Odisha News: ଓଡ଼ିଶାକୁ ଛୁଟୁଛି ବିଜେପି ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସୁଅ, ଧର୍ମେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ
Advertisement
Article Detail0/zeeodisha/odisha2691934

Odisha News: ଓଡ଼ିଶାକୁ ଛୁଟୁଛି ବିଜେପି ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସୁଅ, ଧର୍ମେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ

ଏକ ରାଜନୀତିକ ପରିବେଶରେ ଧର୍ମେନ୍ଦ୍ରଙ୍କ ଏହି ଶକ୍ତି ପ୍ରଦର୍ଶନ ଆଗକୁ ରାଜ୍ୟରେ ପରିବର୍ତ୍ତନ ଆଣିପାରେ ବୋଲି ବି ଚର୍ଚ୍ଚାର ଅଙ୍କୁରୋଦଗମ କରୁଛି। କିନ୍ତୁ ଯେତେ ଯାହା କଲେ ବି ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ହେବା ଏକ ସ୍ୱପ୍ନ ବୋଲି ତାଙ୍କ ବିରୋଧୀ ଗୋଷ୍ଠୀ ଚର୍ଚ୍ଚା କରିବାକୁ ଭୁଲି ନାହାନ୍ତି। 

Odisha News: ଓଡ଼ିଶାକୁ ଛୁଟୁଛି ବିଜେପି ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସୁଅ, ଧର୍ମେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ

Odisha News: ଭୁବନେଶ୍ୱର: ବିଗତ ୭ ଦିନ ହେଲା ଓଡ଼ିଶାକୁ ଦେଶର ବିଶିଷ୍ଟ ପଦାଧାରୀ ରାଜନେତାଙ୍କ ସୁଅ ଛୁଟୁଛି। ଏଥିରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ସାମିଲ୍‍ ରହିଛନ୍ତି। କୌଣସି ପୂର୍ବ ନିର୍ଦ୍ଧାରିତ ସରକାରୀ କାର୍ଯ୍ୟକ୍ରମ ନଥିଲେ ମଧ୍ୟ ଏହି ପଦାଧାରୀଙ୍କ ଆଗମନରେ ସରକାର ବି ତତ୍ପର ହୋଇ ଉଠିଛନ୍ତି। ପ୍ରକାରାନ୍ତେ ଏହାକୁ ଧର୍ମେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ ଭାବେ ବିଜେପି ଶିବିରରେ ଗ୍ରହଣ କରାଯାଉଛି। 

ମାର୍ଚ୍ଚ ୧୭ ତାରିଖ ଅର୍ଥାତ୍‍ ଗତ ସୋମବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ତଥା ରାଜ୍ୟ ବିଜେପିର ସଭାପତି ଓ ପରେ ସମ୍ପାଦକ ପଦବୀରେ ରହିଥିବା ଦେବେନ୍ଦ୍ର ପ୍ରଧାନ ରାଜ୍ୟର ତତ୍‍କାଳୀନ ରାଜନୀତିରେ ଜଣେ ପରିଚିତ ବ୍ୟକ୍ତି ଥିଲେ। କିନ୍ତୁ ପୁଅ ଧର୍ମେନ୍ଦ୍ରଙ୍କର ଉତ୍‍ଥାନ ପରେ ସେ ଆଉ ରାଜନୀତିକ କାରବାରରେ ଜଡ଼ତ ନଥିବା ଦେଖାଯାଇଥିଲା। ଏପରିକି ତାଙ୍କର ରାଜନୀତିକ ଉତ୍ତରାଧିକାରୀ ଭାବେ ଧର୍ମେନ୍ଦ୍ର ଆବିର୍ଭାବ ହୋଇ କେନ୍ଦ୍ରୀୟ ବିଜେପି ରାଜନୀତିରେ ପରିଚିତ ହୋଇଥିଲେ। ପ୍ରତ୍ୟକ୍ଷ ନିର୍ବାଚନ ନ ଜିତିଲେ ବି କେନ୍ଦ୍ରମନ୍ତ୍ରୀ ଭାବେ ତାଙ୍କୁ ଦେଶ ଦେଖିଥିଲା। ଏବେ ସେ ସମ୍ବଲପୁରର ସାଂସଦ ତଥା ଦେଶର ଶିକ୍ଷାମନ୍ତ୍ରୀ। ପ୍ରଭାବଶାଳୀ ରାଜନେତା ଭାବେ ପରିଚିତ ଧର୍ମେନ୍ଦ୍ରଙ୍କ ପିତା ୨୪ ଦିନ ଆଇସିୟୁରେ ଚିକିତ୍ସିତ ହେବାପରେ ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁ ପୂର୍ବରୁ ତାଙ୍କର ଗୋଟିଏ ବି ଖବର କୌଣସି ମିଡିଆରେ ପ୍ରକାଶିତ ହୋଇ ନଥିଲା। କିନ୍ତୁ ମୃତ୍ୟୁ ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଦିଲ୍ଲୀ ପରେ ଭୁବନେଶ୍ୱର ଓ ଅନୁଗୁଳଠାରେ ଦେଶର ପ୍ରମୁଖ ନେତାମାନଙ୍କ ଧାଡ଼ି ଲାଗିଥିବା ଦେଖିବାକୁ ମିଳିଛି। ଏପରିକି ଆହୁରି ତିନିରୁ ୪ ଦିନ ଏମିତି ଜାରି ରହିବ ବୋଲି ଶୁଣାଯାଉଛି। ଏହି ନେତାଙ୍କ ଭିତରେ ହରିୟାଣା, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବି ସାମିଲ ରହିଛନ୍ତି। ଏହାଙ୍କ ସହ ବିଭିନ୍ନ ରାଜ୍ୟର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହି ତାଲିକାରେ ରହିଛି। ବଡ଼ କଥା ହେଲେ ସେମାନେ ଆସିଛନ୍ତି ବୋଲି ଜାଣି ଓଡ଼ିଶା ପ୍ରଶାସନ ତତ୍ପର ହୋଇଛି। ଭୁବନେଶ୍ୱର ଆସିଥିବା ମୁଖ୍ୟମନ୍ତ୍ରୀମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ବି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏପରିକି କିଛି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମୀକ୍ଷା ବୈଠକ ବି ଆୟୋଜନ ହୋଇଛି। 

