ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ରାଜ୍ୟପାଳ ଶ୍ରୀ କମ୍ଭମପାଟି ଆଇନମନ୍ତ୍ରୀଙ୍କ ଘରକୁ ଆସି ଆଲୋଚନା କରିବା ରାଜ୍ୟ ମନ୍ତ୍ରିମଣ୍ଡଳର ସମୀକରଣ ବଦଳାଇବ ବୋଲି ଚର୍ଚ୍ଚା ହେଉଛି।
Trending Photos
ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ। ଏପରିକି ମନ୍ତ୍ରିମଣଣ୍ଡଳର ଖାଲିଥିବା ପଦବୀ ବି ପୂରଣ ହୋଇପାରେ। ହଠାତ୍ ମୁଖ୍ୟମନ୍ତ୍ରୀ ରାଜଭବନ ଯାଇ ରାଜ୍ୟପାଳ ହରିବାକୁ କମ୍ଭମପାଟିଙ୍କୁ ସାକ୍ଷାତ ଓ ଆଲୋଚନା କରିବା ପରେ ଏହି ଚର୍ଚ୍ଚା ଏବେ ରାଜନୀତିକ ମହଲକୁ ମୁଖର କରିଛି। ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ରାଜ୍ୟପାଳ ଶ୍ରୀ କମ୍ଭମପାଟି ଆଇନମନ୍ତ୍ରୀଙ୍କ ଘରକୁ ଆସି ଆଲୋଚନା କରିବା ରାଜ୍ୟ ମନ୍ତ୍ରିମଣ୍ଡଳର ସମୀକରଣ ବଦଳାଇବ ବୋଲି ଚର୍ଚ୍ଚା ହେଉଛି।
ବର୍ଷେରୁ ଅଧିକ ସମୟ ବିତିଥିଲେ ମଧ୍ୟ ରାଜ୍ୟର ୬ ମନ୍ତ୍ରି ପଦବୀ ପୂରଣ କରାଯାଇପାରି ନାହିଁ। ଅପରପକ୍ଷେ ଅନେକ ମନ୍ତ୍ରୀ ସେମାନଙ୍କ କାର୍ଯ୍ୟ ଦକ୍ଷତାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନେଇ ବାରମ୍ବାର ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନର ଆବଶ୍ୟକତା ରହିଛି।
ଅପରପକ୍ଷେ ରାଜ୍ୟ ସଭାପତି ନିର୍ବାଚନ ପରେ ରାଜ୍ୟ ବିଜେପିରେ ଗଣିତ ବା ସମୀକରଣ ବଦଳିଛି। ରାଜ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବକୁ ହ୍ରାସ କରାଯାଇ କେନ୍ଦ୍ରୀୟ ନେତୃତ୍ୱ ଦ୍ୱାରା ମୁଖ୍ୟମନ୍ତ୍ରୀ ଓ ରାଜ୍ୟସଭାପତିଙ୍କ ଯୋଡ଼ିକୁ ଗୁରୁତ୍ୱ ଦେଇଛନ୍ତି।
ପୁଣି ସଭାପତି ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବା ପରେ ମନମୋହନ ସାମଲ ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଖୁବ ଶୀଘ୍ର ହେବ ବୋଲି ସୂଚନା ଦେଇଛନ୍ତି। ଏ ଭିତରେ ମୁଖ୍ୟମନ୍ତ୍ରୀ ଓ ସଭାପତି ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ, ଦଳର ସାଂଗଠନିକ ସମ୍ପାଦକଙ୍କୁ ଭେଟି ଓଡ଼ିଶା ରାଜନୀତି ବାବଦରେ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି। ଏହାପରେ ସଦ୍ୟ ଭାବେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ପାଖକୁ ଯାଇ ଆଲୋଚନା କରିବା ଏବଂ ତୁରନ୍ତ ରାଜ୍ୟପାଳ ଆସି ଆନ୍ଧ୍ର ପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣଙ୍କୁ ଭେଟିବା ଆଳରେ ପୃଥ୍ୱିରାଜଙ୍କ ସହ ଆଲୋଚନା କରିବା ଏ ଚର୍ଚ୍ଚାକୁ ଅଧିକ ଖୋରାକି ଦେଇଛି। ଏହା ସ୍ପଷ୍ଟ କରୁଛି ଯେ, ଆସନ୍ତା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବା ଅଦଳବଦଳରେ ପୃଥ୍ୱୀରାଜ କ୍ଷତିଗ୍ରସ୍ତ ହୋଇପାରନ୍ତି। ତାଙ୍କ ପାଖରୁ ମନ୍ତ୍ରୀପଦ ଯାଇପାରେ ନହେଲେ ବିଭାଗ ଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।
କେବଳ ସେ ନୁହନ୍ତି ରାଜ୍ୟର ଅନ୍ୟ କିଛି ମନ୍ତ୍ରୀ ମଧ୍ୟ ଏହି ତାଲିକାରେ ପ୍ରଭାବିତ ହୋଇପାରନ୍ତି। ଆଉ ଯଦି ସମସ୍ତ ପଦବୀ ପୂରଣ ହେବ ତେବେ ମନ୍ତ୍ରୀ ମଣ୍ଡଳରେ ୬ରୁ ଅଧିକ ନୂଆ ମୁହଁଙ୍କୁ ବି ଦେଖିବାକୁ ମିଳିପାରେ। ଏବେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ ଜଣ ମନ୍ତ୍ରୀ ରହିଛନ୍ତି। ସଦସ୍ୟଙ୍କ ସଂଖ୍ୟା ଓ ବିଧାନ ଅନୁସାରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଏବେ ସର୍ବାଧିକ ୨୨ ଜଣ ମନ୍ତ୍ରୀ ରହିପାରିବେ।
Also Read- Mangal Gochar 2025: ମଙ୍ଗଳ ଚଳନ ସହ ଅଙ୍ଗାରକ ଯୋଗ ଶେଷ, ସମସ୍ତ ରାଶିରେ ପ୍ରଭାବ
Also Read- କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍ ଅଚ୍ୟୁତାନନ୍ଦନଙ୍କ ବିୟୋଗରେ ମୋହନ ମାଝୀଙ୍କ ଶୋକ