Aparajita vs Dharmendra: ବିଜେପିରେ ନୂଆ ବିବାଦ: ଅପରାଜିତା ବନାମ ଜଗନ୍ନାଥ ପ୍ରଚ୍ଛଦରେ ଧର୍ମେନ୍ଦ୍ର
Advertisement
Article Detail0/zeeodisha/odisha2823443

Aparajita vs Dharmendra: ବିଜେପିରେ ନୂଆ ବିବାଦ: ଅପରାଜିତା ବନାମ ଜଗନ୍ନାଥ ପ୍ରଚ୍ଛଦରେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଆଇଏଏସ୍ରୁ ରାଜନେତା ହୋଇଥିବା ବିହାର ଝିଅ ତଥା ଓଡ଼ିଆ ବୋହୂ ଅପରାଜିତା ଷଡ଼ଙ୍ଗୀଙ୍କୁ କେନ୍ଦ୍ରକରି ବିଜେପିରେ ନୂଆ ବିବାଦ ମୁଣ୍ଡ ଟେକିଛି। ଏ ବିବାଦର ସୂତ୍ରଧର ହେଉଛି ବିଏମସିର ଜଣେ କାର୍ଯ୍ୟରତ ଅଧିକାରୀଙ୍କୁ ବିଜେପି କର୍ମୀଙ୍କ ମାଡ଼। ଆଉ ଏଥିରେ ଅପରାଜିତାଙ୍କ ଭାବମୂର୍ତ୍ତି ପ୍ରସ୍ଫୁଟିତ କରିବାର ଲକ୍ଷ୍ୟ। ଅପରପକ୍ଷେ ଅ

Aparajita vs Dharmendra: ବିଜେପିରେ ନୂଆ ବିବାଦ: ଅପରାଜିତା ବନାମ ଜଗନ୍ନାଥ ପ୍ରଚ୍ଛଦରେ ଧର୍ମେନ୍ଦ୍ର

Aparajita vs Dharmendra: ଭୁବନେଶ୍ୱର: ଆଇଏଏସ୍ରୁ ରାଜନେତା ହୋଇଥିବା ବିହାର ଝିଅ ତଥା ଓଡ଼ିଆ ବୋହୂ ଅପରାଜିତା ଷଡ଼ଙ୍ଗୀଙ୍କୁ କେନ୍ଦ୍ରକରି ବିଜେପିରେ ନୂଆ ବିବାଦ ମୁଣ୍ଡ ଟେକିଛି। ଏ ବିବାଦର ସୂତ୍ରଧର ହେଉଛି ବିଏମସିର ଜଣେ କାର୍ଯ୍ୟରତ ଅଧିକାରୀଙ୍କୁ ବିଜେପି କର୍ମୀଙ୍କ ମାଡ଼। ଆଉ ଏଥିରେ ଅପରାଜିତାଙ୍କ ଭାବମୂର୍ତ୍ତି ପ୍ରସ୍ଫୁଟିତ କରିବାର ଲକ୍ଷ୍ୟ। ଅପରପକ୍ଷେ ଅପରାଜିତାଙ୍କ ଏହି ଲକ୍ଷ୍ୟକୁ କର୍ମୀ ବିରୋଧୀ କହି ପୂର୍ବତନ କର୍ପୋରେଟର ଜଗନ୍ନାଥ ପ୍ରଧାନ ତାଙ୍କ ଡଙ୍କ ମୋଡ଼ିବାକୁ ଉଦ୍ୟମ କରିଛନ୍ତି। ଏଭଳି ପରିସ୍ଥିତିରେ ଅପରାଜିତା କେନ୍ଦ୍ରୀୟ ନେତାଙ୍କ ଆସ୍ଥା ଜିତିବାକୁ ଚାହିଁଛନ୍ତି ଆଉ ଜଗନ୍ନାଥ ସଂଗଠନର। ତେବେ କିଏ ହେବ ଏଥିରେ ବିଜେତା?

