Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- କୁଖ୍ୟାତ ଆତଙ୍କବାଦୀ ହାସିମ୍ ମୁସାକୁ ନିପାତ କରିଛି ଭାରତୀୟ ସେନା । ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ହାସିମ୍ ମୁସା । ‘ଅପରେସନ ମହାଦେବ’ରେ ହାସିମ୍ ନିପାତ ହୋଇଥିବା ସୂଚନା ମିଳିଛି । ହାସିମ ମୁସାକୁ ଧରାଇଦେବାକୁ ୨୦ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । କେବଳ ପହଲଗାମ ନୁହେଁ, ଅନେକ ଆତଙ୍କବାଦୀ ଆକ୍ରମଣରେ ହାସିମର ସମ୍ପୃକ୍ତି ରହିଥିଲା ବୋଲି ଜଣାପଡିଛି । ହାସିମ କିପରି ପାକିସ୍ତାନ ଖସି ନ ଯାଏ ସେନେଇ ଜାଲ ବିଛାଇଥିଲା ଭାରତୀୟ ସେନା ।
Headlines 02- ଆଜି ଲୋକସଭାରେ ଅପରେସନ ସିନ୍ଦୁର ଉପରେ ଆଲୋଚନା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗୃହରେ ରାଜନାଥ କହିଥିଲେ ଯେ, ଭାରତର ସାମରିକ କାର୍ଯ୍ୟାନୁଷ୍ଠାନରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସହିତ, ରାଜନାଥ ସିଂହ କହିଛନ୍ତି ଯେ, ଅପରେସନ ସିନ୍ଦୁର ବନ୍ଦ ହୋଇନାହିଁ ବରଂ ଏହାକୁ ସ୍ଥଗିତ ରଖାଯାଇଛି । ଯଦି ଭବିଷ୍ୟତରେ ପାକିସ୍ତାନ ପକ୍ଷରୁ କୌଣସି ଦୁଃସାହସ କରାଯାଏ, ତେବେ ଅପରେସନ ସିନ୍ଦୁର ପୁଣି ଥରେ ଆରମ୍ଭ କରାଯିବ ବୋଲି ରାଜନାଥ କହିଥିଲେ।
Headlines 03- ପୁରୀ ସାକ୍ଷୀଗୋପାଳ ବୀରାରାମଚନ୍ଦ୍ରପୁର ନିକଟରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛି ପୁରୀ-ପାଟ୍ନା ଏକ୍ସପ୍ରେସ୍ ଟ୍ରେନ୍ । ଏକ ଟ୍ରାକ୍ଟର ଟ୍ରେନ୍ ଲାଇନ୍ ପାର ହେବା ବେଳେ ଟ୍ରାକ୍ରେ ଅଟକିଯାଇଥିଲା । ଦ୍ରୁତଗତିରେ ଆସୁଥିବା ଟ୍ରେନ୍ ଧକ୍କା ଦାବା କାରଣରୁ ଟ୍ରାକ୍ଟରଟି ଚୁରମାର୍ ହୋଇଯାଇଛି । କିନ୍ତୁ ସୌଭାଗ୍ୟବଶତଃ ଅଳ୍ପକେ ବଡ଼ ଦୁର୍ଘଟଣାଟି ଟଳିଯାଇଛି ।
Headlines 04- ଟ୍ୱିନ୍ ସିଟିରେ ଟ୍ରାଫିକ୍ ସମ୍ଭାଳିବେ ଛାତ୍ରଛାତ୍ରୀ ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ । ଆଜି ୫୩ଜଣ ଷ୍ଟୁଡେଣ୍ଟ ଟ୍ରାଫିକ୍ ଭଲେଣ୍ଟିଓର କମିଶନରେଟ ପୋଲିସରେ ସାମିଲ ହୋଇଛନ୍ତି ଏବଂ ସମସ୍ତ ଷ୍ଟୁଡେଣ୍ଟ ଭଲେଣ୍ଟିଓରଙ୍କୁ ନିର୍ଦ୍ଦିଷ୍ଟ ପୋଷାକ ସହ ଟୋପି ପ୍ରଦାନ କରାଯାଇଛି । ଷ୍ଟୁଡେଣ୍ଟଙ୍କ ଯୋଗଦାନ ଟ୍ରାଫିକ୍ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ ବୋଲି ଏସ୍ ଦେବଦତ୍ତ ସିଂ କହିଛନ୍ତି ।
Headlines 05- ରାଜ୍ୟ ସରକାର ଦେବେ 'ରାଜ୍ୟ ପଞ୍ଚାୟତ ପୁରସ୍କାର' । ୯ଟି ଥିମ୍ ଓ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୧୨୯ଟି ପୁରସ୍କାର ପ୍ରଦାନ କରାଯିବ । ସମସ୍ତ ପୁରସ୍କାର ପାଇଁ ସରକାରଙ୍କ ତରଫରୁ ୪ କୋଟି ଟଙ୍କାର ବ୍ୟବସ୍ଥା କରାଯିବ । ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କ ପ୍ରଦର୍ଶନରେ ଉନ୍ନତି ଆସିବା ଲକ୍ଷ୍ୟ ଏପରି ପଦକ୍ଷେପ ନିଆଯାଇଛି ।
Headlines 06- IAS ବିଷ୍ଣୁପଦ ସେଠୀଙ୍କ ଅଡୁଆ ପୁଣି ବଢ଼ିଛି । କାରଣ ବିଷ୍ଣୁପଦଙ୍କ ଆଗୁଆ ଜାମିନ ଖାରଜ କରିଦେଇଛନ୍ତି ହାଇକୋର୍ଟ । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । CBI ଗିରଫଦାରି ଏଡ଼ାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ ବିଷ୍ଣୃପ୍ରଦ ।
