ବିଏମସି ଲଢ଼େଇ: ସାଧାରଣ ଜନତା କ’ଣ ପାଇଲେ, ହାରିଲା କିଏ?
Advertisement
Article Detail0/zeeodisha/odisha2826185

ବିଏମସି ଲଢ଼େଇ: ସାଧାରଣ ଜନତା କ’ଣ ପାଇଲେ, ହାରିଲା କିଏ?

 ଓଏଏସ୍‍ ସଂଘ ଦେଇଥିବା ତିନୋଟି ଜରୁରୀ ଦାବି ଭିତରୁ ଏଇ ଦାବିଟିକ  କାହିଁକି ଅଡ଼ି ବସିଥିଲେ? ପୁଣି ଜଗା ପ୍ରଧାନ ଗିରଫ ହେଲେ କିପରି ରତ୍ନାକରଙ୍କ ସମ୍ମାନ ଫେରି ଆସିଲା ତାହା ପ୍ରଶ୍ନବାଚୀ ହେବ ନିଶ୍ଚୟ। କିନ୍ତୁ ଏହି ଘଟଣା ଦ୍ୱାରା ପ୍ରକୃତ ଦୋଷୀ ବି ଅବିରାମେ ଖଲାସ ହେବ ତାହାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ଆଉ ଏହା ପୁଣିଥରେ ଜଣେ ଅଧିକାରୀଙ୍କ ଉପରେ ଆକ୍ରୋଶ ଓ ମାଡ଼କୁ ସ୍ୱଗତ କରିପାରେ।

ବିଏମସି ଲଢ଼େଇ: ସାଧାରଣ ଜନତା କ’ଣ ପାଇଲେ, ହାରିଲା କିଏ?

Jagannath Pradhan: ଭୁବନେଶ୍ୱର: ଓଏଏସ୍‍ ଅଧିକାରୀଙ୍କୁ କର୍ପୋରେଟର ଏବଂ ତାଙ୍କ ସମର୍ଥକ ଅନ୍ଧାଧୁନିଆ ମାଡ଼ ମାରିବା ଘଟଣାର ଅନ୍ତ ହୋଇଛି। ମାଡ଼ ଖାଇଥିବା ଓଏଏସଙ୍କ ଏତଲା ଏବଂ ସଂଘର ଦାବିକୁ ସମ୍ମାନ ଜଣାଇ ସରକାର ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଛନ୍ତି। ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଏବେ ସେ ଝାରପଡ଼ା ଜେଲରେ ରହିଛନ୍ତି। ପୁଲିସ ତାଙ୍କ ବିରୋଧରେ ୧୨ଟି ଦଫା ଲଗାଇଛି। ଅପରପକ୍ଷେ ଏହି ଗିରଫରେ ଓଏଏସ୍‍ ସଂଘ ସନ୍ତୋଷ ପ୍ରକାଶ କରି ରାଜ୍ୟରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ପ୍ରଶ୍ନ ହେଉଛି ଯେଉଁ ଲଢ଼େଇ କିଛିଦିନ ହେଲା ସରକାରଙ୍କ ମୁଣ୍ଡବିନ୍ଧାର କାରଣ ଥିଲା ତାହା ଜଗାଙ୍କ ବିରୋଧରେ ଥିଲା ନା ସରକାରଙ୍କ ବିରୋଧରେ? ଏଥିରେ ଅଫିସରଙ୍କ ବିଜୟ ହେଲା ନା ବିଜେପି ଭିତରେ ଥିବା ଫାଟ ପଦାକୁ ଆସିଲା? ଏମିତି ପ୍ରଶ୍ନଗୁଡ଼ିକ ଭିତରେ ସବୁଠାରୁ ମୌଳିକ ପ୍ରଶ୍ନଟି ହେଉଛି ‘ଜିତିଲା କିଏ’?  ସାଧାରଣ ଜନା ଏଥିରୁ କ’ଣ ପାଇଲେ? 