ପ୍ରଥମତଃ ବିଏମସି ବିବାଦରେ ଜଗନ୍ନାଥଙ୍କ କର୍ମୀମାନେ ଦୋଷୀ ବୋଲି ଏକ ପ୍ରକାର ପ୍ରମାଣିତ। ଆଉ ଏଥି ଯୋଗୁ ଅଭିଯୁକ୍ତ ଜଗନ୍ନାଥଙ୍କ ସମର୍ଥକମାନେ ଏବେ ନିଲମ୍ବିତ ବା ଆଇନର ଚକ୍ରବ୍ୟୁହରେ। ଏଥିଯୋଗୁ ବିଜେପି ବି ନିନ୍ଦିତ ଏବଂ ଏହାକୁ ପରିଚାଳନା କରିବାରେ ସାମାନ୍ୟ ତ୍ରୁଟି ହେଲେ ଖୋଦ୍‍ ମୁଖ୍ୟମନ୍ତ୍ରୀ ବି ଫଶିବା ଆଶଙ୍କା ରହିଛି। ହେଲେ ଏ ସମ୍ବେଦନଶୀଳ ବ୍ୟାପାରରେ ବିରୋଧୀଙ୍କ ସହ ସ୍ୱର ମିଳାଇଛନ୍ତି ଅପରାଜିତା। ଏପରିକି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଯାହା କହୁଥିଲେ ଏବେ ସେଇ କଥାକୁ ଦୋହରାଇଛନ୍ତି ଅପରାଜିତା। ଆଇନ ତା’ ବାଟରେ ନେବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚାପ ପକାଇଛନ୍ତି।  ସାମାଜିକ ଗଣମାଧ୍ୟମରେ ଟ୍ୱିଟ୍‍ କରି ଅପରାଜିତା ବିଜେଡି ଦ୍ୱାରା ଦିଆଯାଇଥିବା ଭିଡିଓକୁ ଶେୟାର କରିଛନ୍ତି। ବିଜେପି କର୍ମୀ ବୋଲି ଜାଣି ମଧ୍ୟ  ସାଂସଦ ଦଳ ବିପକ୍ଷରେ ଯାଇଛନ୍ତି। ବିକାଶ ଇଞ୍ଜିନ୍‍ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ଶୃଙ୍ଖଳା ଓ ଶାଳୀନତା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଓ ଡିଜି ପୁଲିସଙ୍କୁ କହିଛନ୍ତି। 

ଏହାସହ ଅପରାଜିତା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରି ଘଟଣାକୁ ନିନ୍ଦା କରିବା ସହ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ଉପସ୍ଥାପନ କରିଛନ୍ତି। ବିଜେପିର ଅନ୍ୟ କୌଣସି ନେତା ଏହିପରି ସାହସ କରି ନାହାନ୍ତି ଯାହା ଅପରାଜିତା କରିଛନ୍ତି। ଏହା କେତେଦୂର ରତ୍ନାକରଙ୍କୁ ସହାୟ ହେବ ତାହା ଯେତିକି ଚର୍ଚ୍ଚାର ବିଷୟ ହୋଇନି ରାଜ୍ୟ ବିଜେପିରେ  ଏହା ଏକ ନୂଆ ଗଣିତକୁ ଆଗକୁ ଆଣିଛି। 

ଏ ଗଣିତକୁ ଧର୍ମେନ୍ଦ୍ର-ଅପରାଜିତାଙ୍କ ଭିତରେ ଥିବା ରାଜନୀତିକ ମତ ପାର୍ଥକ୍ୟ ଓ ବିବାଦ ସହ ଯୋଡ଼ାଯାଉଛି। ପୂର୍ବରୁ ଅନେକ କ୍ଷେତ୍ରରେ ଅପରାଜିତା ଓ ଧର୍ମେନ୍ଦ୍ରଙ୍କ ଭିତରେ ବିବାଦ ରହି ଆସିଛି। ମାତ୍ର ୬ ବର୍ଷ ହେଲା ରାଜନୀତିକୁ ଆସିଥିଲେ ମଧ୍ୟ ଅଭିଜ୍ଞ ଖେଳାଳିଙ୍କ ନେତୃତ୍ୱକୁ ସେ ପ୍ରଶ୍ନ କରିଛନ୍ତି। ଖାଲି ସେତିକି ନୁହେଁ, ତାଙ୍କର କେନ୍ଦ୍ରୀୟ ନେତାଙ୍କ ସହ ଭଲ ସମ୍ପର୍କକୁ ଦର୍ଶାଇ ନିଜପାଇଁ ସବୁବେଳେ ଅଧିକ ଉଚ୍ଚ ପଦବୀ ଚାହିଁଛନ୍ତି। ଯେତେବେଳେ ବିଜେପି ରାଜ୍ୟରେ ବିଜୟୀ ହୋଇଥିଲା, ସେତେବେଳେ ସରକାର ଗଠନ ପାଇଁ ସେ ଧର୍ମେନ୍ଦ୍ରଙ୍କ ଆଗରେ କଣ୍ଟା ହୋଇଥିଲେ। ଏପରିକି ଧର୍ମେନ୍ଦ୍ରଙ୍କୁ ପଛରେ ପକାଇ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ବି ଲବି କରିଥିବା ଅନେକ ଚର୍ଚ୍ଚା ହୋଇଛି। ଅପରପକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାବମୂର୍ତ୍ତିକୁ ଆଞ୍ଚ ଦେବାରେ ଯେଉଁ କେତେଜଣ ନେତାଙ୍କ ନାଁ ନିଆଯାଏ ସେଥିରେ ଅପରାଜିତାଙ୍କ ଉତ୍ଥାନକୁ ମଧ୍ୟ ଦାୟୀ କରାଯାଏ। 