Headlines 07- ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଟାଙ୍ଗିଆପଡା ଦୁଆରି ମନ୍ଦିର ନିକଟରୁ ୩୨୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି ଏବଂ ସମ୍ପୃକ୍ତି ଅଭିଯୋଗରେ ୨ ମାଫିଆ ଗିରଫ ହୋଇଛନ୍ତି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୩୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି ।
Headlines 08- ତ୍ରୟୋଦଶ ପାଳିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣାଣି କରିଛନ୍ତି । ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି। ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି। ଏଥି ନିମନ୍ତେ ବରିଷ୍ଠ ଡାକ୍ତରୀ ଟିମ୍ ମଧ୍ୟ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହୁଛନ୍ତି। ଆଜି ଏହି ସିଷ୍ଟମରେ ଚିକିତ୍ସା ଖର୍ଚ୍ଚ ବାବଦକୁ ୩ଜଣଙ୍କୁ ଚିକିତ୍ସା ସହାୟତା ରାଶି ଯୋଗାଇ ଦିଆଯାଇଛି। ଚଳିତ ବର୍ଷ ଆରମ୍ଭରୁ ଆଜି ସୁଦ୍ଧା ସିଙ୍ଗିଲ ୱିଣ୍ଡୋ ସିଷ୍ଟମରେ ୫୧ ଜଣଙ୍କୁ ୫୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।
Headlines 09- FIDE ମହିଳା ଚେସ୍ ବିଶ୍ବକପ୍ ୨୦୨୫ ଟାଇଟଲ୍ ଜିତିଲେ ଦିବ୍ୟା ଦେଶମୁଖ । ଡିଫେଣ୍ଡିଂ ଚମ୍ପିଆନ୍ ଭାରତର ନଂ-୧ କୋନେରୁ ହମ୍ପିଙ୍କୁ ହରାଇବାରେ ସଫଳ ହୋଇଛନ୍ତି ଦିବ୍ୟା । ତାଙ୍କୁ ବିଶ୍ୱ ଚେସ୍ ଟାଇଟଲ୍ ସହ ଦେଶର ୮୮ତମ ଗ୍ରାଣ୍ଡମାଷ୍ଟର୍ ହେବାର ସୌଭାଗ୍ୟ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସୋସିଆଲ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଦିବ୍ୟାଙ୍କୁ ଶୁଭେଛା ଜଣାଇ ଲେଖିଛନ୍ତି ଯେ, FIDE ମହିଳା ବିଶ୍ୱକପ୍ 2025 ଜିତିବାର ଅସାଧାରଣ ସଫଳତା ପାଇଁ ହାର୍ଦ୍ଦିକ ଅଭିନନ୍ଦନ। ଅଲ-ଇଣ୍ଡିଆନ୍ ଫାଇନାଲରେ ତାଙ୍କର ଐତିହାସିକ ବିଜୟ ଭାରତୀୟ ଚେସ୍ ପାଇଁ ଏକ ଗର୍ବର ମାଇଲଖୁଣ୍ଟ, କାରଣ ସେ ମହିଳା ବିଶ୍ୱକପ୍ ଜିତିଥିବା ପ୍ରଥମ ଭାରତୀୟ ହୋଇଛନ୍ତି। ଆଗାମୀ ପ୍ରାର୍ଥୀ ଟୁର୍ଣ୍ଣାମେଣ୍ଟ ପାଇଁ ତାଙ୍କୁ ବହୁତ ବହୁତ ଶୁଭକାମନା। ତାଙ୍କ ଟିମ୍ ଏବଂ ପରିବାରକୁ ସେମାନଙ୍କର ଅମୂଲ୍ୟ ସମର୍ଥନ ପାଇଁ ପ୍ରଶଂସା।
Headlines 10- କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟାରେ ବନ୍ୟା ସହାୟତା ପ୍ରଦାନ କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ ଏକଥା ମଧ୍ୟ କହିଛନ୍ତି ଯେ, ପାଗ ଅନୁକୂଳ ହେଲେ କାଲି ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରିବେ । ଲୋକେ ରିଲିଫ୍ ସେଣ୍ଟର୍ରେ ଥିବା ପର୍ଯ୍ୟନ୍ତ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ । ନଦୀରେ ଜଳସ୍ତର କମିଛି କିନ୍ତୁ ତଳିଆ ଅଞ୍ଚଳରୁ ପାଣି କମିବାରେ ସମୟ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି ।