Trending Photos
Odisha University Chancellor: ଭୁବନେଶ୍ବର: ପୂରଣ ହେବ ବିଶ୍ୱବିଦ୍ୟାଳୟ ଗୁଡିକର କୁଳପତି ପଦବୀ। ଏଥିପାଇଁ ରେସରେ ରହିଛନ୍ତି ପ୍ରାୟ ୩୫୭ ଜଣ ପ୍ରଫେସର। ଏଥି ମଧ୍ୟରେ କିଛି ରାଜ୍ୟ ବାହାରୁ ଏପରିକି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ମଧ୍ୟ ରହିଥିବା ଦେଖିବାକୁ ମିଳିଛି। ତେବେ ଉତ୍କଳ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମେତ ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ପାଇଁ ପ୍ରଫେସର ଆବେଦନ କରିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ ୧୪ ବିଶ୍ବବିଦ୍ୟାଳୟର କୁଳପତି ଦୌଡ଼ରେ ମୋଟ ୩୭୫ ପ୍ରଫେସର ସାମିଲ ହୋଇଛନ୍ତି। ସେଥିମଧ୍ୟରୁ ୨୧୭ ଜଣ ପ୍ରଫେସର ଓଡ଼ିଶାରେ କାର୍ଯ୍ୟରତ ରହିଛନ୍ତି। ବାକି ପ୍ରଫେସରମାନେ ରାଜ୍ୟ ବାହାରୁ ଆବେଦନ କରିଛନ୍ତି। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଦିଲ୍ଲୀ ବିଶ୍ବବିଦ୍ୟାଳୟ, ଜେଏନ୍ୟୁ, ଆଇଆଇଟି ପରି ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନର କିଛି ପ୍ରଫେସର ମଧ୍ୟ କୁଳପତି ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ନିୟମ ଅନୁଯାୟୀ ଯେଉଁମାନେ ଆବେଦନ କରିବେ ସେମାନଙ୍କର ୧୦ ବର୍ଷର ପ୍ରଫେସର ଅଭିଜ୍ଞତା ଏବଂ ଯଥେଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଦକ୍ଷତା ରହିଥିବା ନିତାନ୍ତ ଆବଶ୍ୟକ। ବିଶ୍ବବିଦ୍ୟାଳୟ ବ୍ୟତୀତ ଅନ୍ୟ ଗବେଷଣାଭିତ୍ତିକ ଅନୁଷ୍ଠାନରେ ଗବେଷକ ବା ବୈଜ୍ଞାନିକ ହିସାବରେ ୧୦ ବର୍ଷର ଅଭିଜ୍ଞତା ଓ ପ୍ରଫେସରବର୍ଗର ସମାନ ପଦରେ ରହିଥିବା ନିତାନ୍ତ ଜରୁରି।
ଏଠାରେ କହି ରଖୁ କି ପ୍ରଥମ ପର୍ଯ୍ୟାୟରେ ପୁରୀ ଜିଲ୍ଲା ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ବବିଦ୍ୟାଳୟ କୁଳପତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦେଢ଼ ମାସ ତଳୁ ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ କୁଳପତି ଚୟନ ନେଇ ପ୍ରକ୍ରିୟା ଆଗେଇ ପାରିନାହିଁ। ରାଜ୍ୟ ଭିତର ଓ ବାହାରର ପ୍ରାୟ ୨୮ଜଣ ପ୍ରଫେସର ଏହି ବିଶ୍ବବିଦ୍ୟାଳୟର କୁଳପତି ହେବାକୁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଚୟନ ପ୍ରକ୍ରିୟା ଠପ୍ ହୋଇଯାଇଛି। ତିନିଜଣିଆ ଚୟନ କମିଟି ଗଠନ ହୋଇ ପାରିନାହିଁ। କେବେ କମିଟି ଗଠନ ହେବ, ସେ ନେଇ କାହା ପାଖରେ ଖବର ନାହିଁ।
ଦ୍ବିତୀୟ ପର୍ଯ୍ୟାୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ୧୩ଟି ସରକାରୀ ବିଶ୍ବବିଦ୍ୟାଳୟର କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଣେ ପ୍ରଫେସର ଏକାଥରେ ୧୩ଟି ଯାକ ବିଶ୍ବବିଦ୍ୟାଳୟ ପାଇଁ କ୍ରମାନ୍ବୟରେ ଆବେଦନ କରିଛନ୍ତି। ଜୁଲାଇ ୫ ସୁଦ୍ଧା ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲା। ଏହାପରେ ପହଞ୍ଚିଥିବା ଆବେଦନପତ୍ରକୁ ଗ୍ରହଣ କରାଯାଇ ନାହିଁ। ତା’ସତ୍ତ୍ବେ ମଧ୍ୟ ୩୪୭ଜଣ ପ୍ରଫେସର ୧୩ଟି ବିଶ୍ବବିଦ୍ୟାଳୟର କୁଳପତି ଦୌଡ଼ରେ ରହିଛନ୍ତି। ଏବେ ଆବେଦନଗୁଡ଼ିକର ଯାଞ୍ଚ ଚାଲିଛି। ସେଥିରୁ ଯୋଗ୍ୟତା ଅର୍ଜନ କରିପାରି ନ ଥିବା ଅଧିକାଂଶ ପ୍ରଫେସରଙ୍କ ଆବେଦନପତ୍ର କଟିବାର ସମ୍ଭାବନା ରହିଛି। ଅଧିକ ସଂଖ୍ୟକ ଫର୍ମ ଆସିଥିବାରୁ ଟିକିନିଖି ଯାଞ୍ଚ ହେଉଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ଉତ୍କଳ ସମେତ ରେଭେନ୍ସା, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ଫକୀରମୋହନ ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ଧରଣୀଧର ବିଶ୍ବବିଦ୍ୟାଳୟ, ବିକ୍ରମଦେବ ବିଶ୍ବବିଦ୍ୟାଳୟ ମଧୁସୂଦନ, ଆଇନ ବିଶ୍ବବିଦ୍ୟାଳୟ ଓ ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ କୁଳପତି ପାଇଁ ଏହି ଚୟନ ପ୍ରକ୍ରିୟା ଜାରି ରହିଛି।