Trending Photos
Odisha Crime History: ଭୁବନେଶ୍ୱର: ବାରମ୍ବାର ପୀଡ଼ିତାର ବୟାନ ରେକର୍ଡ କରିବା ପରେ ମଧ୍ୟ ମୁହଁ ଖୋଲିବାକୁ ସାହସ କରିପାରୁ ନାହିଁ କାହିଁକି? ଏହା ସରକାରଙ୍କ ଆଡ଼ୁ ଚାପ ନା ଓଡ଼ିଶା ଅପରାଧିକ ଦୃଶ୍ୟପଟରେ କିଛି ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି? ନାବାଳିକା ପୀଡ଼ିତାର ମୃତ୍ୟୁ ଦିନ ପୁଲିସ ପକ୍ଷରୁ ଯେଉଁଭଳି ଭାବେ ଦୁଃଖ ପ୍ରକାଶ କରାଯାଇ ବୟାନ ଜାରି ହେଲା ତାହା ଅନେକ ପ୍ରଶ୍ନ ଉଠାଉଛି ସାଧାରଣଙ୍କ ମନରେ। ଏହା କ’ଣ ହତ୍ୟା ନୁହେଁ, ଆତ୍ମହତ୍ୟା? ଯଦି କେହି ସମ୍ପୃକ୍ତ ନାହାନ୍ତି ତେବେ କ’ଣ ପରିବାର ଲୋକଙ୍କ ଚାପରେ ଥିଲେ ପୀଡ଼ିତା? ଏହା କ’ଣ ଅନର କିଲିଂର ଆଉ ଏକ ଅଧ୍ୟାୟ? ହେଲେ ପୁଲିସ ଏ ବିଷୟକୁ ନେଇ ୧୫ ଦିନ ହେଲା ଚୁପ୍ ରହିଛି କାହିଁକି?
ଆସନ୍ତୁ ନଜର ପକାଇବା ପୀଡ଼ିତାର ମୃତ୍ୟୁ ଖବର ଆସିବା ପରେ ଓଡ଼ିଶା ପୁଲିସ କ’ଣ କହିଥିଲା? ନିଜର ସୋଶାଲ ମିଡିଆ ଆକାଉଣ୍ଟରେ ଶନିବାର ରାତିରେ ଓଡ଼ିଶା ପୁଲିସ ଲେଖିଥିଲା : ‘‘ବଳଙ୍ଗା ଘଟଣାରେ ପୀଡିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ଏହି ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି’। ଅର୍ଥାତ୍ ତଦନ୍ତ ପ୍ରକ୍ରିୟା ଶେଷ ପ୍ରାୟ। କିନ୍ତୁ ତା ପରବର୍ତ୍ତୀ ଧାଡ଼ିରେ ଓଡ଼ିଶା ପୁଲିସ କହିଛି ‘ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି’’।
ଯଦିଓ ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦେବାକୁ ପୁଲିସ କହୁଛି କିନ୍ତୁ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇ ସାରିଛି। କାରଣ ପୁଲିସ କହୁଛି ଏ ଘଟଣାରେ ଅନ୍ୟ କୌଣସି ବ୍ୟକ୍ତି ସଂପୃକ୍ତ ନୁହନ୍ତି।
ପ୍ରଶ୍ନ ଉଠୁଛି ଯେଉଁ ବୟାନ ଘଟଣା ଦିନ ଆଶ୍ରୟ ଯୋଗାଇଥିବା ବ୍ୟକ୍ତିଟି ଗଣମାଧ୍ୟମରେ କହିଥିଲେ ତାହା କ’ଣ ମିଛ ଥିଲା? ସେ କ’ଣ ମନଗଢ଼ା କାହାଣୀ କହିଥିଲେ? ଏହା କ’ଣ ଏକ ଷଡ଼ଯନ୍ତ୍ରରେ ଭରା ଜାଲବଦ୍ଧ ଅପରାଧ?
