Trending Photos
Operation Sindoor: ନୂଆଦିଲ୍ଲୀ: ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତ ଚଳାଇଥିବା ଅପରେସନ୍ ସିନ୍ଦୂର ବାବଦରେ ଆଜି ଲୋକସଭାରେ ଆଲୋଚନା ହେବ। ଭାରତ ସରକାରଙ୍କ ଆଗରେ ଆମେରିକାର ମଧ୍ୟସ୍ଥତା ଓ ଯୁଦ୍ଧ ବିରାମର ପ୍ରଶ୍ନ ରହିଛି। ଗୁଇନ୍ଦା ବିଫଳତାର ଅଭିଯୋଗ ରହିଛି। ଅପରପକ୍ଷେ ଦେଶର ନୂଆ ରଣନୀତି, ଯବାନମାନଙ୍କ ମନୋବଳ, ସ୍ୱଦେଶୀ ଟେକ୍ନୋଲୋଜିର ବ୍ୟବହାରକୁ ନେଇ ସରକାର ବିରୋଧୀଙ୍କ ଉତ୍ତର ଦେବାକୁ ପ୍ରୟାସ କରିବେ। ଏଥିଲାଗି ଲୋକସଭାରେ ୧୬ ଘଣ୍ଟାର ଆଲୋଚନା ଆଜି ଆରମ୍ଭ ହେବାକୁ ଯାଉଥିବା ବେଳେ ଆସନ୍ତା କାଲି ରାଜ୍ୟସଭାରେ ଏ ନେଇ ଆଲୋଚନା ହେବ। ସରକାରଙ୍କ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ଏ ସ୍ୱତନ୍ତ୍ର ଆଲୋଚନା ପାଇଁ ବାଟ ଫିଟାଇବା କାର୍ଯ୍ୟକ୍ରମ ରହିଛି। ତେବେ ବିରୋଧୀ ଏହାକୁ କିପରି ଉପସ୍ଥାପନ କରିବେ? କ’ଣ ରହିବ କଂଗ୍ରେସ ନେତା ଶଶି ଥରୁରଙ୍କ ମନ୍ତବ୍ୟ? ଦେଶର ସଂହତି ବିରୋଧୀଙ୍କ ମନ୍ତବ୍ୟରେ ସାଲିସ ପାଇବ ନାହିଁ ତ? ଏମିତି ଅନେକ ପ୍ରଶ୍ନ ରହିଛି ଅପେକ୍ଷାରେ।
ଲୋକସଭାର କାର୍ଯ୍ୟସୂଚୀ ଅନୁସାରେ ଆଜି ଦ୍ୱିତୀୟାର୍ଦ୍ଧରେ ଏହି ଆଲୋଚନା ପ୍ରସ୍ତାବ ଆସିପାରେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପ୍ରସ୍ତାବକୁ ଗୃହରେ ରଖିପାରନ୍ତି। ଗୃହମନ୍ତ୍ରୀ, ଅମିତ ଶାହ, ବହିର୍ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ବିଜେପି ସାଂସଦ ଅନୁରାଗ ଠାକୁର, ନିଶିକାନ୍ତ ଦୁବେ ଏହି ଆଲୋଚନାରେ ଭାଗ ନେଇପାରନ୍ତି। ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଲୋଚନାରେ ହସ୍ତକ୍ଷେପ କରିପାରନ୍ତି।
କାର୍ଯ୍ୟସୂଚୀର କାର୍ଯ୍ୟକ୍ରମ ବିବରଣୀ ଅନୁସାରେ ଏହି ପ୍ରସ୍ତାବ ସ୍ଥାନୀତ ହୋଇଛି। ଯେଉଁ ସ୍ୱତନ୍ତ୍ର ଆଲୋଚନା ହେବ ତାହାର ପ୍ରସଙ୍ଗ ରହିଛି ‘ ପହଲଗାମ ଆତଙ୍କୀ ଆକ୍ରମଣର ଜବାବରେ ଭାରତର ଶକ୍ତ, ସଫଳ, ନିର୍ଣ୍ଣାୟକ ଅପରେସନ୍ ସିନ୍ଦୂର’।
କିନ୍ତୁ ଗଲା ୫ ଦିନ ହେଲା ସଂସଦରେ ଅଚଳାବସ୍ଥା ସୃଷ୍ଟି କରୁଥିବା କଂଗ୍ରେସ ଓ ବିରୋଧୀ ଦଳ କ’ଣ ସରକାରଙ୍କ ଏହି ଆଲୋଚନା ପ୍ରସ୍ତାବରେ ରାଜି ହେବେ? ଯଦିଓ ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଦାବି କରୁଥିଲେ କିନ୍ତୁ ପ୍ରଥମେ ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନକୁ ନେଇ ଝଡ଼ ସୃଷ୍ଟି କରି ଆସିଛନ୍ତି। ୨୫ ତାରିଖ ଦିନ ଉଭୟ ଗୃହର ସଦସ୍ୟମାନେ ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଆଲୋଚନା ପାଇଁ ଦାବି କରିଥିଲେ। ହେଲେ ସରକାର କାର୍ଯ୍ୟକ୍ରମ ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ପ୍ରଥମେ ଅପରେସନ୍ ସିନ୍ଦୂର ବିଷୟରେ ସ୍ୱତନ୍ତ୍ର ଆଲୋଚନା କରିବାକୁ ଯାଉଛନ୍ତି। ଏହା କେତେଦୂର ଅଚଳାବସ୍ଥାକୁ ଦୂର କରିବ ତାହାକୁ ଅପୋକ୍ଷା କରାଯାଇଛି।
ଅପରପକ୍ଷେ ଦେଶର ଏହି ମିଶନକୁ ଭୁରି ଭୁରି ପ୍ରଶଂସା କରିଥିବା କଂଗ୍ରେସ ନେତା ଶଶି ଥରୁର ଏବଂ ଏଆଇଏମ୍ଏମ୍ ନେତା ଓସାସୁଦ୍ଦିନ ଓଓ୍ୱେସି ଏହି ଆଲୋଚନାରେ କିପରି ଅଂଶ ଗ୍ରହଣ କରୁଛନ୍ତି ତାହା ବି ରୋଚକ ହେବ। ସଂସଦୀୟ ବ୍ୟାପରର ମନ୍ତ୍ରୀ କହିଛନ୍ତି, ଅନେକ ପ୍ରସଙ୍ଗ ଆଲୋଚନା ପାଇଁ ରହିଛି। ହେଲେ କେଉଁ ଆଲୋଚନାକୁ ଆଗ ଆଲୋଚନା କରାଯିବ ତାହା ସରକାର ନିର୍ଦ୍ଧାରଣ କରିବେ।