Jollywood News: ନରିଙ୍କୁ ବ୍ୟାନ୍ କରିଛି ଯାତ୍ରା ମାଲିକ ସଂଘ । ଏନେଇ ଯାତ୍ରା ମାଲିକ ସଂଘ ସଂପାଦକ ସୂଚନା ଦେଇଛନ୍ତି । ଅନେକ ଯାତ୍ରା ପାର୍ଟିର ମାଲିକ ଭୁବନେଶ୍ୱର ଖଣ୍ଡଗିରି ନିକଟ ଏକ ସ୍ଥାନରେ ବୈଠକ କରିଥିଲେ ।
Trending Photos
ଭୁବନେଶ୍ୱର: ଯାତ୍ରା ଦୁନିଆର ଲୋକପ୍ରିୟ ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ବୟକଟ୍ କରାଯାଇଛି । ନରିଙ୍କୁ ବ୍ୟାନ୍ କରିଛି ଯାତ୍ରା ମାଲିକ ସଂଘ । ଏନେଇ ଯାତ୍ରା ମାଲିକ ସଂଘ ସଂପାଦକ ସୂଚନା ଦେଇଛନ୍ତି । ଅନେକ ଯାତ୍ରା ପାର୍ଟିର ମାଲିକ ଭୁବନେଶ୍ୱର ଖଣ୍ଡଗିରି ନିକଟ ଏକ ସ୍ଥାନରେ ବୈଠକ କରିଥିଲେ । ସମସ୍ତ ବିଷୟକୁ ଧ୍ୟାନରେ ରଖାଯାଇ ନରିଙ୍କୁ ବ୍ୟାନ କରାଯାଇଛି ।
ସୂଚନାଯୋଗ୍ୟ, କିଛିଦିନ ତଳେ ଲୋକପ୍ରିୟ ଯାତ୍ରା କଳାକାର ନରି ପଣ୍ଡାଙ୍କୁ ମାଡ ମରାଯାଇଥିବା ଅଭିଯୋଗ ଆଣିଥିଲେ ନିଜେ ନରି । ଗଣମାଧ୍ୟମରେ ମୁହଁ ଖୋଲି ସିଧାସଳଖ ତୁଳସୀ ଗଣନାଟ୍ୟର ମାଲିକଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଥିଲେ ନରି । ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ଧଳ (ନାଣ୍ଡୁ ବାବୁଃ ଏବଂ ତାଙ୍କର କିଛି ସହଯୋଗୀ ନରୀଙ୍କୁ ଏକ ଢାବାକୁ ଡାକି ମାଡ ମାରିଛନ୍ତି ବୋଲି ଅଭିଯୋଗ କରିଥିଲେ ।
ନରି କହିଥିଲେ ଯେ, ମୋ ବୟସ ୫୨ ବର୍ଷ ଏବଂ ଯାତ୍ରାରେ ପ୍ରାୟ ୩୨ ବର୍ଷ ସମୟ ଅତିବାହିତ କରିସାରିଲିଣି । କିନ୍ତୁ ଏ ପରିସ୍ଥିତି କେବେ ଭୋଗିନଥିଲି । ମୁଁ କୋଣାର୍କ ଗଣନାଟ୍ୟରେ ଦୀର୍ଘ ବର୍ଷ ଧରି ରହିଥିଲି ଏବଂ କଳିଙ୍ଗ ଗଣନାଟ୍ୟରେ ମଧ୍ୟ କିଛି ବର୍ଷ କାମ କରିଛି । ଏଥିସହ ଅନ୍ୟାନ୍ୟ ପ୍ରମୁଖ ଯାତ୍ରା ପାର୍ଟିରେ ମଧ୍ୟ କିଛି ବର୍ଷ କାମ କରିଛି । ଏବେ ୩ ବର୍ଷ ଧରି ସ୍ୱପ୍ନମହଲରେ କାର୍ଯ୍ୟ କରୁଛି । ଆଗାମି ଯାତ୍ରା ଋତୁ ପାଇଁ ନରି ତୁଳସୀ ଗଣନାଟ୍ୟକୁ ଯିବା ପାଇଁ କଥା ହୋଇଥିଲେ । ଏନେଇ ଚୁକ୍ତି ହେବା ସହ ଅଗ୍ରିମ ଟଙ୍କା ମଧ୍ୟ ନରିଙ୍କୁ ମିଳିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତୁଳସୀ ଗଣନାଟ୍ୟ ପକ୍ଷରୁ ନରିଙ୍କୁ ଆଭଏଡ କରାଯାଇଥିଲା । ନରିଙ୍କ ଫୋନ୍ ମଧ୍ୟ ରିସିଭ୍ କରିନଥିଲେ ତୁଳସୀ ଗଣନାଟ୍ୟର ନାଣ୍ଡୁ ବାବୁ । ତେଣୁ ନିଜ ପତ୍ନୀଙ୍କ ମାଧ୍ୟମରେ ନରି ତାଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ ନରିଙ୍କ ପତ୍ନୀ ବୋଲି ଜାଣିବା ପରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ନାଣ୍ଡୁ ବାବୁ ଫୋନ କାଟିଦେଇଥିବା ନରି ଅଭିଯୋଗ କରିଛନ୍ତି । କଥାବାର୍ତ୍ତା ସମୟର ଫୋନକଲ୍ ରେକର୍ଡିଂ ମଧ୍ୟ ରହିଛି ବୋଲି ନରି କହିଛନ୍ତି । ପରବର୍ତ୍ତୀ ସମୟରେ ନାଣ୍ଡୁ ବାବୁଙ୍କ ସହ ଯୋଗାଯୋଗ ହେବା ପରେ ନରି କହିଥିଲେ ଯେ, ଆପଣଙ୍କ ବ୍ୟବହାର ମତେ ଭଲ ଲାଗୁନାହିଁ ତେଣୁ ଆପଣଙ୍କ ଯାତ୍ରାପାର୍ଟିରେ ମୁଁ କାର୍ଯ୍ୟ କରିବାକୁ ଉଚିତ ମଣୁନାହିଁ । ଏଣୁ ଆପଣଙ୍କ ଟଙ୍କା ଫେରସ୍ତ କରିଦେବି ।
ଏହା ପରେ କଥା ଅନୁଯାୟୀ, ଯାତ୍ରା ପାର୍ଟି ପକ୍ଷରୁ ନରିଙ୍କୁ ଏକ ଢାବାକୁ ଡକାଯାଇଥିଲା । ନରି ଢାବାରେ ପହଞ୍ଚିବା ପରେ କିଛି ବ୍ୟକ୍ତି ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ପ୍ରବଳ ମାଡ ଭିତରେ କାଗଜରେ ଦସ୍ତଖତ କରାଇନେଇଥିଲେ ନାଣ୍ଡୁ ବାବୁ । ଫଳରେ ନରି ଆହତ ହୋଇଥିବା ଗଣମାଧ୍ୟମରେ କହିଛନ୍ତି । ଏହାପରେ ବରିଷ୍ଠ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା, ଗୌର ଦାସ ପ୍ରମୁଖଙ୍କୁ ନରୀ ଏ ବାବଦରେ ସମ୍ପୂର୍ଣ୍ଣ ସୂଚନା ଅବଗତ କରାଇଥିଲେ । ସେମାନଙ୍କ ପରାମର୍ଶ କ୍ରମେ ଗଣମାଧ୍ୟମରେ ଯାତ୍ରା ଦୁନିଆର ଭିତିରି କଥା କହିଛନ୍ତି ନରି । ବର୍ତ୍ତମାନ ନିରାଶ ହୋଇ ନରି କହିଛନ୍ତି ଯେ, ମୁଁ ଭାବୁଥିଲି ଏ ସମ୍ପର୍କରେ କାହାକୁ ଜଣାଇବି ନାହିଁ କିନ୍ତୁ ଯାତ୍ରା ଅନୁଷ୍ଠାନର କିଛି ବରିଷ୍ଠ ବ୍ୟକ୍ତି ବିଶେଷଙ୍କ କଥାରେ ଏକଥା ସାମ୍ନାକୁ ଆଣିବାକୁ ବାଧ୍ୟ ହେଲି । ତେବେ କେବଳ ଏତିକି ନୁହେଁ, ନରି ଗଣମାଧ୍ୟମରେ କାନ୍ଦି କାନ୍ଧି କହିଛନ୍ତି ଯେ, ମୋ ପାଇଁ ମୋ ମାନ ସମ୍ମାନ ବଡ ତେଣୁ ଯାତ୍ରା ଦୁନିଆ ମୁଁ ଛାଡିଦେବି ...
ଅନ୍ୟପଟେ ତୁଳସୀ ଗଣନାଟ୍ୟ ମାଲିକ ନରିଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ତାଙ୍କ ନାମରେ ନରି ଅନେକ ମିଥ୍ୟା ଅଭିଯୋଗ ଆଣୁଥିବା କହିବା ସହ ନିଜ ସପକ୍ଷରେ ଯୁକ୍ତି ବାଢିଛନ୍ତି ।
Also Read- Weekly Lucky Zodiac Sign: ନୂଆ ସପ୍ତାହରେ ମାଳବ୍ୟ ରାଜଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ
Also Read- Airtel Plan: ଏୟାରଟେଲର ବଡ଼ ଉପହାର ! ୧ ବର୍ଷ ପାଇଁ ଟେନସନ୍ ଫ୍ରି