Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଜୟପୁରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଛି ତୃତୀୟ ‘ସୁଭଦ୍ରା’ କିସ୍ତି ଟଙ୍କା । ୧ କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଲେଖାଏଁ ‘ସୁଭଦ୍ରା’ ଟଙ୍କା ଯାଇଛି । ‘ସୁଭଦ୍ରା’ ତୃତୀୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହ ମାଝି ଅଭିଭାଷଣ ରଖି କହିଛନ୍ତି ଯେ, ରାଜ୍ୟର ସର୍ବବୃହତ ମହିଳା ସଶକ୍ତୀକରଣ ଯୋଜନା ହେଉଛି ସୁଭଦ୍ରା । ଗୋଟିଏ ବଟନ ଚିପି ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲୁ କହିବା ସହ ନାରୀକୁ ସ୍ବାବଲମ୍ବୀ କରିବା ପାଇଁ ଏହି ସୁଭଦ୍ରା ଯୋଜନା ଅଣାଯାଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
Headlines 02- ସୁଭଦ୍ରା ଟଙ୍କା ପ୍ରଦାନ ସମୟରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବ ସରକାର ଦକ୍ଷିଣ ଓଡ଼ିଶା ବିକାଶକୁ ଗୁରୁତ୍ବ ଦେଉ ନଥିଲେ କିନ୍ତୁ ଆମ ସରକାର ସବୁ ଅଞ୍ଚଳର ବିକାଶକୁ ଗୁରୁତ୍ବ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ, ଆଗକୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ (SODC) ହେବାକୁ ଯାଉଛି । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ବରେ ଏନେଇ ଟାସ୍କ ଫୋର୍ସ ଗଠନ ହୋଇଛି ।
Headlines 03- ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବ ନା ନାହିଁ ଚର୍ଚ୍ଚା ପ୍ରସଙ୍ଗରେ ବିଜେଡିକୁ କଟାକ୍ଷ କରିଛନ୍ତି ଜୟନାରାୟଣ ମିଶ୍ର । ସେ କହିଛନ୍ତି ଯେ, ବିଜେଡି ସମର୍ଥନ କରିବ କି ନାହିଁ ଆଗ ନିଷ୍ପତ୍ତି ନେଉ ତାପରେ ଦେଖିବା କେତେ ସାଂସଦ ସପକ୍ଷରେ ଭୋଟ ଦେଉଛନ୍ତି ତାଙ୍କ ସାଂସଦ ତାଙ୍କ ନିୟନ୍ତ୍ରଣରେ ନାହାନ୍ତି ବୋଲି ରୋକଠୋକ୍ କହିଛନ୍ତି ଜୟନାରାୟଣ ।
Headlines 04- ରାତିରୁ ସକାଳ ପର୍ଯ୍ୟନ୍ତ ଲଗାଣ ବର୍ଷା କାରଣରୁ ରାଜଧାନୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଦେଖିବାକୁ ମିଳିଛି । ହରିନଗର ଜଇତପୁରରେ କାନ୍ଥ ଭୁଶୁଡ଼ି ୨ ଶିଶୁ ସମେତ ୭ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଏଥିସହ ରାସ୍ତାରେ ପାଣି ଜମିବା କାରଣରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।
Headlines 05- ଅଗଷ୍ଟ ୧୫ କିମ୍ବା ୨୦ ତାରିଖ ପରେ ନିଗମ, ବୋର୍ଡ ଓ କମିଟି ହୋଇପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେପି ସଭାପତି ମନମୋହନ ସାମଲ । ବର୍ତ୍ତମାନ ସମୟରେ କୌଣସି ନିର୍ଦ୍ଦିଷ୍ଟ ତାରିଖ କହିହେବ ନାହିଁ ବୋଲି ଦିଲ୍ଲୀରୁ ଫେରି ମନମୋହନ କହିଛନ୍ତି । ତାଲିକା ଦିଲ୍ଲୀରେ ହୁଏନି ଓଡ଼ିଶାରେ ହୁଏ ବୋଲି କହିବା ସହ ମନମୋହନ ଏକଥା ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ସହ ବୈଠକ ହୋଇଛି ଆଗକୁ ଦଳୀୟ ନେତାଙ୍କ ସହ ଚର୍ଚ୍ଚା ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ।
