Odisha Weather Report: ରାଜ୍ୟରେ ଜାରି ରହିଛି ବର୍ଷା । ଲଘୁଚାପ ଜନିତ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଜି(ଶନିବାର)ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ, ଆସନ୍ତୁ ଜାଣିବା ଆଜି କେଉଁସବୁ ଜିଲ୍ଲାରେ ବର୍ଷା ଛେଚିବ।...
ଆଜି ଝାରସୁଗୁଡା, ସମ୍ବଲପୁର ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଢାଳିବ। ଆଭ୍ୟନ୍ତରୀଣ ଓଡ଼଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ରାଜ୍ୟର ସାମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଜରୁରୀ ବୈଠକ କରିଛନ୍ତି। ମହାନଦୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆଶଙ୍କା ରହିଛି। ଏଥିପାଇଁ ଆଗୁଆ ପ୍ରସ୍ତୁତି କରିବାକୁ ରାଜସ୍ବ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବଙ୍ଗୋପସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ପଶ୍ଚିମବଙ୍ଗ ଉପକୂଳ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ବାଂଲାଦେଶ ଉପକୂଳରେ ଏହି ଅବପାତ ସୃଷ୍ଟି ହୋଇଛି।
ଏହା ପ୍ରଭାବରେ ଆଜି(ଶନିବାର) ବରଗଡ଼, ଦେବଗଡ଼ ,କେନ୍ଦୁଝର, ଅନୁଗୁଳ, ସୋନପୁର, ବଲାଙ୍ଗୀର, ନୂଆପଡାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିପରି, ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି।
ଆସନ୍ତାକାଲି ମୟୂରଭଂଜ, କେନ୍ଦୁଝର ଓ ସୁନ୍ଦରଗଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୮ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବି ପ୍ରବଳ ବର୍ଷା ହୋଇପାରେ।
ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ବର୍ଷା ପାଇଁ ସ୍ବତନ୍ତ୍ର ରିଲିଫ୍ କମିଶନର ସମସ୍ତ ବିଭାଗ ସମେତ ବର୍ଷା ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମକୁ ସତର୍କ କରାଇଛନ୍ତି। କୌଣସି ଜରୁରୀ ପରିସ୍ଥିତିକୁ ଏଡାଇବା ପାଇଁ ପ୍ରଶାସନ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ସେପଟେ,ମହନଦୀ ଉପର ମୁଣ୍ତରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାର ବଢିଛି।
ट्रेन्डिंग फोटोज़