Jollywood News: ୨ଟି ଯାତ୍ରା ପାର୍ଟି (ସିଂହବାହିନୀ ଏବଂ ସୂର୍ଯ୍ୟମନ୍ଦିର) ସେମାନେ ଦେଇଥିବା ଅଗ୍ରୀମ ଟଙ୍କା ଫେରାଇ ନିଅନ୍ତୁ ବୋଲି ପୀୟୁଷଙ୍କ ବାପା ଚିଠିରେ ଉଲ୍ଲେଖ କରିଥିବା ସୂଚନା ମିଳିଛି ।
Trending Photos
ଭୁବନେଶ୍ୱର: ଚଳିତ ଯାତ୍ରା ବର୍ଷ ଅର୍ଥାତ୍ ୨୦୨୫-୨୬ରେ ଯାତ୍ରା ଜଗତରୁ ଦୂରେଇ ରହିପାରନ୍ତି ଜଲିଉଡ ସୁପରଷ୍ଟାତ ତଥା ଅଭିନେତା ପୀୟୁଷ ତ୍ରିପାଠୀ । ସୋସିଆଲ୍ ମିଡିଆରେ ପୀୟୁଷଙ୍କ ବାପାଙ୍କ ଚିଠିକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆଲୋଚନା ଚାଲିଛି । ପୀୟୁଷଙ୍କ ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ନେଇ ଯାତ୍ରା ମାଲିକ ମହାସଂଘ ସଭାପତିଙ୍କୁ ଚିଠି ଲେଖିଛନ୍ତି ପୀୟୁଷଙ୍କ ବାପା । ୨ଟି ଯାତ୍ରା ପାର୍ଟି (ସିଂହବାହିନୀ ଏବଂ ସୂର୍ଯ୍ୟମନ୍ଦିର) ସେମାନେ ଦେଇଥିବା ଅଗ୍ରୀମ ଟଙ୍କା ଫେରାଇ ନିଅନ୍ତୁ ବୋଲି ପୀୟୁଷଙ୍କ ବାପା ଚିଠିରେ ଉଲ୍ଲେଖ କରିଥିବା ସୂଚନା ମିଳିଛି ।
ଆପଣଙ୍କୁ କହିରଖୁଛୁ ଯେ, ପୀୟୁଷଙ୍କ ଏହି ବିବାଦକୁ ନେଇ କିଛି ଦିନ ହେବ ବେଶ୍ ଚର୍ଚ୍ଚାରେ ରହିଛି ଜଲିଉଡ । ଚଳିତ ଯାତ୍ରା ଋତୁ (୨୦୨୪-୨୫)ରେ ପୀୟୁଷ ସୂର୍ଯ୍ୟମନ୍ଦିରରେ ନାଟକ ପରିବେଷଣ କରୁଛନ୍ତି । ସମଗ୍ର ରାଜ୍ୟରେ ପୀୟୁଷଙ୍କ ଅଭିନିତ 'ହାଇଦର', 'ନଖି ନାନୀ ପୁଅ ଭଗିଆ' ହାଉସଫୁଲ୍ ଚାଲିଛି । ତେବେ ଆଗାମୀ ଯାତ୍ରା ଋତୁ (୨୦୨୫-୨୬) ପାଇଁ ପୀୟୁଷ ଯାତ୍ରା 'ସିଂହବାହିନୀ'ରେ ଅଭିନୟ କରିବା ପାଇଁ ଅଗ୍ରୀମ ଟଙ୍କା ନେବା ସହ ଚୁକ୍ତି କରିଥିଲେ । କିନ୍ତୁ ପରେ ପୀୟୁଷ 'ସିଂହବାହିନୀ'ରେ ଯୋଗ ଦେବା ପାଇଁ ମନା କରିଥିଲେ । ସୋସିଆଲ୍ ମିଡିଆରେ ଭିଡିଓ ସେୟାର କରି ପୀୟୁଷ କହିଥିଲେ ଯେ, ସିଂହବାହିନୀ ଯିବା ପାଇଁ ମୋର ବାବୁଙ୍କ ସହ ଆଲୋଚନା ହୋଇଥିଲା ଏବଂ ଚୁକ୍ତି ମଧ୍ୟ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ମାଲିକ ଏବଂ କଳାକାରଙ୍କ ମଧ୍ୟରେ ଯେଉଁ ସମନ୍ୱୟ ରହିବା କଥା ତାହା ରହିନଥିଲା । ତେଣୁ ମୁଁ ସିଂହବାହିନୀ ଏବେ ଯିବିନାହିଁ ଏବଂ କେବେ ଯିବିନାହିଁ । ଏହା ପରେ 'ସିଂହବାହିନୀ' ମାଲିକ ପୀୟୁଷଙ୍କ ନାମରେ ଅଭିଯୋଗ ଆଣିଥିଲେ ଏବଂ ପରବର୍ତ୍ତୀ ସମୟରେ ଏକ ଘରୋଇ ଟିଭି ଚ୍ୟାନେଲ ଲାଇଭ୍ ଶୋ'ରେ ଆପୋଷ ବୁଝାମଣା ମଧ୍ୟରେ ଏହାର ସମାଧାନ ହୋଇଥିଲା । ଟିଭି ଷ୍ଟୁଡିଓରେ ପୀୟୁଷ 'ସିଂହବାହିନୀ'ରେ ଯୋଗ ଦେବା ସମ୍ପର୍କରେ ଘୋଷଣା କରିଥିଲେ ।
କିନ୍ତୁ ଅନ୍ୟପଟେ, 'ସିଂହବାହିନୀ'ରେ ଯୋଗଦେବା ଖବର ପ୍ରଚାରିତ ହେବା ପରେ ଯାତ୍ରା 'ସୂର୍ଯ୍ୟମନ୍ଦିର' ମାଲିକ ପୀୟୁଷଙ୍କ ନାମରେ ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ, ପୀୟୁଷ ଆଗାମି ଯାତ୍ରା ଋତୁ ପାଇଁ ମଧ୍ୟ ତାଙ୍କ ସହ ଅନୁବନ୍ଧିତ ଅଛନ୍ତି । ସୂର୍ଯ୍ୟମନ୍ଦିର ମାଲିକ ଏହା ମଧ୍ୟ ସୂଚନା ଦେଇଥିଲେ ଯେ, ଖଣ୍ଡଗିରି ଯାତ୍ରା ସମୟରେ ଆସନ୍ତା ବର୍ଷର ନାଟକ ସମ୍ପର୍କରେ ପୀୟୁଷ ନିଜେ ଯାତ୍ରା ମଞ୍ଚରେ ଘୋଷଣା କରିଥିଲେ । ଏହାପରେ ଦୁଇଟି ଯାତ୍ରା ପାର୍ଟି ପକ୍ଷରୁ ଆସନ୍ତା ବର୍ଷର ନାଟକ ସମ୍ପର୍କରେ ଘୋଷଣା କରାଯାଇଥିଲା । ଉଭୟ ଯାତ୍ରାପାର୍ଟି ଘୋଷଣା କରିଥିବା ନାଟକରେ ପୀୟୁଷଙ୍କ ଫଟୋ ରହିଥିଲା । ଏହାକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଥିଲେ । ଜଣେ ଅଭିନେତା ଗୋଟିଏ ଯାତ୍ରା ଋତୁରେ ଦୁଇଟି ପାର୍ଟିରେ କିପରି ଅଭିନୟ କରିବେ ତାହାକୁ ନେଇ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଥିଲା । ଅନ୍ୟପଟେ, ପୀୟୁଷଙ୍କ ବାପାଙ୍କ ଚିଠିକୁ ନେଇ ପୁଣି ଦର୍ଶକଙ୍କ ମହଲରେ କଳ୍ପନାଜଳ୍ପନା ଲାଗି ରହିଛି । ପ୍ରକୃତରେ ପୀୟୁଷ ଆସନ୍ତା ବର୍ଷ ଯାତ୍ରାରେ ଅଭିନୟ କରିବେ ନା ଯାତ୍ରା ଛାଡିଦେବେ ସେନେଇ ନିଜେ ପୀୟୁଷ ସ୍ପଷ୍ଟ କରନ୍ତୁ ବୋଲି ଦର୍ଶକଙ୍କ ମହଲରେ ଦାବି ହୋଇଛି ।
Also Read- Sun Jupiter Effects: ସୂର୍ଯ୍ୟ ଏବଂ ବୃହସ୍ପତିଙ୍କ ମଙ୍ଗଳ ଦୃଷ୍ଟି, ଚମକିବ ୫ ରାଶିର ଭାଗ୍ୟ
Also Read- ହାଇ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ୭ଟି ଅଭ୍ୟାସ