Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣାସୀ ଠାରେ ଉପସ୍ଥିତ ରହି, ପି.ଏମ୍ କିଷାନର କିସ୍ତି ବାବଦରେ ସାରା ଦେଶର ୯.୭ କୋଟି ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ହିସାବରେ ସମୁଦାୟ ୨୦ ହଜାର ୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଭୁବନେଶ୍ୱର ଉପକଣ୍ଠ ସ୍ଥିତ ଆଇ.ସି.ଏ.ଆର୍-ସିଫା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାୟ ୩୪ ଲକ୍ଷ ୮୫ ହଜାରରୁ ଉର୍ଦ୍ଧ୍ୱ କୃଷକଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ୨,୦୦୦ ଟଙ୍କା ଲେଖାଏଁ ମୋଟ ୬୯୭ କୋଟି ଟଙ୍କା ପ୍ରଦାନ କରା ଯାଇଛି।
Headlines 02- ଗ୍ରୁପ ଏ’ ଏବଂ ବି’ ବର୍ଗ ସରକାରୀ କର୍ମଚାରୀଙ୍କ ସେଲ୍ଫ ଆପ୍ରାଇଜାଲ୍ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସେଲ୍ଫ ଆପ୍ରାଇଜାଲ୍ ଅବଧି ବୃଦ୍ଧି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି । ବର୍ଦ୍ଧିତ ଅବଧିରେ HRMS ପୋର୍ଟାଲରେ ଅପଲୋଡ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
Headlines 03- ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳବିବାଦ ମାମଲାରେ ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଛି ଶୁଣାଣି । ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ରାଜନୈତିକସ୍ତରରେ ଆଲୋଚନା ଆଗକୁ ବଢ଼ିଛି । ସମାଧାନ ପାଇଁ ଉଭୟ ପକ୍ଷ ରାଜିଥିବା AG ପୀତାମ୍ବର ଆଚାର୍ଯ୍ୟ ଅବଗତ କରିଛନ୍ତି । ସେ କହିଛନ୍ତି ଯେ, ଆଗକୁ ୧୦ ବର୍ଷ ଟ୍ରିବ୍ୟୁନାଲ୍ରେ ମାମଲା ଚାଲିଲେ ବି ସମାଧାନ ଆଶା କ୍ଷୀଣ ଏବଂ ଉଭୟ ରାଜ୍ୟ ଆପୋସ ସମାଧାନରେ ଉଦ୍ୟମ କରୁଥିବାରୁ ଟ୍ରିବ୍ୟୁନାଲ ଖୁସି । ଆପୋସ ସମାଧାନ ଉଦ୍ୟମ କଥା ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଛି । ଓଡ଼ିଶାର ଆନ୍ତରିକତା ପାଇଁ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ପ୍ରଶଂସା କରିଛନ୍ତି ବୋଲି ପୀତାମ୍ବର କହିଛନ୍ତି । ମହାନଦୀ ଜଳବିବାଦ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ତେଣୁ ସମାଧାନର ବାଟ ଖୁବ ଶୀଘ୍ର ବାହାରିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଟ୍ରିବ୍ୟୁନାଲ ତାରିଖ ବନ୍ଦ ହେବ, ଆପୋସ ଆଲୋଚନାରେ ସମାଧାନ ହେବ । ଛତିଶଗଡ଼ର ଏହାକୁ ନେଇ ବିଶେଷ କିଛି ସମସ୍ୟା ଥିଲା ପରି ମନେ ହେଉନି ଏବଂ ଛତିଶଗଡ଼ ଓ କେନ୍ଦ୍ର ସହ ଆପୋସ ସମାଧାନ ନେଇ ମୁଁ ଆଶାବାଦୀ ଅଛି । ବିଗତ ସରକାର ସେ ଦିଗରେ ଚିନ୍ତା କରିନଥିଲେ ବୋଲି ଓଡ଼ିଶା ଆଜି ଏଭଳି ସ୍ଥିତିରେ ଅଛି ବୋଲି ମନମୋହନ କହିଛନ୍ତି ।
Headlines 04- ଭୁବନେଶ୍ବର ବିମାନ ବନ୍ଦରରୁ ୮ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଥାଇଲାଣ୍ଡରୁ ଇଣ୍ଡିଗୋ ଫ୍ଲାଇଟ୍ରେ ଆସୁଥିବା ବେଳେ ଧରିଛି DRI । ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଅହମ୍ମଦାବାଦର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
Headlines 05- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପରେ ଓଡ଼ିଶା ଟିମ୍ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହା ହେଉଛି ଆମର ସାମ୍ବିଧାନିକ ବ୍ୟବସ୍ଥା ବୋଲି ମନମୋହନ କହିଛନ୍ତି । କେବେ କେନ୍ଦ୍ରୀୟ ସଭାପତି ନିର୍ବାଚନ ସରିବ ପ୍ରଶ୍ନରେ ମନମୋହନ ଡେଡ୍ଲାଇନ ନାହିଁ ବୋଲି କହିଛନ୍ତି । ନିଗମ ଓ ବୋର୍ଡ ନେଇ ଆମେ ବସିଲା ପରେ ନିଷ୍ପତ୍ତି ନେବୁ ବୋଲି ଜଣାଇଛନ୍ତି ମନମୋହନ ।
Headlines 06- ଅବସରପ୍ରାପ୍ତ ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି । ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ସହ ସଂସ୍କୃତ ଟୋଲ୍ ସ୍କୁଲରେ ମିଳିବ ନିଯୁକ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି କରାଯାଇଛି । ନୂଆ TGT ନିଯୁକ୍ତ ହେବା ଯାଏଁ ଏମାନେ ଶିକ୍ଷକତା କରିବେ । ନିଜ ଅଞ୍ଚଳରେ ଫାଙ୍କା ଥିବା ପଦବୀ ବିଷୟରେ ଅବଗତ କରିବେ ଡିଇଓ । ଖାଲି ପଦବୀରେ TGT ନିଯୁକ୍ତ ହେଲେ ଅତିଥି ଶିକ୍ଷକ ଅପସାରିତ ହେବେ ।
Headlines 07- ଢେଙ୍କାନାଳ ହିନ୍ଦୋଳରେ ଆଉ ଜଣଙ୍କୁ ଦଳି ମାରିଛି ହାତୀ । ମାହାଲୁଣ୍ଡା ପଞ୍ଚାୟତ ଟାଙ୍ଗିଶାଳ ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ବିଲକୁ କାମ କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ଚାଷୀ । କହିରଖୁଛୁ ଯେ, ୨ ଦିନ ତଳେ ହିନ୍ଦୋଳରେ ୩ ଜଣଙ୍କୁ ଦଳି ମାରିଥିଲା ହାତୀ ।
Headlines 08- ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଆଉ ୨ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି ଏବଂ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ବୋଲି ସୂଚନା ମିଳିଛି ।
Headlines 09- ବିଜେଡି ନେତା ରାଜା ଚକ୍ରଙ୍କୁ ମିଳିଛି ଅନ୍ତରୀଣ ଜାମିନ୍ । ସଦର ଥାନାର ଗୋଟିଏ ମାମଲାରେ ଅନ୍ତରୀଣ ଜାମିନ୍ ମିଳିଛି । ୧୫ ଦିନିଆ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍ ଦେଇଛନ୍ତି ଜିଲ୍ଲା ଦୌରାଜଜ୍ । ଶ୍ବଶୁରଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାକୁ ଅନ୍ତରୀଣ ଜାମିନ୍ ମିଳିଛି ।
Headlines 10- ଅନୁଗୁଳରେ ଟ୍ରକ୍କୁ ପଛରୁ ପିଟିଲା ଭ୍ୟାନ୍ ଫଳରେ ୧୩ ଯବାନ ଆହତ ହୋଇଛନ୍ତି । ଏନ୍ଏଚ୍ ୫୫ ଜରପଡ଼ା ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । OSAP ସେକେଣ୍ଡ ବାଟାଲିଅନ ଯବାନଙ୍କୁ ନେଇ ଯାଉଥିଲା ଉକ୍ତ ଭ୍ୟାନ୍ । ଝାରସୁଗୁଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଆହତ ୧୩ ଜଣଙ୍କ ମଧ୍ୟରୁ ୭ ଜଣ ଗୁରୁତର ଅଛନ୍ତି ସେମଧ୍ୟରୁ ୨ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।