Odisha News: ସରକାରୀ ତଥ୍ୟ ଓ ପରିସଂଖ୍ୟାନ କହୁଛି ଏବେ ରାଜ୍ୟରେ ପ୍ରାୟ ୧,୫୭,୪୩୨ ଜଣ ବାଂଲାଦେଶୀ ବିଭିନ୍ନ ଜିଲ୍ଲାରେ ବାସ କରୁଛନ୍ତି। ମାଲକାନଗିରିରେ ସର୍ବାଧିକ ୧,୦୪,୨୩୩ଜଣ ବାଂଲାଦେଶୀ ରହୁଥିବା ବେଳେ ନବରଙ୍ଗପୁରରେ ୪୬,୮୪୮ଜଣ, କୋରାପୁଟରେ ୪୬୫୩ଜଣ ବାଂଲାଦେଶୀ ବସବାସ କିନ୍ତୁ ବାସ୍ତବତାକୁ ଦେଖିଲେ ଏହି ସଂଖ୍ୟା ବହୁତ ଅଧିକ।
Trending Photos
Odisha News: ରାଜ୍ୟରେ ବଢ଼ିଚାଲିଛି ବେଆଇନ ଅନୁପ୍ରବେଶକାରୀଙ୍କ ସମସ୍ୟା। ବିଜେପି ସରକାର ତଟବର୍ତ୍ତୀ ସୁରକ୍ଷାକୁ ଧ୍ୟାନ ଦେଉଥିବା କଥା କହୁଥିଲେ ବି ରାଜ୍ୟରେ ଅନୁପ୍ରବେଶ ବଢ଼ି ଚାଲିଛି। ଖାଲି ସେତିକି ନୁହେଁ ପୂର୍ବବର୍ତ୍ତୀ ସରକାର ସମୟରେ ଅଧିକାରୀମାନଙ୍କ ଢିଲା ଆଚରଣ ଯୋଗୁ ଏହି ବେଆଇନ ଅନୁପ୍ରବେଶକାରୀଙ୍କ ପାଖରେ ଆଧାର କାର୍ଡ, ରାସନ୍ କାର୍ଡ, ସ୍ୱାସ୍ଥ୍ୟ କାର୍ଡ ଭଳି ଭାରତୀୟ ନାଗରିକଙ୍କୁ ମିଳୁଥିବା ସୁବିଧା ବି ପହଞ୍ଚି ଯାଉଛି। ଫଳରେ ଭାରତୀୟ ନାଗରିକଙ୍କ ଠାରୁ ଆଦାୟ ଟିକସ ଅର୍ଥରେ ହେଉଥିବା ଜନମଙ୍ଗଳ ୱକାରୀ କାର୍ଯ୍ୟର ଲାଭ ଏହି ବିଦେଶୀମାନେ ଉଠାଉଛନ୍ତି। ଆଉ ଏହାକୁ ରୋକିବାରେ ବିଫଳ ହେଉଛନ୍ତି ସରକାର।
ଗତ ନଭେମ୍ବର ମାସରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ବାଂଲାଦେଶୀ ନାଗରିକମାନେ ଚଞ୍ଚକତା କରି ରାସନ୍ କାର୍ଡ ହାତେଇଛନ୍ତି। ସବୁ ବାଂଲାଦେଶୀ ନାଗରିକଙ୍କ ରାସନ୍ କାର୍ଡ କଟିବ। ଯିଏ ଭାରତୀୟ ନୁହେଁ, ତାଙ୍କୁ କାହିଁକି ରାସନ୍ କାର୍ଡ ଦିଆଯିବ ? କିନ୍ତୁ ଏବେ ସେହି କାର୍ଡଗୁଡ଼ିକୁ ପୁଣି ନବୀକରଣ କରି ସେଥିରେ ରାସନ୍ ଯୋଗାଇବାକୁ ବାଧ୍ୟ ହେଉଛନ୍ତି ସରକାରୀ କଳ।
