Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଇସ୍ତଫା ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଧନଖଡ଼ ଇସ୍ତଫା ଦେଇଥିବା ଜଣାପଡିଛି । ରାଷ୍ଟ୍ରପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ଜଗଦୀପ ଧନଖଡ଼ । ରାଷ୍ଟ୍ରପତିଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ ରହିଛି ଯେ, ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେବା ଏବଂ ଚିକିତ୍ସା ପରାମର୍ଶ ପାଳନ କରିବା ପାଇଁ, ମୁଁ ସମ୍ବିଧାନର ଧାରା ୬୭(କ) ଅନୁଯାୟୀ, ତୁରନ୍ତ କାର୍ଯ୍ୟକାରୀ ହୋଇ ଭାରତର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଉଛି। ମୁଁ ଭାରତର ମହାମହିମ ମାନ୍ୟବର ରାଷ୍ଟ୍ରପତିଙ୍କ ଅଟଳ ସମର୍ଥନ ଏବଂ ମୋ କାର୍ଯ୍ୟକାଳ ମଧ୍ୟରେ ଆମେ ବଜାୟ ରଖିଥିବା ସୁନ୍ଦର କାର୍ଯ୍ୟ ସମ୍ପର୍କ ପାଇଁ ମୋର ଗଭୀର କୃତଜ୍ଞତା ଜଣାଉଛି।
Headlines 02- ବାଂଲାଦେଶ ବାୟୁସେନାର ଏକ F-7 ତାଲିମ ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ସମୟ ଦିନ ଗୋଟେ ସମୟରେ ଢାକାର ଉତ୍ତରା ଅଞ୍ଚଳର ଦିଆବାରି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ, ଏହି ବିମାନ ମାଇଲଷ୍ଟୋନ୍ କଲେଜର ଉତ୍ତର କ୍ୟାମ୍ପସ ଭିତରେ ଥିବା ଏକ ସ୍କୁଲ ଉପରେ ଖସି ପଡ଼ିଛି । ଫଳରେ ସ୍କୁଲ ଏବଂ ଆଖପାଖ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ଦୁର୍ଘଟଣାର ଅନେକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି ।
Headlines 03- ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ ଜେଲ୍ ଯାଇଛନ୍ତି । ଭୁବନେଶ୍ୱର SDJM କୋର୍ଟରେ ହାଜର ପରେ ଝାରପଡ଼ା ଜେଲକୁ ତାଙ୍କୁ ପଠାଯାଇଛି । ଉଦିତଙ୍କୁ ଦୁଷ୍କର୍ମ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୋଲିସ ଗିରଫ କରିଥିଲା । ଗିରଫ ପରେ ଉଦିତ୍ ପ୍ରଧାନଙ୍କୁ ନିଲମ୍ବନ କରିଥିଲା କଂଗ୍ରେସ ।
Headlines 04- ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ। ଏପରିକି ମନ୍ତ୍ରିମଣଣ୍ଡଳର ଖାଲିଥିବା ପଦବୀ ବି ପୂରଣ ହୋଇପାରେ। ହଠାତ୍ ମୁଖ୍ୟମନ୍ତ୍ରୀ ରାଜଭବନ ଯାଇ ରାଜ୍ୟପାଳ ହରିବାକୁ କମ୍ଭମପାଟିଙ୍କୁ ସାକ୍ଷାତ ଓ ଆଲୋଚନା କରିବା ପରେ ଏହି ଚର୍ଚ୍ଚା ଏବେ ରାଜନୀତିକ ମହଲକୁ ମୁଖର କରିଛି। ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ରାଜ୍ୟପାଳ ଶ୍ରୀ କମ୍ଭମପାଟି ଆଇନମନ୍ତ୍ରୀଙ୍କ ଘରକୁ ଆସି ଆଲୋଚନା କରିବା ରାଜ୍ୟ ମନ୍ତ୍ରିମଣ୍ଡଳର ସମୀକରଣ ବଦଳାଇବ ବୋଲି ଚର୍ଚ୍ଚା ହେଉଛି।
Headlines 05- ଦିଲ୍ଲୀ ଏମ୍ସରେରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଛନ୍ତି ବିଜେପିର ୭ଜଣ ସାଂସଦ । ଆଜି ପୀଡ଼ିତାଙ୍କ ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ବିଭୁ ତରାଇ ସୂଚନା ଦେଇଛନ୍ତି । ଏଥିସହ ସେ କହିଛନ୍ତି ଯେ, ପୀଡ଼ିତା ଭଲ ଅଛନ୍ତି, ଲଗାତାର ତାଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟପଟେ ପୁରୀ ବଳଙ୍ଗାରେ ସ୍ପେଶାଲ୍ ବ୍ରାଞ୍ଚ ଆଇଜିଙ୍କ ସମେତ ୧୦ ଜଣିଆ ଟିମ୍ ପହଞ୍ଚିଛନ୍ତି । ବାୟାବର ନିକଟ ଭାର୍ଗବୀ ନଦୀବନ୍ଧ ତଳେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବଳଙ୍ଗା ଥାନାକୁ ଯିବା ସହ ପୀଡ଼ିତାକୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ଭେଟିଥିଲେ ଟିମ୍ ।
Headlines 06- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସୋମବାର ସ୍କୁଲଗୁଡ଼ିକର ସୁରକ୍ଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ବୋର୍ଡ ତାର ନିୟମ ସଂଶୋଧନ କରି ସ୍କୁଲଗୁଡ଼ିକରେ ଅଡିଓ ଏବଂ ଭିଡିଓ ରେକର୍ଡିଂ ସହିତ କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରିଛି। ଏଥିପାଇଁ, CBSE ଏହାର ଉପ-ନିୟମ ସଂଶୋଧନ କରିଛି। ନୂତନ ନିୟମ ଅନୁଯାୟୀ, ଏବେ ସ୍କୁଲଗୁଡ଼ିକରେ ହାଇ ରିଜୋଲ୍ୟୁସନ୍ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଏହି ସିସି କ୍ୟାମେରାଗୁଡ଼ିକରେ ରିଅଲ୍ ଟାଇମ୍ ଅଡିଓ-ଭିଜୁଆଲ୍ ରେକର୍ଡିଂ ଆବଶ୍ୟକ ହେବ।
Headlines 07- ବାଲେଶ୍ୱର ଏଫଏମ କଲେଜ୍ ଛାତ୍ରୀ ଆତ୍ମାହୁତି ପ୍ରସଙ୍ଗ ପରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏଣିକି ରାସ୍ତାଘାଟରେ ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ବିକିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ପେଟ୍ରୋଲ ପମ୍ପ୍ ସଂଘ ସହ ବୈଠକରେ ପରେ ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ବାହାରେ ପେଟ୍ରୋଲ ବିକ୍ରି ହେଲେ ଚଢ଼ାଉ କରାଯିବା ସହ କାର୍ଯ୍ୟାନୁଷ୍ଠାନ ହେବ । କାଚ ଓ ଟିଣ ବୋତଲରେ ପେଟ୍ରୋଲ ବିକ୍ରି କରିବା ପାଇଁ ଅନୁମତି ରହିଛି । କାଲିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପ୍ରେ ଯାଞ୍ଚ କରାଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।
Headlines 08- ଜୁଲାଇ ୩୦ ତାରିଖରେ ଲଞ୍ଚ୍ ହେବାକୁ ଯାଉଛି ଶକ୍ତିଶାଳୀ ସାଟେଲାଇଟ୍ 'ନିସାର' । ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାରୁ ସଂଧ୍ୟା ୫ଟା ୪୦ରେ ଉତ୍କ୍ଷେପଣ କରାଯିବ । ଇସ୍ରୋ ଓ ନାସାର ମିଳିତ ଉଦ୍ୟମରେ ନିର୍ମିତ କରାଯାଇଛି ସାଟେଲାଇଟ୍ 'ନିସାର' । ପ୍ରତି ୧୨ ଦିନରେ ପୃଥିବୀ ପୃଷ୍ଠର ସ୍କାନ କରିପାରିବ 'ନିସାର' । ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ତଥ୍ୟ 'ନିସାର' ଦେଇପାରିବ ବୋଲି କୁହାଯାଇଛି ।
Headlines 09- କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ମେଡିକାଲ୍ କଲେଜ । ସରକାରୀ କାର୍ଯ୍ୟର ସମୀକ୍ଷା ବେଳେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସରକାରଙ୍କ ଟପ୍-୨୧ ଏଜେଣ୍ଡା ଭିତରେ ଏହା ସ୍ଥାନ ପାଇ ସାରିଛି ଏବଂ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନେଇ ପ୍ରତିଶ୍ରୁତିବଦ୍ଧ ଅଛନ୍ତି ।
Headlines 10- କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ DFOଙ୍କ ଘରୁ ଆଉ ୮.୫ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । DFO ନିତ୍ୟାନନ୍ଦ ନାୟକଙ୍କ ସରକାରୀ କ୍ୱାର୍ଟର୍ସରୁ ନଗଦ ୮.୫ ଲକ୍ଷ ଟଙ୍କା ମିଳିଛି । ଗତକାଲି ରେଡ୍ ସମୟରେ ମିଳିଥିଲା ୧. ୫୫ ଲକ୍ଷ ଟଙ୍କା । ମୋଟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି । ଏଥିସହ ଜମି କାଗଜପତ୍ର, ବ୍ୟାଙ୍କ ପାସ୍ବୁକ୍ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ମଧ୍ୟ ଜବତ ହୋଇଛି । କାଲି DFOଙ୍କର ୧୧୫ ପ୍ଲଟ୍ ଠାବ କରିଥିଲା ଭିଜିଲାନ୍ସ ଟିମ୍ ।