Top 10 News Today: ଆଜି ୪ ଘଣ୍ଟା ଦର୍ଶନ ବନ୍ଦ, ଭାରତକୁ ପାକିସ୍ତାନର ଲଗାତାର ଧମକ ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2878425

Top 10 News Today: ଆଜି ୪ ଘଣ୍ଟା ଦର୍ଶନ ବନ୍ଦ, ଭାରତକୁ ପାକିସ୍ତାନର ଲଗାତାର ଧମକ ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ଆଜି ୪ ଘଣ୍ଟା ଦର୍ଶନ ବନ୍ଦ,  ଭାରତକୁ ପାକିସ୍ତାନର ଲଗାତାର ଧମକ ୧୦ ବଡ଼ ଖବର
1. ଆଜି ୪ ଘଣ୍ଟା ଦର୍ଶନ ବନ୍ଦ
ଆଜି ଶ୍ରୀ ଜଗନ୍ନାଥ ମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ସାଢ଼େ ଦୁଇଟାରୁ ସେଢ଼େ ୪ଟା ଯାଏ ରାହୁରେଖା ଲାଗି ଯୋଗୁ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ। ଏହା ଏକ ଗୁପ୍ତ ନୀତି ଏବଂ ଦଇଦା ଓ ସୁଆର ସେବକମାନେ ଏହି ନୀତି ପାଳନ କରିଥାଆନ୍ତି। ରାହୁରେଖା ଏକ ସୁବର୍ଣ୍ଣ ଚିତା ଯାହାକୁ ମହାପ୍ରଭୁଙ୍କୁ ମୁଖ ମଣ୍ଡଳରେ ଲାଗି କରାଯାଇଥାଏ। ସ୍ନାନ ଯାତ୍ରା ପୂର୍ବରୁ ଏହାକୁ ଓଲାଗି କରାଯାଇଥିଲା। 
 
2. ଓଡ଼ିଶାରେ ହେବ ଦୁଇଟି ସେମି କଣ୍ଡକ୍ଟର
ଓଡ଼ିଶାରେ ପ୍ରତିଷ୍ଠା କରାଯିବ ଦୁଇଟି ସେମି କଣ୍ଡକ୍ଟର ପ୍ଲାଣ୍ଟ । ଏଥିଲାଗି କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍‍ ନିଷ୍ପତ୍ତି ନେଇଛନ୍ତି। ଖୁବ୍‍ ଶୀଘ୍ର ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାଦ୍ୱାରା ଚିପ୍‍ ପ୍ରସ୍ତୁତିରେ ଭାରତ ପାଦ ଥାପିବ। ପୂର୍ବରୁ ଭାରତରେ ୬ଟି ସେମି କଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ। ଗତକାଲି ଆଉ ୪ଟି ପ୍ଲାଣ୍ଟ ସ୍ଥାପନ ପାଇଁ ୪୫୯୪ କୋଟି ଟଙ୍କା ଅନୁମୋଦନ କରିଥିବା କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। 
 
3. କଂଗ୍ରେସ ଭବନରେ ଲାଗିଲା ସିସିଟିଭି
ରାଜ୍ୟର କଂଗ୍ରେସ ଭବନ ବାହାରେ ଥିବା ଏକ ଗଛରେ ସିସିଟିଭି ଲଗାଇ କଂଗ୍ରେସର କାର୍ଯ୍ୟକ୍ରମକୁ ସରକାର ନିରୀକ୍ଷଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ସଭାପତି ଭକ୍ତଚରଣ ଦାସ। ଏକ ଭିଡିଓ ଶେୟାର କରି ଶ୍ରୀ ଦାସ  କଂଗ୍ରେସ ପାର୍ଟିକୁ କାହିଁକି ମୁଖ୍ୟମନ୍ତ୍ରୀ ଭୟ କରୁଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି। 
 
4. ରାଜ୍ୟ ସରକାରଙ୍କ ପାଇଁ ଲାଗିବ ଏଆଇ ପରିଚାଳିତ ଉପସ୍ଥାନ ବ୍ୟବସ୍ଥା
ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ଲାଗି ଏଆଇ ପରିଚାଳିତ ଉପସ୍ଥାନ ବ୍ୟବସ୍ଥା ଲାଗୁ ହେବ। କର୍ମଚାରୀଙ୍କ ସମୟାନୁବର୍ତ୍ତିତା, ଦାୟିତ୍ୱ, ଏବଂ କାର୍ଯ୍ୟ ଦକ୍ଷତାକୁ ଅନୁଶୀଳନ କରିବା ଲାଗି ଏହି ବ୍ୟବସ୍ଥା ସହାୟକ ହେବ ବୋଲି ଆଶା କରାଯାଇଛି। ଏ ନେଇ ଗତକାଲି ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଆଲୋଚନା ହୋଇଛି। 
 
5. କଂଗ୍ରେସ ସାଂସଦଙ୍କୁ ମିନ୍ତା ଦେବୀଙ୍କ ନିନ୍ଦା
କଂଗ୍ରେସ ସାଂସଦ ପ୍ରିୟଙ୍କର ଗାନ୍ଧି ଭଦ୍ରା ଓ ଅନ୍ୟ କିଛି ସଦସ୍ୟ ବିହାର ଭୋଟର ମିନ୍ତା ଦେବୀଙ୍କ ଫଟୋକୁ ନିଜ ଟି ଶାର୍ଟରେ ଛାପି ପ୍ରଦର୍ଶନ କରିବାକୁ ନିନ୍ଦା କରିଛନ୍ତି ମିନ୍ତା ଦେବୀ। ତାଙ୍କୁ ଭୋଟର ପରିଚୟପତ୍ରରେ ଥିବା ତ୍ରୁଟିକୁ ସେ ସଂଶୋଧନ କରିବା ପାଇଁ ନିର୍ଦ୍ଧାରିତ ଅଧିକାରୀଙ୍କୁ ନିବେଦନ କରିଥିବା କହିଛନ୍ତି। ପ୍ରିୟଙ୍କା ଗାନ୍ଧି କାହିଁକି ତାଙ୍କ ଫଟୋ ଛାପିଛନ୍ତି ବୋଲି ସେ ପ୍ରଶ୍ନ ପଚାରିଛନ୍ତି। 
 
6. ଆସନ୍ତା ଅକ୍ଟୋବରରେ ଶତବାର୍ଷିକୀ ପାଳିବ ୟୁପିଏସସି
ଶହେ ବର୍ଷ ହେଲା ନିରନ୍ତର ସେବା ପ୍ରଦାନ କରିଆସୁଥିବା ୟୁପିଏସ୍‍ସି ଆସନ୍ତାର ଅକ୍ଟୋବର ୧ ତାରିଖରୁ ଶତବାର୍ଷିକୀ ପାଳନ କରିବ। ଏହି ସୂଚନା ଦେଇଛନ୍ତି ୟୁପିଏସ୍‍ସି ଅଧ୍ୟକ୍ଷ ଅଜୟ କୁମାର। ୧୯୨୬ ମସିହାରେ ୟୁପିଏସ୍‍ସି ସ୍ଥାପନ କରାଯାଇଥିଲା। ଭାରତରେ ପ୍ରଶାସକ ସୃଷ୍ଟି କରିବା ଦିଗରେ ମେଧାଙ୍କୁ ବାଛିବା ଏବଂ ଏଥିରେ ସଚ୍ଚୋଟ ପଣିଆ  ଏବଂ ଦେଶ ଗଠନ ଧାରାକୁ ନିରନ୍ତର ରକ୍ଷା କରିବା ପାଇଁ ୟୁପିଏସ୍‍ସି ପ୍ରଶଂସିତ ହୋଇଛି। 
 
