ପ୍ରଶ୍ନ ଉଠୁଛି ଯେତେବେଳେ ଯୁବା ବର୍ଗଙ୍କୁ ଚାକିରିରୁ ଛଟେଇ କରି ସରକାରଙ୍କ ଅର୍ଥ ବଞ୍ଚାଇବାକୁ ଚାହୁଁଥିବା ଏ ଅଧିକାରୀ ଏବେ ଅବସର ପରେ ସରକାରଙ୍କ ଏକ ପଦବୀକୁ ମେଧା ଦୃଷ୍ଟିରୁ ଉନ୍ନତ ପ୍ରାର୍ଥୀଙ୍କ ପାଇଁ ରୋକ୍ ଲଗାଉ ନାହାନ୍ତି କି?
Trending Photos
Odisha Politics: ଭୁବନେଶ୍ୱର: ସବୁକଥାରେ ମିଡିଆ ସାମ୍ନାରେ ମୁହଁ ଦେଖାଇବାକୁ ଭଲ ପାଉଥିବା ରାଜ୍ୟର ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବେ ସରକାରୀ ଆଭିମୁଖ୍ୟ ବାହାରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି। ଖାଲି ସେତିକି ନୁହେଁ ନିଜ ବିଭାଗର କାମକୁ ବିଭାଗ ଦ୍ୱାରା ସୃଷ୍ଟି ଏଜେନ୍ସୀ ମାଧ୍ୟମରେ କରିବାକୁ ଉଚିତ ଭାବୁଛନ୍ତି। ସେଥିଲାଗି ସମ୍ପୃକ୍ତ ଏଜେନ୍ସୀ ବି ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେବା ଆରମ୍ଭ କରିଛି। ନିକଟରେ ଓଡ଼ିଶା କୋଠା ଓ ରାସ୍ତା ନିର୍ମାଣ ଏଜେନ୍ସୀ ( ଓବିସିସି) ଦ୍ୱାରା ଓଡ଼ିଶା ରାଜପଥ ପ୍ରାଧୀକରଣରେ କନ୍ସଲଟାଣ୍ଟ ନିଯୁକ୍ତି ଆଦେଶ ବିଜ୍ଞପ୍ତି ପ୍ରକାଶନ ଏହାକୁ ସ୍ପଷ୍ଟ କରୁଛି।
ଏପ୍ରିଲ ୮ ତାରିଖରେ ଓବିସିସିର ବିଜ୍ଞପ୍ତି ଅନୁସାରେ ଜଣେ ଅବସରପ୍ରାପ୍ତ ମୁଖ୍ୟ ଇଞ୍ଜିନିୟରଙ୍କୁ ପୁଣିଥରେ ନିଯୁକ୍ତି ପ୍ରଦାନ କରାଯାଇଛି। ଅର୍ଥାତ୍ ଗଳାବାଟ ଦେଇ ଜଣେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ପୁଣିଥରେ ବିଭାଗରେ ପ୍ରବେଶ କରିଛନ୍ତି। ନବୀନ ସରକାରରେ ଏ ଭଳି ଘଟଣା ଅତ୍ୟନ୍ତ ଉତ୍କଟ ହେଉଥିବାରୁ ଅନେକ ଅଭିଯୋଗ ଆସିଥିଲା। ଏଣୁ ପ୍ରତି ବିଭାଗରେ ଠିକାରେ ନିଯୁକ୍ତି ପାଇଁ କଟକଣା ଜାରି କରିଥିଲେ ମୋହନ ମାଝିଙ୍କ ସରକାର। ହେଲେ ପୃଥ୍ୱିରାଜଙ୍କ ପୂର୍ତ୍ତ ବିଭାଗ ମୋହନଙ୍କ ଏହି ଆଦେଶକୁ ଅମାନ୍ୟ କରୁଥିବା ସ୍ପଷ୍ଟ ହୋଇଛି।
