Trending Photos
Odisha News: ବ୍ରହ୍ମପୁର: ମାଦକ ଦ୍ରବ୍ୟ ଓ ନିଶା କାରବାର ରେ ବ୍ରହ୍ମପୁର ସହରର ଅନେକ ବ୍ୟବସାୟୀକ ପ୍ରତିଷ୍ଠାନ ଲିପ୍ତ ରହି କଳା ସାମ୍ରାଜ୍ୟ ଚଳାଇ ଆସୁଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ରୋକିବା ଜୋରଦାର ଅଭିଯାନ ଆରମ୍ଭ କରିଥିବା ଜଣାପଡିଛି। ବ୍ରହ୍ମପୁର ସହରର ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟରେ ହୁକ୍କା ବିକ୍ରି ହେଉଥିବା ଖବର ଜାଣିବା ପରେ ପ୍ରାୟ ସବୁ ସ୍ଥାନରେ ରେଡ୍ କରାଯାଇ ଅନେକ ହୁକ୍କା ସାମଗ୍ରୀକୁ ଜବତ କରିଛି ପୁଲିସ । ଏହି ହୁକ୍କା ଟାଣିବାରେ ନାବାଳକଙ୍କ ସଂପୃକ୍ତି ରହୁଥିବା ନେଇ କୁହାଯାଉଥିଲା । ଏ ନେଇ ପୁଲିସ ଥାନାରେ ଅଭିଯୋଗ ପରେ ବ୍ରହ୍ମପୁର ପୁଲିସ ପକ୍ଷରୁ ଗତକାଲି ରାତିରେ ସହରର ୭ଟି ରେଷ୍ଟୁରାଣ୍ଟ ଓ ବାରରେ ଚଢାଉ କରାଯାଇଥିଲା ।
ଏହି ବାର ଓ ରେଷ୍ଟୁରାଣ୍ଟରୁ ମୋଟ ୪୭ଟି ହୁକ୍କା ପାତ୍ର ତଥା ମେସିନ ସହ ଧୂଆଁପତ୍ର ଜବତ କରାଯାଇଛି । ସେହିପରି ୭ଟି ବାରର ମାଲିକଙ୍କ ନାଁରେ ପୁଲିସ ଅପରାଧିକ ମାମଲା ମଧ୍ୟ ରୁଜୁ କରିଛି । ସହରରେ ଦିନକୁ ଦିନ ହୁକ୍କା ବାର ସଂଖ୍ୟା ବଢିବା ସହ ସେଗୁଡ଼ିକରେ ଯୁବକ ଯୁବତୀ ଓ ନାବାଳକଙ୍କ ଭିଡ ଜମୁଥିଲା । ତେବେ ବେଆଇନ ଭାବେଚାଲିଥିବା ଏହି ହୁକ୍କା ବାର ବିଷୟରେ କିଛି ଅଭିଭାବକ ଓ ସାଧାରଣ ଲୋକେ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମଙ୍କ ନେତୃତ୍ୱରେ ୫ଟି ପୁଲିସ ଟିମ ଗଠନ କରାଯାଇଥିଲା । ଟାଉନ ଏସଡିପିଓଙ୍କ ସମେତ ଏକାଧିକ ଥାନା ଅଧିକାରୀ ଏହି ଟିମରେ ସାମିଲ ହୋଇଥିଲେ ।
ଗତକାଲି ରାତି ୯ଟା ବେଳେ ଏହି ୫ଟି ଟିମ ସହରର ବିଭିନ୍ନ ଛକ ଓ ଗଳିରେ ଥିବା ବେଆଇନ ହୁକ୍କା ବାରରେ ଚଢଉ କରିଥିଲେ । ଟାଟାବେଞ୍ଜ ଛକ ଠାରେ ଥିବା ବେକ ବେଞ୍ଚର ରେଷ୍ଟୁରାଣ୍ଟ, ପୁରୁଣା ବସଷ୍ଟାଣ୍ଡ ଠାରେ ଥିବା ଦ ଡିସି ହାଉସ, ଚର୍ଚ୍ଚ ରୋଡରେ ଥିବା ବନ୍ ହାଉସରେଷ୍ଟୁରାଣ୍ଟ, ସାଇ କମ୍ପ୍ଲେକ୍ସ ନିକଟରେ ଥିବା ରେଷ୍ଟୁରାଣ୍ଟ ଲେବେଲ-୩, ଗିରଜା ଛକରେ ଥିବା ରେଷ୍ଟୁରାଣ୍ଟ ଖଟି, ଓ ଚାଞ୍ଚସଲେର ବାର ଓ ରେଷ୍ଟୁରାଣ୍ଟରେ ପୁଲିସ ପକ୍ଷରୁ ଚଢଉ କରାଯାଇଥିଲା । ଚଢଉ ବେଳେ ଏହି ବାର ଓ ରେଷ୍ଟୁରାଣ୍ଟରେ ଯୁବକମାନେ ହୁକା ପାତ୍ର ଧରି ହୁକ୍କା ଟାଣୁଥିବା ପୁଲିସ ଟିମ ଦେଖିବାକୁ ପାଇଥିଲେ। ତେବେ ହୁକ୍କା ବିକ୍ରି ପାଇଁ ଉପରୋକ୍ତ ବାର ଓ ରେଷ୍ଟୁରାଣ୍ଟର ମାଲିକଙ୍କ ନିକଟରେ କୌଣସି ପ୍ରକାର ଲାଇସେନ୍ସ ନଥିବା ପୁଲିସ ଜାଣିବାକୁ ପାଇଥିଲା । ବେଆଇନଭାବେ ତମାଖୁ ଓ ଧୂଆପତ୍ର ସାମଗ୍ରୀ ବିକ୍ରି କରୁଥିବାରୁ ସେମାନଙ୍କ ନାମରେ ମାମଲା ରୁଜୁ କରାଯିବା ସହ ସମସ୍ତ ହୁକ୍କା ପାତ୍ର ଜବତ କରାଯାଇଛି । ଏହା ସହ ଏହି ଧରପଗଡ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସୁଚନା ଦେଇଛନ୍ତି ବ୍ରହ୍ମପୁର ଏସପି।