Top 10 News: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଓଡ଼ିଶା ପୋଲିସ ଦେଲା ବଡ଼ ସୂଚନା ଓ ଅନ୍ୟ ଖବର
Advertisement
Article Detail0/zeeodisha/odisha2865150

Top 10 News: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଓଡ଼ିଶା ପୋଲିସ ଦେଲା ବଡ଼ ସୂଚନା ଓ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଓଡ଼ିଶା ପୋଲିସ ଦେଲା ବଡ଼ ସୂଚନା ଓ ଅନ୍ୟ ଖବର

Top 10 News Today

Headlines 01- ସମସ୍ତ ଚେଷ୍ଟା ସତ୍ୱେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ବ୍ୟକ୍ତ କରିଛନ୍ତି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଟିର ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ସରକାରଙ୍କ ସମସ୍ତ ପ୍ରୟାସ ଏବଂ ଏମ୍ସ ଦିଲ୍ଲୀରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ। ମୁଁ ଝିଅଟିର ଅମର ଆତ୍ମାର ସଦଗତି କାମନା କରୁଛି ଏବଂ ଏହି ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ ପରିବାରକୁ ଶକ୍ତି ମିଳୁ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।

Headlines 02- ଏକ ଦୁଷ୍କର୍ମ ମାମଲାରେ ହାସନର ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭାନାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଅଗଷ୍ଟ ୧ ତାରିଖରେ ପୂର୍ବତନ ସାଂସଦଙ୍କୁ ଦୁଷ୍କର୍ମ, ଯୌନ ଶୋଷଣ, ଧମକ ଏବଂ ଡିଜିଟାଲ ଅପରାଧର ପରି ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଦୁଇଟି ମାମଲାର ଶୁଣାଣି କରି ପ୍ରଜ୍ୱଳଙ୍କୁ ଆଜୀବନ କାରାଦଣ୍ଡ ସହିତ ଅନ୍ୟାନ୍ୟ ମାମଲାରେ ୧୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡ ଦେଇଛନ୍ତି କୋର୍ଟ। ଏହି ଜରିମାନା ରାଶି ପୀଡିତାଙ୍କୁ କ୍ଷତିପୂରଣ ଆକାରରେ ପ୍ରଦାନ କରାଯିବ। ଆଜିଠାରୁ ଦଣ୍ଡାଦେଶ କାର୍ଯ୍ୟକାରୀ ହୋଇଥିବା ସୂଚନା ରହିଛି।

Headlines 03- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣାସୀ ଠାରେ ଉପସ୍ଥିତ ରହି, ପି.ଏମ୍ କିଷାନର କିସ୍ତି ବାବଦରେ ସାରା ଦେଶର ୯.୭ କୋଟି ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ହିସାବରେ ସମୁଦାୟ ୨୦ ହଜାର ୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଭୁବନେଶ୍ୱର ଉପକଣ୍ଠ ସ୍ଥିତ ଆଇ.ସି.ଏ.ଆର୍-ସିଫା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାୟ ୩୪ ଲକ୍ଷ ୮୫ ହଜାରରୁ ଉର୍ଦ୍ଧ୍ୱ କୃଷକଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ୨,୦୦୦ ଟଙ୍କା ଲେଖାଏଁ ମୋଟ ୬୯୭ କୋଟି ଟଙ୍କା ପ୍ରଦାନ କରା ଯାଇଛି। 

Headlines 04- ପିଏମ୍‌ ପୋଷଣ ସ୍କିମ୍‌ରେ ସରକାର ନୂଆ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସ୍କୁଲରେ ଯେଉଁ ପିଲା ଅଣ୍ଡା ଖାଉ ନାହାନ୍ତି ସେମାନଙ୍କୁ ଫଳ ଦିଆଯିବ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା କେବଳ ସେହିଦିନ ଫଳ ଯୋଗାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଶିଶୁ ବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । DEOଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପିଏମ୍‌ ପୋଷଣ ଷ୍ଟେଟ୍‌ ନୋଡାଲ ଅଫିସର ।