ଅବସରକାଳୀନ ଫାଇଦା ସହ ପୁଣିଥରେ ସରକାରଙ୍କଠାରୁ ଲକ୍ଷାଧିକ ଟଙ୍କା ମାସିକ ଆୟ କରିବା ଲାଗି ବାଟ ଫିଟାଇଥିବା ଏହି ଯନ୍ତ୍ରୀ ଜଣକ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ସରକାରଙ୍କ ଅନୁକମ୍ପାମୂଳକ ସହାୟତାକୁ ନେଇ ୫ ପ୍ରତିଶତ କୋଟା ଆଧାରରେ ଜଣେ ଡିଗ୍ରୀଧାରୀ ଜେଇ ଶ୍ରୀ ମହାପାତ୍ରଙ୍କୁ ଇଆଇସି ଅର୍ଥାତ୍ ପ୍ରମୁଖ ଇଞ୍ଜିନିୟର ପଦବୀ ପ୍ରାପ୍ତ ହୋଇପାରିଥିଲା। ସରଳ ଭାଷାରେ କହିଲେ, ଜଣେ ଜୁନିୟର ଇଞ୍ଜିନିୟରରୁ ଡେପ୍ୟୁଟେସନରେ ଯାଇ ସେ ଶେଷ ଚାକିରିରେ ଇଆଇସି ପଦବୀ ହାସଲ କରିଥିଲେ। ଅର୍ଥାତ୍ ସେ ଜଣେ ବିଶେଷଜ୍ଞ ହୋଇ ନପାରନ୍ତି ବୋଲି ବି ଅଭିଯୋଗ ହୋଇଛି କାରଣ ତାଙ୍କର କ୍ଷେତ୍ରରେ ଅଭିଜ୍ଞତା ଅତ୍ୟନ୍ତ କ୍ଷୀଣ। ଅପରପକ୍ଷେ ଅବସର ନେବା ପରେ ସେ ସରକାରଙ୍କ ଅବସରକାଳୀନ ପେନସନ୍ ଓ ଅନ୍ୟ ସୁବିଧା ପାଉଛନ୍ତି। କିନ୍ତୁ ସରକାରୀ ଅଳିନ୍ଦର କ୍ଷମତାକୁ ହାତଛଡ଼ା କରିପାରୁ ନଥିବା ଅଭିଯୋଗ ହୋଇଛି। ସେଥିଲାଗି ସେ ଏବେ ରାଜ୍ୟ ରାଜପଥ ପ୍ରାଧୀକରଣର ଟେକ୍ନିକାଲ୍ ବିଶେଷଜ୍ଞ ଭାବେ ପଛଦ୍ୱାର ଦେଇ ନିଯୁକ୍ତି ହାତେଇଥିବା ଅଭିଯୋଗ ହୋଇଛି।
ଅବସର ପରେ ତାଙ୍କର ଚୁକ୍ତି ଭିତ୍ତିକ ନିଯୁକ୍ତି ଯେମିତି ସରକାରଙ୍କ ଆଭିମୁଖ୍ୟକୁ କ୍ଷୁର୍ଣ୍ଣ କରୁଛି ଠିକ୍ ସେହିପରି ପୂର୍ତ୍ତ ବିଭାଗର କିଛି ହାତଗଣତି ଅଧିକାରୀଙ୍କ ଲବିକୁ ପଦାରେ ପକାଇଛି। ତାଙ୍କୁ ଓବିସିସିର ପରିଚାଳନା ନିର୍ଦ୍ଦେଶକ ତଥା ପୂର୍ତ୍ତ ବିଭାଗର ଇଆଇସି ପାହ୍ୟାର ଏବେକାର ଇଞ୍ଜିନିୟର ଠିକାରେ ନିଯୁକ୍ତି ଦେଇଛନ୍ତି। ପୁଣି ଏହି ନିଯୁକ୍ତି ହୋଇଛି ପୂର୍ତ୍ତ ବିଭାଗ ଦ୍ୱାରା ଗଠିତ ଆଉ ଏକ ଏଜେନ୍ସୀ ରାଜପଥ ପ୍ରାଧୀକରଣ ଲାଗି। ଏଠାରେ ପ୍ରଶ୍ନ ଉଠୁଛି ବିଭାଗର କ୍ଷମତାପ୍ରାପ୍ତ ଅଧିକାରୀ ଓ ସଚିବ ଥାଉ ଥାଉ ଗୋଟିଏ ଏଜେନ୍ସୀର ପରିଚାଳନା ନିର୍ଦ୍ଦେଶକ କିପରି ଅନ୍ୟ ଏକ ଏଜେନ୍ସୀରେ କର୍ମଚାରୀ ନିଯୁକ୍ତି କରିବେ? ତାଙ୍କୁ ଏଥିଲାଗି କ୍ଷମତା ଦେଲା କିଏ?