7. ଭାରତ ସିଙ୍ଗାପୁର ମଧ୍ୟରେ ତୃତୀୟ ରାଉଣ୍ଡ ଆଲୋଚନା
ଆଜି ଭାରତ-ସିଙ୍ଗାପୁର ଭିତରେ ତୃତୀୟ ରାଉଣ୍ଡ ପର୍ଯ୍ୟାୟ ମନ୍ତ୍ରୀସ୍ତରୀୟ ଅନୁଷତ୍ଠିତ ହେବ। କେନ୍ଦ୍ରମନ୍ତ୍ରୀ ଏସ୍‍ ଜୟଶଙ୍କର, ନିର୍ମଳା ସୀତାରମଣ, ଅଶ୍ୱିନୀ ବୈଷ୍ଣବ ଏବଂ ପୀୟୁଷ ଗୋୟଲ ଏହି ଅବସରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 
 
8.ବନ୍ଦର ବିଧେୟକ ପାରିତ
ମୌସୁମୀ ଅଧିବେଶନରେ ଲୋକସଭାରେ ଭାରତୀୟ ବନ୍ଦର ବିଧେୟକକୁ ପାରିତ କରାଯାଇଛି। ଏହାସହ ଖଣି ଓ ଖଣିଜ ବିଧେୟକ ୨୦୨୫କୁ ମଧ୍ୟ ପାରିତ କରାଯାଇଛି। ବିରୋଧୀ ଦଳର  ଲଗାତାର ବିରୋଧ ପ୍ରଦର୍ଶନ ସତ୍ତ୍ୱେ ସରକାର ଏହି ବିଧେୟକକୁ ପାରିତ କରିଛନ୍ତି। ସେହିପରି ରାଜ୍ୟସଭାରେ ସଂଶୋଧିତ ଆୟ୍ରକ ବିଧେୟକ ୨୦୨୫କୁ ମଧ୍ୟ ପାରିତ କରାଯାଇଛି। 
 
9. ଭାରତକୁ ପାକିସ୍ତାନର ଲଗାତାର ଧମକ
ସିନ୍ଧୁ ଜଳଚୁକ୍ତିକୁ ଭାରତ ରଦ୍ଦ କରିବା ପରେ ପାକିସ୍ତାନ ପକ୍ଷରୁ ଲଗାତାର ଭାରତକୁ ଧମକ ଦେବା ଆରମ୍ଭ ହୋଇଛି। ପ୍ରଥମେ ଆମେରିକାର ମାଟିରୁ ଆସୀମ ମୁନିର ଧମକ ଦେବା ପରେ ଏହି ତାଲିକାରେ ପୂର୍ବତନ ବିଦେଶ ମନ୍ତ୍ରୀ ବିଲାଓ୍ୱାଲ ଭୁଟୋ, ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସୀଫ୍‍ ଏବଂ ଏବେ ପ୍ରଧାନମନ୍ତ୍ରୀ ଶେହଓ୍ୱାଜ୍‍ ଶରୀଫ  ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। 
 
10. ରଦ୍ଦ ହେବ ଓସିଆଇ ପଞ୍ଜିକରଣ
ଯଦି ବିଦେଶରେ ଥିବା କୌଣସି ଭାରତୀୟ ବଂଶଜଙ୍କୁ ସେ ଦେଶରେ ୨ ବର୍ଷରୁ ଅଧିକ ଦଣ୍ଡାଦେଶ ମିଳେ କିମ୍ବା ସେ ଏମିତି ଧର୍ତ୍ତବ୍ୟ ଅପରାଧରେ ସମ୍ପୃକ୍ତ ରହନ୍ତି ଯେଉଥିପାଇଁ ୭ ବର୍ଷରୁ ଅଧିକ ଦଣ୍ଡ ବିଧାନ ପାଇଁ ଚାର୍ଜଶିଟ୍‍ ହୁଏ ତେବେ ତାଙ୍କର ଓସିଆଇ ପଞ୍ଜିକରଣ ରଦ୍ଦ ହେବ। ଗୃହ ମନ୍ତ୍ରଣାଳୟ ଏନେଇ ସ୍ପଷ୍ଟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
;