ବାଂଲାଦେଶୀଙ୍କ ରାସନ୍ କାର୍ଡ କାଟିବାକୁ ଯୋଗାଣ ମନ୍ତ୍ରୀ ୫ମାସ ହେଲା ନିର୍ଦ୍ଦେଶ ଦେଲେଣି। କିନ୍ତୁ କାହାର ବି ରାସନ୍ କାର୍ଡ କଟାଯାଇ ପାରୁନି। କାରଣ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହୁଥିବା ଲକ୍ଷାଧିକ ବାଂଲାଦେଶୀଙ୍କୁ ରାଜ୍ୟ ସରକାର ବିଦେଶୀ ନାଗରିକ ବୋଲି ପ୍ରମାଣିତ କରିପାରୁ ନାହାନ୍ତି। ଅପରପକ୍ଷେ ତାଙ୍କ ପାଖରେ ଜଣେ ସାଧାରଣ ନାଗରିକଙ୍କଠାରୁ ବି ଅଧିକ ସରକାରୀ କାଗଜ ରହିଛି। ପ୍ରଶ୍ନ ଉଠୁଛି ଏମିତି ସରକାରୀ କାଗଜକୁ ସେମାନେ ହାତେଇଲେ କେମିତି?
ସରକାରୀ ତଥ୍ୟ ଓ ପରିସଂଖ୍ୟାନ କହୁଛି ଏବେ ରାଜ୍ୟରେ ପ୍ରାୟ ୧,୫୭,୪୩୨ ଜଣ ବାଂଲାଦେଶୀ ବିଭିନ୍ନ ଜିଲ୍ଲାରେ ବାସ କରୁଛନ୍ତି। ମାଲକାନଗିରିରେ ସର୍ବାଧିକ ୧,୦୪,୨୩୩ଜଣ ବାଂଲାଦେଶୀ ରହୁଥିବା ବେଳେ ନବରଙ୍ଗପୁରରେ ୪୬,୮୪୮ଜଣ, କୋରାପୁଟରେ ୪୬୫୩ଜଣ ବାଂଲାଦେଶୀ ବସବାସ କିନ୍ତୁ ବାସ୍ତବତାକୁ ଦେଖିଲେ ଏହି ସଂଖ୍ୟା ବହୁତ ଅଧିକ। କାରଣ ଏବେ ସବୁ ଜିଲ୍ଲାରେ, ବିଶେଷକରି ଉପକୂଳ ଓଡ଼ିଶାରେ ବାଂଲାଦେଶୀ ଭର୍ତ୍ତି ହୋଇଗଲେଣି। କାମ ଅନ୍ଵେଷଣରେ ଓଡ଼ିଶା ଆସିଥିବା ବାଂଲାଦେଶୀ ଆଧାର କାର୍ଡ, ଭୋଟର ପରିଚୟପତ୍ର ସବୁ ହାତେଇ ନେଇଛନ୍ତି। ଏଠାରେ ଘର, ଜମି କିଣି ସ୍ଥାୟୀ ବାସିନ୍ଦା ଭଳି ରହୁଛନ୍ତି।
ପଶ୍ଚିମବଙ୍ଗକୁ ଲାଗିଥିବା ବିସ୍ତୀର୍ଣ୍ଣ ସୀମାନ୍ତ ତଥା ଓଡ଼ିଶାର ଉପକୂଳ ଦେଇ ଏହି ବାଂଲାଦେଶୀମାନେ ଓଡ଼ିଶାରେ ପ୍ରବେଶ କରୁଛନ୍ତି। ଅନେକ ବାଂଲାଦେଶୀ ପଶ୍ଚିମବଙ୍ଗ ସୀମାନ୍ତ ଜିଲ୍ଲା ମୁର୍ସିଦାବାଦ, ଚବିଶ ପ୍ରଗଣାରେ ଭିନ୍ନ ଭିନ୍ନ ଅଧିକାରୀଙ୍କୁ ହାତକରି ନିଜର ପରିଚୟ ପତ୍ର ତିଆରି କରୁଛନ୍ତି। ଏ ବିଷୟକୁ ଆମେ ନୁହେଁ ସରକାର ବି ଜାଣିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୃହମନ୍ତ୍ରୀ ଏ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଅତୀତରେ ସଂସଦ ଭିତରେ ପଶ୍ଚିମବଙ୍ଗ ସରକାରଙ୍କ ପ୍ରତ୍ୟକ୍ଷ ଜାଣତରେ ଏହିପରି ଜାଲି