ପ୍ରଶ୍ନ ଉଠେ ଏ ଗଣିତରେ ଜଗନ୍ନାଥ ପ୍ରଧାନ ଆସିଲେ କେଉଁଠୁ? ଆପଣଙ୍କ ମନେଥାଇ ପାରେ ଭୁବନେଶ୍ୱରରେ ଜଣେ ଲୋକପ୍ରିୟ ନେତା ହେଉଛନ୍ତି ଜଗନ୍ନାଥ। ମାତ୍ର ୩୭ଟି ଭୋଟରେ ସେ ହାରିଛନ୍ତି। ତାଙ୍କ ଲୋକପ୍ରିୟତାକୁ ଦେଖି ଅପରାଜିତା ଏକଦା ତାଙ୍କୁ ନିଜ ଗ୍ୟାଙ୍ଗରେ ରଖିବାକୁ ଚାହିଁଥିଲେ। ଭୁବନେଶ୍ୱର ସାଂସଦ କ୍ଷେତ୍ର ଭିତରେ ଆସୁଥିବାରୁ ସେ ଜଣେ ପ୍ରମୁଖ ଅସ୍ତ୍ର ହେବେ ବୋଲି ଅପରାଜିତା ଭାବିଥିଲେ। ହେଲେ ସେହି ଲେକପ୍ରିୟତାରେ ଧର୍ମେନ୍ଦ୍ର ନିଜ ଗୋଷ୍ଠୀକୁ ସୁଦୃଢ଼ କରିବାକୁ ଯାଇ ଜଗନ୍ନାଥଙ୍କୁ ସହାୟତା ଦେଇଥିଲେ। ଯେହେତୁ ଧର୍ମେନ୍ଦ୍ର ହେଉଛନ୍ତି ପୁରୁଣା ଖେଳାଳି, କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରିବାର ସିଦ୍ଧହସ୍ତ ଥିବା ନେତା, ଏଣୁ ଜଗନ୍ନାଥ ନିଜ ଭବିଷ୍ୟତ ପାଇଁ ଧର୍ମେନ୍ଦ୍ରଙ୍କୁ ବାଛିବାରୁ ଅପରାଜିତା ଆଗରୁ ଖପ୍ପା ଥିଲେ। ଏବେ ମଉକାରେ ଚଉକା ମାରିବାକୁ ଯାଇ ଅପରାଜିତା ଆଗତୁରା ନିଜ ପକ୍ଷକୁ ମଜଭୁତ କରିବା ପାଇଁ ସିଧା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଅଭିଯୋଗ ହୁଏ। ଏହି ଅଭିଯୋଗ ଖୋଦ୍‍ ଜଗନ୍ନାଥ କରିଛନ୍ତି। 

ହେଲେ ବିବାଦ ଉପୁଜିଛି ବିଏମ୍ସିୁର ସ୍ୱଚ୍ଛ ସାଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନେଇ। ଯେହେତୁ ରତ୍ନାକର ଏହି ସ୍ୱଚ୍ଛସାଥୀଙ୍କୁ ମନା କରି ତାଙ୍କ ଚାକିରି ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ, ତାହାକୁ କେନ୍ଦ୍ର କରି ଜଗନ୍ନାଥ-ରତ୍ନାକର ବିବାଦ ଆରମ୍ଭ ହୋଇଥିଲା। ଏହା ଆଇନ ଅନୁସାରେ ବେଆଇନ। କିନ୍ତୁ ପ୍ରଚଳିତ ପ୍ରଥା ଓ ପରମ୍ପରାରେ ରହି ଆସିଛି। ଏଣୁ ଅପରାଜିତା ଚାହିଁଲେ ବି ଜଗନ୍ନାଥଙ୍କ ବିରୋଧରେ ମିଡିଆ ସିନା ଆକର୍ଷିତ କରିବେ କିନ୍ତୁ ନେତାଙ୍କ ଦୃଷ୍ଟି ନୁହେଁ। 

ହେଲେ ଅପରାଜିତାଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଁବେ ନି କେନ୍ଦ୍ରୀୟ ନେତୃତ୍ୱ। କାରଣ ଦୁଇଥର ଲଗାତାର ସେ ଭୁବନେଶ୍ୱରକୁ ପ୍ରତିନିଧିତ୍ୱ କରିବାରେ ସମର୍ଥ ହୋଇଛନ୍ତି। ବିଜେପି ଅନ୍ୟ ମହିଳା ସାଂସଦଙ୍କୁ ଯେମିତି ପଦପଦବୀ ଦେଇଛି ଅପରାଜିତାଙ୍କ କ୍ଷେତ୍ରରେ ତାହା ହୋଇ ନାହିଁ। ଏଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସାଧରଣ ଲୋକଙ୍କ ନଜରରେ ବିଜେପିକୁ ତଳେ ପକାଇବ। ଏଣୁ ଏହି ବିବାଦରେ କିଏ କେତେ ଗଭୀର ପାଣିରେ ଚାଷ କରିବେ ତାହାକୁ ନେଇ ଦିନକୁ ଦିନ ଗଣିତ ବଦଳିବାରେ ଲାଗିଛି। ଏ ଗଣିତର ସମୀକରଣରେ ଧର୍ମେନ୍ଦ୍ରଙ୍କ ନାଁ ଆସି ନଥିଲେ ବି ତାହା କିଛିଦିନ ପରେ ଧର୍ମେନ୍ଦ୍ର ବନାମ ଅପରାଜିତା କୁ ଆହୁରି ଶାଣିତ କରିପାରେ!

;