Top 10 News: ୟୁକ୍ରେନ୍‍ର ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ବିଜେଡି ଯିବ ହାଇକୋର୍ଟ ଓ ଅନ୍ୟ ଖବର
Advertisement
Article Detail0/zeeodisha/odisha2876568

Top 10 News: ୟୁକ୍ରେନ୍‍ର ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ବିଜେଡି ଯିବ ହାଇକୋର୍ଟ ଓ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ୟୁକ୍ରେନ୍‍ର ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ବିଜେଡି ଯିବ ହାଇକୋର୍ଟ ଓ ଅନ୍ୟ ଖବର

Top 10 News Today

Headlines 01. ୟୁକ୍ରେନ୍‍ର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗଲା ୪ ବର୍ଷ ହେଲା ଋଷ ବିପକ୍ଷରେ ଚାଲିଥିବା ଯୁଦ୍ଧକୁ ଯଥାଶୀଘ୍ର ଶାନ୍ତିପୂର୍ଣ୍ଣ ଉପାୟରେ ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଜେଲେନସ୍କି। ଭାରତ ଏ ଦିଗରେ ଯଥାସମ୍ଭବ ଅବଦାନ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ମୋଦି। ଏହାସହ ଦୁଇ ରାଷ୍ଟ୍ର ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ଶକ୍ତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି। ରାଷ୍ଟ୍ରପତି ଜେଲେନସ୍କି ଯୁଦ୍ଧକୁ ଅନ୍ତ କରିବା ପାଇଁ କୂଟନୀତିକ ହସ୍ତକ୍ଷେପକୁ ଗୁରୁତ୍ୱ ଦେଇଛନ୍ତି। ଏ ସମ୍ପର୍କିତ ସମସ୍ତ ବିଷୟ ୟୁକ୍ରେନର ଭାଗିଦାରୀରେ ହିଁ ହୋଇପାରିବ ବୋଲି କହିଛନ୍ତି ଜେଲେନସ୍କି। ଋଷର ଅର୍ଥନୀତିକ ମେରୁଦଣ୍ଡକୁ ଦୁର୍ବଳ କରିବା ଲାଗି ତୈଳ ରପ୍ତାନୀ ସୀମିତ କରିବା ଦିଗରେ ପଦକ୍ଷେପ ନେବାକୁ ଜେଲେନସ୍କି ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୋସିଆଲ୍ ମିଡିଆରେ କହିଛନ୍ତି।

Headlines 02. ଆମେରିକାରୁ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ୍‍ ଅସୀମ ମୁନୀରଙ୍କ ପରମାଣୁ ଧମକକୁ ନେଇ ଭାରତ ପ୍ରତିକ୍ରିୟା ରଖିଛି। ଭାରତ ଏପରି ଆଣବିକ ବ୍ଲାକମେଲ୍‍କୁ ଖାତିର କରେ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବାର୍ତ୍ତାରେ କୁହାଯାଇଛି। ଯଦି ଭାରତ ସିନ୍ଧୁ ନଦୀ ଉପରେ ବନ୍ଧ ନିର୍ମାଣ କରେ ତେବେ ପାକିସ୍ତାନ ଏହାକୁ ବିରୋଧ କରିବା ସହ ସମସ୍ତ ମୂଲ୍ୟ ଦେବାକୁ ପ୍ରସ୍ତୁତ ବୋଲି କହିଥିଲେ ମୁନୀର। ଏପରିକି ଏହି ବନ୍ଧକୁ ପାକିସ୍ତାନ ଉଡ଼ାଇ ଦେବ ବୋଲି ସେ କହିଥିଲେ। 

Headlines 03. କେନ୍ଦ୍ରୀୟ ମାଧ୍ୟମିକ ପରୀକ୍ଷା ବୋର୍ଡ ସିବିଏସ୍‍ଇ ଆସନ୍ତା ବର୍ଷଠାରୁ ହାଇସ୍କୁଲ୍‍ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଯାଉଛି। ଏହିକ୍ରମରେ ‘ଓପନ୍‍ ଏକଜାମ’ ବା ମୁକ୍ତ ପରୀକ୍ଷା ଢାଞ୍ଚାକୁ ଲାଗୁ କରିବ ବୋର୍ଡ। ଏହି ଢାଞ୍ଚାରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟରେ ବହି ବା ନୋଟ୍‍ ଦେଖିବାକୁ ସୁଯୋଗ ମିଳିବ। ହେଲେ ଉତ୍ତର ତାଙ୍କ ସୃଜନଶୀଳତା ଉପରେ ନିର୍ଭର କରିବ। ଆସନ୍ତା ବର୍ଷ ନବମ ଶ୍ରେଣୀରେ ଏହି ବ୍ୟବସ୍ଥା ଲାଗୁ ହେବାର ସମ୍ଭାବନା ରହିଛି। 

Headlines 04. ଦିଲ୍ଲୀରୁ ଓ୍ୱାସିଂଟନ୍‍ ଡିସିକୁ ଯାଉଥିବା ଏୟାର ଇଣ୍ଡିଆ ବିମାନ ଚଳାଚଳକୁ ନିଲମ୍ବନ କରାଯିବ। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ସେପ୍ଟେମ୍ବର ୧ ତାରିଖରୁ ଏହି ଉଡ଼ାଣ ବନ୍ଦ ରହିବ ବୋଲି ଏକ ପ୍ରେସ ବାର୍ତ୍ତାରେ ସୂଚନା ଦିଆଯାଇଛି। ପାକିସ୍ତାନୀ ଆକାଶ ମାର୍ଗ ବନ୍ଦ ରହିବା ଏବଂ ବୋଇଂ ବିମାନର ଉପଲବ୍ଧତା ଅଭାବରୁ ଏହି ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। 

