Top 10 News: ବାଲେଶ୍ୱର ଘଟଣାରେ ସଂସଦ ଘେରାଉ କରିବ କଂଗ୍ରେସ ଓ ଅନ୍ୟ ଖବର
Advertisement
Article Detail0/zeeodisha/odisha2842612

Top 10 News: ବାଲେଶ୍ୱର ଘଟଣାରେ ସଂସଦ ଘେରାଉ କରିବ କଂଗ୍ରେସ ଓ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ବାଲେଶ୍ୱର ଘଟଣାରେ ସଂସଦ ଘେରାଉ କରିବ କଂଗ୍ରେସ ଓ ଅନ୍ୟ ଖବର

Top 10 News Today

Headlines 01- ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ଏବଂ ପ୍ରତିବାଦ ଦେଖିବାକୁ ମିଳିଛି। ହଜାର ହଜାର ବିଜେଡି କର୍ମୀ ଶୋଭାଯାତ୍ରାରେ ଆସି ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଫଳରେ ବିଜେଡି କର୍ମୀ ଓ ପୁଲିସ ମୁହାଁମୁହିଁ । ଅରୁଣ ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । ପ୍ରତିବାଦ ସମୟରେ ସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ପାଇଁ ପୋଲିସକୁ ପାଣି ଓ ଟିୟର ଗ୍ୟାସ ମାଡ଼ କରିବାକୁ ପଡିଥିଲା। ଟିୟର ଗ୍ୟାସ ମାଡ଼ରେ ବିଜେଡ଼ିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡ଼ାଇ ଆହତ ହୋଇଥିଲେ। ସେହିପରି ରାଜ୍ୟସଭା ସାଂସଦ ସୁଲତା ଦେଓ ମଧ୍ୟ ଆହତ ହୋଇଥିବାର ସୂଚନା ରହିଛି।

Headlines 02- ମୃତ ସୌମ୍ୟାଙ୍କ ପରିବାର ସହ ଏହି ଦୁଃଖଦ ସମୟରେ ଛିଡ଼ା ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ। ଆଜି ପ୍ରାୟ ସକାଳ ୮ଟା ସମୟରେ ସୌମ୍ୟାଙ୍କ ବାପା ବଳରାମଙ୍କ ସହିତ ଫୋନ ଯୋଗେ କଥା ହୋଇଥିଲେ। ଏହି ବାର୍ତ୍ତାଳାପ ସମୟରେ ସୌମ୍ୟାଶ୍ରୀଙ୍କ ପିତାଙ୍କ ସହ କଥା ହୋଇ ତାଙ୍କୁ ସମବେଦନା ଜଣାଇଥିଲେ । ଏନେଇ ଶ୍ରୀ ଗାନ୍ଧୀ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରିଛନ୍ତି।

Headlines 03- ବାଲେଶ୍ବର ଏଫଏମ୍ କଲେଜ୍ ଛାତ୍ରୀ ଘଟଣାରେ କଂଗ୍ରେସ ପକ୍ଷରୁ ସଂସଦ ଘେରାଉ କରାଯିବ । ଏନେଇ ସୂଚନା ଦେଇଛନ୍ତି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା । ୨୧ରେ ସଂସଦ ଅଧିବେଶନ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଘେରାଉ କରିବ । ଘେରାଉ ସମୟରେ ଓଡ଼ିଶା ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ ବୋଲି ଅଳକା ଲାମ୍ବା କହିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ସିଷ୍ଟମ ପୂରା ଫେଲ ମାରିଛି ।

Headlines 04- ନୂଆ ଢ଼ାଞ୍ଚାରେ ହୋଇପାରେ ମେଟ୍ରୋ ପ୍ରକଳ୍ପ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସବ୍‌ କମିଟି ପ୍ରଥମ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ।

