Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଆଜି ମହାପ୍ରଭୁ ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବିଜେ କରିବେ। ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ମଧ୍ୟରେ ବଚନିକା ହେବ। ରସଗୋଲା ଖୋଇ ମହାପ୍ରଭୁ ଲକ୍ଷ୍ମୀ ଠାକୁରାଣୀଙ୍କୁ ମାନଭଞ୍ଜନ କରିବେ। ଏହାକୁ ନେଇ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସୁଦର୍ଶନ ପଟ୍ଟନାୟକ ପୁରୀ ନିଳାଦ୍ରୀ ବେଳାଭୂମିରେ ଗଢ଼ିଛନ୍ତି ଏକ ଆକର୍ଷଣୀୟ ବାଲୁକା କୃତୀ। ଏହି ବାଲୁକାକଳାରେ ମହାପ୍ରଭୁଙ୍କ ପ୍ରତିକୃତି ବେଶ୍ ଚମତ୍କାର ଦେଖାଯାଉଛି। ଆଜି ରସଗୋଲା ଦିବସ ହୋଇଥିବାରୁ ସୁଦର୍ଶନ ଏହି ବାଲୁକା କୃତୀ ରେ ପ୍ରାୟ ଶହେଟି ରସଗୋଲା ହାଣ୍ଡି ଇନଷ୍ଟଲ କରିଛନ୍ତି। ପବିତ୍ର ନିଳାଦ୍ରୀ ବିଜେ ଓ ରସଗୋଲା ଦିବସରେ ଏହି ବାଲୁକା କୃତି ଜରୀଆରେ କୋଟିକୋଟି ଭକ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
Headlines 02- ଆଗାମୀ ଦିନରେ ମହାପ୍ରଭୁଙ୍କ ସୁନାବେଶରେ ଲାଗିବ ନୂଆ ଅଳଙ୍କାର ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ରତ୍ନଭଣ୍ଡାରର କୌଣସି ଅଳଙ୍କାର ଏଥିରେ ବ୍ୟବହାର ହେବନି । ସରକାର ବ୍ୟବସ୍ଥା କରିବେ, ଭକ୍ତଙ୍କୁ ସ୍ବର୍ଣ୍ଣ ଦାନ ପାଇଁ ଅନୁରୋଧ କରାଯିବ । କିଛି ଅଳଙ୍କାର ପତଳା ଓ କିଛି ଦବି ଗଲାଣି ବୋଲି ସେବାୟତ ଜଣାଇଛନ୍ତି । ଛତିଶା ନିଯୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏନେଇ ଅନୁରୋଧ ହୋଇଥିଲା । ସେହିପରି ଅଗଷ୍ଟରେ ରତ୍ନ ଗଣତି ମଣତି ହେବା ସମ୍ପର୍କରେ ଆଲୋଚନା ପରେ ନିଷ୍ପତ୍ତି ହେବ ବୋଲି ନେଇ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।
Headlines 03- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ କରିବା ପରେ ବ୍ରାସିଲିଆରେ ପହଞ୍ଚିଛନ୍ତି। ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିମାନବନ୍ଦରରେ ଉଷ୍ମ ସ୍ୱାଗତ କରାଯାଇଥିଲା। ବ୍ରାଜିଲର ପ୍ରତିରକ୍ଷା ମନ୍ତ୍ରୀ ଜୋସ୍ ମୁସିଓ ମୋଣ୍ଟେରୋ ଫିଲହୋ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ଏହା ତାଙ୍କର ପାଞ୍ଚ ରାଷ୍ଟ୍ର ଗସ୍ତର ଚତୁର୍ଥ ପର୍ଯ୍ୟାୟ। ପ୍ରଧାନମନ୍ତ୍ରୀ ହୋଟେଲରେ ପହଞ୍ଚିବା ପରେ ଭାରତୀୟ ସମ୍ପ୍ରଦାୟର ଲୋକମାନେ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସ୍ୱାଗତ କରିବାକୁ ଆସିଥିବା ପିଲାମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।