Headlines 05. ଭୋଟ ଚୋରି ଅଭିଯୋଗକୁ କେନ୍ଦ୍ରକରି କଂଗ୍ରେସ ପକ୍ଷରୁ ଆଜି ନୂଆଦିଲ୍ଲୀଠାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସଂସଦ ଭବନଠାରୁ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟାଳୟ ଯାଏ ଏହି ଶୋଭାଯାତ୍ରା ହେବାରେ ଥିଲେ ମଧ୍ୟ ପୁଲିସ ତାଙ୍କୁ ଅଧାରୁ ଅଟକାଇଥିଲା। ୩୦ ସାଂସଦଙ୍କୁ ନିର୍ବାଚନ କମିଶନଙ୍କୁ ଭେଟିବା ଲାଗି ଅନୁମତି ଥିବାବେଳେ ୨୦୦ ସାଂସଦ ନେଇ ଶୋଭାଯାତ୍ରା ଆଗକୁ ବଢ଼ୁଥିବାରୁ ଏପରି ପଦକ୍ଷେପ ନେବାକୁ ପଡ଼ିଥିବା ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି। 

Headlines 06. ଶୋଭାଯାତ୍ରାକୁ ଯିବା ପୂର୍ବରୁ କଂଗ୍ରେସ ଓ ଅନ୍ୟ ସମର୍ଥିତ ଦଳମାନେ ସଂସଦର ଉଭୟ ଗୃହକୁ ଚଳାଇବାକୁ ଦେଇ ନଥିଲେ। ଫଳରେ ବାଚସ୍ପତି ଏହାକୁ ମୁଲତବୀ କରିଥିଲେ। ଅପରାହ୍ଣ ୨ଟା ବେଳେ ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ଗୃହ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ଗୃହରେ ସଂଶୋଧିକ ଆୟକର ବିଧେୟକ- ୨୦୨୫କୁ ଉପସ୍ଥାପନ କରାଯାଇ ପାରିତ କରାଯାଇଥିଲା। ସେହିପରି  କ୍ରୀଡ଼ା ପ୍ରଶାସନ ଆଇନ ଏବଂ ଡୋପିଂ ନିରୋଧ ବିଧେୟକ ୨୦୨୫କୁ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। 

Headlines 07. କିଛିମାସ ତଳେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‍ ଜୟଶଙ୍କର ସାକ୍ଷାତ କରିଥିବା ଚୀନ୍‍ କୂଟନୀତିଜ୍ଞ ଲିୟୁ ଜିଆନ୍‍ସାଓଙ୍କୁ ଚୀନ୍‍ କର୍ତ୍ତୃପକ୍ଷ ଉଠାଇ ନେଇଥିବା ନେଇ ଖବର ସାମ୍ନାକୁ ଆସିଛି। କିଛି ଦିନ ଭିତରେ ସେ ଚୀନର ପରବର୍ତ୍ତୀ ବୈଦେଶିକ ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। 

Headlines 08. ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଫିରିଙ୍ଗିମାଲରେ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ନାବାଳିକାଙ୍କ ମୃତ୍ୟୁ ହୋଇଛି। ତାଙ୍କ ବୟସ ୧୪ ବର୍ଷ। ବାପା ଦାଦନ ଖଟିବାକୁ ଯାଇଥିବା ବେଳେ ଝିଅ ମାମୁଘରେ ରହି ପଢ଼ୁଥିଲେ। କିନ୍ତୁ ଘଟଣାର କାରଣ ଜଣାପଡ଼ି ନାହିଁ। ଗଲା କିଛିଦିନ ଭିତରେ ୪ ଜଣ ଛାତ୍ରୀ ପୋଡ଼ି ହୋଇ ଆତ୍ମହତ୍ୟା କରିବା ଘଟଣା ରାଜ୍ୟରେ ଚର୍ଚ୍ଚିତ ହେଉଛି। 

Headlines 09. ଅକ୍ଟୋବର ୨ ତାରିଖରୁ ରାଜ୍ୟ କଂଗ୍ରେସ ସମ୍ବିଧାନ ବଞ୍ଚାଅ ଅଭିଯାନ ଆରମ୍ଭ କରିବ। ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ୧୪୭ ନିର୍ବାଚନ ମଣ୍ଡଳୀକୁ ଖୋଦ୍‍ ସଭାପତି ବୁଲିବେ ଏବଂ ଲୋକଙ୍କୁ ସଚେତନ କରିବେ ବୋଲି ସୂଚନା ଦେଇଛନ୍ତି। 

Headlines 10. ବିଜେଡି ପକ୍ଷରୁ ନିର୍ବାଚନ ସମୟର ତ୍ରୁଟିକୁ ନେଇ ହାଇକୋର୍ଟରେ ନିବେଦନ କରାଯିବ ବୋଲି ସୂଚନା ଦିଆଯାଇଛି। ୮ ମାସ ତଳେ ଭୋଟ ଅସଙ୍ଗତିକୁ ନେଇ ନିର୍ବାଚନ କମିଶନଙ୍କ ପାଖରେ ମାମଲା ଦାୟର କରାଯାଇଥିଲା। କିନ୍ତୁ ସନ୍ତୋଷଜନକୁ ଉତ୍ତର ନ ମିଳିବାରୁ ଏବେ ଏହି ପଦକ୍ଷେପ ନେବାକୁ ସ୍ଥିର କରାଯାଇଥିବା ବିଜେଡି ପକ୍ଷରୁ କୁହାଯାଇଛି।

;