Trending Photos
Rahu Rekha: ଭୁବନେଶ୍ୱର: ଆଜି ଶ୍ରୀ ମନ୍ଦିରରେ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗ ମଣ୍ଡପ ପରେ ୪ ଘଣ୍ଟାପାଇଁ ସାଧାରଣ ଦର୍ଶନ ହେବ।ସାଢ଼େ ଦୁଇଟାରୁ ଏ ନୀତି ଆରମ୍ଭ ହୋଇ ସାଢ଼େ ୬ଟାରେ ଶେଷ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
କିନ୍ତୁ ପ୍ରଶ୍ନ ଉଠେ ମଣିଷର ସମସ୍ତ ଦୁଃଖ, ଗ୍ରହ ପୀଡ଼ାକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୁଖମଣ୍ଡଳ ଦର୍ଶନ ମାତ୍ରେ ମୁକ୍ତି ମିଳିବାର ପ୍ରଥା ରହିଛି। ତେବେ ଶ୍ରୀମନ୍ଦିରରେ ପୁଣି ଶ୍ରୀ ଜଗନ୍ନାଥଙ୍କୁ କାହିଁକି ରାହୁରେଖା ଲାଗୁ କରାଯାଏ? କ’ଣ ଶ୍ରୀ ଜଗନ୍ନାଥ ବି ରାହୁଙ୍କ ବିଘ୍ନକୁ ସମ୍ମୁଖୀନ ହୋଇପାରନ୍ତି ନାହିଁ? ରାହୁ କ’ଣ ଶ୍ରୀ ଜଗନ୍ନାଥଙ୍କଠାରୁ ବଡ଼? ଏ ପ୍ରଶ୍ନର ଉତ୍ତର ଏହି ଆଲେଖ୍ୟରେ ଦେବାକୁ ଚେଷ୍ଟା କରାଯାଇଯାଇଛି।
ପ୍ରଥମେ ରାହୁ ରେଖା କ’ଣ, ତାହା ଜାଣିନେବା। ରାହୁ ରେଖା ହେଉଛି ଏକ ସୁବର୍ଣ୍ଣ ଚିତା। ଏହା ଏକ ଅଳଙ୍କାର ଯାହା ସୁନାରେ ତିଆରି ଏବଂ ପ୍ରଭୁଙ୍କ ମୁଖ ମଣ୍ଡଳରେ ଏହାକୁ ଲାଗି କରାଯାଇଥାଏ। ପରମ୍ପରା ଅନୁସାରେ ସ୍ନାନପୂର୍ଣ୍ଣମୀ ଦିନ ଅର୍ଥାତ୍ ମହାପ୍ରଭୁ ରତ୍ନ ସିଂହାସନରୁ ଓହ୍ଲାଇବା ପୂର୍ବରୁ ଏହି ଅଳଙ୍କାରକୁ ବାହାର କରି ଦିଆଯାଏ। ଆଉ ତା’ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୁଅନ୍ତି। ୧୫ ଦିନ ଅଣବସର ନୀତି ହୁଏ। ପରେ ନବଦିନାତ୍ମକ ଯାତ୍ରା। ଏହା ମାସାଧିକ ସମୟ ଧରି ଚାଲେ। ଯେତେବେଳେ ମହାପ୍ରଭୁ ଶ୍ରୀମନ୍ଦିର ଫେରନ୍ତି ସେତେବେଳେ ମହାପ୍ରଭୁଙ୍କ ଶୟନ ଏକାଦଶୀ ପାଳନ କରାଯାଏ। ମହାପ୍ରଭୁ ଶୟନ କରନ୍ତି। ଏଣୁ କୌଣସି ଅଳଙ୍କାର ଲାଗି ହୁଏ ନାହିଁ। ରେଖା ପଞ୍ଚମୀ ଦିନ ଏହି ରାହୁ ରେଖାକୁ ମୁଖ ମଣ୍ଡଳରେ ଲାଗି କରାଯିବାର ପରମ୍ପରା ରହିଛି। ଏହି ରେଖା ପଞ୍ଚମୀ ଭାଦ୍ରବ ମାସର କୃଷ୍ଣପକ୍ଷ ପଞ୍ଚମୀ ଦିନ ଅନୁଷ୍ଠିତ ହୁଏ।
ଏହିଦିନ ପ୍ରଥମ ଭୋଗ ମଣ୍ଡପ ଶେଷ ହେବା ପରେ ଜୟ ବିଜୟ ଦ୍ୱାର ବନ୍ଦ କରିଦିଆଯାଏ। ଶୋଧ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମୁହଁରେ ସ୍ୱତନ୍ତ୍ର ଓଷ ଲାଗି ହୁଏ। ଏହି ଓଷକୁ ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଏହି ସମୟରେ ଦଇତା ସେବକମାନେ ରତ୍ନ ସିଂହାସନ ଉପରେ ଚଢ଼ି ମହାପ୍ରଭୁଙ୍କ ଏ ସେବା କରି ଥାଆନ୍ତି। ଏହା ଏକ ଗୁପ୍ତ ସେବା ଭାବେ ଗ୍ରହଣ କରାଯାଇଥାଏ। ଏହି ସେବା ବେଳେ ନିର୍ଦ୍ଧାରିତ ସେବକ ହିଁ ରହିଥାଆନ୍ତି। ସେମାନେ ମହାପ୍ରଭୁଙ୍କ ଓଷ ଲାଗି ପରେ ମୁଖ ମଣ୍ଡଳରେ ଏହି ରାହୁ ରେଖା ଲାଗି କରିଥାଆନ୍ତି। ଏହା ଏକ ସୁନାର ଚିତା। ଏବା ଏହାର ଲାଗି ପରେ ମୁଖ ମଣ୍ଡଳ ଅନେକ ସୁନ୍ଦର ଦିଶେ। ଲାଗି ପରେ ବଡ଼ଧ ମହାସ୍ନାନ ହୁଏ। ଏବଂ ପରେ ଅନ୍ୟ ରୀତି ନୀତି ଆରମ୍ଭ ହୋଇଥାଏ।