Trending Photos
Gajapati News : ଗଜପତି (ପ୍ରେମାନନ୍ଦ ପୂଜାରୀ): ଅନ୍ଧ ବିଶ୍ବାସରକୁ ପରିଣତି ଯୋଗୁଁ ସଭ୍ୟ ସମାଜରେ ପୁଣି ଜଣଙ୍କୁ ଗୁଣିଆ ସନ୍ଦେହରେ ହତ୍ୟା କରି ପୋତିଦେଇଥିବା ଘଟଣା ସାମ୍ନାକୁ ଆସିଛି । ହତ୍ୟା ପରେ ଅପରାଧ ଲୁଚାଇବାକୁ ଯାଇ ମୃତ ଶରୀର କୁ ମାଟି ରେ ପୋତି ଦେଇଥିଲେ ଗାଁ ଲୋକେ । ଘଟଣା ର ମନା ଘନା ପରେ ଘଟଣାର ୧୦ ଦିନ ପରେ ମାଟି ତଳୁ ପୋତାଯାଇ ଥିବା ଶବ କୁ ଉଦ୍ଧାର କରିଛି ପୋଲିସ। ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କମଳପୁର ଗାଁରେ । ଜିରାଙ୍ଗ ପଞ୍ଚାୟତ କମଳପୁର ଗାଁର କରୁଣାକର ଦଳାଇ(୩୦)ଙ୍କୁ ହତ୍ୟା କରି ଶବକୁ ଜଙ୍ଗଲରେ ପୋତି ଦେଇଥିଲେ ଗାଁ ଲୋକେ । ହତ୍ୟା ମାମଲାରେ ପୁଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟା ଅଭିଯୁକ୍ତମାନେ ହେଲେ କୁସୁମପୁର ଗାଁର ଚୈତନ୍ୟ ମଳିକ (୨୦), ଦାମୋଦର ମଳିକ (୨୯), କିଶୋର ମଳିକ (୨୭), ସନ୍ତୋଷ ମଳିକ (୩୫), ମୋହନ ମଳିକ (୨୫), ତୁମ୍ବନାଥ ମଳିକ (୨୪), ବନମାଳୀ ମଳିକ (୩୨), କାଳିଆ ମଳିକ (୪୫) ଓ ଲଛମନ ମଳିକ (୨୪) । ଏହି ଘଟଣାରେ ଆଉ କିଛି ଅଭିଯୁକ୍ତଙ୍କ ସଂପୃକ୍ତି ରହିଥିବା ବେଳେ ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ମୋହନା ଥାନାଧିକାରୀ ବସନ୍ତ ସେଠୀ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ମୋହନା ତହସିଲଦାର ଚକ୍ରଧର ପାଢ଼ୀ ଓ ସାଇଣ୍ଟିଫିକ ଟିମ୍ର ଉପସ୍ଥିତିରେ ମାଟି ଖୋଳି କରୁଣାକରଙ୍କ ଶବକୁ ଉଦ୍ଧାର କରାଯାଇଛି । ଅଭିଯୁକ୍ତମାନଙ୍କୁ ନେଇ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ୍ କରାଯାଇଛି I ହତ୍ୟାରେ ବ୍ୟବହୃତ ବିଭିନ୍ନ ମାରଣାସ୍ତ୍ର, କୋଡ଼ି ଓ ଶାବଳ ଜବତହୋଇଛି । ଏନେଇ କେସ୍ ନମ୍ବର ୧୧୮/୨୫ ରେ ଏକ ମାମଲା ରୁଜୁ ସହ ତଦନ୍ତ ଚାଲିଥିବା ଥାନାଧିକାରୀ କହିଛନ୍ତି । ଜିରାଙ୍ଗ ପଞ୍ଚାୟତ କମଳପୁର ଗାଁର ମୂଳବାସିନ୍ଦା