କାହିଁକି ସେ ଆତ୍ମହୁତି କଲେ ? ଏମିତି ପ୍ରଶ୍ନ ଆସିବା ସ୍ୱଭାବିକ। ଏହାର କାରଣ ଉନ୍ମୋଚନ ହେବା ଆବଶ୍ୟକ। ପୁଣି ଯଦି ଘଟଣାରେ ଆଉ କେହି ସମ୍ପୃକ୍ତ ନାହାନ୍ତି ଏବଂ ପୀଡ଼ିତା ନିଜେ ଆତ୍ମହୁତି ଦେଇଛି, ତେବେ ଆଶ୍ରୟ ଦେଇଥିବା ଦୁଃଖୀ ବନ୍ଧୁଟି କାହିଁକି ମିଛ କଥା କହିଥିଲେ? ପୀଡ଼ିତା ଜୀବନ୍ତ ନଥିବାରୁ ପୁଲିସ ତାଙ୍କର ରେକର୍ଡ କରିଥିବା ବୟାନକୁ ସାମ୍ନାକୁ ଆଣିବା ଆବଶ୍ୟକ ବୋଲି ଦାବି ହେବା ସ୍ବଭାବିକ। ନହେଲେ କ୍ରାଇମ ବ୍ରାଞ୍ଚର ପୂର୍ବ ରେକର୍ଡରେ ଆଉ ଏକ ମନଗଢ଼ା କାହାଣୀ ଯୋଡ଼ି ହେବ ସେଥିରେ ସନ୍ଦହ ନାହିଁ।
ଏଠି କ୍ରାଇମ ବ୍ରାଞ୍ଚର ଏପରି ମନଗଢ଼ା କାହାଣୀ ସଂଯୋଜନାର କିଛି ଚର୍ଚ୍ଚା କରାଯାଇପାରେ। ୨୦୨୩ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା କଥା କୁହନ୍ତୁ କି ୨୦୨୦ ନୟାଗଡ଼ ୫ ବର୍ଷର ଝିଅ ପରିକୁ ଅପହରଣ, ବଳାତ୍କାର ଓ ହତ୍ୟା ବିଷୟ ସବୁବେଳେ କ୍ରାଇମ ବ୍ରାଞ୍ଚର ତଦନ୍ତ ଉପହାସର ପାତ୍ର ହୋଇଛି। ୨୦୨୧ ମସିହାରେ ଭବାନୀ ପାଟଣାରେ ମମିତା ମହେରଙ୍କୁ ବଳାତ୍କାର ଓ ହତ୍ୟା କଥା ବି କେହି ଭୁଲିବା କଷ୍ଟକର। ଏ ଘଟଣାରେ ତତ୍କାଳୀନ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ପରେ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଏବେ ତତ୍କାଳୀନ ମନ୍ତ୍ରୀ ନୂଆ ଜୀବନ ଆରମ୍ଭ କରି ଆନନ୍ଦରେ ରହିଛନ୍ତି କିନ୍ତୁ ମମିତାର ବାପା, ମା ଆଇନର ହାତ କେତେ ଲମ୍ବା ତାହା ଜାଣିପାରି ନାହାନ୍ତି।
ଜାତୀୟ ଅପରାଧ ନଥି ବ୍ୟୁରୋର ତଥ୍ୟ ଅନୁସାରେ ରାଜ୍ୟରେ ୨୦୧୯ରୁ ୨୦୨୨ ମଧ୍ୟରେ ୧୫ ହଜାର ବଳାତ୍କାର ମାମଲା ଦାୟର କରାଯାଇଥିଲା। ୨୦୨୩ ତଥ୍ୟ ଅନୁସାରେ ରାଜ୍ୟରେ ୨୮୨୬ଟି ବଳାତ୍କାର ସେ ବର୍ଷ ରେକର୍ଡ କରାଯାଇଥିଲା। କିନ୍ତୁ ଯଦି ଦୋଷୀଙ୍କୁ ଦଣ୍ଡ ଦିଆଯିବା କଥାକୁ ଅନୁଶୀଳନ କରିବା ତେବେ ଏହାର ହାରାହାରି ହାର ହେଉଛ ୯.୩ ପ୍ରତିଶତ। ଅର୍ଥାତ୍ ୧୦୦ଟି ମାମଲାରେ ମାତ୍ର ୯ଟି ମାମଲାରେ ଅଭିଯୁକ୍ତ ଅପରାଧୀଙ୍କୁ ଦୋଷୀ ବୋଲି ପୁଲିସ ପ୍ରମାଣିତ କରିପାରିଛି। ଅନ୍ୟ ୯୧ ପ୍ରତିଶତ ମାମଲାରେ ଦୋଷୀ କିଏ, ଘଟଣା କେମିତି ଘଟିଲା ତାହା ଅମୀମାଂସିତ ବା ଅସମାହିତ ପ୍ରଶ୍ନକୁ ଠିଆ କରିଛି।
ବଳଙ୍ଗା ବି ଏମିତି ଆଉ ଏକ ଅସମାହିତ ପ୍ରଶ୍ନଗୁଚ୍ଛକୁ ସାମ୍ନାକୁ ଆଣିଛି। ଯଦି ଅଧିକ ସମୟ ଏହା ଜାରି ରହେ ତେବେ ଏହା କ୍ରାଇମ ବ୍ରାଞ୍ଚର ଅପରାଗତା ବା ଅସଫଳତା ବୋଲି ପ୍ରସାରିତ ହେବା ସ୍ୱଭାବିକ।
କାରଣ ଏବେ ବିଜେପିକୁ ଛାଡ଼ି ସମସ୍ତ ରାଜନୀତିକ ଦଳ ଏ ନେଇ ଅନେକ ସନ୍ଦେହ ପ୍ରକଟ କରିଛନ୍ତି। ଏପରିକି ଡାକ୍ତରଖାନାରେ ପୀଡ଼ିତା ମୃତ୍ୟୁ କାହିଁକି ହଠାତ୍ ହେଲା ବୋଲି ବିପ୍ରଶ୍ନ ଉଠାଇବାକୁ କିଛି ମହିଳା ନେତ୍ରୀ ଭୁଲି ନାହାନ୍ତି। ବିଜେଡି ତ ଏ ଘଟଣାରେ ଉପମୁଖ୍ୟମନ୍ତ୍ରୀଙ୍କ ସଂହଯୋଗୀଙ୍କ ହାତ ରହିଛି ବୋଲି ସିଧା ସିଧା ଅଭିଯୋଗ କରିଛି। ପୁଣି ସରକାର ଏହାକୁ ଆତ୍ମହତ୍ୟାରେ ପରିଣତ କରିବା ପାଇଁ ଚାହୁଁଥିବା ବିଜେଡି କହିଛି। ଘଟଣାପରଠାରୁ ପୀଡ଼ିତାଙ୍କୁ ଅଜ୍ଞାତବାସରେ ରଖାଯାଇଥିବା ନେଇ ଅଭିଯୋଗ କରିଛି ବିଜେଡି।
ଅର୍ଥାତ୍ ଯେଉଁ ପୀଡ଼ିତାଙ୍କ ବାପା ଏ ଘଟଣାକୁ ନେଇ ରାଜନୀତି କରନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି, ସେହି ପୀଡ଼ିତାଙ୍କ ବାପା ଆଗକୁ ଜଣେ ରାଜନୀତି ପୀଡ଼ିତ ହେବାକୁ ଯାଉଛନ୍ତି। ଶେଷରେ ଏତିକି କୁହାଯାଇପାରିବ ଯେ, କ୍ରାଇମବ୍ରାଞ୍ଚ ଦ୍ୱାରା ପୂର୍ବରୁ ସୃଷ୍ଟି ହୋଇଥିବା କପୋଳକଳ୍ପିତ ଡ୍ରାମାସବୁ ଏବେ ମୋହନ ସରକାରଙ୍କୁ ଜଟିଳତା ଭିତରକୁ ଟାଣିବାକୁ ଯାଉଛି।
ଏଥିରୁ ମୁକୁଳିବାକୁ ହେଲେ ସରକାରଙ୍କୁ ପ୍ରଥମେ କ୍ରାଇମ ବ୍ରାଞ୍ଚକୁ ଠିକଣା ରାସ୍ତାକୁ ଆଣିବାକୁ ହେବ। କ୍ରାଇମ ବ୍ରାଞ୍ଚ ଲୋକଙ୍କ ଆସ୍ଥା ଜିତିବାକୁ ହେବ। ରାଜ୍ୟରେ କଠୋର ପୁଲିସ ବ୍ୟବସ୍ଥା ଲାଗୁ କରିବାକୁ ହେବ। ଯାହା ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ରୋକିବାରେ ସକ୍ଷମ ହେବ। ନହେଲେ ଦାଣ୍ଡରେ ଘାଟରେ ଲୋକେ କହିବେ ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ ନୁହେଁ, ବଳାତ୍କାରୀଙ୍କ ରାଜ୍ୟ। ମହିଳାଙ୍କୁ ସୁରକ୍ଷା ଯୋଗାଇପାରୁ ନଥିବା ରାଜ୍ୟ।