Headlines 04- ପୁଣି ସଭାପତି ହେବା ପରେ ମନମୋହନ ସାମଲ ସମ୍ବୋଧନ ରଖିଛନ୍ତି । ସେ କହିଛନ୍ତି ଯେ, ମୋତେ ମିଳିଥିବା ଦାୟିତ୍ବ ସଂଗଠନ କର୍ମକର୍ତ୍ତାଙ୍କର । ସେମାନଙ୍କ ପରିଶ୍ରମ ପାଇଁ ସାଇନ ବୋର୍ଡ ପାର୍ଟିରୁ ସରକାର କରିପାରିଛୁ । କାର୍ଯ୍ୟକର୍ତ୍ତାଙ୍କ ପାଇଁ ରାଜ୍ୟରେ ଏକାକୀ ସରକାର କରିପାରିଛୁ । ମୋହନ ଭାଇ ସରକାରଙ୍କ ପାଇଁ ୧୭ ଲକ୍ଷ କୋଟି ପୁଞ୍ଜି ଆସିଛି ଏବଂ ଆମ ସରକାର ପାଇଁ ଧାନ କ୍ବିଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ଦେଉଛୁ । ମା ଭଉଣୀଙ୍କୁ ୫୦ ହଜାର ଟଙ୍କା ଦେବା ବି ସମ୍ଭବ ହୋଇ ପାରିଛି । ରାଜ୍ୟରେ ବିଜେପି ସରକାର ଲମ୍ବା ସମୟ ଧରି ରହିବ ବୋଲି ସେ କହିଛନ୍ତି ।
Headlines 05- ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାଥମିକ ରିପୋର୍ଟ ଦାଖଲ କରିଛି AAIB । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିକଟରେ ରିପୋର୍ଟ ଦାଖଲ କରାଯାଇଛି । ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରାଥମିକ ରିପୋର୍ଟ ଦାଖଲ ହୋଇଥିବା ସୂଚନା ମିଳିଛି ।
Headlines 06- ୭ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଲା ରାଜ୍ୟ ଡ୍ରାଇଭର ମହାସଂଘ। ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଡାକରା ଦେଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ଓଡ଼ିଶା ଡ୍ରାଇଭର ମହାସଂଘ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିଅରିଂ ଛାଡ ଆନ୍ଦୋଳନ ଆରମ୍ଭ କରିବା ନେଇ ଡ୍ରାଇଭର ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି। ସେପଟେ ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇବା ପରେ ଗାଡି ଚଳାଚଳ ତଥା ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ ହୋଇ ପଡ଼ିଛି। ଫଳରେ ଆଜି ସକାଳୁ ସକାଳୁ ଏହାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ରାଜ୍ୟରେ ଘରୋଇ ବସ୍ ଚଳାଚଳ ସେବା ପ୍ରାୟ ଠପ୍ ହୋଇଛି । ଫଳରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ ।
Headlines 07- ଆଜି ହେଉଛି ରସଗୋଲା ଦିବସ। ୨୦୧୮ ଫେବ୍ରୁଆରି ୨୩ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ‘ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ଲାଗି ଆବେଦନ ହେଲା। ଏହାପରେ ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ସ ରେଜିଷ୍ଟ୍ରି ପକ୍ଷରୁ ୧୩ଟି ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ମଗାଯାଇଥିଲା। ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ୨୦୧୯ ଜୁଲାଇ ୨୯ରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଲା।