କରୁଣାକର ଗତ ୮ ମାସ ହେଲା କୁସୁମପୁର ଗାଁରେ ରହୁଥିଲେ। ଗାଁ ଠାରୁ କିଛି ଦୂର ଏକ କୁଡ଼ିଆରେ ରହିବା ସହ ଚାଷକାମ କରୁଥିଲେ । ଏଥିସହ ଲୋକଙ୍କୁ ଚେରମୂଳି ଔଷଧ ଦେଉଥିଲେ । କିଛିଦିନ କୁସୁମପୁର ଗାଁର ନିରଞ୍ଜନ ମଳିକଙ୍କ ୧୨ ବର୍ଷର ନାବାଳକ ପୁଅକୁ କୁକୁର କାମୁଡ଼ିଥିଲା ଏଥିପାଇଁ କରୁଣାକରଙ୍କୁ ଚେରମୂଳି ଔଷଧ ଦେବା ପାଇଁ ଡକାଯାଇଥିଲା ଔଷଧ ଦେଇଥିବା ସତ୍ତ୍ବେ କିଛି ଦିନ ପରେ ନାବାଳକର ମୃତ୍ୟୁ ଘଟିଥିଲା । କରୁଣାକର ହିଁ ଗୁଣି କରି ନାବାଳକକୁ ମାରିଦେଇଥିବା ପରିବାରବର୍ଗ ଓ ଗ୍ରାମବାସୀ ସନ୍ଦେହ କରିଥିଲେ। ଯାହାକୁ ନେଇ ଗାଁରେ ବୈଠକ ବସିଥିଲା । ଏହାପରେ କରୁଣାକରଙ୍କୁ ଗ୍ରାମବାସୀ ନିଯୁକ ମାଡ଼ ମାରିବା ସହ ଗାଁ ଛାଡ଼ି ପଳାଇବାକୁ ଚେତାବନା ଦେଇଥିଲେ ।
ଗତମାସ ୨୮ ତାରିଖରେ ଗାଁର ଦୁଇଜଣ ଲୋକ ଚେରମୂଳି ଔଷଧ ଦେବାକୁ କରୁଣାକରଙ୍କୁ ଡାକିଥିଲେ ଅଙ୍ଗନବାଡ଼ି କେନ୍ଦ୍ରରେ ତାଙ୍କୁ ଗ୍ରାମବାସୀ ରଖି ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ପ୍ରବଳ ମାଡ଼ରେ କରୁଣାକରଙ୍କ ମୃତ୍ୟୁ ଘଟିଥିଲା ଏହାପରେ ଶବକୁ ସେମାନେ ଗାଁ ଠାରୁ ଦେଢ଼ କିଲୋମିଟର ପାହାଡ଼ ଉପରକୁ ନେଇ ପୋତି ଦେଇଥିଲେ | କରୁଣାକରଙ୍କ ପରିବାରବର୍ଗ ଖୋଜାଖୋଜି ଆରମ୍ଭ କରିବା ସହ ଗ୍ରାମବାସୀଙ୍କୁ ପଚରାଉଚରା କରିଥିଲେ । ତେବେ ତାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ନେଇ ଭାଉଜ ସବିତା ଦଳାଇ ମୋହନା ଥାନାରେ ଏତଲା ଦେବା ପରେ ପୁଲିସ କୁସୁମପୁର ଗାଁରେ ପହଞ୍ଚି ତନାଘନା କରିଥିଲା । ୮ ଜଣଙ୍କୁ ଉଠାଇ ନେଇ ପଚରା ଉଚରା କରିଥିଲା। ଗୁରୁବାର ଶବକୁ ମାଟିତଳୁ ବାହାରି କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିବା ସହ ୯ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ତେବେ ଏଭଳି ଘଟଣା ମୋହନା ଅଞ୍ଚଳରେ ବାରମ୍ବାର ଘଟି ଆସୁଥିବା ବେଳେ ପୋଲିସ ର ଆବଶ୍ୟକତା ସଚେତନତା ର ଅଭାବ ରହିଛି।