Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଭୁବନେଶ୍ବର ବରମୁଣ୍ଡା ସମାବେଶରେ ଯୋଗ ଦେଇଛନ୍ତି ରାହୁଲ ଗାନ୍ଧିଙ୍କ ସମେତ ମଲିକାର୍ଜୁନ ଖଡ୍ଗେ । କେ.ସି ବେଣୁଗୋପାଳ, ପିସିସି ସଭାପତିଙ୍କ ସମେତ ରାଜ୍ୟର ଅନେକ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଜଧାନୀ ଭୁବନେଶ୍ବରରେ ୫୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଡଗ୍ ସ୍କ୍ବାଡ୍ ଓ ବମ୍ ସ୍କ୍ବାଡ୍ ଟିମ୍ ନିୟୋଜିତ କରାଯାଇଛି ।
Headlines 02- ଆଜି ସମ୍ବିଧାନ ବଞ୍ଚାଅ ସମାବେଶରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁ ଗାନ୍ଧି ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି। ରାଜ୍ୟ ସରକାରଙ୍କୁ ଆଦାନୀଙ୍କ ସରକାର ବୋଲି ଅଭିହିତ କରିବା ସହ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି ବୋଲି କହିଛନ୍ତି। ସେ କହିଛନ୍ତି ରାଜ୍ୟରେ ପ୍ରତିଦିନ ୧୫ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ସରକାରଙ୍କ ହଟାଇବା ପାଇଁ କଂଗ୍ରେସ ହିଁ ସମର୍ଥ। ଆଉ ଏହାର ପ୍ରତିଟି କର୍ମୀ ଜଣେ ଜଣେ ମହାବଳ ବାଘ ବୋଲି କହିଛନ୍ତି ରାହୁଲ ଗାନ୍ଧି।
Headlines 03- ସମ୍ବିଧାନ ବଞ୍ଚାଅ ସମାବେଶରେ ମଲିକାର୍ଜୁନ ଖଡ୍ଗେ ନିଜ ସମ୍ବୋଧନରେ କହିଛନ୍ତି ଯେ, ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି ସେସବୁ କଂଗ୍ରେସ ପାଇଁ । ଭୁବନେଶ୍ୱରରେ ଏମ୍ସ ଓ ଇନ୍ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ ମଧ୍ୟ କଂଗ୍ରେସ କରିଛି । ବିଜେପିର ଅବଦାନ ଜିରୋ, କିଛି କାମ ନ କରି କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେପି । କିଛି କରିବା ପରିବର୍ତ୍ତେ କେବଳ ବିକ୍ରି କରିବାରେ ଲାଗି ପଡ଼ିଛନ୍ତି । ଡବଲ ଇଞ୍ଜିନ ସରକାର ଗରିବଙ୍କ ପାଇଁ ନୁହେଁ, କେବଳ ଧନୀଙ୍କ ପାଇଁ । ଦେଶର ସମ୍ବିଧାନକୁ ସମାପ୍ତ କରିବା ମୋଦୀଙ୍କ ଲକ୍ଷ୍ୟ ବୋଲି ଖଡଗେ କହିଛନ୍ତି ।
