Trending Photos
Rath Yatra 2025: ପୁରୀ: ସୋମବାରଠାରୁ ଆଡ଼ପ ମଣ୍ଡପରେ ଦର୍ଶନ କରିବାର ସୌଭାଗ୍ୟ ପାଇବେ ଭକ୍ତ। ଆଡ଼ପ ମଣ୍ଡପରେ ଅଧିଷ୍ଠିତ ହେବା ସ୍ବୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶ ବୋଲି ଶାସ୍ତ୍ର ବିଦିତ। ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କର ଅବସ୍ଥିତିକୁ ଜନ୍ମବେଦି ଯୋଗ କୁହାଯାଏ। ଜନ୍ମବେଦି ମହାପ୍ରଭୁଙ୍କ ପୃଥିବୀର ସବୁଠାରୁ ପ୍ରୀତିପଦ ସ୍ଥାନ ବୋଲି ପୁରାଣରେ ଉଲ୍ଲେଖ ରହିଛି। ଗତକାଲି ଆଡପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତୀ । ନବଦିନାତ୍ମକ ଯାତ୍ରାର ତୃତୀୟ ଦିନରେ ଆଡ଼ପ ପହଣ୍ଡି ଦର୍ଶନ କରି ଭାବ ବିହ୍ୱଳ ହୋଇଥିଲେ ଶ୍ରଦ୍ଧାଳୁ । ବ୍ୟବସ୍ଥିତ ଓ ଶୃଙ୍ଖଳିତ ଢଙ୍ଗରେ ଶେଷ ହୋଇଥିଲା ଆଡ଼ପ ପହଣ୍ଡି ।ପୂର୍ବ ବର୍ଷର ଅଘଟଣ କୁ ଏଡ଼ାଇ, କେବଳ ଅଧିକୃତ ସେବକଙ୍କୁ ନେଇ ପହଣ୍ଡି କରିଥିଲେ ସେବକ। ଗୋଟି ପହଣ୍ଡି ରେ ଆଡ଼ପ ବିଜେ କରିଥିଲେ ମହାବାହୁ ବିଶ୍ଵ ନିଅନ୍ତା। ବିଜେ ଡୋରୀକୁ ସାବଧାନରେ ବାନ୍ଧି ଧୀରେ ଧୀରେ ହଳଧର ମହାପ୍ରଭୁ ବଳଭଦ୍ରଙ୍କୁ ଚାର ତଳକୁ ପହଣ୍ଡି କରାଇଥିଲେ ସେବକ।
ଗତକାଲି ସନ୍ଧ୍ୟା ୬ ଟା ୫୦ ରେ ଆଡ଼ପ ମଣ୍ଡପକୁ ଗୋଟି ପହଣ୍ଡି ଆରମ୍ଭ ହୋଇ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ତାପରେ ଦେବୀ ସୁଭଦ୍ରା ଓ ସବା ଶେଷ ରେ ହଲି ଝୁଲି ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ ।ରାତ୍ର ୧୦ ଟା ରେ ଶେଷ ହୋଇଥିଲା ପହଣ୍ଡି ।ଆଜି ଚାରମାଳ ଖୋଲିବା ପରେ ମହାପ୍ରଭୁଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ । ସେପଟେ ଆଜି ଶ୍ରୀବିଗ୍ରହଙ୍କର ହେବ ବନକଲାଗି ନୀତି ।ଏନେଇ ପ୍ରସ୍ତୁତ ହୋଇଛନ୍ତି ଦତ୍ତ ମହାପାତ୍ର ସେବକ । ହିଙ୍ଗୁଳ, ହରିତାଳ,କସ୍ତୁରୀ ,କେଶର ଭଳି ଦୁର୍ମୂଲ୍ୟ ବନଜାତ ଦ୍ରବ୍ୟରେ ହେବ ଶ୍ରୀଜୀଉଙ୍କ ଏହି ଶ୍ରୀମୁଖ ସିଂହାର ନୀତି ।ଆଜି ସୋମବାର ଆଷାଢ଼ ଶୁକ୍ଳ ଚତୁର୍ଥୀ ଯୁକ୍ତ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।
ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ରାତ୍ର ୯ ଟା ଠାରୁ ବିଳମ୍ବିତ ରାତ୍ର ୨ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ସେପଟେ ବାହାରିବ ଆଡ଼ପ ଅବଢ଼ା । ତିନି ଦିନର ପଥ କ୍ଳେଶ ପରେ ମହାପ୍ରଭୁଙ୍କ ପାଖରେ ଲାଗି ହେବ ମହାପ୍ରସାଦ ।ପ୍ରଥମ କରି ଜୈବିକ ଚାଉଳ ଅମୃତ ଅନ୍ନ ରେ ରନ୍ଧା ହେବ ଅବଢ଼ା ଅନ୍ନ।ଜନ୍ମବେଦୀ ଆଡ଼ପ ମଣ୍ଡପରେ ୫ ଦିନ ଯାକ ଜୈବିକ ଚାଉଳରେ ରନ୍ଧା ହେବ ମହାପ୍ରସାଦ ।
ଏଥିପାଇଁ ରଥାଯାତ୍ରାରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏଥିସହ ଶ୍ରୀମନ୍ଦିରରେ ସୋମବାରଠାରୁ ୬ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା। ଆଜି ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଛି।