Weather Updates: ଭୁବନେଶ୍ଵର: କାଳବୈଶାଖୀ ପ୍ରଭାବରେ ପାରଦ ଏବେ ତଳମୁହାଁ। ପୂରା ରାଜ୍ୟ ଏବେ ତାତିରୁ ଆଶ୍ୱସ୍ତି ଲାଭ କରିଛି। ବିଶେଷ କରି ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ବର୍ଷା ହେବା କାରଣରୁ ତାତିରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ପୂରା ରାଜ୍ୟରେ ପାଗ ବଦଳିବା ଯୋଗୁ ତାତି ତଳମୁହାଁ ହୋଇଛି।
ଶନିବାର ସକାଳ ସାଢ଼େ ୧୧ଟା ବେଳକୁ ଝାରସୁଗୁଡ଼ାରେ ପାରଦ ୪୦ ଡିଗ୍ରୀ ଡେଇଁ ସାରିଥିଲା। କିନ୍ତୁ ବର୍ଷା ପ୍ରଭାବରେ ରବିବାର ତାତିରୁ ଆଶ୍ୱସ୍ତି ମିଳିଥିଲା।
ସେହିପରି ରବିବାର ସମ୍ବଲପୁରରେ ୩୯.୪ ଡିଗ୍ରୀରୁ ୨୯.୮ ଡିଗ୍ରୀକୁ ଖସିଥିଲା। ହୀରାକୁଦରେ ୩୮.୨ ଡିଗ୍ରୀରୁ ୨୯.୬ ଡିଗ୍ରୀ ଓ ରାଉରକେଲାରେ ୩୮.୮ରୁ ୨୯.୪ ଡିଗ୍ରୀକୁ ଖସି ଯାଇଥିଲା।
ତେବେ ସୋମବାର କାଳବୈଶାଖି ଓ ଘଡ଼ଘଡ଼ି ସହ କୁଆପଥର ବର୍ଷା ପାଇଁ ୯ଟି ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କାଳବୈଶାଖି ପ୍ରଭାବରେ ଆହୁରି ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର, ଭଦ୍ରକ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ କୁଆପଥର ସହ ବର୍ଷା ଓ ଘଡ଼ଘଡ଼ି ହୋଇପାରେ। ୫୦ରୁ ୬୦ କିମି ବେଗରେ ପବନ ହୋଇପାରେ ବୋଲି ମଧ୍ୟ ପାଣିପାଗ ବିଭାଗ ସତର୍କ କରାଇଛି।
କେବଳ ଏହି ୯ଟି ଜିଲ୍ଲା ନୁହେଁ, ବାକି ଜିଲ୍ଲାରେ ବି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି। ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ରେ କ ଳ ବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।
ट्रेन्डिंग फोटोज़