Odisha News: ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ଡିଜିଟାଲ୍ ହବ୍ ଭାବରେ ପ୍ରତିଷ୍ଠା କରିବା ପାଇଁ ଏକ ରଣନୈତିକ ପ୍ରୟାସ ସ୍ୱରୂପ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ପୁରୀରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ୍ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛି।
Trending Photos
ଭୁବନେଶ୍ୱର: ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ଡିଜିଟାଲ୍ ହବ୍ ଭାବରେ ପ୍ରତିଷ୍ଠା କରିବା ପାଇଁ ଏକ ରଣନୈତିକ ପ୍ରୟାସ ସ୍ୱରୂପ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ପୁରୀରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ୍ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛି। ଏହି ଐତିହାସିକ ପଦକ୍ଷେପ ରାଜ୍ୟର ଡିଜିଟାଲ୍ ଭିତ୍ତିଭୂମିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ, ଡାଟା ସେଣ୍ଟରରେ ନିବେଶକୁ ପ୍ରେରଣା ଦେବ, ଉଚ୍ଚସ୍ତରୀୟ ପ୍ରଯୁକ୍ତିବିଦ୍ୟା ଖେଳାଳିମାନଙ୍କୁ ଆକର୍ଷିତ କରିବ ଏବଂ ନିଯୁକ୍ତି ସୃଷ୍ଟି କରିବ।
ଏହି ପରିପ୍ରେକ୍ଷୀରେ ଓଡ଼ିଶାର ମୁଖ୍ୟ ସଚିବ ମନୋଜ ଆହୁଜା ରେଲ୍ ଟେଲ୍ ଆଣ୍ଡ ଡେଲୋଇଟ୍ ଦ୍ୱାରା ମିଳିତ ଭାବରେ ପ୍ରସ୍ତୁତ ହେଉଥିବା ପ୍ରକଳ୍ପର ଡିପିଆରର ଅଗ୍ରଗତି ସମୀକ୍ଷା କରିଥିଲେ। ଏକ ବ୍ୟାପକ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ହାଇପରସ୍କେଲର୍ସ ଏବଂ ପ୍ରମୁଖ ଇକୋସିଷ୍ଟମ ପ୍ଲେୟାରମାନଙ୍କ ସହିତ ଶିଳ୍ପ ପରାମର୍ଶର ଆବଶ୍ୟକତା ଉପରେ ଆହୁଜା ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ସେ ସମୟ ସୀମାର ତିନି ବର୍ଷ ମଧ୍ୟରେ ପ୍ରକଳ୍ପ ସମାପ୍ତ କରିବା ଉପରେ ଧ୍ୟାନ ଦେଇ ଅନୁମୋଦନ ପାଇଁ ଡିପିଆର ଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଓଡ଼ିଶା କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ। ଯାହା ସ୍କେଲେବଲିଟି ଏବଂ ଇକୋସିଷ୍ଟମ ବିକାଶ ପାଇଁ ଏକ ରଣନୈତିକ ଦୃଷ୍ଟିକୋଣ ସହିତ ଡିଜାଇନ୍ କରାଯାଇଛି। ସରକାର ରାଜ୍ୟକୁ ଡିଜିଟାଲ ନିବେଶ ପାଇଁ ଏକ ଚୁମ୍ବକ ଭାବରେ ପରିଣତ କରିବାକୁ ପ୍ରତିବଦ୍ଧ। ଯାହା ବ୍ୟବସାୟ, ପ୍ରଯୁକ୍ତିବିଦ୍ୟା କମ୍ପାନୀ ଏବଂ କର୍ମଶକ୍ତି ପାଇଁ ଅପାର ସୁଯୋଗ ସୃଷ୍ଟି କରିବ। ପୁରୀ ଏହି କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ବିକାଶ ପାଇଁ ସବୁଠାରୁ ରଣନୈତିକ ସ୍ଥାନ ଭାବରେ ଉଭା ହୋଇଛି। ଯାହା ପ୍ରମୁଖ ଭୌଗୋଳିକ ସ୍ଥିତି, ଉପଯୁକ୍ତ ଉପକୂଳ, ଭବିଷ୍ୟତର ସ୍କେଲେବଲିଟି ପାଇଁ ସୁଯୋଗ ଏବଂ ଦୃଢ଼ ଭିତ୍ତିଭୂମି ଭଳି ପ୍ରମୁଖ ସୁବିଧା ପ୍ରଦାନ କରୁଛି।
କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସିଧାସଳଖ ଆନ୍ତର୍ଜାତୀୟ ଫାଇବର ସଂଯୋଗ ପ୍ରଦାନ କରିବା ସହ ଲାଟେନ୍ସୀ ହ୍ରାସ କରିବ, ଇଣ୍ଟରନେଟ୍ ଗତିରେ ଉନ୍ନତି ଆଣିବ। ଏହା ସମେତ ହାଇପରସ୍କେଲର୍ସ, ଗ୍ଲୋବାଲ୍ କ୍ଷମତା କେନ୍ଦ୍ର (GCC) ଏବଂ ଉଦ୍ୟୋଗଗୁଡ଼ିକ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବରେ ଓଡ଼ିଶାର ଉଦୟକୁ ପ୍ରୋତ୍ସାହିତ କରିବ। ଏହି ପଦକ୍ଷେପ ସହିତ ଓଡ଼ିଶା ବିଶ୍ୱ ଡିଜିଟାଲ୍ ନେଟୱାର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନୋଡ୍ ହେବାକୁ ଯାଉଛି। ଯାହା ଡାଟା-ଚାଳିତ ଅର୍ଥନୀତିରେ ଭାରତର ସ୍ଥିତିକୁ ସୁଦୃଢ଼ କରିବ। ଏହା ବ୍ୟତୀତ, କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସାମାଜିକ ଲାଭ ଯଥା ଡିଜିଟାଲ୍ ଅନ୍ତର୍ଭୁକ୍ତି, ନିଯୁକ୍ତି ସୃଷ୍ଟି ଏବଂ ସମ୍ପ୍ରଦାୟ ବିକାଶ ଏବଂ ସାମାଜିକ ସମାନତା ମାଧ୍ୟମରେ ସଶକ୍ତିକରଣ ପାଇଁ ମଧ୍ୟ ପଥ ପ୍ରଶସ୍ତ କରିବ।
ସ୍ୱତନ୍ତ୍ର ସଚିବ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ସହ ପରିଚାଳନା ନିର୍ଦ୍ଦେଶକ OCAC ମାନସ ରଞ୍ଜନ ପଣ୍ଡା, ପ୍ରମୁଖ ED ରେଳ ଟେଲ୍ ଜାକିର ହୁସେନ ସିଦ୍ଦିକି, ବୈଷୟିକ ପରାମର୍ଶଦାତା (ଟେଲିକମ୍) OCAC ଅଭିନ୍ନ କୁମାର ପାହି ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ, ରେଳ ଟେଲ୍ ଏବଂ ଡେଲୋଇଟର ଅନ୍ୟାନ୍ୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।