Headlines 06- ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡ଼ା ଏସ୍ପି । ମାମଲାର ଖୁବଶୀଘ୍ର ତଦନ୍ତ ଶେଷ ହେବ ବୋଲି ଏସ୍ପି ସୂଚନା ଦେଇଛନ୍ତି । ସିସିଟିଭି ଯାଞ୍ଚ ଚାଲିଛି ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ରହିଛି । ଗୋଟିଏ ଦିଗରୁ କିଛି ସୁରାଗ୍ ମିଳିଛି ବୋଲି ଏସପି କହିଛନ୍ତି । ଅନ୍ୟପଟେ ପଟ୍ଟାମୁଣ୍ଡାଇ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ମୃତ ଛାତ୍ରୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ ବୈଜୟନ୍ତ ।
Headlines 07- ଅଗଷ୍ଟ ୧୫ରେ ରୁଷିଆ ରାଷ୍ଟ୍ରପତି ପୁଟିନ୍ଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ କାର୍ଯ୍ୟକ୍ରମ ହେବାକୁ ଯାଉଛି । ୟୁକ୍ରେନ୍ ଶାନ୍ତି ଚୁକ୍ତି ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ଆପଣଙ୍କୁ କହିରଖୁଛୁ ଯେ, ୨୦୧୫ରେ ଶେଷ ଥର ପାଇଁ ଆମେରିକା ଗସ୍ତ କରିଥିଲେ ପୁଟିନ୍ ।
Headlines 08- ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ କାରଣରୁ ୨ ଯବାନ ସହିଦ ହୋଇଛନ୍ତି ଏବଂ ୧୦ ଜଣ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । କୁଲଗାମ ଅଖାଲରେ ନବମ ଦିନରେ ଏନ୍କାଉଣ୍ଟର ଚାଲିଥିବା ସମୟରେ ଏହି ଖବର ସାମ୍ନାକୁ ଆସିଛି । ୩ ଆତଙ୍କୀ ଏବେବି ଜଙ୍ଗଲରେ ଲୁଚି ରହିଥିବା ସୂଚନା ମିଳିଛି ।
Headlines 09- ଆଜି ପବିତ୍ର ରକ୍ଷାବନ୍ଧନ ପ୍ରବରେ ଉତ୍ସବମୁଖର ହୋଇଛି ଗାଁଠୁ ସହର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଜୟପୁରର ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଟ୍ରାଫିକ୍ ପୋଷ୍ଟରେ ଦିନ ରାତି ଠିଆହୋଇ ଦୁର୍ଘଟଣାରୁ ରକ୍ଷା କରୁଥିବା ଟ୍ରାଫିକ୍ ପୋଲିସଙ୍କୁ ରକ୍ଷାକର୍ତ୍ତା ବୋଲି କହି ବିଜେବି କଲେଜ ଛାତ୍ରୀ ରାକ୍ଷୀ ବାନ୍ଧିଛନ୍ତି। ପରିବେଶକୁ ସୁରକ୍ଷା ଦେଉଥିବା ଗଛରେ ରାକ୍ଷୀ ବାନ୍ଧିଛନ୍ତି ପରିବେଶ ପ୍ରେମୀ ।
Headlines 10- ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଏବେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ଆଡ଼କୁ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଆସନ୍ତା ୧୩ ତାରିଖ ଆଡ଼କୁ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅଗଷ୍ଟ ୯ ତାରିଖ ତଥା ଆଜି ପାଇଁ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରି ସତର୍କ କରିଛି ପାଣିପାଗ କେନ୍ଦ୍ର । ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ସହ ଝଟକା ପବନ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି ।