Top 10 News: ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ସ୍ଥଳସେନା ମୁଖ୍ୟ, ଅଗଷ୍ଟ ୧୫ରୁ ନୂଆ ଫାଷ୍ଟଟ୍ୟାଗ୍ ନିୟମ ଓ ଅନ୍ୟ ଖବର
Advertisement
Article Detail0/zeeodisha/odisha2806249

Top 10 News: ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ସ୍ଥଳସେନା ମୁଖ୍ୟ, ଅଗଷ୍ଟ ୧୫ରୁ ନୂଆ ଫାଷ୍ଟଟ୍ୟାଗ୍ ନିୟମ ଓ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ସ୍ଥଳସେନା ମୁଖ୍ୟ, ଅଗଷ୍ଟ ୧୫ରୁ ନୂଆ ଫାଷ୍ଟଟ୍ୟାଗ୍ ନିୟମ ଓ ଅନ୍ୟ ଖବର

Top 10 News Today

Headlines 01- ଅପରେସନ ସିନ୍ଦୁର ପରେ ଟ୍ରମ୍ପଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ୩୫ ମିନିଟ୍ ଧରି ଫୋନରେ କଥାବାର୍ତ୍ତା ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ଆତଙ୍କବାଦ ଉପରେ ନିଜର ମତାମତ ପ୍ରକାଶ କରିଥିଲେ। ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ କହିଛନ୍ତି ଯେ, ଭାରତ ଅପରେସନ ସିନ୍ଦୂର ଉପରେ ନିଜର ମତାମତ ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ ତାଙ୍କ ମତାମତ ଦୃଢ଼ ଭାବରେ ପ୍ରକାଶ କରିଛନ୍ତି।

Headlines 02- ପାକିସ୍ତାନର ନୂତନ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକାରେ ଅଛନ୍ତି। ଏହି ସମୟରେ ସେ ପାକିସ୍ତାନୀ ସମ୍ପ୍ରଦାୟକୁ ମଧ୍ୟ ସମ୍ବୋଧିତ କରିଥିଲେ। ଆଜି ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ଯାଉଛନ୍ତି। ଏହି ସମୟରେ, ତାଙ୍କ ଭାଷଣରୁ ଅନେକ କଥା ସାମ୍ନାକୁ ଆସିଛି। ମୁନିର କହିଛନ୍ତି ଯେ ପାକିସ୍ତାନ ସମ୍ପ୍ରତି ୪ ଦିନ ଧରି ଚାଲିଥିବା ସାମରିକ ସଂଘର୍ଷରେ ବିଜୟୀ ହୋଇଛି। ମୁନିର ଭାରତକୁ ଚ୍ୟାଲେଞ୍ଜ କରି କହିଥିଲେ ଯେ 1971 ଯୁଦ୍ଧର ପ୍ରତିଶୋଧ ନିଆଯିବ। ଏହି ସମୟରେ ମୁନିର କାଶ୍ମୀର ବିଷୟରେ ମଧ୍ୟ ଏକ ବୟାନ ଦେଇଥିଲେ। ଡନ୍ ରିପୋର୍ଟ ଅନୁଯାୟୀ, ମୁନିର କହିଛନ୍ତି ଯେ ପାକିସ୍ତାନ ୧୯୭୧ର ପରାଜୟକୁ କେବେ ଭୁଲିବ ନାହିଁ ଏବଂ ସମୟ ଆସିଲେ ଏହାର ଜବାବ ଦେବ। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ପାକିସ୍ତାନ ସେନା ଭାରତର ଯେକୌଣସି କାର୍ଯ୍ୟାନୁଷ୍ଠାନର ଜବାବ ଦେବାକୁ ସକ୍ଷମ।

Headlines 03- ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ । ଏଥିସହ ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଭିପି ମଲ୍ଲିକ, ଜେନେରାଲ୍ ଏନ୍.ସି. ଭିଜ୍, ଜେନେରାଲ୍ ଜେଜେ ସିଂହ, ଜେନେରାଲ୍ ଦୀପକ କପୁର, ଜେନେରାଲ ବିକ୍ରମ ସିଂହ ଏବଂ ଜେନେରାଲ୍ ମନୋଜ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ ।

Headlines 04- ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚ ଗୋପାଳପୁରରେ ପହଞ୍ଚିବା ପରେ ଘଟଣାସ୍ଥଳକୁ ଯାଇ ଛାନଭିନ୍ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଘଟଣା ଘଟିଲା ସେନେଇ ଛାନଭିନ୍‌ କରାଯାଉଛି ।

Headlines 05- ଅଗଷ୍ଟ ୧୫ରୁ ନୂଆ ଫାଷ୍ଟଟ୍ୟାଗ୍ ନିୟମ କରାଯିବ । ଏନେଇ କାର୍ଯ୍ୟକାରୀ ହେବ ଫ୍ୟାସ୍ ଟ୍ୟାଗର ବାର୍ଷିକ ପାସ୍। ମାତ୍ର ୩ ହଜାର ଟଙ୍କାରେ ବର୍ଷେ ପର୍ଯ୍ୟନ୍ତ ରହିବ ଫାଷ୍ଟ ଟ୍ୟାଗ୍ ଅବଧି। ୨୦୦ ଟ୍ରିପ୍ ପର୍ଯ୍ୟନ୍ତ ଯାନବାହନ ଚଳାଚଳ କରିପାରିବେ। ଏକ ବର୍ଷ କିମ୍ବା ୨୦୦ ଟ୍ରିପ୍ ପର୍ଯ୍ୟନ୍ତ ବଳବତ୍ତର ରହିବ ପାସ୍। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ। କେବଳ ଘରୋଇ ଗାଡ଼ି ଚାଳକଙ୍କ ପାଇଁ ଏହି ନିୟମ ଲାଗୁ ହେବ । କାର୍‌, ଜିପ୍‌, ଭ୍ୟାନ୍‌ ପରି ଛୋଟ ଯାନ ପାଇଁ ପାସ୍‌ ବ୍ୟବସ୍ଥା କରାଯାଇଛି । ରାଜମାର୍ଗ ଯାତ୍ରା ଆପ୍‌, ଅଫିସିଆଲ ୱେବସାଇଟ୍‌ରେ ତଥ୍ୟ ରହିବ ।

Headlines 06- ରାଜ୍ୟରେ ଡାଇରିଆ ବଢିବାରେ ଲାଗିଛି । ଯାଜପୁର ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଝାଡାବାନ୍ତି ବ୍ୟାପୁଛି। ଯାଜପୁର ଜିଲ୍ଲାରେ ୪୯ ସାମ୍ପଲରୁ ଆଉ ୧୬ ଭିବ୍ରିଓ କଲେରା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଯାଜପୁର ସିଡିଏମଓ। ସେହିପରି ଉଦଳା ମେଡିକାଲ୍‌ରେ ୨୫ରୁ ଊର୍ଦ୍ଧ୍ବ ଝାଡ଼ାବାନ୍ତି ଆକ୍ରାନ୍ତ । ଅନ୍ୟପଟେ ପାଣିରୁ ଡାଇରିଆ ବ୍ୟାପିଛି ବୋଲି ଫିଲ୍ଡ ଭିଜିଟ୍ ବେଳେ କେନ୍ଦ୍ରୀୟ ଟିମ୍ ତଥ୍ୟ ପାଇଥିବା ସୂଚନା ମିଳିଛି। ଲୋକସେବା ଭବନରେ ଏ ପ୍ରସଙ୍ଗରେ ସ୍ବାସ୍ଥ୍ୟ ବିଭାଗ ସହ ବୈଠକ କରୁଛି କେନ୍ଦ୍ରୀୟ ଟିମ୍।

Headlines 07- ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବାରିପଦାର ଛଉ ପଡ଼ିଆ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶକୁ ଉଦଘାଟନ କରିନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ କହିଥିଲେ ଯେ, ଓଡ଼ିଶା ସାଂସ୍କୃତିକ ବୈଭବ ଚିତ୍ରପଟରେ ଜନଜାତି ସଂସ୍କୃତି ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି ତେଣୁ ଏହି ସଂସ୍କୃତିର ବିକାଶ ପାଇଁ ଆଗାମୀ ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ଓଡିଶାରେ ପରିଣତ କରିବାକୁ ହେବ। ଆଗାମୀ ୧୧ ବର୍ଷ ଭିତରେ ଏହି ଲକ୍ଷ୍ୟକୁ ସାକାର କରିବାକୁ ହେଲେ ରାଜ୍ୟର ୪୦ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ବିକାଶ କରିବାକୁ ହେବ।

Headlines 08- କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ନିକଟସ୍ଥ ଡାଙ୍ଗମାଳ ଗାଁର ରାଜେଶ କୁମାର ପତିଙ୍କ ବାଡି ପୋଖରୀରୁ ୬ଫୁଟ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର କରାଯାଇଛି। ରାଜେଶଙ୍କ ପରିବାର ଲୋକେ ବାଡି ପୋଖରୀରେ କୁମ୍ଭୀର ଦେଖି ଭୟଭୀତ ହେବା ସହ ବନ ବିଭାଗକୁ ସୂଚନା ଦେଇଥିଲେ। ବନବିଭାଗର କୁମ୍ଭୀର ଉଦ୍ଧାରକାରୀ ଟିମ୍ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। କୁମ୍ଭୀରକୁ ଉଦ୍ଧାର କରାଯାଇ ଭିତରକନିକାରେ ଛଡ଼ା ଯାଇଥିବାବେଳେ ବାଡି ପୋଖରୀରେ କୁମ୍ଭୀର ପଶିବାକୁ ନେଇ ଗାଁ ଲୋକେ ଭୟଭୀତ ହୋଇ ପଡିଛନ୍ତି। ମଙ୍ଗଳବାର ଆଳିରେ ନଦୀରେ ଗାଧୋଇବା ବେଳେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଯାଇଥିବା ବେଳେ ଆଜି ଡାଙ୍ଗମାଳ ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର ହେବା ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି। ତୁରନ୍ତ ବନବିଭାଗ ଠୋସ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Headlines 09- IAS ଧୀମାନ ଚକମା ଗିରଫ ହେବା ପରେ ଅଧିକ ଯାଞ୍ଚ ପାଇଁ ଚକମାଙ୍କ ସହିତ ଜଡିତ ସ୍ଥାନ ଗୁଡ଼ିକରେ ଓଡ଼ିଶା ଭିଜିଲାନ୍ସର ଟିମ୍ ତଲାସି କରୁଛନ୍ତି । ତିନୋଟି ଟିମକୁ ତ୍ରିପୁରା ଏବଂ ହିମାଚଳ ପ୍ରଦେଶରେ ମୁତୟନ କରାଯାଇଛି। ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଭବାନୀପାଟଣାଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ, ଟିମ୍ ଗୁଡ଼ିକ ଉତ୍ତର ତ୍ରିପୁରାର କାଞ୍ଚନପୁରରେ ଶ୍ରୀ ଚକମାଙ୍କ ଆବାସିକ ଘର ଏବଂ ହିମାଚଳ ପ୍ରଦେଶରେ ତାଙ୍କ ଶ୍ୱଶୁର ଘରରେ ପହଞ୍ଚି ତଲାସ କରୁଛନ୍ତି।

Headlines 10- ଆଜି ପାଇଁ ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁରରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ପ୍ରବଳ ବର୍ଷା ସହ ବ୍ରଜପାତ ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି। ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

;