଏ। ନିଜ ଶରୀରକୁ ପୀଡ଼ା ଦେଇ ଦଣ୍ଡ ନାଚ ଦେଖାଇଥାନ୍ତି ଦଣ୍ଡୁଆ। ଏହି ବ୍ରତକୁ ନେଇ ଅନେକଙ୍କ ମନରେ ବିଶ୍ୱାସ ରହିଥିବା ବେଳେ ଦଣ୍ଡଯାତ୍ରା ଦେଖିବାକୁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼।
ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମ ଋତୁର ଆଦ୍ୟରେ ଗଞ୍ଜାମର ପୁରପଲ୍ଲୀରେ ଅତ୍ୟଧିକ ମାତ୍ରାରେ ଢୋଲ ଓ ତୁରୀର ଶବ୍ଦ ଗୁଞ୍ଜରିତ ହୋଇଥାଏ ଏବଂ ଏହି ସମୟରେ ସମୁଦାୟ ଜିଲ୍ଲାରେ ଦଳ ଦଳ ହଳଦିଆ ଓ ଲୋହିତ ବସ୍ତ୍ର ଧାରଣ କରି ହାତରେ ବାନା ଓ ଅନ୍ୟାନ୍ୟ ଆନୁସଙ୍ଗିକ ଉପକରଣ ଧରି ଅନେକ ବ୍ୟକ୍ତିଙ୍କ ସ୍ବଚ୍ଛନ୍ଦ ବିଚରଣ ଦେଖିବାକୁ ମିଳେ । ପୌରାଣିକ, କୃଷିଭିତ୍ତିକ ଏବଂ ସାଧାରଣ ଜୀବନ ଦର୍ଶନର ପ୍ରଭାବ ଦଣ୍ଡନାଟ ରେ ଦେଖିବାକୁ ମିଳିଥାଏ । ଏଥିରେ ଅତି ସରଳ ଗ୍ରାମୀଣ ଭାଷା ବ୍ୟବହାର କରାଯାଇଥାଏ । ପାରମ୍ପରିକ ନାଚ ମଧ୍ୟରେ ମନୋରଞ୍ଜନ ପାଇଁ କିନ୍ନର ମାନଙ୍କ ନାଚ ଗୀତ ବେଶ ଆକର୍ଷଣୀୟ ଅଭିନୟ ଦେଖିବାକୁ ମିଳିଥାଏ।
ଦିନ ଦିପହରରେ ଧୂଳିଦଣ୍ଡ ପରିବେଷଣରେ କ୍ଷେତ୍ର ପ୍ରସ୍ତୁତି, ହଳ ଚାଳନା, ଧାନ ରୋପଣ, ବଛାବଛି, ଅମଳ, ଭୂମି ପୂଜା, ମନ୍ଦିର ନିର୍ମାଣ, ଲୁଗା ବୁଣା, ହଳଦୀ ବଟା, କୂଅ ଖୋଳା ଆଦି ପ୍ରଦର୍ଶିତ ହୁଏ। ଜଣେ କୃଷକ ପରିବାରର ନିଛକ କାହାଣୀକୁ ହସମଜାରେ ପ୍ରଚଣ୍ଡ ଖରାତାତିରେ ପ୍ରଦର୍ଶନ କରାଯାଏ। ଧୂଳି ଦଣ୍ଡ ପରେ ଆରମ୍ଭ ହୁଏ ପୋଖରୀ କିମ୍ବା ନଦୀରେ ପାଣି ଦଣ୍ଡ। ଛଅ ଆଙ୍ଗୁଳି ଲମ୍ବର ଆମ୍ବ ଡାଳରେ ଦାନ୍ତ ଘସି ସ୍ନାନ କରିବା ପରେ ତେରଥର ବୁଡ଼ି ତେର ଆଞ୍ଜୁଳା ପାଣି ଆଣି ଦଣ୍ଡୁଆମାନେ ଶିବଲିଙ୍ଗ ସ୍ଥାପନା କରନ୍ତି। ତା ପରେ ବିଭିନ୍ନ ଉପଚାରରେ ପୂଜାର୍ଚନା ହୁଏ। ପଣା ଏବଂ ଲିଆଖଇର ପ୍ରସାଦ ପାଇ ଦଣ୍ଡୁଆମାନେ କିଛି ସମୟ ବିଶ୍ରାମ ନିଅନ୍ତି।
ସନ୍ଧ୍ୟାରେ ଆଳତୀ ହୁଏ। ସନ୍ଧ୍ୟା ଆଳତୀରେ ଯୋଗଦେଇ ଲୋକେ ନିଜର ଅପରାଧ କ୍ଷମାପାଇଁ ପ୍ରାର୍ଥନା କରିଥାନ୍ତି। ଦଣ୍ଡୁଆଙ୍କ ଦେହରେ ମା କାଳୀ ବିରାଜନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି। ଅରୁଆ ଚାଉଳ, ମୁଗ ଡାଲି ଓ ପରିବାକୁ ମିଶାଇ ଅକଟା ଅଫୁଟା ହବିଷ୍ୟାନ୍ନ ପ୍ରସ୍ତୁତ କରାଯାଏ ଯାହା କାଳୀଙ୍କ ପାଖରେ ଭୋଗ ଲଗାଯିବା ପରେ ମଧ୍ୟରାତ୍ରରେ ଦଣ୍ଡୁଆମାନେ ଢୋଲ, ଝାଞ୍ଜରର ତାଳେ ତାଳେ ଭୋଜନ କରନ୍ତି।