Headlines 04- ରାହୁଲଙ୍କ ଅଭିଭାଷଣକୁ ନେଇ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ, ସମ୍ବିଧାନକୁ ରକ୍ତାକ୍ତ କରିଥିବା ଓ ବିପଦରେ ପକାଇଥିବା ଦଳ ହେଉଛି କଂଗ୍ରେସ । ଜରୁରୀ ପରିସ୍ଥିତି ଘୋଷଣା କରି ସମସ୍ତଙ୍କ କଣ୍ଠରୋଧ କରାଗଲା, ରାଜନୈତିକ ଦଳକୁ ବ୍ୟାନ୍ କରାଗଲା, କର୍ମକର୍ତ୍ତାଙ୍କୁ ଜେଲ୍ରେ ପୂରାଇଲେ, ରାହୁଲଙ୍କ କଥା ଶହେ ମୂଷା ଖାଇବା ପରେ ବିଲେଇ ତୀର୍ଥ ଗଲା ଭଳି ବୋଲି ସେ କହିଛନ୍ତି । ଅନ୍ୟପଟେ, ରାହୁଲ ଓ ଖଡ୍ଗେଙ୍କ ସମାଲୋଚନା ପରେ ପ୍ରଦୀପ ପୁରୋହିତ ମଧ୍ୟ ଜବାବ ରଖି କହିଛନ୍ତି ଯେ, ଦିନ ଥିଲା, କଂଗ୍ରେସ ବ୍ୟତୀତ ଆଉ କୌଣସି ଦଳକୁ ଲୋକେ ଚିହ୍ନି ନଥିଲେ ଓଡ଼ିଶାରେ ମଧ୍ୟ ଲମ୍ବା ସମୟ ଧରି କଂଗ୍ରେସ ଶାସନ କରିଥିଲା । କିନ୍ତୁ ଛବିରାଣୀ ସମେତ ଅନେକ ନିର୍ଯାତନା ଘଟଣା ସେତେବଳେ ଘଟିଥିଲା । ଆଜି ସେମାନଙ୍କ କୃତକର୍ମର ଫଳ ପାଉଛି କଂଗ୍ରେସ ବୋଲି ପ୍ରଦୀପ କହିଛନ୍ତି । ସେହିଭଳି ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ କଗହିଛନ୍ତି ଯେ, କଂଗ୍ରେସ ଏକ ଅସ୍ତଗାମୀ ରାଜନୈତିକ ଦଳ। କଂଗ୍ରେସ ଗଣତନ୍ତ୍ରକୁ ହତ୍ୟା କରିଛି। ତେଣୁ ଏହା ସମ୍ବିଧାନ ବଞ୍ଚାଅ ନୁହଁ କଂଗ୍ରେସ ବଞ୍ଚାଅ ଅଭିଯାନ ।
Headlines 05- ଡ୍ରାଇଭର୍ ସଂଘର ଆନ୍ଦୋଳନ ନେଇ ପରିବହନ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସଂଘର ୭ ଦଫା ଦାବି ନେଇ ସଫଳ ଆଲୋଚନା ହୋଇଛି କିନ୍ତୁ ଡ୍ରାଇଭର୍ମାନେ ଆନ୍ଦୋଳନ କରିବା ଦୁର୍ଭାଗ୍ୟଜନକ । କାର୍ଯ୍ୟରତ ଡ୍ରାଇଭର୍ମାନଙ୍କୁ ଆକ୍ରମଣ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କଂଗ୍ରେସ ଡ୍ରାଇଭର୍ମାନଙ୍କୁ ନେଇ ରାଜନୀତି କରୁଛି । ସଂଘର ସମସ୍ତ ଦାବି ପୂରଣ କରିବାକୁ ସରକାର ଚେଷ୍ଟା କରୁଛନ୍ତି ।
Headlines 06- ବ୍ରାଉନ୍ ସୁଗାର କାରବାର ନେଇ ଖୋର୍ଦ୍ଧାରେ ଜଣେ ବ୍ୟବସାୟୀଙ୍କ ଘରେ ରେଡ୍ କରାଯାଇଛି । ସଦର ଥାନା ଭାଟପୁର ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ସମୟରେ ମିକ୍ସଚର୍ ପ୍ୟାକେଟ୍ରୁ ମିଳିଛି ୧୫୦ ଗ୍ରାମ୍ର ବ୍ରାଉନ ସୁଗାର । ଘଟଣାରେ ୨ ଜଣଙ୍କୁ ଅଟକ ରଖି ଅବକାରୀ ବିଭାଗ ଟିମ୍ ପଚରାଉଚରା କରୁଛି । ଘଟଣାକୁ ବିରୋଧ କରି ଅବକାରୀ କାର୍ଯ୍ୟାଳୟ ଘେରିଛନ୍ତି ଗାଁ ଲୋକେ ।