ପୁଣି କେବଳ ନିଯୁକ୍ତି ନୁହେଁ ନିଯୁକ୍ତି ଦେଇଥିବା ଏଜେନ୍ସୀର ପରିଚାଳନା ନିର୍ଦ୍ଦେଶକ ସରକାରଙ୍କୁ ତାଙ୍କ ବିଶେଷଜ୍ଞ ପ୍ରାପ୍ୟ ଆକାରରେ ଦୈନିକ ୧୦ ହଜାର ଟଙ୍କା ଦେବାକୁ ଆଦେଶ ଦେଇଛନ୍ତି। ଅର୍ଥାତ୍ ଯଦି ମାସକୁ ୨୦ ଦିନ ବି ସେ ସେବା ପ୍ରଦାନ କରିବେ ତେବେ ତାଙ୍କ ଗସ୍ତ ଖର୍ଚ୍ଚ ଓ ପ୍ରାପ୍ୟ ବାବଦରେ ସେ ୨ ଲକ୍ଷ ଟଙ୍କା ରୋଜଗାର କରିବେ। ପୁଣି ଏଥିଲାଗି ଉଦ୍ଦିଷ୍ଟ କର ଅଲଗାଭାବେ ସରକାର ପ୍ରଦାନ କରିବାକୁ ବ୍ୟବସ୍ଥା ରହିଛି। ଚାକିରି ଥିବା ସମୟରେ ତାଙ୍କ ଶେଷ ଦରମାଠାରୁ ବି ଏହା ଅଧିକ ହେବ। ଏହା ଦିନ ଦ୍ୱିପ୍ରହରରେ ରାଜ୍ୟବାସୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜିବା ନୁହେଁ କି?
ଆଉ ଏକ କଥା ବି ଆଲୋଚନା ହେଉଛି। ଶ୍ରୀ ମହାପାତ୍ର ଯେତେବେଳେ ନିଜର ସରକାରୀ ପଦବୀ ଭୋଗ କରୁଥିଲେ ସେତେବେଳେ ଚୁକ୍ତି ଭିତ୍ତିକ ନିଯୁକ୍ତିକୁ ବିରୋଧ କରି ନୂଆକରି କ୍ଷମତାକୁ ଆସିଥିବା ସରକାରରେ ନିଜ ବିଭାଗର ୨୬ ଜଣ ତଳିଆ କର୍ମଚାରୀଙ୍କ ଚାକିରି ଛଟେଇ ପାଇଁ ସୁପାରିସ କରିଥିଲେ। ଏମାନେ ସମସ୍ତେ ଡାଟା ଏଣ୍ଟ୍ରି ଅପରେଟର ବା ପ୍ରକଳ୍ପ ସହାୟକ ଭାବେ ନିଯୁକ୍ତ ଥିଲେ। ଆର୍ଥିକ ବୋଝ କାରଣରୁ ଏମାନଙ୍କୁ ଚାକିରିରୁ ବାହାର କରିବାକୁ କୁହାଯାଇଥିଲା।
ପ୍ରଶ୍ନ ଉଠୁଛି ଯେତେବେଳେ ଯୁବା ବର୍ଗଙ୍କୁ ଚାକିରିରୁ ଛଟେଇ କରି ସରକାରଙ୍କ ଅର୍ଥ ବଞ୍ଚାଇବାକୁ ଚାହୁଁଥିବା ଏ ଅଧିକାରୀ ଏବେ ଅବସର ପରେ ସରକାରଙ୍କ ଏକ ପଦବୀକୁ ମେଧା ଦୃଷ୍ଟିରୁ ଉନ୍ନତ ପ୍ରାର୍ଥୀଙ୍କ ପାଇଁ ରୋକ୍ ଲଗାଉ ନାହାନ୍ତି କି?