ଏହା ପରେ ଝୁଣା ଖେଳି ଖେଳି ଦଣ୍ଡଦଳ ମାନସିକଧାରୀଙ୍କ ଘରକୁ ଆସନ୍ତି। ସ୍ୱପ୍ନାଦେଶ ପାଇଥିବା ଦଣ୍ଡୁଆମାନେ କଳା ପୋଷାକ ପିନ୍ଧିଥାନ୍ତି, ମୁଣ୍ଡରେ କଳା କନା ବାନ୍ଧିଥାନ୍ତି ଓ ରକ୍ତ ସିନ୍ଦୁର ଚିତା ଲଗାଇ କାଳୀପ୍ରଭା ଧାରଣ କରିଥାନ୍ତି। ଢୋଲ ତାଳେ ତାଳେ ଝୁଣା ନିଆଁର ପ୍ରୟୋଗରେ ଦଣ୍ଡୁଆଙ୍କ ଦେହରେ କାଳିକା ପ୍ରସନ୍ତ ହୁଅନ୍ତି। ଏହି ଅଗ୍ନିଦଣ୍ଡ ଫଳରେ ସେ ଚେତାଶୂନ୍ୟ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କଲା ପରେ ଚେତା ଫେରିଲା ପରେ ଆରମ୍ଭ ହୁଏ ଦଣ୍ଡସୁଆଙ୍ଗ।
ଦଣ୍ଡସୁଆଙ୍ଗକୁ ଦଣ୍ଡ ଚଢ଼େୟା ନାଚ ବୋଲି ମଧ୍ୟ କୁହାଯାଏ। ଏଥିରେ ଚଢ଼େୟା, ଚଢ଼େୟାଣୀ, ଦକ୍ଷିଣକାଳୀ, ଡୁବଡୁବା, ଗଉଡ଼, ଗଉଡ଼ୁଣୀ, ସାପୁଆ, ଚହଟା ଦିଅର, ସିପାହୀ, ଢୋଲିଆ, ଉଲ, ବୀଣାକାର, ଜଗାଳି, ରାଜଗୁଣିଙ୍କ ଚରିତ୍ର ମାଧ୍ୟମରେ ହାସ୍ୟରସ ପ୍ରକାଶ ସହିତ ବହୁ ଉପଦେଶ ଜନ ସମୁଦାୟକୁ ପରିବେଷଣ କରା ଯାଇଥାଏ। କେତେଜଣ ପ୍ରମୁଖ ଦଣ୍ଡସୁଆଙ୍ଗ ଲେଖକଙ୍କ ଭିତରେ ରଙ୍ଗୁଣି ବନ୍ଧ ସାହିର ସନ୍ନ୍ୟାସୀ ନାୟକ, ମୁଣ୍ଡମରେଇର ଦଣ୍ଡପାଣି ଜେନା ଓ ବାସୁଦେବପୁରର ଅନ୍ତର୍ଯ୍ୟାମୀ ଦାସ ଅନ୍ୟତମ।
ଦଣ୍ଡନାଚ ପରିବେଷଣ ସମୟରେ ଦଣ୍ଡୁଆ ମାନଙ୍କୁ କହନ୍ତି, “ହେ ଋଷିପୁତ୍ରେ! ଅଇଲେ ହର, ଦେଇଗଲେ ବର, ଅନ୍ୟସେବା ଛାଡ଼ି ଏହି ସେବାକର । ଏ ସେବାକଲେ କି ଫଳ ପାଏ, ଉଷୁନାଧାନ ଗଜା ହୁଏ, ଶୁଖିଲା କାଠ କଞ୍ଚା ହୁଏ, ଭଜାମୁଗ ଗଜା ହୁଏ, ଜ୍ବର ରୋଗ ଭଲ ହୁଏ ଇତ୍ୟାଦି” ଏହି ଦଣ୍ଡନାଚ ସମୟରେ ସମସ୍ତ ଦଣ୍ଡୁଆ ଋଷିପୁତ୍ର ମାନଙ୍କ ଭଳି ବୈରାଗ୍ୟ ଜୀବନଯାପନ କରିବା ଅନିବାର୍ଯ୍ୟ ହୋଇଥାଏ ।
ଭକ୍ତମାନେ ମାନସିକ ପୂରଣ ହେବା ଆଶାରେ ଦଣ୍ଡନାଚରେ ଅଂଶ ଗ୍ରହଣ କରିଥାନ୍ତି। ଦୂରାରୋଗ୍ୟ ବ୍ୟଧିରୁ ତ୍ରାହି ପାଇବା, ମନୋସ୍କାମନା ପୂରଣ କରିପାଇବା ଆଶାରେ ଲୋକମାନେ ଦଣ୍ଡ ନାଚରେ ଭାଗ ନିଅନ୍ତି। ଅନ୍ୟପକ୍ଷରେ ପୁରାତନ ସଭ୍ୟ ସଂସ୍କୃତି ଲୋକକଳା ପରମ୍ପରା କୁ ନେଇ ଚାଲି ଆସିଛି ମାଁ ଦଣ୍ଡକାଳୀ ଙ୍କ ଦଣ୍ଡନାଚ। ଯାହା ଜନସାଧାରଣଙ୍କ ମନରେ ଭକ୍ତିଭାବ ଆନ୍ଦୋଳିତ କରିଥାଏ।