Odisha News: ‘ଆୟୂର୍ବେଦ ହେଉଛି ଭାରତର ଗର୍ବ’
Advertisement
Article Detail0/zeeodisha/odisha2859159

Odisha News: ‘ଆୟୂର୍ବେଦ ହେଉଛି ଭାରତର ଗର୍ବ’

କଟକ: “ଆୟୂର୍ବେଦ ହେଉଛି ଭାରତର ଗର୍ବ ଓ ପରିଚୟ । ତେବେ ଯୋଗ ପରି ଏହାର ସମ୍ପୂର୍ଣ୍ଣ ସ୍ୱୀକୃତି ଆବଶ୍ୟକ । ଏଥିସହ କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ବିଶ୍ୱବିଖ୍ୟାତ ଚରକ ସଂହିତାର ପ୍ରଚାର ପ୍ରସାର ସମ୍ଭବ ।” ସୋମବାର ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଛଅ ଦିନିଆ ଆୟୂର୍ବେଦ ସମ୍ମିଳନୀ ‘ଚରକାୟତନ’ର ଉଦଘାଟନୀ ଉତ୍ସବରେ ଆଭାସୀ ମାଧ୍ୟମରେ କିଛି

Odisha News: ‘ଆୟୂର୍ବେଦ ହେଉଛି ଭାରତର ଗର୍ବ’

Odisha News: କଟକ: “ଆୟୂର୍ବେଦ ହେଉଛି ଭାରତର ଗର୍ବ ଓ ପରିଚୟ । ତେବେ ଯୋଗ ପରି ଏହାର ସମ୍ପୂର୍ଣ୍ଣ ସ୍ୱୀକୃତି ଆବଶ୍ୟକ । ଏଥିସହ କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ବିଶ୍ୱବିଖ୍ୟାତ ଚରକ ସଂହିତାର ପ୍ରଚାର ପ୍ରସାର ସମ୍ଭବ ।” ସୋମବାର ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଛଅ ଦିନିଆ ଆୟୂର୍ବେଦ ସମ୍ମିଳନୀ ‘ଚରକାୟତନ’ର ଉଦଘାଟନୀ ଉତ୍ସବରେ ଆଭାସୀ ମାଧ୍ୟମରେ କିଛି ଏହିପରି କହିଛନ୍ତି ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର । ଛଅ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଚରକ ସଂହିତା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସର୍ବଭାରତୀୟ ଆୟୂର୍ବେଦ କଂଗ୍ରେସର ସଭାପତି ପଦ୍ମଭୂଷଣ ଦେବେନ୍ଦ୍ର ତ୍ରିଗୁଣା ସାରା ଦୁନିଆଁ କିଭଳି ଆୟୂର୍ବେଦ ପ୍ରତି ଆକୃଷ୍ଟ ହେଉଛି, ସେକଥା କହିଥିଲେ । ଏଥିସହ ଭାରତର, ବିଶେଷକରି ରାଷ୍ଟ୍ରୀୟ ଆୟୂର୍ବେଦ ବିଦ୍ୟାପୀଠର ମେଧାବୀ ବିଦ୍ଯାର୍ଥୀମାନେ କିଭଳି ସାରା ବିଶ୍ୱର ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଆୟୂର୍ବେଦର ପ୍ରସାର ପାଇଁ ଚୁକ୍ତିନାମା ସ୍ୱାକ୍ଷର (ଏମ୍ଓୟୁ) କରୁଛନ୍ତି, ତାହା ବର୍ଣ୍ଣନା କରିଥିଲେ ।ଦେଶ ତଥା ଦେଶ ବାହାରେ କ୍ରମେ ଆୟୂର୍ବେଦ ଆଦୃତ ହେଉଥିବା ବେଳେ ଧୀରେଧୀରେ ଯୋଗ ପରି ଏହାର ଉତ୍କୃଷ୍ଟ ଗୁଣକୁ ମଧ୍ୟ ଲୋକେ ଆପଣେଇବାକୁ ଲାଗିଲେଣି ବୋଲି ସେ କହିଥିଲେ ।

ଉଦଘାଟନୀ ଉତ୍ସବରେ ଶ୍ରୀ ଶ୍ରୀ କଲେଜଅଫ୍ ଆୟୂର୍ବେଦିକ ସାଇନ୍ସ ଆଣ୍ଡ ରିସର୍ଚ୍ଚ ହସ୍ପିଟାଲ କର୍ତ୍ତୃପକ୍ଷଙ୍କର ତିନିଟି ପୁସ୍ତକ ଉନ୍ମୋଚିତ ହୋଇଥିଲା ।‘ଚରକାୟତନ’ ସମ୍ମିଳନୀରେ ପ୍ରାୟ ଦେଢ଼ଶହରୁ ଊର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ଆସନ୍ତା ଅଗଷ୍ଟ 2 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଆୟୂର୍ବେଦ ଛାତ୍ରଛାତ୍ରୀ ଓ ଏ ଦିଗରେ ଆଗ୍ରହୀ ବ୍ୟକ୍ତିବିଶେଷଙ୍କ ପାଇଁ ଗୁରୁତ୍ୱ ସହକାରେ ଚରକ ସଂହିତାର ତଥ୍ୟ ସମ୍ବଳିତ ଅଧ୍ୟୟନ ଓ ପର୍ଯ୍ୟବେକ୍ଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ ଉତ୍ସବରେ ନିଜ ନିଜ କ୍ଷେତ୍ରରେ ଅନନ୍ୟ କୃତି ନିମନ୍ତେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କ୍ରମରେ ମୁଖ୍ୟ ଅତିଥି ପଦ୍ମଭୂଷଣ ଦେବେନ୍ଦ୍ର ତ୍ରିଗୁଣା, ରାଷ୍ଟ୍ରୀୟ ଆୟୂର୍ବେଦ ବିଦ୍ୟାପୀଠର ନିର୍ଦ୍ଦେଶିକା ଡ. ବନ୍ଦନା ସିରୋହା, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଲପତି ପ୍ରଫେସର ତେଜପ୍ରତାପ, ସଭାପତି ପ୍ରଫେସର ରଜିତା କୁଲକର୍ଣ୍ଣୀ, ବିଭାଗୀୟ ଡିନ୍ ଡ. ପ୍ରଦୀପ କୁମାର ପଣ୍ଡା ଏବଂ ଡେପୁଟି ଡିନ୍ ଡ. ଦୁର୍ଗାପ୍ରସାଦ ପଣ୍ଡାଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ଉତ୍ତରୀୟ ଓ ସ୍ମାରକୀ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ।

କେନ୍ଦ୍ର ସରକାରଙ୍କ ଆୟୂଷ ମନ୍ତ୍ରାଳୟ ପକ୍ଷରୁରାଷ୍ଟ୍ରୀୟ ଆୟୂର୍ବେଦ ବିଦ୍ୟାପୀଠ ଦ୍ୱାରା‘ଚରକାୟତନ’ଆୟୋଜିତ ହେଉଥିବା ବେଳେ ଏଥିରେ ସର୍ବଭାରତୀୟ ଆୟୂର୍ବେଦ କଂଗ୍ରେସର ସଭାପତି ପଦ୍ମଭୂଷଣ ଦେବେନ୍ଦ୍ର ତ୍ରିଗୁଣାଙ୍କ ସହ ରାଷ୍ଟ୍ରୀୟ ଆୟୂର୍ବେଦ ବିଦ୍ୟାପୀଠର ନିର୍ଦ୍ଦେଶିକା ଡ. ବନ୍ଦନା ସିରୋହା, କେନ୍ଦ୍ର ସରକାରଙ୍କ ଆୟୂଷ ମନ୍ତ୍ରାଳୟ ଉପନିର୍ଦ୍ଦେଶକ ସତ୍ୟଜିତ ପାଲ୍, ନ୍ୟାସନାଲ କମିଶନ ଫର୍ ଇଣ୍ଡିଆନ୍ ସିଷ୍ଟମ୍ ଅଫ୍ ମେଡିସିନ୍ସ (ଏନସିଆଇଏସ୍ଏମ୍)ର ଅଧ୍ୟକ୍ଷ ଡ. ବି. ଏଲ୍. ମେହରା, ସେଣ୍ଟ୍ରାଲ କାଉନସିଲ୍ ଫର୍ ରିସର୍ଚ୍ଚ ଇନ୍ ଆୟୂର୍ବେଦିକ୍ ସାଇନ୍ସେସ୍ (ସିସିଆରଏସ୍)ର ଡାଇରେକ୍ଟର ଜେନେରାଲ୍ ରବିନାରାୟଣ ଆଚାର୍ଯ୍ୟ, ଶ୍ରୀ ଶ୍ରୀ ତତ୍ତ୍ୱର ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ବର୍ଚ୍ଚସ୍ୱୀ, ରାଷ୍ଟ୍ରୀୟ ଆୟୂର୍ବେଦ ବିଦ୍ୟାପୀଠର ଗଭର୍ଣ୍ଣିଂ ବଡି ସଦସ୍ୟ ଡ. ମନୋଜ ନେସାରୀ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ଡ. ରଜିତା କୁଲକର୍ଣ୍ଣୀଙ୍କ ସମେତ ବହୁ ଦିଗ୍ ଗଜ ଯୋଗ ଦେଇଛନ୍ତି ।ସୁରୁଖୁରୁରେ ସମ୍ମିଳନୀଟିର ସମାପନ ନିମନ୍ତେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାମାନଙ୍କର ନିରବଚ୍ଛିନ୍ନ ପ୍ରୟାସକୁ କୁଳପତି ପ୍ରଫେସର ତେଜପ୍ରତାପ, କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ, ବିଭାଗୀୟ ଡିନ୍ ଡ. ପ୍ରଦୀପ ପଣ୍ଡା, ଡେପୁଟି ଡିନ୍ ଡ. ଦୁର୍ଗାପ୍ରସାଦ ଦାଶ ପ୍ରମୁଖ ସାଧୁବାଦ ଦେଇଛନ୍ତି । ଏହି ଅବସରରେ ସମଗ୍ର ବିଶ୍ୱରେ ଏକ ନିରାମୟ ସମାଜ ଗଠନ ସହ ଚଳିତ ଶତାବ୍ଦୀରେ ଯୋଗ ଭଳି ଆୟୂର୍ବେଦକୁ ମଧ୍ୟ ଉପଯୁକ୍ତ ମାନ୍ୟତା ମିଳିବ ବୋଲି ମତ ପ୍ରକାଶ ପାଇଛି । 

ବର୍ତ୍ତମାନ ସାରା ଦୁନିଆଁ କ୍ରମଶଃ ପୁରାତନକୁ ଉପଲବ୍ଧି କରି ଏହାର ଭଲଦିଗକୁ ଖୋଜିବାରେ ଲାଗିଥିବା ବେଳେ ସାମଗ୍ରିକ ଭାବରେ ପ୍ରାକୃତିକ ଓ ସ୍ଥାୟୀ ଉପାୟରେ ବିଭିନ୍ନ ରୋଗର ଆରୋଗ୍ୟ ଅନୁସନ୍ଧାନ କରୁଛି । ଚରକାୟତନ ସମ୍ମିଳନୀରୁ ବାହାରିବାକୁ ଥିବା ନିଷ୍କର୍ଷ ଅତ୍ୟନ୍ତ ସ୍ପଷ୍ଟ । ଏହା ଗଭୀର ଜ୍ଞାନଯୁକ୍ତ ଓ ବୈଜ୍ଞାନିକ ଆଧାରବିଶିଷ୍ଟ ଆୟୂର୍ବେଦ ରୂପରେ ଏକ ସୁସ୍ଥ ମାନବ ସମାଜ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାରେ ସହାୟକ ହୋଇପାରିବ । ଚରକାୟତନ ସମ୍ମିଳନୀରେ ଯୋଗ ଭଳି ଆୟୂର୍ବେଦକୁ ମଧ୍ୟ ଲୋକପ୍ରିୟ କରାଯିବାକୁ ସମସ୍ତ ପ୍ରକାର ପଦକ୍ଷେପ ଆପଣାଇବାକୁ ଉଦ୍ୟମ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଏଥିସହ ଏକବିଂଶ ଶତାବ୍ଦୀରେ ଆୟୂର୍ବେଦ ତାହାର ଯଥୋଚିତ ସମ୍ମାନ ପାଇବ ବୋଲି ଆୟୋଜକମାନେ ଆଶାବାଦୀ ଅଛନ୍ତି ବୋଲି କହିଥିଲେ ।

;