Headlines 05- ୫ IFS ଅଫିସରଙ୍କୁ ବଦଳି କଲେ ରାଜ୍ୟ ସରକାର । DFO ଆଠଗଡ ଡ ଜଜ୍ଞଦତ୍ତ ପତିଙ୍କୁ RCCF ଭାବେ କୋରାପୁଟକୁ ବଦଳି କରାଯାଇଛି । DFO ସମ୍ୱଲପୁର ଶ୍ରୀ କଟୁଙ୍ଗେ ଗୋରେଖ ୱମାନଙ୍କୁ ଓଡ଼ିଶା ହର୍ଟିକଲଚର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । DFO ରାଜନଗର WL ଡିଭିଜନ ଯାଦବ ସୁଦର୍ଶନ କୋପିନାଥଙ୍କୁ DFO ସମ୍ୱଲପୁରକୁ ବଦଳି କରାଯାଇଛି । ଟିଟିଲାଗଡ kl ଡିଭିଜନ ରଶ୍ମୀ ଜିଙ୍କୁ DFO ଦେଓଗଡ ଭାବେ ବଦଳି କରାଯାଇଛି । ଭରଦରାଜ ଗାଁଓକରଙ୍କୁ DFO WL ଡିଭିଜନକୁ ବଦଳି କରାଯାଇଛି ।

Headlines 06-  ଅବସରପ୍ରାପ୍ତ ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି । ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ସହ ସଂସ୍କୃତ ଟୋଲ୍‌ ସ୍କୁଲରେ ମିଳିବ ନିଯୁକ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି କରାଯାଇଛି । ନୂଆ TGT ନିଯୁକ୍ତ ହେବା ଯାଏଁ ଏମାନେ ଶିକ୍ଷକତା କରିବେ । ନିଜ ଅଞ୍ଚଳରେ ଫାଙ୍କା ଥିବା ପଦବୀ ବିଷୟରେ ଅବଗତ କରିବେ ଡିଇଓ । ଖାଲି ପଦବୀରେ TGT ନିଯୁକ୍ତ ହେଲେ ଅତିଥି ଶିକ୍ଷକ ଅପସାରିତ ହେବେ ।

Headlines 07- ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ପିସିସି ସଭାପତି ଭକ୍ତ ଦାସ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ବଳଙ୍ଗା ପୀଡ଼ିତାଙ୍କ ଦେହାନ୍ତ ଖବର ଜାଣିବା ପରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ବୋଲି ଭକ୍ତ କହିଛନ୍ତି । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ପିସିସି ସଭାପତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୭ ଦିନ ଭିତରେ ଅଭିଯୁକ୍ତ ଧରା ନ ପଡ଼ିଲେ ଡିଜିପି ଅଫିସ୍‌ ଘେରିବୁ ।

Headlines 08- ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଓଡ଼ିଶା ପୋଲିସ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି । ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି ବୋଲି ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ଉଲ୍ଲେଖ କରାଯାଇଛି । ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି ତେଣୁ ସମସ୍ତଙ୍କୁ ଅନୁରୋଧ, ଦୁଃଖଦ ମୁହୂର୍ତ୍ତରେ ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ ବୋଲି କୁହାଯାଇଛି ।

Headlines 09- OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଜେରକ୍ସ ଦୋକାନୀର ବୟାନ ରେକର୍ଡ କରାଇଲା କ୍ରାଇମବ୍ରାଞ୍ଚ୍‌ । ଜେରକ୍ସ ଦୋକାନୀକୁ ପ୍ରମୁଖ ସାକ୍ଷୀ ଭାବେ ନେଇ ବୟାନ ରେକର୍ଡ କରାଯାଇଛି । କୋରାପୁଟରୁ ସମ୍ପୃକ୍ତ ଜେରକ୍ସ ଦୋକାନ ମାଲିକଙ୍କୁ ଆଣିଛି କ୍ରାଇମବ୍ରାଞ୍ଚ୍‌ । ସମ୍ପୃକ୍ତ ବ୍ୟକ୍ତିଙ୍କ ଜେରକ୍ସ ଦୋକାନରେ ହୋଇଥିଲା OTET ପ୍ରଶ୍ନପତ୍ର ଫଟୋକପି ।

Headlines 10- ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃ ବିୟୋଗ ହୋଇଯାଇଛି । ସୂଚନା ମୁତାବକ ସିଦ୍ଧାନ୍ତଙ୍କ ମାଆ କନକଲତା ମହାପାତ୍ର ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ଚିକିତ୍ସିତ ହେଉଥିଲେ । କିନ୍ତୁ ଆଜି ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା । କନକଲତାଙ୍କ ଦେହାନ୍ତ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃବିୟୋଗ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ ।  ଶ୍ରୀ ମହାପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ଓ ଶୋକାକୁଳ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲି ।

;