Headlines 07- ବଲାଙ୍ଗିରରେ ଡ୍ରାଇଭରଙ୍କୁ ଆନ୍ଦୋଳନରତ ଡ୍ରାଇଭର ପିଟିବା ଘଟଣାରେ ୮ ଆନ୍ଦୋଳନରତ ଡ୍ରାଇଭରଙ୍କୁ ଗିରଫ କରିଛି ପୁଇଁତଳା ଥାନା ପୋଲିସ । ବଲାଙ୍ଗିର-ସୋନପୁର NH ୫୭ ଟୋଲ୍ ଗେଟ୍ ନିକଟରେ ଏହି ଆକ୍ରମଣ ହୋଇଥିଲା । ଆନ୍ଦୋଳନ ସତ୍ତ୍ବେ ଗାଡ଼ି ଚଲାଉଥିବାରୁ ଡ୍ରାଇଭର ସଂଘ ପକ୍ଷରୁ ଆକ୍ରମଣ କରାଯାଇଥିବା ଅଭିଯୋଗ ରହିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
Headlines 08- କମ୍ବିଂ ଅପରେସନ୍ ବେଳେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଛତିଶଗଡ଼ ସୁକୁମାରେ ୬ ଜଣ ହାର୍ଡକୋର୍ ମାଓବାଦୀଙ୍କୁ ଧରିଛନ୍ତି ଯବାନ । କୋଣ୍ଟା ଥାନା ଅଞ୍ଚଳରୁ ୨ ଓ ବେଜି ଥାନା ଅଞ୍ଚଳରୁ ୪ଜଣ ଗିରଫ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କୁ ବଡ଼ କ୍ଷତି ପହଞ୍ଚାଇବାକୁ ମାଓବାଦୀମାନେ ଯୋଜନା କରୁଥିବା କୁହାଯାଉଛି । ଅଞ୍ଚଳରୁ ୩ କେଜିର ଟିଫିନ୍ ବୋମା, ୫ ଟି ଡେଟୋନେଟର୍, ତାର ଇତ୍ୟାଦି ଜବତ କରାଯାଇଛି । ଗିରଫ ହୋଇଥିବା ୨ ମାଓବାଦୀଙ୍କ ନାଁରେ ୨ ଲକ୍ଷର ପୁରସ୍କାର ରାଶି ରହିଥିଲା ।
Headlines 09- ଗଞ୍ଜେଇ ଧରପଗଡ଼ ପାଇଁ ରେଙ୍ଗାଲି ନିକଟରେ ଛକି ଥିବା ଅବକାରୀ ଟିମ୍ ଧରିଲା ଚୋରା କାରବାର। କାର ସିକ୍ରେଟ୍ ଚ୍ୟାମ୍ବରରୁ ୧୧୦ କେଜି ରୁପା ଇଟା ଓ ବିସ୍କୁଟ୍ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୨ ଲକ୍ଷ ଟଙ୍କା। ଚୋରାଚାଲାଣରେ ସମ୍ପୃକ୍ତ ଗୁଜରାଟର ଚନ୍ଦ୍ରକାନ୍ତ ପଟେଲ ଓ ସଞ୍ଜୟ ଭାଇ ପଟେଲଙ୍କୁ ଅଟକ ରଖାଯାଇଛି। କାର୍ (ଏମ୍ଏଚ୍ ୦୧ ଇଏଫ୍ ୦୫୪୯) ଜବତ କରାଯାଇଛି। ପୁଲିସ୍ ଓ ସିଟି ଜିଏସ୍ଟି ବିଭାଗକୁ ମାମଲା ହସ୍ତାନ୍ତର କରାଯାଇଛି।
Headlines 10- ରାଜ୍ୟରେ ବର୍ଷା କମିଛି। ଆସନ୍ତା ଦୁଇ ଦିନ ରାଜ୍ୟରେ କାଁ ଭାଁ ସ୍ୱଳ୍ପ ବର୍ଷା ହୋଇପାରେ। ୧୩ ଓ ୧୪ରେ ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହୋଇପାରେ। ୧୫ରୁ ବର୍ଷା କମିବ। ୨୦ରୁ ୨୨ ଯାଏଁ ଖରା ଓ ତାତି ବଢ଼ିବ। କିନ୍ତୁ ୨୩ରେ ପୁଣି ସୃଷ୍ଟି ହେବ ଘୁର୍ଣ୍ଣିବଳୟ। ପୁଣି ଥରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।