Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ଏକକ ପ୍ଲାଷ୍ଟିକ ଉପରେ କଟକଣା କଡ଼ାକଡ଼ି
ଏକକ ପ୍ଲାଷ୍ଟିକ୍ ଉପରେ କଟକଣାକୁ ଅଧିକ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର। ଏଣିକି କୌଣସି ସରକାରୀ ବୈଠକରେ ଯେମିତି ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର କରା ନ ଯିବ ସେଥିଲାଗି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି କ୍ରମରେ ସରକାରୀ ବୈଠକରେ ପାଣି ବୋତଲକୁ ବାରଣ କରାଯାଇଛି।
ଆସିବ ପିଏମ କିସାନ ରାଶି
ଆସନ୍ତା ଶନିବାର ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ପିଏମ କିସାନ ରାଶି ପ୍ରଦାନ କରାଯିବ। ଏହି ଯୋଜନାରେ ପ୍ରତିଟି ପଞ୍ଜିକୃତ ଚାଷୀଙ୍କୁ ୨ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ। ଏହା ଏହି ଯୋଜନାର ୨୦ତମ କିସ୍ତି। ମୋଟ ୯ କୋଟି ୭୦ ଲକ୍ଷ କୃଷକଙ୍କୁ ଏହି ଯୋଜନାର ଫାଇଦା ମିଳିବ। ଇତି ମଧ୍ୟରେ ସରକାର ୨୦ ହଜାର ୫୦୦ କୋଟି ଟଙ୍କା କୃଷକଙ୍କ ଖାତାକୁ ପ୍ରତ୍ୟକ୍ଷ ହସ୍ତାନ୍ତରଣ ଯୋଗେ ଏହି ଯୋଜନା ମାଧ୍ୟମରେ ପ୍ରଦାନ କରିଥିବା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ।
ଶ୍ରୀମନ୍ଦିରରେ ସୁରକ୍ଷା ଢିଲା ଚେତିଲେ ପୋଲିସ ପ୍ରଶାସନ
ଶ୍ରୀଜଗନ୍ନାଥ ମନ୍ଦିରରେ ବାରମ୍ବାର ସୁରକ୍ଷା ସାଲିସ ଘଟଣା ସାମ୍ନାକୁ ଆସିବା ପରେ ସଚେତନ ହୋଇଛି ପ୍ରଶାସନ। ଶ୍ରୀମନ୍ଦିରର ଚାରି ଦ୍ୱାରରେ ଏଣିକି ଯାଞ୍ଚ କଠୋର କରାଯାଇଛି। ପୁଲିସ ଓ ଜେଟିପିଙ୍କ ସହାୟତାରେ ଶ୍ରଦ୍ଧାଳୁଙ୍କୁ ଯାଞ୍ଚ କରାଯାଇ କ୍ୟାମେରା, ମୋବାଇଲ୍ ଫୋନ ନେବାକୁ ବାରଣ କରାଯାଉଛି। ଏହାସହ ପୁଲିସ ପକ୍ଷରୁ ଆସନ୍ତା ଦିନରେ ଓ୍ୱାଚ ଟାଓ୍ୱାର ନିର୍ମାଣ ସହ ଆଣ୍ଟି ଡ୍ରୋନ ବ୍ୟବସ୍ଥା ସଂସ୍ଥାପନ ହେବ ବୋଲି କହିଛନ୍ତି ପୁରୀ ଏସ୍ପି ପିନାକ ମିଶ୍ର।
ଆରଆଇ ଅମିନ ପରୀକ୍ଷା ଫଳ ବାତିଲ
