Advertisement
Photo Details/zeeodisha/odisha2872757
photoDetails0hindi

Corrupt officer: ସରକାରୀ ଚାକିରି କରି ନେଉଥିଲେ ଉପୁରି, ଭିଜିଲାନ୍ସ ଜାଲରେ ପଡିଥିଲେ ଏମାନେ

ରାଜ୍ୟରେ ଅନେକ ସରକାରୀ ଅଧିକାରୀ ବ୍ୟାପକ ଦୁର୍ନିତୀରେ ଲିପ୍ତ ଥିବା କିଛି ମାସ ମଧ୍ୟରେ ସାମ୍ନାକୁ ଆସିଛି ।

1/10

ଅଧିକାଂଶ ଯୁବପିଢୀ ଚାହାନ୍ତି ସରକାରୀ ଚାକିରିଟିଏ କରିବାକୁ କିନ୍ତୁ କିଛି ବ୍ୟକ୍ତି ସରକାରି ଚାକିରି କରିବା ସମୟରେ ବ୍ୟାପକ ଦୁର୍ନିତୀ କରି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଆଜି ଆସନ୍ତୁ ଜାଣିବା ଅଳ୍ପ ଦିନ ମଧ୍ୟରେ କେଉଁ ସରକାରୀ ଅଫିସରମାନେ ଦୁର୍ନିତୀରେ ଲିପ୍ତ ଥିଲେ

2/10

IAS ଧୀମାନ ଚକମା  ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଜୟପାଟଣା ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଚେତାବନୀ ଦେଇ ସେ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ । ଇନ୍‌ଷ୍ଟାଲମେଣ୍ଟରେ ୧୦ ଲକ୍ଷ ଟଙ୍କା ନେବା ସମୟରେ ଧରିଥିଲା ଭିଜିଲାନ୍ସ । ତାଙ୍କ ଘରୁ ୪୭ ଲକ୍ଷ ଟଙ୍କା ମିଳିଥିଲା । ଗିରଫ ହୋଇ ଜେଲ୍‌ ଯିବା ପରେ ଚକମା ନିଲମ୍ୱିତ ହୋଇଥିଲେ । ଏହା ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ, ନିଲମ୍ବନ ସମୟ ମଧ୍ୟରେ ଧୀମାନ ଚକମା, ଅନୁମତି ବିନା ଉକ୍ତ ମୁଖ୍ୟାଳୟ ଛାଡିବେ ନାହିଁ। 

3/10

ଭିଜିଲାନ୍ସ ଜାଲରେ ପଡ଼ିଥିଲେ ବୌଦ୍ଧ ଜିଲ୍ଲା ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘରେ ରେଡ୍ ହୋଇଥିଲା । ବାରିପଦା, ବୌଦ୍ଧ ଓ ଭୁବନେଶ୍ବର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ ହୋଇଥିଲା । ଶ୍ରୀ ହାଁସଦାଙ୍କର ବାରିପଦା ଘର, ବୌଦ୍ଧ ଭଡ଼ା ଘର ଓ RTO ଅଫିସ୍‌, ମୟୂରଭଞ୍ଜ ଖୁଣ୍ଟା ପୈତୃକ ଘର, ବାରିପଦା ସହଯୋଗୀଙ୍କ ଘର ଓ ଭୁବନେଶ୍ବର ପାଣ୍ଡରାରେ ଝିଅ ରହୁଥିବା ଫ୍ଲାଟ୍‌ରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌ । ହାଂସଦାଙ୍କର ୪୪ଟି ପ୍ଲଟ୍ ଥିବା ଜଣାପଡ଼ିଥିଲା । ଘରୁ କେଜିଏ ସୁନା ଓ ୨ କେଜି ରୁପା ଅଳଙ୍କାର ମିଳିଥିଲା । ବ୍ୟାଙ୍କ, ପୋଷ୍ଟାଲ୍‌ ଓ ବୀମା ରାଶି ଜମା ବାବଦରେ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ଏଥିସହ ଗୋଟିଏ କାର୍‌ ଓ ୩ଟି ବାଇକ୍ ରହିଛି।

4/10

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗଞ୍ଜାମ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ସୁଶୀଲ କୁମାର ପଣ୍ଡାଙ୍କୁ ଗିରଫ କରିଥିଲା। ସୁଶୀଲ କୁମାର ପଣ୍ଡାଙ୍କ ୭ଟି ଠିକଣାରେ ଚଢ଼ାଉ ସମୟରେ ଭିଜିଲାନ୍ସ ଅଧିକାରୀମାନେ ବହୁ ସମ୍ପତ୍ତି ଜବତ କରିଥିଲେ। ଏଥିରେ ଗୋଟିଏ ତିନି ମହଲା କୋଠା, ଦୁଇଟି ଫ୍ଲାଟ୍, ଛଅଟି ଦାମୀ ପ୍ଲଟ୍, ୧୨୬ ଗ୍ରାମ ସୁନା, ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ବ୍ୟାଙ୍କ ଏବଂ ବୀମା ଜମା ଏବଂ ୨.୦୫ ଲକ୍ଷ ଟଙ୍କା ନଗଦ ଅନ୍ତର୍ଭୁକ୍ତ ରହିଥିଲା। ସୁଶୀଲ କୁମାର ପଣ୍ଡା ପଣ୍ଡା ଏହି ସମ୍ପତ୍ତିକୁ ନେଇ ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇପାରି ନଥିଲେ। ଓଡ଼ିଶା ଭିଜିଲାନ୍ସ ୬ ଜଣ ଡିଏସ୍‌ପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ଦ୍ୱାରା ସୁଶୀଲ କୁମାର ପଣ୍ଡାଙ୍କ ଗଞ୍ଜାମ ଓ ପୁରୀ ଜିଲ୍ଲାର ଥିବା ୭ଟି ଠିକଣାରେ ଶନିବାର ଦିନ ଏହି ଚଢ଼ାଉ କରିଥିଲା। ଏହି ୭ଟି ସ୍ଥାନ ଭିତରେ ଗଞ୍ଜାମର ପୁରୁଷୋତ୍ତମପୁର ଅଞ୍ଚଳରେ ଥିବା ତାଙ୍କ ଶ୍ୱଶୁର ଘର ମଧ୍ୟ ସାମିଲ ଥିଲା।

5/10

ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ । ଘରୁ ଅଧକିଲୋ ସୁନା ଓ ୫୭ ଏକର ଫାର୍ମହାଉସ୍ ଦେଖି ତାଜୁବ ହୋଇଥିଲେ ଭିଜିଲାନ୍ସ ଅଧିକାରୀ । ଭୁବନେଶ୍ବର ଗୋଠପାଟଣାରେ ୩ ବିଏଚ୍‌କେ ଫ୍ଲାଟ୍ । ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନିରେ ବିଶାଳ ବିଲ୍ଡିଂ । ନବରଙ୍ଗପୁରରେ ମାର୍କେଟ୍ କମ୍ପ୍ଲେକ୍ସ ସହ କୋଠା । ଜମିଜମା କାଗଜପତ୍ର, ବେନାମୀ କାର୍ । ୫୫ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଡିପୋଜିଟ୍ ଇତ୍ୟାଦି ଜବତ କରାଯାଇଥିଲା ।

6/10

କେନ୍ଦୁପତ୍ର ଡିଭିଜନ DFO ନିତ୍ୟାନନ୍ଦ ନାୟକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ୍ । ଆୟ ଠାରୁ ୨୧୮% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ନିତ୍ୟାନନ୍ଦ ନାୟକ ନିଜ ଓ ପରିବାର ନାଁରେ ମୋଟ ୧୨୩ ପ୍ଲଟ କରିଥିବା ଠାବ କରାଯାଇଛି । ଏଥିସହ ୯ ହଜାର ବର୍ଗଫୁଟର ବହୁତଳ କୋଠା, ୨ ଫାର୍ମ ହାଉସ ମଧ୍ୟ ମିଳିଛି । ୧୦.୨୫ ଲକ୍ଷର କ୍ୟାସ୍‌, ୫୦.୩୮ ଲକ୍ଷର ବ୍ୟାଙ୍କ ଜମା ମିଳିଛି । ୨ଟି ଚାରିଚକିଆ ଏବଂ ୨ଟି ୨ଚକିଆ ଯାନ ସହ ୨୦୦ ଗ୍ରାମ ସୁନା ଠାବ କରିଛି ଭିଜିଲାନ୍ସ ଟିମ୍ ।

7/10

ବିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଗତକାଲି ରେଡ୍ କରିଥିଲା ଭିଜିଲାନ୍ସ। ବାସଭବନ ସମେତ ୪ଟି ସ୍ଥାନରେ ରେଡ କରିରିଥିଲା। ଭୁବନେଶ୍ୱର ବଡଗଡ଼ରେ ଥିବା ଘର, ବାଲିଅନ୍ତାରେ ଫାର୍ମ ହାଉସ, ରାୟଗଡା ଗୁଣୁପୁର ଧୋବାସାହିରେ ଥିବା ପୈତୃକ ଘର ଓ ଭୁବନେଶ୍ୱର ଅଫିସରେ ରେଡ଼ ହୋଇଥିଲା। ସେହିପରି ରାୟଗଡ଼ା ଜଙ୍ଗମସାହିରେ ତାଙ୍କ ଭାଇଙ୍କ ଘରେ ବି ରେଡ କରିଥିଲା। ଯନ୍ତ୍ରୀଙ୍କୁ ଘରୁ ଉଦ୍ଧାର ହୋଇଥିଲା ବିପୁଳ ପରିମାଣର ନଗଦ ଟଙ୍କା ଓ ସମ୍ପତ୍ତି। ଭୁବନେଶ୍ଵର ବଡ଼ଗଡ଼ରେ ଏକ ତିନି ମହଲା କୋଠା, ଖୋର୍ଦ୍ଧା ବାଲିଅନ୍ତା ରଣପୁରରେ ଏକ ଫାର୍ମହାଉସ, ଗୁଣପୁରରେ କୋଠା, ୩ଟି ଦାମି ପ୍ଲଟ, ୪୬୦ ଗ୍ରାମ ସୁନା, ୮୦ ଲକ୍ଷରୁ ଅଧିକ ବ୍ୟାଙ୍କ ଓ ବୀମା ଜମା, ଗୋଟିଏ କାର, ହରିଣ ସିଙ୍ଗ, ଗୋଟିଏ ବନ୍ଧୁକ ଉଦ୍ଧାର ହୋଇଥିଲା।

8/10

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ ବି ଡିଭିଜନ ଅନ୍ତର୍ଗତ ଟିଟଲାଗଡ଼ ଆର୍ ଆଣ୍ଡ ବି ସବ-ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀକୁ ଗିରଫ କରିଥିଲା ଭିଜିଲାନ୍ସ । ଦିଲେଶ୍ୱର ମାଝୀଙ୍କ ବିଭିନ୍ନ ଠିକଣା -ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର ଜିଲ୍ଲାର ଛଅଟି ସ୍ଥାନରେ କରାଯାଇଥିବା ତଲାସୀରେ ତାଙ୍କର ବିପୁଳ ସମ୍ପତ୍ତି ଥିବା ଠାବ ହୋଇଥିଲା। ତାଙ୍କ ପାଖରେ ଚାରୋଟି ବିଲ୍ଡିଂ, ଗୋଟିଏ ମାର୍କେଟ କମ୍ପ୍ଲେକ୍ସ, ନଅଟି ଉଚ୍ଚ ମୂଲ୍ୟର ପ୍ଲଟ୍, ୩୦୦ ଗ୍ରାମ ଓଜନର ସୁନା, ୪୯.୪୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଜମା ଓ ୬.୫୭ ଲକ୍ଷ ଟଙ୍କା ମୂଲ୍ୟର ନଗଦ ସମେତ ଆୟ ବର୍ହିଭୂତ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ଦିଲେଶ୍ୱର ମାଝୀ ଏହି ସବୁ ସମ୍ପତ୍ତିର ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଯାହା ଫଳରେ ତାଙ୍କୁ ଗିରଫ କରାଯାଇଥିଲା। 

9/10

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଡେପୁଟି ରେଞ୍ଜର ନେପାକଙ୍କ ଜୟପୁର ଓ ଭୁବନେଶ୍ବରର ୫ଟି ଠିକଣାରେ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍‌ । ଜୟପୁର ଏନ୍‌କେଟି ରୋଡ୍‌ରେ ଥିବା ୪୦୦୦ ବର୍ଗଫୁଟର ୩ ମହଲା କୋଠା ଓ ଜୟପୁର ଗୋଲଡେନ୍‌ ହାଇଟ୍‌ସ ଆପାର୍ଟମେଣ୍ଟରେ ଚଢ଼ଉ କଲା ବେଳେ ଆଚମ୍ବିତ ହୋଇଥିଲେ ଭିଜିଲାନ୍ସ ଅଧିକାରୀ । ଆପାର୍ଟମେଣ୍ଟର ୫୧୦ ଓ ୫୧୧ ନଂବର ରୁମ୍‌ରେ ଛାନଭିନ୍‌ ପରେ ୫୧୦ ନଂ ରୁମ୍‌ରୁ ଏକ ଗୁପ୍ତ ଟ୍ରେଜେରି ମିଳିଥିଲା। ଯେଉଁଥିରେ ବଣ୍ଡଲ ବଣ୍ଡଲ ଟଙ୍କା ରଖାଯାଇଥିଲା । ୫୦୦ ଓ ୨୦୦ ଟଙ୍କିଆ ନୋଟ୍ ବିଡ଼ା ଦେଖି ସମସ୍ତେ ଚକିତ ହୋଇଯାଇଥିଲେ ।  ପୁଳାପୁଳା ଟଙ୍କାବିଡ଼ା ସହିତ ୪ଟି ସୁନା ବିସ୍କୁଟ, ୧୦ ଗ୍ରାମ୍‌ ଓଜନର ୧୬ଟି ସୁନା କଏନ୍‌, ସୁନା ହାର, ଚୁଡ଼ି, ମାଳି, ମଙ୍ଗଳସୂତ୍ର ଭଳି ବହୁ ଦାମୀ ଅଳଙ୍କାର ସାମଗ୍ରୀ ଭିଜିଲାନ୍ସ ଜବତ କରିଥିଲା। ଜୟପୁର ସହରାଞ୍ଚଳରେ ୨ଟି ମୂଲ୍ୟବାନ ଜମି ସହିତ ଭୁବନେଶ୍ବର ପଟିଆ ରଘୁନାଥପୁରରେ ୧୮୦୦ ବର୍ଗଫୁଟର ୩ ବିଏଚ୍‌କେ ଫ୍ଲାଟ୍‌ ଠାବ କରିଥିଲା ଭିଜିଲାନ୍ସ ।  ଏଥିସହ ଘରେ ଥିବା ସାମଗ୍ରୀର ଦାମ ୧୫.୫୦ ଲକ୍ଷ ହେବ ବୋଲି ଭିଜିଲାନ୍ସ ଆକଳନ କରିଥିଲା। 

10/10

ଭୁବନେଶ୍ବର R&B ଡିଭିଜନ-୩ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ । ଯନ୍ତ୍ରୀଙ୍କର ଭୁବନେଶ୍ବରରେ ଗୋଟିଏ ବହୁତଳ କୋଠା ସହ ୨ଟି ଫ୍ଲାଟ୍ ଅଛି। ଭୁବନେଶ୍ବର ଗ୍ୟାଲେରିଆ ଓ ସିମ୍ଫୋନୀ ମଲ୍‌ରେ ୨ଟି ଦୋକାନ ରହିଥିବା ସୂଚନା ମିଳିଛି। ୧୩ଟି ଦାମୀ ପ୍ଲଟ୍ ସହ ୭୫ ଲକ୍ଷ ଟଙ୍କାର ଜମା ଠାବ ହୋଇଛି। ୨ ପିଲାଙ୍କ ପାଠପଢ଼ାରେ ୬୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜକିଶୋର।  ଏହାସହ ଘରେ ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷ ମିଳିଥିଲା ।

;