Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ମେଘାଳୟ ପୋଲିସର 'ଅପରେସନ୍ ହନିମୁନ୍' ସଫଳ ହୋଇଥିଲା। ଏହା ଅଧୀନରେ ଏକ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି । ଏହି ସୁଚିନ୍ତିତ ହତ୍ୟାକାଣ୍ଡରେ, ରାଜାଙ୍କ ପତ୍ନୀ ସୋନମ ରଘୁବଂଶୀ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଜଣାପଡିଛି । ସେ ତାଙ୍କ ପ୍ରେମିକ ରାଜ କୁଶୱାହା ଏବଂ ଅନ୍ୟ ତିନି ଜଣ ଅଭିଯୁକ୍ତ ଆକାଶ ରାଜପୁତ, ବିଶାଲ ଓରଫ ଭିକି ଠାକୁର ଏବଂ ଆନନ୍ଦ କୁର୍ମୀଙ୍କ ସହିତ ମିଶି ଏହି ଅପରାଧ ଘଟାଇଥିଲେ। ମେଘାଳୟ ପୋଲିସ ଏହି ମାମଲାର ପର୍ଦ୍ଦାଫାସ କରିବା ପାଇଁ ୨୦ ସଦସ୍ୟଙ୍କୁ ନେଇ ଏକ କୋର୍ ଟିମ୍ ଗଠନ କରିଥିଲେ । ଏହି ଅପରେସନରେ ମୋଟ ୧୨୦ଜଣ ପୋଲିସ ନିୟୋଜିତ ହୋଇଥିଲେ।
Headlines 02- ଆସନ୍ତାକାଲି ମିଶନ ଆକ୍ସିଓମ-୪ ଲଂଚ ହେବ। ଖରାପ ପାଗ ଯୋଗୁଁ ୧୧ ତାରିଖକୁ ଘୁଞ୍ଚିଲା । ଟ୍ବିଟ୍ କରି ସୂଚନା ଦେଇଛି ଇସ୍ରୋ । ଭାରତର ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଅନ୍ୟ ତିନି ଜଣ କ୍ରୁ ସଦସ୍ୟଙ୍କ ସହିତ ମହାକାଶ ମିଶନ ପାଇଁ ଜୁନ ୧୦ରେ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଏଥିରେ ପରିବର୍ତ୍ତନ ହୋଇଥିବା ନେଇ ଇସ୍ରୋ ପକ୍ଷରୁ X ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି। ଆସନ୍ତାକାଲି ସନ୍ଧ୍ୟା ପ୍ରାୟ ୫:୩୦ ରେ ଆରମ୍ଭ ହେବ। ଆକ୍ସିଓମ-୪ ରେ, ଚାରିଟି ଦେଶର ଚାରି ଜଣ ମହାକାଶଚାରୀ ୧୪ ଦିନ ପାଇଁ ମହାକାଶ ଷ୍ଟେସନକୁ ଯାଉଛନ୍ତି।
Headlines 03- ଦିନକ ପରେ ନୂଆ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯିବ । ତା ପୂର୍ବରୁ ବର୍ଷକର ରିପୋର୍ଟ କାର୍ଡ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସ୍ୱଳ୍ପ ସମୟ ଭିତରେ ଆମେ ରାଜ୍ୟର ସାଢେ ଚାରିକୋଟି ଜନତାଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ଓ ସଫଳ ହୋଇଛୁ। ଏହାର ସବୁଠାରୁ ବଡ ପ୍ରମାଣ ହେଉଛି ମାତ୍ର କିଛି ଦିନ ଭିତରେ ସାଧାରଣ ଜନତା ନୂତନ ସରକାରକୁ ‘ଲୋକଙ୍କ ସରକାର’ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ଭାବେ ଅଭିହିତ କରିଛନ୍ତି। ଏକ ବର୍ଷର ଏହି ସଫଳ ଯାତ୍ରାରେ ସବୁ ସ୍ତରରୁ ଆମକୁ ସହଯୋଗ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମର ସବୁ ପ୍ରମୁଖ ପ୍ରତିଶ୍ରୁତିକୁ ଆମେ ପୂରଣ କରି ପାରିଛୁ।
Headlines 04- ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ୨୦୩୬ ସୁଦ୍ଧା ନିଶ୍ଚିତ ଭାବେ ଓଡ଼ିଶା ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ରାଜ୍ୟରେ ସ୍ଥାନ ପାଇବ ଏବଂ ଆମେ ଓଡ଼ିଶାକୁ ଏକ ୫୦୦ ନିୟତ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବୁ। ୨୦୩୬ ସୁଦ୍ଧା ଓଡିଶା ହେବ ସମୃଦ୍ଧ ଓଡିଶା ଏବଂ ୨୦୪୭ ସୁଦ୍ଧା ମାନନୀୟ ମୋଦୀଜୀଙ୍କ ପରିକଳ୍ପିତ ବିକଶିତ ଭାରତ ଗଢିବାରେ ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଓଡ଼ିଶା ଯେପରି ସବୁ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ହେବ ସେଥିପାଇଁ ଆମେ ପରିଶ୍ରମ କରିଚାଲିଛୁ। ସେ ପରିଶ୍ରମର ସୁଫଳ ମିଳିବା ଆରମ୍ଭ କରିଛି। ଓଡିଶା ଧିରେ ଧିରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରି ଚାଲିଛି। ଗୁଡ୍ ଗଭର୍ଣ୍ଣାସ୍ ରେ ଓଡ଼ିଶା ଏବେ ସାରା ଦେଶରେ ଏକ ମଡେଲ୍। ଗୋଟିଏ ବର୍ଷରେ ଆମେ ଅନେକ ସଫଳତା ପାଇଛୁ। ‘ବର୍ଷ ଏକ, ସଫଳତା ଅନେକ’।
Headlines 05- ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେବଳ ଲମ୍ବା ଭାଷଣ ଏବଂ ବଡ ଆଡ୍ଭଟାଇଜମେଣ୍ଟରେ ବିକାଶ ହୁଏନି ବୋଲି ନବୀନ କହିଛନ୍ତି । BSKY ସୁବିଧା ଆୟୁଷ୍ମାନ ଭାରତରେ ମିଳୁନି, ମିଶନ ଶକ୍ତିରେ ୭୦ ଲକ୍ଷ ମହିଳା ସଶକ୍ତ ହୋଇଥିଲେ କିନ୍ତୁ ବର୍ଷକ ଭିତରେ ମିଶନ ଶକ୍ତି ଆନ୍ଦୋଳନ ଦୁର୍ବଳ ହୋଇଛି କେବଳ ସେତିକି ନୁହେଁ ବିଜେଡି ବିରୋଧୀଦଳ ଭାବେ ଲୋକଙ୍କ ସାଥିରେ ରହିଛି ବୋଲି ନବୀନ କହିଛନ୍ତି ।
Headlines 06- ଆଉ ଜଣେ ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ୱ । IPS ଉତ୍କଳ ରଂଜନ ସାହୁଙ୍କୁ RPSC ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ରାଜସ୍ଥାନର ଡିଜିପି ଭାବେ କାର୍ଯ୍ୟ କରୁଥିଲେ ଉତ୍କଳ ରଂଜନ । ନୂଆ ଦାୟିତ୍ବ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ରାଜସ୍ଥାନ ସରକାର । ଆସନ୍ତା ବର୍ଷ ଜୁନ ପର୍ଯ୍ୟନ୍ତ RPSC ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । IPS ଉତ୍କଳ ରଂଜନ ସାହୁଙ୍କ ଘର ଅନୁଗୁଳ ଛେଣ୍ଡିପଦା ଅଞ୍ଚଳରେ ।
Headlines 07- ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସେଥିପାଇଁ ସଜେଇ ହୋଇଛି ସ୍ନାନବେଦୀ। ଅପେକ୍ଷା କରିଛି ମହାପ୍ରଭୁଙ୍କ ଆଗମନୀକୁ । ଚତୁର୍ଦ୍ଧାବିଗ୍ରହ ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସିବେ। ଅନ୍ୟପଟେ ଆସନ୍ତାକାଲି ପହଣ୍ଡି ପାଇଁ ରତ୍ନସିଂହାସନ ତଳେ ଚାରମାଳ ବନ୍ଧାଯିବା ସହ ଦଇତାପତି ସେବାୟତଙ୍କ ଦ୍ଵାରା ସେନାପଟା ଲାଗି କରାଯାଉଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ହେବାକୁ ଥିବାରୁ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିବ। ଅନ୍ୟପଟେ ଆଜି ଭକ୍ତଙ୍କ ସୁରକ୍ଷା,ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସମସ୍ୟା ସ୍ଥିତିର ସମୀକ୍ଷା କରିଛି ପୋଲିସ ଆଇଜି। ସୁରକ୍ଷା ଦୃଷ୍ଟିକୋଣରୁ ୭୦ପ୍ଲାଟୁନ ଫୋର୍ସ ମୁତୟନ ହେବେ।
Headlines 08- ଦେବସ୍ନାନ ପୂର୍ଣ୍ଣିମାରେ ସକାଳ ୫ଟାରୁ ୭ଟା ମଧ୍ୟରେ ପହଣ୍ଡି ଶେଷ ହେବ। ଆଉ ଭୋର ୪ଟା ୩୦ ରୁ ମହାପ୍ରଭୁଙ୍କ ମଙ୍ଗଳାର୍ପଣ କରାଯାଇ ଧାଡି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ସ୍ନାନବେଦୀ ଉପରକୁ ବିଜେ କରିବେ। ଭୋର ୫ଟାରୁ ପହଣ୍ଡି ଆରମ୍ଭ ହୋଇ ୭ଟା ମଧ୍ୟରେ ଶେଷ ହେବାସହ ପହଣ୍ଡି ପରେ ମଙ୍ଗଳାଆଳତୀ, ମଇଲମ ଓ ଅନ୍ୟାନ୍ୟ ନୀତି କରାଯାଇ ସକାଳ ୧୨.୨୦ରୁ ୧.୪୫ ଭିତରେ ପ୍ରତ୍ୟକ୍ଷ ସ୍ନାନନୀତି ଅନୁଷ୍ଠିତ ହେବ । ସୁନା ଗୋସେଇଁଙ୍କ ଦ୍ୱାରା ସୁନାକୂଅରୁ ସଂଗୃହିତ ସୁବାସିତ ଜଳକୁ ଅଧିବାସ ଗୃହରେ ରଖି ଆସନ୍ତାକାଲି ଗରାବଡୁ ସେବକମାନେ ସଂଗୃହିତ ଜଳକୁ ସ୍ନାନ ବେଦୀକୁ ଆଣିବା ପରେ ପଞ୍ଚଉପଚାର ଵିଧିରେ ମେକାପଙ୍କ ସହାୟତାରେ ଜଳଲାଗି କରାଯିବ । ପରେ ମହାପ୍ରଭୁଙ୍କ ୩ ଟା ୩୦ ରେ ଛେରାପହଁରା ନୀତି ଓ ୪ଟା ୪୦ରେ ହାତୀବେଶ କରାଯାଇ ଭୋଗ ଅନୁଷ୍ଠିତ ହେବ ।
Headlines 09- ଜଣେ ଠିକାଦାରଙ୍କଠାରୁ ୮,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଏବଂ ଗ୍ରହଣ କରିବା ଅଭିଯୋଗରେ ଗାଇସିଲେଟ୍ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମଙ୍କୁ ଆଜି ଓଡ଼ିଶା ଭିଜିଲାନ୍ସ ଅଧିକାରୀ ଗିରଫ କରିଛି। ବରଗଡ଼ ଜିଲ୍ଲାର ଗାଇସିଲେଟ୍ ବ୍ଲକରେ କାର୍ଯ୍ୟରତ ଓରାମଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (MGNREGS) ଅଧୀନରେ ଏକ ରାସ୍ତା ଉନ୍ନତିକରଣ ପ୍ରକଳ୍ପ ସହିତ ଜଡିତ ବିଲ୍ କ୍ଲିୟର କରିବା ପାଇଁ କନିଷ୍ଠ ଯନ୍ତ୍ରୀ ମୋଟ ୩୨,୦୦୦ ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି। ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ଓରାମ କିଛି ଦିନ ପୂର୍ବରୁ ଠିକାଦାରଙ୍କଠାରୁ ୨୪,୦୦୦ ଟଙ୍କା ନେଇସାରିଥିଲେ ଏବଂ ବାକି ୮,୦୦୦ ଟଙ୍କା ଦାବି କରୁଥିଲେ।
Headlines 10- ବୁଧବାର ୧୧ ତାରିଖରେ ସମସ୍ତ ୩୦ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୨୫ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୭ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି ହୋଇଛି। କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡ଼ା ଏହି ୭ ଜିଲ୍ଲା କଳା ହାଣ୍ଡିଆ ମେଘ ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।