Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଅପରେସନ୍ ସିନ୍ଦୁର ପରେ ଭାରତ ଏବଂ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ମାସ ଶେଷରେ ଚୀନ୍ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେଠାରେ ସେ ଶାଣ୍ଡୋଙ୍ଗ ପ୍ରଦେଶର କ୍ୱିଂଡାଓରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିପାରନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ୨୪ ରୁ ୨୫ ଜୁନ୍ ମଧ୍ୟରେ ହୋଇପାରେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ମିଳିଛି। ଚୀନ୍ରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇପାରନ୍ତି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ମଧ୍ୟ ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
Headlines 02- ବ୍ଲାକବକ୍ସ ଦ୍ୱାରା ପଦାକୁ ଆସିବ ଅହମ୍ମଦାବାଦ ବିମାନ ଦୁର୍ଘଟଣା ପଛର ପ୍ରକୃତ କାରଣ। ବିମାନର ଦ୍ୱିତୀୟ ବ୍ଲାକ ବକ୍ସ ମିଳିଥିବା ବେଳେ ସେଥିରେ ରହିଛି କକପିଟ୍ ଭଏସ୍ ରେକର୍ଡ । ଏହାକୁ ଡିକୋଡ୍ କରାଯାଉଛି । ଅନ୍ୟପଟେ DNA ଟେଷ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨୦ ମୃତଦେହ ଚିହ୍ନଟ ହୋଇସାରିଛି । ଅନ୍ୟପଟେ, ଗୃହମନ୍ତ୍ରାଳୟର ବଡ଼ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ଏଭିଏସନ୍ ସଚିବ, DGCAର ପଦାଧିକାରୀ ଉପସ୍ଥିତ ଥିଲେ ।
Headlines 03- ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଛି ଫୁଲୁରୀ ତେଲ । ଫୁଲୁରୀ ତେଲ ଲାଗି ହେବା ପରେ ସୁସ୍ଥ ହେବେ ମହାପ୍ରଭୁ । ଆଜି ସେବାୟତ ମାନେ ଅଣସର ଗୃହକୁ ଫୁଲୁରୀ ତେଲ ନେଇଥିଲେ ।
Headlines 04- ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଆସିବେ। ତାଙ୍କ ଉପସ୍ଥିତିରେ ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ପାଳନ କରାଯିବ। ନିର୍ବାଚନ ପରେ ସରକାର ଗଠନ ଦିନ ମଧ୍ୟ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଶପଥଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜୁନ୍ ୧୨ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏବର୍ଷ ଠିକଣା ସମୟରେ ତାଙ୍କର ଅନ୍ୟ କାର୍ଯ୍ୟବସ୍ତତା ହେତୁ ବାର୍ଷିକୋତ୍ସବକୁ ୮ ଦିନ ଘୁଞ୍ଚାଇ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରାଯାଉଛି। ବାୟୁସେନା ବିମାନରେ ଭୁବନେଶ୍ୱର ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ। ବିମାନ ବନ୍ଦରରୁ ଏହି ଶୋଭାଯାତ୍ରାରେ ପ୍ରଧାନମନ୍ତ୍ରୀ ସଭାସ୍ଥଳକୁ ସିଧାସଳଖ ଗସ୍ତ କରିବେ ।
Headlines 05- ସ୍ବାସ୍ଥ୍ୟ ବିଭାଗ ସହ ୧୪ ଜଣିଆ କେନ୍ଦ୍ରୀୟ ଟିମ୍ର ଆଲୋଚନା କରିବା ପରେ ଯାଜପୁରରେ କଲେରା ବ୍ୟାପିଥିବା ସ୍ପଷ୍ଟ କରିଛନ୍ତି । କେସ୍ ଲୋଡ୍କୁ ଅନୁଧ୍ୟାନ କରାଯାଉଛି ଡାଇରିଆ ମାମଲା ବି ଅଛି ତେଣୁ ଆମେ ରାଜ୍ୟ ସରକାରଙ୍କୁ ପ୍ରତିକାରମୂଳକ ପଦକ୍ଷେପ ସୁପାରିସ କରିଛୁ ବୋଲି ଟିମ୍ କହିଛନ୍ତି । ଏହାସହ ଏକଥା ମଧ୍ୟ କୁହାଯାଇଛି ଯେ, ଭିବ୍ରିଓ କଲେରା ବ୍ୟାକ୍ଟେରିଆ ଓ ଅନ୍ୟ କିଛି କାରଣରୁ ବ୍ୟାପୁଛି ଏହା ପାଣ୍ଡେମିକ୍ ନୁହଁ, ଏହା ଏବେ ଏଣ୍ଡେମିକ୍ ଷ୍ଟେଜ୍ରେ ହିଁ ରହିଛି । ଟିକେ ଅଧିକ ବ୍ୟାପିଛି ତେଣୁ ସ୍ବଚ୍ଛତା ନେଇ ପରାମର୍ଶ ଦିଆଯାଇଛି । ଆମେ ପୁଣି ଗ୍ରାଉଣ୍ଡକୁ ଯିବୁ ଏବଂ କେଉଁ ଜିଲ୍ଲାକୁ ଯିବୁ ତାହା ଖୁବ୍ଶୀଘ୍ର ସ୍ଥିର ହେବ ବୋଲି ଟିମ୍ କହିଛନ୍ତି । ଯାଜପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟ ସଚିବ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ ସାମିଲ ଥିଲେ ।
Headlines 06- ବ୍ୟାପୁଥିବା ହଇଜାକୁ ଦୃଷ୍ଟିରେ ରଖି ଯାଜପୁରର ଅନେକ ସ୍ଥାନରେ ଫାଷ୍ଟଫୁଡ୍ ଦାକାନ ଏବଂ ଢାବାଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାଜପୁର ବ୍ୟାସନଗର, ବିଞ୍ଝାରପୁର, ବରୀ ଅଞ୍ଚଳରେ ଫାଷ୍ଟଫୁଡ୍ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଚାଟ୍, ଗୁପ୍ଚୁପ୍, ଜଳଖିଆ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହ ହୋଟେଲ୍ଗୁଡ଼ିକୁ ସ୍ବଚ୍ଛତା ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ରାଜ୍ୟରେ ଡାଇରିଆ ନିରାକରଣ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ସଂଯୁକ୍ତା ସାହୁ । ଏହି ଅଭିଯାନ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
Headlines 07- ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇଛନ୍ତି । ଯୁବ ଶକ୍ତି ହେଉଛନ୍ତି ଆମ ରାଜ୍ୟର ବିକାଶ ରଥର ସାରଥୀ। ଯୁବ ଶକ୍ତିଙ୍କ ଭିତରେ ଥିବା ଶକ୍ତି, ସାମର୍ଥ୍ୟ ଓ ଉତ୍ସାହକୁ ରାଜ୍ୟର ବିକାଶ ସହିତ ସମାଜ କଲ୍ୟାଣରେ ଉପଯୋଗ କରିବା ପାଇଁ ଆମେ ପ୍ରାଧାନ୍ୟ ଦେଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଭୁବନେଶ୍ୱର OUAT ସ୍ଥିତ କୃଷି ଶିକ୍ଷା ସଦନଠାରେ ୫ଟି ବିଭାଗର ୯୬୪ଟି ପଦବୀ ପୂରଣ ପାଇଁ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ଏଥିରେ ପୂର୍ତ୍ତ ବିଭାଗର ୫୬୩ଟି, ଜଳ ସମ୍ପଦ ବିଭାଗର ୬୨ଟି, ପଞ୍ଚାୟିତ ରାଜ ଓ ପାନୀୟ ଜଳ ବିଭାଗର ୧୧୭ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨୦୪ଟି ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୧୮ଟି ପଦବୀରେ ନିଯୁକ୍ତି ଦିଆଯାଇଛି।
Headlines 08- ଗୋପାଳପୁରରୁ ଏକ ଲଜ୍ୟାଜନକ ଖବର ସାମ୍ନାକୁ ଆସିଛି । ପୁରୁଷ ବନ୍ଧୁଙ୍କ ସହ ବେଳାଭୂମୀ ଅଞ୍ଚଳରେ ବୁଲୁଥିବା ସମୟରେ ହଠାତ୍ କିଛି ଅସାମାଜିକ ଯୁବକ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରେ ଗୋପାଳପୁର ଥାନାରେ ପହଞ୍ଚି ପୋଲିସ ନିକଟରେ ଅଭିଯୋଗ କରିଥିଲେ ପୀଡିତା । ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଥିବା ସମୟରେ ୭ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ବୋଲି ସୂଚନା ମିଳିଛି ।
Headlines 09- ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଷଷ୍ଠ ରାଜ୍ୟ ଅର୍ଥ କମିଶନ । ରାଜ୍ୟର ସ୍ଥାନୀୟ ନିକାୟ ସଂସ୍ଥାଗୁଡ଼ିକୁ ସଶକ୍ତ କରିବା ପାଇଁ ତାଙ୍କର ବହୁମୂଲ୍ୟ ପରାମର୍ଶ ଲୋଡ଼ିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ଅର୍ଥ କମିଶନ ର ୱେବସାଇଟ୍ (https://sfc.odisha.gov.in) ଉନ୍ମୋଚନ କରିଛନ୍ତି । ଏହି ୱେବସାଇଟ୍ ନିର୍ବାଚିତ ପ୍ରତିନିଧି, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ନଗର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ, ବୁଦ୍ଧିଜୀବୀ, ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ସଂଗଠନ, ସାମାଜିକ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କଠାରୁ ପରାମର୍ଶ / ମତାମତ ଆହ୍ଵାନ କରିବା ପାଇଁ ବିକଶିତ କରାଯାଇଛି ।
Headlines 10- ଶେଷ ରଜ ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ବିଶେଷକରି ସିନେମା ଦେଖିବା ପାଇଁ ପ୍ରେକ୍ଷାଳୟ ଗୁଡିକରେ ଭିଡ ଦେଖିବାକୁ ମିଳିଥିଲା । ଅଭିନେତା ସବ୍ୟସାଚୀ ମିଶ୍ରଙ୍କ 'ଅନନ୍ତା' ଏବଂ ବାବୁସାନ ଅର୍ଚିତାଙ୍କ 'ବୋଉ ବୁଟୁ ଭୂତ' ଦେଖିବାକୁ ପ୍ରବଳ ଗହଳୀ ଲଗାଇଥିଲେ ସିନେପ୍ରେମୀ ।