ଖାଲି ମୁଖ୍ୟମନ୍ତ୍ରୀ କି କେନ୍ଦ୍ରମନ୍ତ୍ରୀ ନୁହଁନ୍ତି କର୍ଣ୍ଣାଟକ ରାଜ୍ୟପାଳ ଥଓ୍ୱର ଚାନ୍ଦ ଗେହଲଟ, ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ସଂସଦୀୟ ରାଷ୍ଟ୍ରମନ୍ତ୍ରୀ ଯଶଓ୍ୱନ୍ତ ସିଂହ ସାଇନି,  ବିଧାୟକ ରାମେଶ୍ୱର ଶର୍ମା, ହରିୟାଣା ମନ୍ତ୍ରୀ ଅରବିନ୍ଦ କୁମାର ଶର୍ମା, ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିଦର ସିଂହ ସିର୍ସା, ଉତ୍ତରପ୍ରଦେଶ ବିଧାୟକ ତେଜପାଲ ସିଂହ, ଦିଲ୍ଲୀର ବିଧାୟକ ସତୀଶ ଉପାଧ୍ୟାୟ, ହରିୟାଣା ବିଜେପି ରାଜ୍ୟ ସଭାପତି ପଣ୍ଡିତ ମୋହନ ଲାଲ୍‍ ବଡୋଲି ପ୍ରମୁଖ ଭୁବନଶ୍ୱରରେ ଦେବେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଜଣେ ଦୁଇଜଣଙ୍କୁ ଛାଡ଼ିଦେଲେ ଦେବେନ୍ଦ୍ରଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଏହି ନେତାଙ୍କ କ୍ୱଚିତ୍‍ ଅଭିଜ୍ଞତା ରହିଛି। 

ଓଡ଼ିଶାରେ ଏତେ ସଂଖ୍ୟାରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରୀୟ ନେତା ଓ ବିଭିନ୍ନ ରାଜ୍ୟର ବିଧାୟକ ଓ ନେତାଙ୍କ ସୁଅ ଛୁଟିବା କେବେ ଦେଖିବାକୁ ମିଳି ନଥିଲା। ଏହା ପରୋକ୍ଷରେ ଧର୍ମେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ କରାଉଛି ବୋଲି ଆଲୋଚନା ହେଉଛି। ଅବଶ୍ୟ ଏହା ଠିକ୍‍ ଯେ, ଓଡ଼ିଶାର ବିଜେପି ନେତାମାନଙ୍କ ଭିତରେ କେନ୍ଦ୍ରରେ ଧର୍ମେନ୍ଦ୍ର ଅତ୍ୟନ୍ତ ପରିଚିତ। କିଛିଦିନ ତଳେ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ତାଙ୍କରି ଦଳର ଲୋକେ ତାଙ୍କୁ ବିରୋଧ କରିଥିଲେ। ଫଳରେ କେନ୍ଦ୍ରୀୟ ନେତାଙ୍କୁ ଅନେକ ଅନୁଧ୍ୟାନ କରିବା ପରେ ଜଣେ ନିର୍ବିବାଦୀୟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଅଭିଷିକ୍ତ କରାଯାଇଛି। ହେଲେ ତାଙ୍କ ଦ୍ୱାରା ନା ମନ୍ତ୍ରିମଣ୍ଡଳର ସମସ୍ତ ପଦବୀ ପୂରଣ କରାଯାଇପାରୁଛି ନା ରାଜନୀତିକ ସ୍ତରରେ ନେତାଙ୍କୁ  ସନ୍ତୁଷ୍ଟ କରାଯାଇପାରୁଛି। ଅପରପକ୍ଷେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ବିଶୃଙ୍ଖଳିତ ବିଧାନସଭା ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି। ସାଧାରଣ ଲୋକେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାସନକୁ ମଧ୍ୟ ତୁଳନା କରିବା ଆରମ୍ଭ କରିଦେଲେଣି। 

ଏହିଭଳି ଏକ ରାଜନୀତିକ ପରିବେଶରେ ଧର୍ମେନ୍ଦ୍ରଙ୍କ ଏହି ଶକ୍ତି ପ୍ରଦର୍ଶନ ଆଗକୁ ରାଜ୍ୟରେ ପରିବର୍ତ୍ତନ ଆଣିପାରେ ବୋଲି ବି ଚର୍ଚ୍ଚାର ଅଙ୍କୁରୋଦଗମ କରୁଛି। କିନ୍ତୁ ଯେତେ ଯାହା କଲେ ବି ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ହେବା ଏକ ସ୍ୱପ୍ନ ବୋଲି ତାଙ୍କ ବିରୋଧୀ ଗୋଷ୍ଠୀ ଚର୍ଚ୍ଚା କରିବାକୁ ଭୁଲି ନାହାନ୍ତି। ଏଣୁ ଆଗକୁ ଅପେକ୍ଷା, ଦେବେନ୍ଦ୍ରଙ୍କ ଦଶାହ ପରେ ତାଙ୍କ ଶକ୍ତି କେଉଁ ରୂପେ ରାଜ୍ୟ ରାଜନୀତିକୁ ପ୍ରଭାବିତ କରୁଛି।

;