Trending Photos
Odisha News: କଟକ: “ଭାଷା ଉପରେ ନିର୍ଭର କରେ ସୃଜନଶୀଳତା ଓ ତଦ୍ ସମ୍ପର୍କିତ ଗବେଷଣା। ଯେଉଁ ଜାତିର ଭାଷା ଯେତେ ସମୃଦ୍ଧ, ସେ ଜାତି ଓ ଦେଶ ସେତିକି ସମୃଦ୍ଧ। ତେଣୁ ଭାଷାକୁ ଉନ୍ନତ ଓ ପରିମାର୍ଜିତ କରିବା ସଙ୍ଗେ ସଙ୍ଗେ ପରମ୍ପରାର ସଂରକ୍ଷଣ କରିବା ଏବଂ ଏହାକୁ ପ୍ରୋତ୍ସାହନ ଦେବା ମଧ୍ୟ ଆମର ଧ୍ୟେୟ ହେବା ଉଚିତ୍। ଭାଷା-ସାହିତ୍ୟରେ ପରମ୍ପରା ଓ ଆଧୁନିକତାର ସମ୍ମିଶ୍ରଣ ଏକ ସୁସ୍ଥ ସମାଜର ନିଦର୍ଶନ।” ଶନିବାର ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କଳା, ଯୋଗାଯୋଗ ଓ ଭାରତୀୟ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ସାହିତ୍ୟ ପର୍ବ ‘ତତ୍ତ୍ୱ’ରେ ଯୋଗଦେଇ କିଛି ଏପରି କହିଥିଲେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି।
“ତତ୍ତ୍ୱ: ଦ ଏସେନ୍ସ ଅଫ୍ ଆର୍ଟ ଆଣ୍ଡ କଲଚର” ଶୀର୍ଷକରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଥିଲା କଳା ଓ ସଂସ୍କୃତିର ଏକ ଉତ୍କୃଷ୍ଟ ଯୁଗଳବନ୍ଦୀ । କାର୍ଯ୍ୟକ୍ରମରେ କଳା, ଯୋଗାଯୋଗ ଓ ଭାରତୀୟ ଶିକ୍ଷା ବିଭାଗର ଡିନ୍ ତଥା ବିଭାଗୀୟ ମୁଖ୍ୟ ଗୁରୁ ରତିକାନ୍ତ ମହାପାତ୍ର ଆନୁଷ୍ଠାନିକ ଭାବରେ ମହାମହିମ ରାଜ୍ୟପାଳ ତଥା ଅନ୍ୟମାନଙ୍କୁ ସ୍ୱାଗତ କରିଥିଲେ । ସାହିତ୍ୟ ଓ ସଂସ୍କୃତିର ଏହି ଉତ୍ସବକୁ ଯଥାର୍ଥରେ ଏକ ‘ପର୍ବ’ ଭାବରେ ପାଳନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବିଶ୍ୱବିଦ୍ୟାଳୟର ସଭାପତି ପ୍ରାଧ୍ୟାପିକା ରଜିତା କୁଲକର୍ଣ୍ଣୀ ନିଜ ଅଭିଭାଷଣରେ କହିଥିଲେ, “ବିସ୍ତାରିତ ଜୀବନ ହେଉଛି ସେବା ଏବଂ ଅଧିକ ବିସ୍ତାରିତ ଜୀବନ ହେଉଛି ଧ୍ୟାନ । ଜୀବନର ଅନ୍ତର୍ମୁଖୀ ଯାତ୍ରାର ପରିଣତି ହେଉଛି ତପସ୍ୟା । ତେଣୁ ତତ୍ତ୍ୱ ହେଉଛି ସମସ୍ତ କଳାତ୍ମକ ସୃଜନଶୀଳତାର ସମାହାର ସ୍ୱୟଂ ଜୀବନ ।” ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କଳା ଓ ସୃଜନଶୀଳତାକୁ ସର୍ବଦା ଗୁରୁତ୍ୱ ଦେଇ ଆସିଥିବା ବେଳେ ‘ଆର୍ଟ ଅଫ୍ ଲିଭିଂ’ ବିଭିନ୍ନ ନୃତ୍ୟକଳାରେ 12ଟି ବିଶ୍ୱ ରେକର୍ଡର ଅଧିକାରୀ ହୋଇଥିବା ସେ କହିଥିଲେ ।
ପୂର୍ବାହ୍ନ ସାଢେ ୧୦ଟା ମିନିଟରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏକାଧିକ ଅଧିବେଶନରେ ବିଭକ୍ତ ହୋଇ ରାତି ପ୍ରାୟ ନଅଟା ପର୍ଯ୍ୟନ୍ତ ଚାଲିଥିଲା । ପ୍ରଥମ ଅଧିବେଶନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନେକ ଅଜଣା ରହସ୍ୟ ଓ ଉପମାଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ରାହୁଲ ଆଚାର୍ଯ୍ୟ । ଦ୍ୱିତୀୟ ଅଧିବେଶନରେ ଗୀତା ଅଧ୍ୟୟନ କିଭଳି ମାନସିକ ଶାନ୍ତି ପ୍ରଦାନ କରେ, ତାହା ବ୍ୟାଖ୍ୟା କରିଥିଲେ ଟିସିଏସ୍, ଭୁବନେଶ୍ୱରର ଅବିନାଶ ସାମଲ । ତୃତୀୟ ଅଧିବେଶନରେ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଡ. ଇଲିଆନା ସିତାରିଷ୍ଟ ସମର ନୃତ୍ୟକଳା ସମ୍ପର୍କରେ ସୂଚନା ଦେଇଥିଲେ । ସ୍ୱନାମଧନ୍ୟ ସଂଗୀତଜ୍ଞ ରୂପକ ପରିଡ଼ା ଚତୁର୍ଥ ଅଧିବେଶନରେ ସଂଗୀତ ପରିବେଷଣ କରିଥିବା ବେଳେ ପଞ୍ଚମ ଅଧିବେଶନରେ ସାହିତ୍ୟିକ ଚିନ୍ତନ ଓ କାହାଣୀ କହିବା କଳା ସମ୍ପର୍କରେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ଆଲୋକ ଶ୍ରୀବାସ୍ତବ ପ୍ରାଞ୍ଜଳ ଭାବରେ ବୁଝାଇ କହିଥିଲେ । ସନ୍ଧ୍ୟାରେ ହିନ୍ଦୀ ମ୍ୟୁଜିକାଲ୍ ପ୍ଲେ “ରାମଲାଲାକି ମାତା” ମଞ୍ଚସ୍ଥ ହୋଇ ଦର୍ଶକୀୟ ଆଦୃତି ଲାଭ କରିଥିଲା । ଭାଷା ସାହିତ୍ୟକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି ଉତ୍ସବରେ ମହାମହିମ ରାଜ୍ୟପାଳଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ପ୍ରମୁଖ ଉପସ୍ଥିତ ଥିଲେ।