Trending Photos
Drivers Protest: ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗାଡ଼ି ଚାଳକଙ୍କ ଷ୍ଟିଅରିଂ ଆନ୍ଦୋଳନ। ଆଜି ଚତୁର୍ଥ ଦିନରେ ଚାଳକ ସଂଘ ତାର ଆନ୍ଦୋଳନ ଜାରି ରଖିଛି। ନିଜ ଜିଦରେ ଅଟଳ ରହି ଏହି ଆନ୍ଦୋଳନ ଜାରି ରଖିଛି ସଂଘ। ଦାବି ପୂରଣ ନ ହେବା ଯାଏ, ଧର୍ମଘଟ ଜାରି ରହିବ ବୋଲି ସଫା ସଫା ଶୁଣାଇ ଦେଇଛି ସଂଘ। କୌଣସି ଯାତ୍ରୀବାହୀ ଗାଡ଼ି ଚାଲୁନି କି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହୋଇପାରୁ ନାହିଁ । ସରକାର ଓ ଡ୍ରାଇଭରଙ୍କ ମଧ୍ୟରେ କିଛି ନୂଆ ଆଲୋଚନା ହୋଇ ନାହିଁ କିମ୍ଵା ସମାଧାନର ବାଟ ବାହାରି ପାରିନାହିଁ। ଆଗରୁ ପରିବହନ ମନ୍ତ୍ରୀ କହିଥିଲେ ଯେ, ଡ୍ରାଇଭର ସଙ୍ଘ ସଦସ୍ୟଙ୍କ ସହ ସେମାନଙ୍କ ଦାବି ନେଇ ଆଲୋଚନା ହୋଇଛି। ସେମାନଙ୍କ ଦାବି ପୂରଣ ଦିଗରେ କାର୍ଯ୍ୟ କରାଯିବ । ଏହା ସତ୍ତ୍ଵେ ସେମିତି କିଛି ଠୋସ୍ ଘୋଷଣା ଏ ଯାଏ କରାଯାଇ ନାହିଁ। ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହୋଇପାରୁନଥିବାରୁ ଦରଦାମ ବଢ଼ିବାର ଆଶଙ୍କା ଦେଖା ଦେଲାଣି। ପେଟ୍ରୋଲ ଡିଜେଲ ବି ସରି ଯାଇପାରେ।
ସେପଟେ ପେଟ୍ରୋଲ୍ ଡିଜେଲର ଅଭାବ ଯୋଗୁଁ ଅନେକ ଟାଙ୍କିରେ ତାଲା ପଡ଼ିଯାଇଥିବା ବେଳେ ପରିବା, ଗ୍ୟାସ୍ ଓ ଫଳ ଆଦି ସାମଗ୍ରୀ ପରିବହନରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡ଼ିଛି। ଅନେକ ସାମଗ୍ରୀର ଏବେ ଦରଦାମ୍ ବୃଦ୍ଧି ପାଉଥିବା ବେଳେ ଲୋକଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିଛି। ଡ୍ରାଇଭରମାନେ ଏବେ ବି ନିଜ ଜିଦିରେ ଅଟଳ ରହିଥିବା ବେଳ ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି। ତେବେ ଆଜି ଭୁବନେଶ୍ବରରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶକୁ ଆସୁଥିବା ଗାଡ଼ିଗୁଡ଼ିକୁ ନ ଅଟକାଇବା ପାଇଁ ଡ୍ରାଇଭର୍ମାନଙ୍କୁ ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ନିବେଦନ କରିଛନ୍ତି।