ନିଜ ଦ୍ୱାରା ପ୍ରସ୍ତୁତ ଓ ବିଜ୍ଞପିତ ବିଜ୍ଞପ୍ତିକୁ ସାଲିସ କରି ପରୀକ୍ଷା ପରିଚାଳନା କରୁଥିବା ଅଭିଯୋଗରେ ଓଡ଼ିଶା ସବ୍ଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ ଏହାର ସମସ୍ତ ଆର୍ଆଇ, ଅମିନ, ଆଇସିଡିଏସ୍ ସୁପରଭାଇଚଜର ଏବଂ ଷ୍ଟାଷ୍ଟିକାଲ୍ ସର୍ଭେୟର ପଦ ପାଇଁ ଅନୁଷ୍ଠିତ ହୋଇଥିବା ପରୀକ୍ଷା ଓ ଆଗକୁ ଥିବା ପରୀକ୍ଷାକୁ ବାତିଲ କରିଛନ୍ତି। ହାଇକୋର୍ଟରେ ଏନେଇ ମାମଲା ପରେ ଏହାକୁ ବାତିଲ କରାଯାଇଥିବା ନେଇ ଆଡଭୋକେଟ ଜେନେରାଲ୍ କହିଛନ୍ତି।
ଉପାଧ୍ୟକ୍ଷଙ୍କ ଲାପଟପରୁ ଲିକ ହୋଇଥିଲା ପ୍ରଶ୍ନପତ୍ର
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ନିହାର ରଞ୍ଜନ ମହାନ୍ତିଙ୍କ ଲାପଟପ୍ରୁ ଲିକ୍ ହୋଇଥିଲା ଓଟିଇଟି ପ୍ରଶ୍ନପତ୍ର। ତେବେ ଏଥିରେ ସେ ସମ୍ପୃକ୍ତ ଅଛନ୍ତି କି ନା ତାହା ଜଣାପଡ଼ିନାହିଁ। କିନ୍ତୁ ଏହି ଅଭିଯୋଗରେ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗିରଫ କରାଯାଇଛି। ତାଙ୍କୁ ସହଯୋଗ କରିଥିବା ଅନ୍ୟ ୫ ଜଣଙ୍କୁ ଗିରଫ କରିଛି ପୁଲିସ।
'ଆସ ଅଙ୍ଗନବାଡି ଯିବା' ସପ୍ତାହ ପାଳିତ
ବିଶ୍ୱ ସ୍ତନ୍ୟପାନ ସପ୍ତାହକୁ ରାଜ୍ୟ ସରକାର ‘ଆସ ଅଙ୍ଗନବାଡ଼ି ଯିବା’ ସପ୍ତାହ ଭାବେ ପାଳନ କରିବାକୁ ଯାଉଛନ୍ତି। ଏହି ଅବସରରେ ସାଧାରଣ ଲୋକେ ଅଙ୍ଗନବାଡ଼ି ପରିଦର୍ଶନରେ ଯାଇ ଅଙ୍ଗନବାଡ଼ି ସ୍ୱଚ୍ଛତା, ଭିତ୍ତିଭୂମି ଓ କାର୍ଯ୍ୟଶୈଳୀ ବାବଦରେ ନିଜର ମତାମତ ରଖିବାକୁ ଅନୁରୋଧ କରାଯାଇଛି। ଏହି ମତାମତକୁ ଆଧାର କରି ପରବର୍ତ୍ତୀ ସମୟରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
OAS ଅଧିକାରୀଙ୍କ ନାଁରେ ମାମଲା
ଓଡ଼ିଣା ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣରେ କାର୍ଯ୍ୟରତ ଓଏଏସ୍ ଅଧିକାରୀ ସୌରଭ ମହାପାତ୍ରଙ୍କ ନାଁରେ ପତ୍ନୀ ଓ ପୁତ୍ରଙ୍କୁ ନିର୍ଯାତନା ଏବଂ ଯୌତୁକ ନିର୍ଯାତନା ଭଳି ଅଭିଯୋଗ ହୋଇଛି। ତାଙ୍କ ପତ୍ନୀ ଅର୍ଚ୍ଚନା ଦାଶ ଏ ନେଇ ଏକ ଏତଲା ରୁଜୁ କରିଛନ୍ତି। ବିବାହର ଚାରି ବର୍ଷ ଭିତରେ ଦୁହିଁଙ୍କ ସମ୍ପର୍କରେ ସମସ୍ୟା ସୃଷ୍ଟି ହୋଇଛି। ଆପୋଷ ସମାଧାନ ମାଧ୍ୟମରେ ତାଙ୍କର ମାମଲା ସମାଧାନ ନ ହେବାରୁ ଥାନାର ଆଶ୍ରୟ ନେଇଛନ୍ତି ଅର୍ଚ୍ଚନା। ପୁତ୍ର ଜନ୍ମର ୪ ଦିନ ପରେ ମା ଓ ପୁଅଙ୍କୁ ହସ୍ପିଟାଲରେ ଛାଡ଼ି ଦେଇ ସେ ଉଭାନ ହୋଇ ଯାଇଛନ୍ତି ବୋଲି ପତ୍ନୀ କହିଛନ୍ତି।
ନିସାରର ସଫଳତାର ସହ ଉତକ୍ଷେପଣ
ଇସ୍ରୋ ଏବଂ ନାସାର ମିଳିତ ସହଯୋଗରେ ପ୍ରଥମ ସିନ୍ଥେଟିକ୍ ଆପାର୍ଚର ରାଡାର ( ନିସାର) ସଫଳତାର ସହ ଉତ୍କ୍ଷେପଣ କରାଯାଇଛି। ଏହା ମହାକାଶରେ ପୃଥିବୀ ଉପରେ ନଜର ରଖିବ। ପୃଥିବୀର ସ୍ଥଳ ଓ ବରଫ ମଣ୍ଡଳକୁ ନଜର କରି ଏହା ଗୁରୁତ୍ୱପୂର୍ଣ୍ଣ ଡେଟା ସଂଗ୍ରହ କରିବା ଆଶା କରାଯାଇଛି।
ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଛି ଆମେରିକା
ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ବା ଶୁଳ୍କ ଘୋଷଣା କରିଛି ଆମେରିକା। ବ୍ରିକ୍ସର ସଦସ୍ୟ ତଥା ଋଷ୍ଠାରୁ ତୈଳ କିଣିବା ଓ ଉତ୍ତମ ସମ୍ପର୍କ ରକ୍ଷା ନେଇ ଆମେରିକା ଭାରତ ଉପରେ ଖପ୍ପା ହୋଇଛି। ଏହାଦ୍ୱାରା ଭାରତର ରପ୍ତାନୀ ବାଧା ପାଇପାରେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏ ବିଷୟରେ ଆଲୋଚନା ଲାଗି ମଧ୍ୟ ଆମେରିକା ପ୍ରସ୍ତୁତ ରହିଛି। ଦକ୍ଷିଣ କୋରିଆ ଉପରେ ମଧ୍ୟ ୨୫ ପ୍ରତିଶତ ଟିକସ ଲଗାଯାଇଛି। ହେଲେ ଦକ୍ଷିଣ କୋରିଆ ପାଖରେ ଏକ ବିକଳ୍ପ ପ୍ରସ୍ତାବ ରହିଥିବା ଟ୍ରମ୍ପ ଜଣାଇଛନ୍ତି। ଖୁବ୍ ଶୀଘ୍ର ସେ ବାବଦରେ ଆଲୋଚନା ହେବ।
ପାକିସ୍ତାନରେ ତୈଳ ଭଣ୍ଡାର କରିବ ଆମେରିକା
ପାକିସ୍ତାନରେ ଆମେରିକା ତୈଳ ଭଣ୍ଡାର କରିବ। ଏଥିନେଇ ପାକିସ୍ତାନ ସହ ଆମେରିକା ଚୁକ୍ତି କରିଛି। ଏଥିନେଇ ତୈଳ କମ୍ପାନୀକୁ ଆମେରିକା ନିୟୋଜିତ କରିବାକୁ ଯାଉଛନ୍ତି। ଏହି ସୂଚନା ଦେବା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କିଏ ଜାଣିଛି, ଭାରତ ମଧ୍ୟ ତାଙ୍କଠୁ ତୈଳ କିଣିପାରେ।