ନାଗରିକଙ୍କୁ ନାଗରିକତା ପ୍ରମାଣପତ୍ର ଯୋଗାଇ ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ। ଏପରିକି ଦେଶରେ ବଢ଼ୁଥିବା ବାଂଲାଦେଶୀଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ଲାଗି ଖୋଲା ସୀମାନ୍ତରେ ବାଡ଼ଦେବା କାର୍ଯ୍ୟ ଆରମ୍ଭ କରାଯାଇଛି। ଓଡ଼ିଶାକୁ ପଶ୍ଚିମବଙ୍ଗ ସୀମା ଲାଗିଥିବାରୁ ବାଂଲାଦେଶରୁ ପଶ୍ଚିମ ବଙ୍ଗ ଦେଇ ସେମାନେ ଓଡ଼ିଶାରେ ସହଜରେ ରହିବାରେ ସମର୍ଥ ହେଉଛନ୍ତି। ଏଠାରେ ମଧ୍ୟ ବିଗତ ସରକାରଙ୍କ ସମୟରେ ଅନେକ ବାଂଲାଦେଶୀ ଜାତୀୟତା ଓ ନାଗରିକତା କାଗଜପତ୍ରକୁ ହାତେଇଥିବା ଅଭିଯୋଗ ହୋଇଛି।
ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରାସନ୍ କାର୍ଡ ତଥ୍ୟାବଳୀରେ ହିତାଧିକାରୀଙ୍କ ଆଧାର ସଂଯୋଗ ରହିଛି। ରାସନ୍ କାର୍ଡରେ ଥିବା ତଥ୍ୟ ସହ ଆଧାର ତଥ୍ୟ ମେଳ କରାଯାଇଛି। ଏହା ତାଙ୍କୁ ଓଡ଼ିଶା କିମ୍ବା ଭାରତର ସ୍ଥାୟୀ ବାସିନ୍ଦା ହେବାର ପ୍ରମାଣ ଦେଉଛି। ଏବଂ ରାସନ୍ କାର୍ଡରେ ଥିବା ଜନସଂଖ୍ୟା ତଥ୍ୟ ସହ ଏହା ମେଳ ଖାଉଥିବାରୁ ଜଣେ ହିତାଧିକାରୀଙ୍କୁ ବିଦେଶୀ ନାଗରିକ ବୋଲି ପ୍ରମାଣିତ କରିବା କଷ୍ଟକର ହୋଇପଡୁଛି। ଇ-KYC ଯାଞ୍ଚ ପ୍ରକ୍ରିୟାରେ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇପାରିବ ବୋଲି ସରକାର ଭାବିଥିଲେ। ହେଲେ ଅନୁ ପ୍ରବେଶକାରୀ ଏତେ ଗଭୀରକୁ ଯାଇଛନ୍ତି ଯେ, ସେମାନେ ପ୍ରସ୍ତୁତ କରିଥିବା ଆଧାରରେ ବାୟୋମାଟ୍ରିକ୍ ସମ୍ପୂର୍ଣ୍ଣ ଅପଡେଟ୍ ରହିଛି। ଏହାଫଳରେ କେୱାଇସି ଯାଞ୍ଚରେ ସେମାନେ ଜାଲି ବୋଲି ପ୍ରମାଣିତ ହୋଇପାରି ନାହିଁ। ଅର୍ଥାତ୍ ଇ- କେୱାଇସି ଲାଭକୁ ଆସିପାରି ନାହିଁ। ଏସବୁ ବାଦ୍ ବହୁ ସ୍ଥାନରେ ବାଂଲାଦେଶୀ କୁହାଯାଉଥିବା ଲୋକଙ୍କ ନିକଟରେ ବହୁ ବର୍ଷ ପୁରୁଣା ଜମି ରେକର୍ଡ ରହିଥିବା ବି ଦେଖିବାକୁ ମିଳୁଛି। ତେଣୁ ସେମାନଙ୍କର କାର୍ଡ କାଟିବା ନେଇ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇନି।
ସେହିପରି ନିକଟରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ରାଜ୍ୟରେ ଏବେ ସୁଦ୍ଧା ୩୭୩୮ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭଦ୍ରକରେ ୧୯୯ଜଣ, କେନ୍ଦ୍ରାପଡ଼ାରେ ୧୬୪୯, ଭୁବନେଶ୍ଵରରେ ୧୭, ଜଗତସିଂହପୁରରେ ୧୧୧୨, ମାଲକାନଗିରିରେ ୬୫୫, ନବରଙ୍ଗପୁରରେ ୧୦୬ଜଣ ବସବାସ କରୁଛନ୍ତି। ସରକାର ପ୍ରତି ଜିଲ୍ଲାରେ ତହସିଲ, ବ୍ଲକ, ପୁଲିସ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନ କରି ଓଡ଼ିଶାରେ ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଛନ୍ତି। ସେମାନଙ୍କୁ ବାଂଲାଦେଶ ପଠାଇବାକୁ ଜିଲ୍ଲାପାଳ ଓ ଏସ୍ପି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ହେଲେ କେତେ ବାଂଲାଦେଶୀଙ୍କୁ ପ୍ରକୃତରେ ତାଙ୍କ ଦେଶକୁ ପଠାଯାଇଛି ତାହାର କୌଣସି ସୂଚନା ନାହିଁ। ପୁଣି ବେଆଇନ ଭାବେ ଅନୁପ୍ରବେଶ କରିଥିବାରୁ କେତେ ଅନୁପ୍ରବେଶକାରୀଙ୍କୁ ସରକାର ଦଣ୍ଡ ବିଧାନ ଦେଇଛନ୍ତି ତାହାର ବି କୌଣସି ସୂଚନା ନାହିଁ। କେବଳ କାଗଜପତ୍ରରେ ଏହି ବେଆଇନ ଅନୁପ୍ରବେଶକାରୀଙ୍କ ସୂଚନା ସୀମିତ ରହୁଥିବାରୁ ସେମାନଙ୍କୁ ବିଭିନ୍ନ ସରକାରୀ କାଗଜପତ୍ର ପ୍ରସ୍ତୁତିଲାଗି ସୁଯୋଗ ମିଳୁଛି। ଆଉ ଏହା ପରବର୍ତ୍ତୀ ସମୟରେ ଆପଣ ଆଉ ମୋ ଭଳି ଭାରତୀୟ ନାଗରିକଙ୍କୁ ଭାରତୀୟ ସମ୍ବିଧରନ ଅନୁସାରେ ମିଳିଥିବା ମୌଳିକ ଅଧିକାର ସାବ୍ୟସ୍ତ କରିବାରେ ସମସ୍ୟାରେ ପକାଉଛି।
ଏଣୁ ଆପଣ ଚିନ୍ତା କରନ୍ତୁ, ଆଉ ସରକାରଙ୍କୁ ଏ ବାବଦରେ କାର୍ଯ୍ୟାନୁଷ୍ଠାନ ନେବାକୁ କିପରି ପ୍ରେରିତ କରାଯାଇପାରିବ ସେଥିପ୍ରତି ନିଜକୁ କ୍ରିୟାଶୀଳ କରନ୍ତୁ।