Odisha News: ଚଢ଼େଇମରା ଗାଁକୁ ନାହିଁ ପକ୍କା ରାସ୍ତା ,ହଟହଟା ଗ୍ରାମବାସୀ
Advertisement
Article Detail0/zeeodisha/odisha2877031

Odisha News: ଚଢ଼େଇମରା ଗାଁକୁ ନାହିଁ ପକ୍କା ରାସ୍ତା ,ହଟହଟା ଗ୍ରାମବାସୀ

Odisha News: ବିକାଶ ଆଢ଼ୁଆଳରେ ରହିଛି ଚଢ଼େଇମରା ଗ୍ରାମ । ଦେଶ ସ୍ୱାଧୀନ ହେବାର ୭୮ ବର୍ଷ ହେଲାଣି କିନ୍ତୁ ଗାଁରେ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟି ହୋଇପାରିଲା ନାହିଁ । ଏହି କଥା ଆମେ କହୁନୁ,ଯେଉଁମାନେ ଏହି ଗାଁ ରେ ବସବାସ କରୁଛନ୍ତି ସେମାନେ କହୁଛନ୍ତି । 

Odisha News: ଚଢ଼େଇମରା ଗାଁକୁ ନାହିଁ ପକ୍କା ରାସ୍ତା ,ହଟହଟା ଗ୍ରାମବାସୀ

ଗଜପତି( ପ୍ରେମାନନ୍ଦ ପୂଜାରୀ) : ବିକାଶ ଆଢ଼ୁଆଳରେ ରହିଛି ଚଢ଼େଇମରା ଗ୍ରାମ । ଦେଶ ସ୍ୱାଧୀନ ହେବାର ୭୮ ବର୍ଷ ହେଲାଣି କିନ୍ତୁ ଗାଁରେ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟି ହୋଇପାରିଲା ନାହିଁ । ଏହି କଥା ଆମେ କହୁନୁ,ଯେଉଁମାନେ ଏହି ଗାଁ ରେ ବସବାସ କରୁଛନ୍ତି ସେମାନେ କହୁଛନ୍ତି । ଗାଁଟି ବ୍ରହ୍ମପୁର ମହାନଗର ନିଗମ ଠାରୁ ମାତ୍ର ୭ କିଲୋମିଟର ଦୂରତା ରେ ଅବସ୍ଥିତ । ଗାଁ ରେ ୮୦ ଟି ଘର ରହିଛି କିନ୍ତୁ ଗ୍ରାମର ଏପରି ଶୋଚ୍ଚନୀୟ ଅବସ୍ଥା ହେତୁ ଗ୍ରାମ ଛାଡ଼ି ବାହାରେ ବସବାସ କରୁଛନ୍ତି ଗ୍ରାମବାସୀ । ନାଁ ଅଛି ଗମନା ଗମନର ସୁବିଧା, ନାଁ ଅଛି ରାସ୍ତା ପାର୍ଶ୍ବରେ ଆଲୋକିକରଣର ବ୍ୟବସ୍ଥା, ଯାହାକୁ ନେଇ ପ୍ରାଥମିକ ଶିକ୍ଷାର ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଏହା ସହ ପାନୀୟ ଜଳର ଘୋର ଅଭାବ ରହିଛି । 

ତେଣୁ ବାଧ୍ୟ ହୋଇ ଗାଁ ଛାଡ଼ି ଅନ୍ୟତ୍ର ବସବାସ କରୁଛନ୍ତି ଲୋକେ । ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ର ଅଙ୍କୁଶପୁର ପଞ୍ଚାୟତ ଅନ୍ତର୍ଗତ ଚଢ଼େଇମରା ଗ୍ରାମର ସମସ୍ୟା । ଦୀର୍ଘଦିନ ହେଲାଣି ଗ୍ରାମବାସୀ ପକ୍କା ରାସ୍ତା ନିର୍ମାଣ ନିମନ୍ତେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ ଅଧିକାରୀ , ବିଧାୟକ,ସାଂସଦଙ୍କ ସମେତ ଜିଲ୍ଲାପାଳଙ୍କୁ ଅନୁରୋଧ କରିବା ସହ ଦାବିପତ୍ର ପ୍ରଦାନ କରିଆସୁଛନ୍ତି । ହେଲେ ପ୍ରତିଶ୍ରୁତି ବଦଳରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନ ଥିବା ଆଜିମଧ୍ୟ ପରିଲିକ୍ଷିତ ହେଉଛି । ବର୍ଷା ଦିନରେ ରାସ୍ତାର ଅବସ୍ଥା ଯାହା କହିଲେ ନସରେ, ଖାଲ-ଢିପ କାଦୁଆ ରାସ୍ତା । ପ୍ରତିଦିନ ଗ୍ରାମବାସୀ ଦୈନନ୍ଦିନ ଯାତାୟତ ନିମନ୍ତେ ଏହି ଶୋଚ୍ଚନୀୟ ରାସ୍ତା ଉପରେ ନିର୍ଭରଶୀଳ । 

ବିଦ୍ୟାଳୟକୁ ପିଲା ଏହି ରାସ୍ତା ଦେଇ ଯାଆନ୍ତି ଓ ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହୁଅନ୍ତି । ଗ୍ରାମର କିଛି ପିଲାଙ୍କ ଅଭିଭାବକ ନିଜ ପିଲାର ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପର୍କୀୟଙ୍କ ଗାଁ ସ୍କୁଲରେ ପିଲାଙ୍କ ନାମ ଲେଖାଇଛନ୍ତି । ଗ୍ରାମରେ ସ୍କୁଲ ଅଛି କିନ୍ତୁ ପିଲାଙ୍କ ସଂଖ୍ୟା କମିଯିବାରୁ, ସରକାର ସ୍କୁଲଟିକୁ ବନ୍ଦ କରିଦେଇଛନ୍ତି । କଲେଜ ପଢୁଆ ଛାତ୍ରୀ ମାନେ ଏହି ରାସ୍ତାଦେଇ ଯିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ନିର୍ବାଚନ ବେଳେ ରାସ୍ତା ନିର୍ମାଣ ପ୍ରତିଶ୍ରୁତି ଦେଇ, ନିର୍ବାଚନ ପରେ ନେତାଙ୍କ ପାଦ ପଡୁନି ଗାଁରେ । ଦାବି କରି କରି ଏବେ ଲୋକଶୂନ୍ୟ ହେବାକୁ ଯାଉଛି ଗାଁ । ବିକାଶ ଆଢ଼ୁଆଳରେ ଚଢ଼େଇମରା ଗ୍ରାମ, ବିକଶିତ ଭାରତ ନାରା ଦେଉଥିବା ସରକାର ଶୁଣିବେ କି ଚଢ଼େଇମରା ଗାଁ ର ଦୁଃଖ ?୨୫ ବର୍ଷର ସରକାର ଯାହା କରିପାରିଲା ନାହିଁ ତାହା କରି ଦେଖାଇବେକି ଡବଲ ଇଞ୍ଜିନ୍ ସରକାର ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ତେବେ ଗ୍ରାମବାସୀଙ୍କ ଦୀର୍ଘଦିନର ରହିଥିବା ସ୍ବପ୍ନ କେବେ ପୂରଣ ହେଉଛି ତାହା ଉପରେ ନଜର।

;