Headlines 05- FM ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଦିନର ଘଟଣାବଳୀ ସମ୍ପର୍କରେ ମୃତକଙ୍କ ସାଙ୍ଗ ଗଣମାଧ୍ୟମ ସାମ୍ନାରେ ତଥ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, ସେଦିନ ପ୍ରିନ୍ସିପାଲ୍‌ ଅଭିଯୋଗର ପ୍ରମାଣ ଦେବାକୁ ତାକୁ କହିଥିଲେ  ଯଦି ପ୍ରମାଣ ଦେଇ ନ ପାରିବ, ତମ ବିରୋଧରେ ଆକ୍ସନ ହେବ କହିଥିଲେ । ସେ ନାଚାର ଥିଲା, ପ୍ରମାଣ କେଉଁଠୁ ଆଣିଥାନ୍ତା ? ଜୁନିୟର ଓ ସାଙ୍ଗମାନଙ୍କ ଖରାପ କମେଣ୍ଟକୁ ସହି ପାରିଲା ନାହିଁ । HODଙ୍କ ପ୍ରରୋଚନାରେ ପିଲାମାନେ ମାତି ଯାଇଥିଲେ । ୧୦୦ ପିଲା ପ୍ରିନ୍ସିପାଲଙ୍କୁ ଲେଖିକି ଦେଇଥିଲେ, ଦୁଇ ତିନି ଶହ ପିଲା ସପୋର୍ଟ କରୁଥିଲେ । ଯଦି HODଙ୍କୁ ତୁରନ୍ତ ହଟା ଯାଇଥାନ୍ତା, ଜଷ୍ଟିସ ମିଳିବା ଆଶା ରଖିଥାନ୍ତା । ତଦନ୍ତରେ ଯିଏ ଦୋଷୀ ହେବେ ତାକୁ ଜଳାଇ ଜଳାଇ ମାରିବା ଉଚିତ ବୋଲି ସୌମ୍ୟାଙ୍କ ସାଙ୍ଗ କହିଛନ୍ତି ।

Headlines 06- ଜୁଲାଇ ୨୧  ତାରିଖ, ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Headlines 07- ୧୭ ତାରିଖରେ କଂଗ୍ରେସ୍ ପକ୍ଷରୁ ଓଡ଼଼ିଶା ବନ୍ଦ ଡାକରା ଦିଆଯାଇଛି।  ଏହାକୁ ଦୃଷ୍ଟିରେ ରଖି ଏହି ଦିନ ହେବାକୁ ଥିବା ନିଯୁକ୍ତି ପରୀକ୍ଷା ସ୍ଥଗିତ କରିଛି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ । ହେବାକୁ ଥିବା ସେବକ, ସେବିକା, ଆଦିବାସୀ ଭାଷା ଶିକ୍ଷକ (ଟିଏଲଟି) ପ୍ରିଲିମ୍ ନିଯୁକ୍ତି ନେଇ ପରୀକ୍ଷା କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ହେଲେ ଓଡି଼ଶା ବନ୍ଦ ପାଇଁ ଏହି ପରୀକ୍ଷା ସ୍ଥଗିତ ରଖାଯାଇଛି।  ଆଗାମୀ ଦିନର ପରୀକ୍ଷା କେବେ ହେବ ସେନେଇ ସୂଚନା ପ୍ରଦାନ କରାଯିବ। ଏନେଇ ପରୀକ୍ଷାର୍ଥୀମାନ ଓଏସଏସଏସସି ଓ୍ବେବସାଇଟ୍ ରେ ଯାଞ୍ଚ କରିବାକୁ କୁହାଯାଇଛି।

Headlines 08- ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଘରକୁ ଅଣ୍ଡାମାଡ଼ କରିବା ଘଟଣାରେ ୪ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଛି । ଉକ୍ତ ୪ ଜଣ ଛାତ୍ର କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ପୋଲିସ । ଗିରଫ କରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି କ୍ୟାପିଟାଲ୍ ଥାନା ପୋଲିସ । ଗତକାଲି ଛାତ୍ର କଂଗ୍ରେସ ପକ୍ଷରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ବାସଭବନ ଘେରାଉ କରାଯାଇଥିଲା । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହେବା ସହ ବାସଭବନ ଉପରକୁ ଅଣ୍ଡା ମାଡ଼ କରିଥିଲେ ଛାତ୍ର କଂଗ୍ରେସ୍ ।

Headlines 09- ଗୁରୁବାର ଶ୍ରାବଣ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ ସାଢେ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬.୩୦ଟାରୁ ରାତ୍ର ୧୧ଘଟିକା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଜଣାପଡିଛି । ଦ୍ବିପହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧାମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଅଛି।

Headlines 10- ଆସନ୍ତା ୧୯ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି।  ସୃଷ୍ଟି ହୋଇଥିବା ଯୋଡ଼ା ଲଘୁଚାପ ପ୍ରଭାବରେ ଅଧିକ ବର୍ଷା ହୋଇପାରେ।  ଆଜି ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦଝର ଓ ମୟୂରଭଂଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ୧୭ ତାରିଖରେ ସୁନ୍ଦରଗନ୍ଦ, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୁଳ,ଢେଙ୍କାନାଳ, କେନ୍ଦୁଝର, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

;