BJD Poitics: ସୁଜାତାଙ୍କୁ ଦଳର ସଭାପତି କରିବାକୁ ବିଜେଡିରେ ସଜବାଜ!
Advertisement
Article Detail0/zeeodisha/odisha2877076

BJD Poitics: ସୁଜାତାଙ୍କୁ ଦଳର ସଭାପତି କରିବାକୁ ବିଜେଡିରେ ସଜବାଜ!

ବିଜୁ ଜନତା ଦଳର ମଙ୍ଗ କିଏ ଧରିବେ? କାହାକୁ ମିଳିବ ସୁନା ମୁକୁଟ?

BJD Poitics: ସୁଜାତାଙ୍କୁ ଦଳର ସଭାପତି କରିବାକୁ ବିଜେଡିରେ ସଜବାଜ!

BJD Poitics: ବିଜୁ ଜନତା ଦଳର ମଙ୍ଗ କିଏ ଧରିବେ? କାହାକୁ ମିଳିବ ସୁନା ମୁକୁଟ? ଏ ଚର୍ଚ୍ଚା ଏବେ ସୃଷ୍ଟି ହେବାର କାରଣ ପଛରେ ରହିଛି ଦଳୀୟ କାର୍ଯ୍ୟକ୍ରମରୁ ସଭାପତି ନବୀନଙ୍କ ଦୀର୍ଘଦିନ ହେଲା ଅନୁପସ୍ଥିତି। ରାଜ୍ୟରେ ଏତେଗୁଡ଼ିଏ ଘଟଣା ସରକାରଙ୍କୁ ଘେରୁଥିବାବେଳେ ବିରୋଧୀ ଦଳ ନେତାଙ୍କୁ ଦେଖିବାକୁ ମିଳୁନାହିଁ। ଖାଲି ସାମାଜିକ ଗଣମାଧ୍ୟମରେ କିଛି ଆଲେଖ୍ୟ ଛଡ଼ା ନବୀନଙ୍କ ମୁହଁ ବି ଦିଶୁ ନାହିଁ। ମୁମ୍ବାଇରୁ ଚିକିତ୍ସା ହୋଇ ଫେରିବା ପରେ ନବୀନ ନିଜ ଘରର ଚାରିକାନ୍ଥରେ ବାନ୍ଧି ହୋଇ ରହିଛନ୍ତି। ଏ ମୁହୂର୍ତ୍ତରେ କିଏ ଦଳକୁ ସମ୍ଭାଳିବେ? ଗୋଟିଏ ପଟେ ନବୀନଙ୍କ ସେବକ ପାଣ୍ଡିଆନ୍‍ଙ୍କ ଦଳୀୟ ରାଜନୀତିରେ ସାମୟିକ ନୀରବତା, ଏବଂ ଦଳରେ ଏକତାର ଅଭାବ ଏବେ ଏ ପ୍ରଶ୍ନକୁ ଆନ୍ଦୋଳିତ କରୁଛି। ଏ ଭିତରେ କିନ୍ତୁ ଦଳ ସୁଜାତାଙ୍କୁ ଦଳର ସଭାପତି କରିବା ପାଇଁ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି। 

କିଛିଦିନ ତଳେ ଆମ ଦେଶରେ ସରପଞ୍ଚ ସ୍ୱାମୀଙ୍କୁ ନେଇ ଚର୍ଚ୍ଚା ହେଉଥିଲା। ଅର୍ଥାତ୍‍ ସରକାରଙ୍କ ସଂରକ୍ଷଣ ନୀତିରେ ମହିଳାମାନେ ସିନା ଜନ ପ୍ରତିନିଧି ହେଉଥିଲେ କିନ୍ତୁ ତାଙ୍କ ପତିମାନେ ହେଉଥିଲେ ଅପର୍ଯ୍ୟାପ୍ତ କ୍ଷମତାର ଅଧିକାରୀ। ସେମାନଙ୍କୁ ସରପଞ୍ଚ ସ୍ୱାମୀ ବୋଲି କୁହାଯାଉଥିଲା। ଠିକ୍‍ ସେମିତି ସୁଜାତାଙ୍କ ସ୍ୱାମୀ ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍‍ଙ୍କ କ୍ଷେତ୍ରରେ ଘଟିବାକୁ ଯାଉଥିବା ଚର୍ଚ୍ଚା ହେଉଛି।  ଲୋକେ ଯେମିତି ତାଙ୍କୁ ଅଣ ଓଡ଼ିଆ ଟ୍ୟାଗ୍‍ ଦେଇ ବର୍ଜନ କରିଲେ ତାହାକୁ ଆଉଥରେ ନ ଦୋହରାଇବା ଲାଗି ଏପରି ବାଟ ଆପଣାଯାଉଥିବା କୁହାଯାଉଛି। ଆଉ ଏଥିରେ କିଛି ନେତା ତାଙ୍କୁ ସମର୍ଥନ ବି କରୁଛନ୍ତି। 