ଗଲା ତିନିଦିନ ଓଡ଼ିଶା ପ୍ରଶାସନ ଏକ ପ୍ରକାର ଠପ୍‍ ହୋଇଯାଇଥିଲା।  ଭୁବନେଶ୍ୱର ମ୍ୟୁନିସିପାଲିଟିର ଅତିରିକ୍ତ କମିଶନର ଯେ ଏପରି କ୍ଷମତାର ଅଧିକାରୀ ତାହା ସ୍ପଷ୍ଟ ହୋଇଥିଲା। ତାଙ୍କ ପୂର୍ବରୁ ଯେ ରାଜ୍ୟର ପୁଲିସ, ଅଧିକାରୀ, ନେତା, ସାଧାରଣ ଜନତା ମାଡ଼ ଖାଇ ନଥିଲେ, ବିରୋଧର ସମ୍ମୁଖୀନ ହୋଇ ନଥିଲେ ବା ସରକାରୀ ଅତ୍ୟାଚାର ଭୋଗି ନଥିଲେ ତା’ ନୁହେଁ କିନ୍ତୁ ଏବେ ପରିସ୍ଥିତି ଏମିତି ହୋଇଥିଲା ଯେ ରାଜ୍ୟରେ ସରକାରୀ ସେବା ଲୋକଙ୍କ ପାଖରେ ପହଞ୍ଚିଲା ନାହିଁ। ଲୋକେ ଅଫିସ ଗଲେ ସରକାର ନାହାନ୍ତି ବୋଲି ବାର୍ତ୍ତା ପାଇ ଫେରିଲେ। ସମୁଦାୟ ବିଜେପି ହୁଲୁସ୍ତୁଲୁ ହୋଇହେଲା। ଓଏଏସ୍‍ ସଂଘ କ୍ଷମତାଶାଳୀ ବୋଲି ପ୍ରମାଣିତ ହେଲା ଆଉ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ ସରକାର। ଆଜି ସବୁକିଛି ଠିକ୍‍ ହେବ ବୋଲି କୁହାଯାଉଛି। ଜନ ସାଧାରଣ ଆବଶ୍ୟକ ସେବା ପାଇବେ ବୋଲି ଆଶା କରାଯାଉଛି। ଏ ସମୁଦାୟ ଘଟଣାରୁ ଗୋଟିଏ କଥା ସ୍ପଷ୍ଟ ଯେ ଗଣତନ୍ତ୍ର ହେଉ ବା ରାଜତନ୍ତ୍ର, ଅନ୍ୟ ଦେଶର ସେନା ସହ ଲଢ଼େଇ ହେଉ ବା ନିଜେ ବାଛିଥିବା ସରକାରରେ ଅନ୍ତରଦ୍ୱନ୍ଦ୍ୱରେ ଯଦି କିଏ ପ୍ରଭାବିତ ହୁଏ, ସେ ହେଉଛି ସାଧାରଣ ଲୋକ। କିଛି ଭୁଲ ନକରି ବି ତାକୁ ତା’ର ହକ୍‍ ମିଳେ ନାହିଁ। ସେ ହାରେ। ହେଲେ ଏଠି ଜିତିଲା କିଏ? 

ଲଢ଼େଇ କାହିଁକି ହେଲା, କେଉଁଠୁ ସୂତ୍ରପାତ ହେଲା ସେ ବିଷୟରେ ଅଧିକ କହିବା ଅନାବଶ୍ୟକ। ଜୁନ୍‍ ୩୦ ତାରିଖରେ ଏ ଘଟଣା ଘଟିଥିଲା।  ଅପରାହ୍ଣରେ ବିଜେଡି ହ୍ୱାଟ୍ସଆପ୍‍ ଚାନେଲ ଦ୍ୱାରା ଏହି ଘଟଣାକୁ ନେଇ ଏକ  ଭିଡିଓକୁ ଗଣମାଧ୍ୟମ ହ୍ୟାଣ୍ଡଲରେ ଶେୟାର କରାଗଲା। ଆଉ ତା’ ପରେ ନିଆଁ ହୋଇଗଲା ବିଏମସିର ଅଧିକାରୀ ରତ୍ନାକର ସାହୁଙ୍କୁ ମାଡ଼ମରା ଘଟଣା। ସମ୍ପୃକ୍ତ ଅଧିକାରୀଙ୍କ ଦୋଷ କ’ଣ, କାହିଁକି କର୍ପୋରେଟର ଓ ତାଙ୍କ ସମର୍ଥକ ତାତିଲେ ତାହାର କୌଣସି ପୃଷ୍ଠଭୂମି ଦେଖିବାକୁ ମିଳିଲା ନାହିଁ କିନ୍ତୁ ଯାହା ଦେଖିବାକୁ ମିଳିଲା ତାହା ବର୍ବରତା ଥିଲା, ଅମାନବୀୟ ଥିଲା। ଏହାକୁ ଆମେ କେବେ ସମର୍ଥନ କରୁନାହୁଁ କି କରିବା ନାହିଁ। ଏହାର ଜବାବରେ ମାଡ଼ ମାରିଥିବା ୫ ଜଣଙ୍କୁ ପୁଲିସ ଗିରଫ କଲା। ଭିଡିଓରେ ଦେଖାଯାଉଥିବା ଲୋକଙ୍କୁ ବିଜେପି ମଧ୍ୟ ଦଳରୁ ନିଲମ୍ବନ କଲା। କିନ୍ତୁ ରତ୍ନାକରଙ୍କ ଚାକିରିର ସହଯୋଗୀମାନେ ଏଥିରେ ‘କିଙ୍ଗପିନ୍‍’ ଖୋଜିଲେ। 

ଆଉ ସେ କିଙ୍ଗପିନକୁ ଗିରଫ କରିବା ପାଇଁ ଦାବି କଲେ।  ଖାଲି ଦାବି ନୁହେଁ, ସୁପ୍ରିମକୋର୍ଟଙ୍କ ଆଦେଶ, ରାଜ୍ୟ ସରକାରଙ୍କ ନିୟମାବଳୀ ଏବଂ ନିଜ ସେବାର ଆଚରଣ ବିଧିକୁ ବେଖାତିର କରି ଆନ୍ଦୋଳନ କଲେ। ଅଫିସରୁ ସମୂହ ଛୁଟିରେ ଗଲେ। ତିନିଦିନ ରାଜ୍ୟ ପ୍ରଶାସନରେ କାର୍ଯ୍ୟ ଆଗକୁ ବଢ଼ିପାରିଲା ନାହିଁ। ବନ୍ୟା ଓ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପରିସ୍ଥିତିକୁ ମଧ୍ୟ ଅଣଦେଖା କରିଲେ ଅଫିସର। ଏହା ସେ ଆକ୍ରମଣଠାରୁ କେତେ ଭୟଙ୍କର ଆପଣ ଚିନ୍ତା କରନ୍ତୁ। କିନ୍ତୁ ଏଥିରେ ପ୍ରଭାବିତ ହେଉଥିଲା ଲୋକଙ୍କ ପାଖରେ କୌଣସି ବିକଳ୍ପ ନଥିଲା କି ନାହିଁ। କର୍ମ ଆଦରି ରହିଲା ଭଳି ସାଧାରଣ ଲୋକ ସରକାରୀ କାର୍ଯ୍ୟାଳୟରୁ ଫେରିଲେ। ଏହା ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ଏଥିପ୍ରତି ସମ୍ବେଦନଶୀଳ ନହୋଇ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ‘ଜଗା ପ୍ରଧାନ’ଙ୍କ  ଗିରଫ ପାଇଁ ଦାବି କରି ବସିଲେ। 

ଏହି ଘଟଣାରେ ସଂଘ ଯେ କେବଳ ଏକୁଟିଆ ଥିଲା ତା ନୁହେଁ। ପୂର୍ବ ସରକାରର ବିଶ୍ୱସ୍ତ ଅଧିକାରୀ ହୋଇଥିବରୁ ବିରୋଧୀ ଦଳ ମଧ୍ୟ ଅଧିକାରୀଙ୍କୁ ଉସୁକାଉଥିବା ଅଭିଯୋଗ ହୁଏ। କିଛି ଖବରକାଗଜ ଓ ସୋଶାଲ୍‍ ମିଡିଆରେ ଏ ଖବର ପ୍ରକାଶ ପାଇଛି। ହେଲେ ବିରୋଧୀ ଦଳର ଷଡ଼ଯନ୍ତ୍ର ଏବଂ ସରକାରୀ କଳର ଅସହଯୋଗ ଭିତରେ ପେଶି ହେଉଥିବା ସରକାରରେ ଆଉ ଏକ ଚାପ ସୃଷ୍ଟି ହୋଇଥିଲା ତାହା ଥିଲା ନିଜ ଜଳରେ ଗୋଷ୍ଠୀ ବିବାଦ। ଏହାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆରମ୍ଭ କରିଥିବା ଅଭିଯୋଗ ହୁଏ କିନ୍ତୁ ତାଙ୍କର ସମୀକରଣ ଏତେ ଶକ୍ତ ଥିଲା ଯେ ସେଥିରେ ଜଗାଙ୍କ ପୃଷ୍ଠଭୂମିକୁ ଶକ୍ତ କରୁଥିବା ଧର୍ମେନ୍ଦ୍ର ପ୍ରଧାନ ବି ନଇଁବାକୁ ବାଧ୍ୟ ହେଲେ। ଯିଏ ଦୋଷ କରିବ ସେ ଦଣ୍ଡ ପାଇବ ବୋଲି କହିଲେ। ତାହା ହିଁ ହେଲା। ଆଉ ୩୭ ଭୋଟରେ ବିଧାୟକ ହେବାରୁ ବଞ୍ଚିତ ହୋଇଥିବା ବିଜେପିର ଯୁବ ନେତା ଆତ୍ମ ସମର୍ପଣ କରି ଗିରଫ ହେଲେ। 

ପୁଲିସ ତାଙ୍କ ବିରୋଧରେ ୧୨ଟି ଦଫା ଲଗାଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୧ (୧) ଏବଂ (୨)କୁ ତାଙ୍କ ବିରୋଧରେ ଲଗାଯାଇଛି। ଏହା ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟକ୍ଷେତ୍ରରେ ବାଧା ଦେବା, ତାଙ୍କୁ ଆଘାତ ପହଞ୍ଚାଇବା ଅପରାଧରେ ଲଗାଯାଇଥାଏ। ସେହିପରି ସରକାରୀ କର୍ମଚାରୀଙ୍କୁ ମାଡ଼ ମାରି ଗଭୀର ଆଘାତ ପହଞ୍ଚାଇବା ଅଭିଯୋଗରେ ତାଙ୍କ ବିରୋଧରେ ଧାରା ୧୩୨ ଲାଗିଛି। ବେଆଇନ ସମାବେଶ, ବେଆଇନ ଭାବେ ସମାବେଶ କରି ଅପରାଧ ଘଟାଇବା ଅଭିଯୋଗରେ ୧୮୯(୨) ଏବଂ ୧୯୦ ଲାଗୁ ହୋଇଛି। ଧାରା ୩ ଉପଧାରା ୫ ବି ଲାଗିଛି। ଏହା ଅପରାଧରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତିକୁ ଦର୍ଶାଉଛି। ଧାରା ୩୦୪ ଲାଗିଛି ଯାହା କହୁଛି ଯେ ଜଗନ୍ନାଥ ପ୍ରଧାନ ଛିନ୍ତାଧଇ କରିଛନ୍ତି। କାହାର ଘରକୁ ଅନଧିକାର ପ୍ରବେଶ ଅଭିଯୋଗରେ ଧାରା ୩୩୩ ଲାଗିଥାଏ। ଏହି ଦଫାକୁ ମଧ୍ୟ ପୁଲିସ ଜଗାଙ୍କ ବିରୋଧରେ ଲକାଇଛି। ଅପରାଧିକ ଭୟ ପ୍ରଦର୍ଶନ ସହ ଅପରାଧ କରିବା ଅଭିଯୋଗରେ ଧାରା ୩୫୧ (୨) ଲାଗିଛି। ଅପରାଧରେ ସହାୟତା କରିବା ଅଭିଯୋଗରେ ଧାରା ୫୪, ଅପରାଧମୂଳକ ଷଡ୍ଯାନ୍ତ୍ର ପାଇଁ ଧାରା ୬୧(୨) ଏବଂ ଅପରାଧ ପାଇଁ ଉସୁକାଇବା ଅଭିଯୋଗରେ ଧାରା ୬୨ ଲାଗିଛି। ଏସବୁ କୋର୍ଟ ବିଚାର କରିବେ। ଓକିଲ ତର୍ଜମା କରିବେ। କିନ୍ତୁ ପୁଲିସ ପାଖରେ ଏଯାଏ ଯେଉଁ ପ୍ରମାଣ ରହିଛି ତାହା ହେଉଛି ଗଣମାଧ୍ୟମ ରିପୋର୍ଟ ଏବଂ ସୋଶାଲ ମିଡିଆର ଭିଡିଓ। ଏହାଦ୍ୱାରା ସେ କେତେ ଦୂର ଦଣ୍ଡିତ ହେବେ ତାହା ଅଫିସର ଜାଣିଛନ୍ତି ଏବଂ ସରକାରଙ୍କ ମନ୍ତ୍ରୀମାନେ ମଧ୍ୟ ଜାଣିଛନ୍ତି। 

ଏସବୁଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଏହା ଆଇନଗତ ଯୁଦ୍ଧ ବା ମର୍ଯ୍ୟାଦା ହାସଲ ପାଇଁ ଲଢ଼େଇ ନଥିଲା, ଏହା କିଛି ଅଧିକାରୀଙ୍କ ଅହଙ୍କାର ପାଇଁ ଲଢ଼େଇ ଥିଲା। ଏହା ନହୋଇଥିଲେ ଓଏଏସ୍‍ ସଂଘ ଦେଇଥିବା ତିନୋଟି ଜରୁରୀ ଦାବି ଭିତରୁ ଏଇ ଦାବିଟିକ  କାହିଁକି ଅଡ଼ି ବସିଥିଲେ? ପୁଣି ଜଗା ପ୍ରଧାନ ଗିରଫ ହେଲେ କିପରି ରତ୍ନାକରଙ୍କ ସମ୍ମାନ ଫେରି ଆସିଲା ତାହା ପ୍ରଶ୍ନବାଚୀ ହେବ ନିଶ୍ଚୟ। କିନ୍ତୁ ଏହି ଘଟଣା ଦ୍ୱାରା ପ୍ରକୃତ ଦୋଷୀ ବି ଅବିରାମେ ଖଲାସ ହେବ ତାହାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ଆଉ ଏହା ପୁଣିଥରେ ଜଣେ ଅଧିକାରୀଙ୍କ ଉପରେ ଆକ୍ରୋଶ ଓ ମାଡ଼କୁ ସ୍ୱଗତ କରିପାରେ।

;