Headlines 08- ଦେଶର କୋଟି କୋଟି ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ଏକ ଖରାପ ଖବର ଅଛି। ଟେଲିକମ୍ କମ୍ପାନୀଗୁଡ଼ିକ ପୁଣି ଥରେ ସେମାନଙ୍କର ରିଚାର୍ଜ ପ୍ଲାନ୍ ମହଙ୍ଗା କରିପାରନ୍ତି। ବିଶ୍ଳେଷକମାନଙ୍କ ମତ ଅନୁଯାୟୀ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି। ବିଶ୍ଳେଷକଙ୍କ କହିବା ଅନୁସାରେ ମେ ମାସରେ ଲଗାତାର ପଞ୍ଚମ ମାସରେ ନେଟ୍ ଉପଭୋକ୍ତାଙ୍କ ସଂଖ୍ୟାରେ ବୃଦ୍ଧି ଟେଲିକମ୍ ଅପରେଟରମାନଙ୍କୁ ଶୁଳ୍କ ବୃଦ୍ଧି କରିବାକୁ ଉତ୍ସାହିତ କରିଛି। ଏହି କାରଣରୁ, ବର୍ଷର ଶେଷ ସୁଦ୍ଧା ମୋବାଇଲ୍ ଶୁଳ୍କ ପୁଣି ୧୦-୧୨% ବୃଦ୍ଧି ପାଇପାରେ। ପୂର୍ବରୁ, ମୋବାଇଲ୍ କମ୍ପାନୀଗୁଡ଼ିକ ଶେଷ ଥର ପାଇଁ ଜୁଲାଇ ୨୦୨୪ରେ ମୂଳ ପ୍ଲାନଗୁଡ଼ିକର ମୂଲ୍ୟ ୧୧-୨୩% ବୃଦ୍ଧି କରିଥିଲେ।
Headlines 09- ୧୭ ଦଫା ଦାବି ନେଇ ଆସନ୍ତା କାଲି ୯ ଜୁଲାଇ ୨୦୨୫ରେ 'ଭାରତ ବନ୍ଦ' ଆନ୍ଦୋଳନକୁ ଓହ୍ଲାଇବ ଶ୍ରମିକ ସଂଗଠନ। ସାରା ଦେଶରେ ବ୍ୟାଙ୍କିଙ୍ଗ, ବୀମା, କୋଇଲା ଖଣି, ରାଜପଥ, ନିର୍ମାଣ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ୨୫ କୋଟିରୁ ଅଧିକ କର୍ମଚାରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟ କରିବେ। ସରକାରଙ୍କ ଶ୍ରମିକ ବିରୋଧୀ, ଚାଷୀ ବିରୋଧୀ ଏବଂ ଦେଶ ବିରୋଧୀ ନୀତିର ପ୍ରତିବାଦ କରିବା ପାଇଁ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଏବଂ ସେମାନଙ୍କର ସହଯୋଗୀ ୟୁନିଟ୍ ମଞ୍ଚ ଦ୍ୱାରା ଏହି ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟ ଯୋଗୁଁ ବ୍ୟାଙ୍କିଙ୍ଗ, ଡାକ ସେବା, କୋଇଲା ଖଣି, ରାଜ୍ୟ ପରିବହନ, କାରଖାନା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇପାରେ। ହିନ୍ଦ ମଜଦୁର ସଭାର ହରଭଜନ ସିଂହ ସିଦ୍ଧୁ କହିଛନ୍ତି ଯେ ଏହା ସାରା ଦେଶରେ ସାଧାରଣ ସେବାକୁ ପ୍ରଭାବିତ କରିପାରେ।
Headlines 10- ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ର ଆଜି ଦକ୍ଷିଣ-ପଶ୍ଚିମ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଅବସ୍ଥିତ। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତା ସହ ଦକ୍ଷିଣ-ପଶ୍ଚିମ ଆଡ଼କୁ ବ୍ୟାପିଛି। ଏହା ଆସନ୍ତା ୨ ଦିନ ମଧ୍ୟରେ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ନୂଆପଡ଼ା, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିଥିବା ବେଳେ ଅବଶିଷ୍ଟ ଓଡ଼ିଶାରେ ମଧ୍ୟ ବର୍ଷା ହୋଇଛି।