ଭୈରବ ଆଉ ନବୀନଙ୍କ ଉତ୍ତରାଧିକାରୀ ଭାବେ ବିଜେଡି ଅଧିଗ୍ରହଣ କରି ପାରିବେ ନାହିଁ। କାରଣ ଖୋଦ୍‍ ସଭାପତି ତାହାକୁ ଗଣମାଧ୍ୟମ ସାମ୍ନାରେ ସ୍ପଷ୍ଟ କରିଛନ୍ତି। ଏହା ପଛରେ ଅନେକ କାରଣ ରହିଛି। ସବୁଠାରୁ ବଡ଼ କାରଣ ହେଉଛି, ପାଣ୍ଡିଆନ୍‍ ଜଣେ ତାମିଲ ବ୍ୟକ୍ତି। ସେ ଓଡ଼ିଆ ଅସ୍ମିତା ଆନ୍ଦୋଳନର ପରିପନ୍ଥୀ ବୋଲି ଅଭିହିତ। ତାଙ୍କୁ ଜନପ୍ରତିନିଧି ଭାବେ ବା ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଲୋକେ ଚାହାନ୍ତି ନାହିଁ। ସେଥିଲାଗି ଯେତେ ନିଷ୍ଠାର ସହ କାମ କରି ନବୀନଙ୍କ ନିକଟବର୍ତ୍ତୀ ହୋଇଥିଲେ ମଧ୍ୟ ନବୀନ ତାଙ୍କୁ ଦଳର ମୁଖ୍ୟ କରିବାକୁ ଚାହିଁ ନାହାନ୍ତି। ଏହାକୁ ମଧ୍‍ୟ ପରୋକ୍ଷରେ ପାଣ୍ଡିଆନ୍‍ ସ୍ୱୀକାର କରିଛନ୍ତି। ସେ ଜଣେ ଅଣ ଓଡ଼ିଆ ହୋଇଥିବାରୁ ସମସ୍ତ ସମାଲୋଚନାର ଶିକାର ହେଉଥିବା କହିଛନ୍ତି। କିନ୍ତୁ ନବୀନଙ୍କ ସେବା କରିବା ଲାଗି ସେ କେବେ ପଛରେ ରହିବେ ନାହିଁ ବୋଲି କହିଛନ୍ତି। 

ଅପରପକ୍ଷେ ସେ ବାହା ହୋଇଛନ୍ତି ଜଣେ ଓଡ଼ିଆ ଅଧିକାରୀଙ୍କୁ। ତାଙ୍କ ନାଁ ସୁଜାତା ରାଉତ ଓରଫ ସୁଜାତା କାର୍ତ୍ତିକେୟ। ଏଣୁ ତାଙ୍କର ଓଡ଼ିଶା ସହ ସମ୍ପର୍କ ଘନିଷ୍ଠ ଥିବା ସ୍ୱଭାବିକ। ନିଜକୁ କେନ୍ଦ୍ରାପଡ଼ାର ଝିଅ ବୋଲି କହୁଥିବା ସୁଜାତା  ଅନେକ ଦିନ ହେଲା ଓଡ଼ିଶା ପ୍ରଶାସନରେ ଗୁରୁ ଦାୟିତ୍ୱ ମଣ୍ଡନ କରିଥିଲେ। ମିଶାନ ଶକ୍ତି ସଚିବ ଭାବେ ସରକାରୀ କଳକୁ ବିଜୁ ଜନତା ଦଳର ଫାଇଦା ପାଇଁ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ଯେତେବଳେ ସରକାର ବଦଳିଥିଲା ସୁଜାତା ଚାକିରିରୁ ସ୍ୱତଃ ଅବସର ନେଇଥିଲେ। ଜଣେ ମହିଳା ଭାବେ ସେ ବିଜେଡିର ସଭାପତି ହେଲେ ରାଜ୍ୟବାସୀ ତାଙ୍କୁ ଗ୍ରହଣ କରିବେ ବୋଲି କିଛି ଗୋଷ୍ଠୀ ନବୀନଙ୍କୁ ପ୍ରଭାବିତ କରୁଥିବା କୁହାଯାଉଛି। ହେଲେ ତାଙ୍କ ପଛରେ ବିବାହ ପରେ ଲାଗିଥିବା ପାଣ୍ଡିଆନ୍‍ ସାଂଜ୍ଞା ହିଁ ତାଙ୍କର ରାଜନୀତିକ ଜୀବନରେ ଶତ୍ରୁ ହୋଇପାରେ। 

ଏହି ତତ୍ତ୍ୱକୁ ସାମ୍ନାକୁ ଆଣିବାକୁ ଚାହିଁଛନ୍ତି ଦଳର ଭେଟେରାନ୍‍ ତଥା ମିଡ୍‍ କ୍ୟାରିୟରର ନେତାମାନେ।  ଏପରିକି ପାଣ୍ଡିଆନ୍‍ଙ୍କ ଅତ୍ୟନ୍ତ ନିକଟତର ଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ନାଁକୁ ଏହି ନେତାମାନେ ସାମ୍ନାକୁ ଆଣୁଛନ୍ତି। ବବି ଓରଫ ପ୍ରଣବ ପ୍ରକାଶ ଦାସ ହେଉଛନ୍ତି ଯାଜପୁରର ଜଣାଶୁଣା ନେତା ଅଶୋକ ଦାସଙ୍କ ପୁଅ। ବାପା କେବେ ବିଜେଡିକୁ ସମର୍ଥନ କରି ନଥିଲେ। କିନ୍ତୁ ବାପା ଥିଲେ ବିଜୁ ବାବୁଙ୍କ ଦୃଢ ସମର୍ଥକ।  ବାପା ମୃତ୍ୟୁ ଶଯ୍ୟାରେ ଥିବାବେଳେ ପୁଅ ବବି ବିଜେଡିରେ ଯୋଗ ଦେଇଥିଲେ। ଏବେ ଯାଏ ସେ ଯାତ୍ରା ରହିଛି। ଏ ଭିତରେ ସେ ବିଧାୟକ ହୋଇଛନ୍ତି, ସାଂସଦ ଭାବେ ଲଢ଼ିଛନ୍ତି। ବିଜେଡିର ସଂଗଠନ ସମ୍ପାଦକ ଭାବେ ଅନେକ ନେତା ତିଆରି କରିଛନ୍ତି ଆଉ ଅନେକଙ୍କ ରୋଷର ଶିକାର ହୋଇଛନ୍ତି। ଏପରିକି ଗତ ନିର୍ବାଚନ ସମୟରେ ଏହି ଉପକୂଳ ନେତାଙ୍କୁ ସମ୍ବଲପୁର ପଠାଇ ତାଙ୍କ କ୍ୟାରିୟରକୁ ପାଣ୍ଡିଆନ୍‍  ଆଘାତ ଦେଇଥିବା ବି ଚର୍ଚ୍ଚା ହୁଏ। ଏହି ଥିଓରୀକୁ ସାମ୍ନାକୁ ଆଣି ବବିଙ୍କ ସପକ୍ଷରେ ମତ ସୃଷ୍ଟି ହେଉଛି। ଅର୍ଥାତ୍‍ ବବିଙ୍କୁ କେନ୍ଦ୍ରକରି ନବୀନଙ୍କଠାରୁ ପାଣ୍ଡିଆନ୍‍ଙ୍କୁ ଦୂରେଇବାକୁ ଏକ ଗୋଷ୍ଠୀ ବିଜେଡିରେ ସକ୍ରିୟ ହୋଇଛି। 

ଏ ଭିତରେ ନବୀନଙ୍କ ସେବକ ବନାମ ବିଜୁ ଲିଗାସୀ ଭିତରେ ମାନସ ମନ୍ଥନ ଚାଲିଛି। ଏହା କେଉଁ ରୂପ ନେଉଛି ତାହା ଆଗାମା ଦିନରେ ତ ସ୍ପଷ୍ଟ ହେବ, କିନ୍ତୁ ଯେତେ ବିଳମ୍ବ ହେବ ବିଜେଡି ସେତେ ଦୁର୍ବଳ ହେବ। ଯେମିତି ଓ୍ୱାକଫ୍‍ ବିଧେୟକ ଓ ଅପରେସନ୍‍  ସିନ୍ଦୁର ଆଲୋଚନା ବିଷୟ ହେଲା ଠିକ୍‍ ସେହିପରି। ଏମାନେ କଂଗ୍ରେସକୁ ସମର୍ଥନ କରିବେ ନା  ବିଜେପିକୁ ତାହା ନେଇ ଦ୍ୱନ୍ଦ୍ୱ ଆହୁରି ଉତ୍କଟ ହେବ। ଦଳ ଭାଙ୍ଗିଯିବାର ଆଶଙ୍କା କରିବା ବି ନୂଆ ହେବ ନାହିଁ।
 

;