Top 10 News: ସରିଲା ସ୍ନାନ ନୀତି, ହାତୀ ବେଶରେ ଦର୍ଶନ ଦେବେ ଦିଅଁ ଓ ଅନ୍ୟ ଖବର
Advertisement
Article Detail0/zeeodisha/odisha2796238

Top 10 News: ସରିଲା ସ୍ନାନ ନୀତି, ହାତୀ ବେଶରେ ଦର୍ଶନ ଦେବେ ଦିଅଁ ଓ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ସରିଲା ସ୍ନାନ ନୀତି, ହାତୀ ବେଶରେ ଦର୍ଶନ ଦେବେ ଦିଅଁ ଓ ଅନ୍ୟ ଖବର

Top 10 News Today

Headlines 01- ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା। ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ମହାବାହୁ। ସୁନା କୂଅରୁ ଗରା ଗରା ପାଣି ଆଣି ମହାପ୍ରଭୁଙ୍କୁ ସ୍ନାନ କରାଇଛନ୍ତି ସେବାୟତ । ପୂଜା ପଣ୍ଡା ସାମନ୍ତ ଠାକୁରଙ୍କ ମସ୍ତକରେ ପ୍ରଥମେ ସୁବାସିତ ଜଳ ଅର୍ପଣ କରିବା ପରେ ସେବାୟତମାନେ ତାଙ୍କୁ ସ୍ନାନ କରିବା କାର୍ଯ୍ୟ ଆରମ୍ଭ କରିଥିଲେ । ଧାର୍ଯ୍ୟ ନୀତିକାନ୍ତି ଅନୁଯାୟୀ ଆଜି ଆରମ୍ଭରୁ ମଙ୍ଗଳ ଆଳତୀ, ମଇଲମ ଅବକାଶ ପେ ମହାସ୍ନାନ ଆରମ୍ଭ ହୋଇଥିଲା। ମହାସ୍ନାନ ପରେ ମହାପ୍ରଭୁଙ୍କ ହାତୀ ବେଶ ଅନୁଷ୍ଠିତ ହେବ। ତେବେ ମହାପ୍ରଭୁଙ୍କ ହାତୀ ବେଶ ପରେ ଅଣସର ଘରେ ରହିବେ। ଜ୍ୱରରେ ପୀଡିତ ହେବା ପରେ ମହାପ୍ରଭୁଙ୍କର ଅଣସର ସେବା ଆରମ୍ଭ ହେବ। ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ଅଲାରନାଥ ଦର୍ଶନ ଦେବେ।

Headlines 02- ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଦିବ୍ୟ ସ୍ନାନ ଏବଂ ହାତୀ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଭକ୍ତଙ୍କ ଗହଳିକୁ ଦେଖି ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । AI କ୍ୟାମେରା ନଜରରେ ସମଗ୍ର ପୁରୀ ସହର ରହିଥିବାବେଳେ ଶ୍ରୀକ୍ଷେତ୍ର ସୁରକ୍ଷା ପାଇଁ ୭୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଛନ୍ତି ।

Headlines 03- ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁଙ୍କ ନିକଟରେ ବିଶ୍ବ ମଙ୍ଗଳ ପାଇଁ କାମନା କରିଛି। ଏଥିସହ ରାଜ୍ୟବାସୀ ଯେପରି ସୁଖ ଶାନ୍ତିରେ ରହିବେ ତାହା କାମନା କଲି। ଏହି କାର୍ଯ୍ୟ ବହୁ ସୁରଖଉରରେ ହେଉଛି। ଆଗାମୀ ଦିନରେ ବି ସୁରୁଖୁରୁରେ ରଥ ଯାତ୍ରା ସମ୍ପନ୍ନ ହେବ । 

Headlines 04- କ୍ୟାବିନେଟ୍ ଭାରତୀୟ ରେଳବାଇରେ ଝାଡ଼ଖଣ୍ଡ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶର ସାତଟି ଜିଲ୍ଲାକୁ କଭର କରି ଦୁଇଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରିଛି, ଯାହା ପ୍ରାୟ ୩୧୮ କିମି ରାସ୍ତାକୁ ଯୋଡିବ। ଏହି ପଦକ୍ଷେପଗୁଡ଼ିକ ଯାତ୍ରା ସୁବିଧା ଉନ୍ନତ ହେବ । ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ ପାଇବା ସହ ତୈଳ ଆମଦାନୀ ହ୍ରାସ ହେବ । ଏଥିସହ CO2 ନିର୍ଗମନ ହ୍ରାସ କରିବ, ଏହାଦ୍ୱାରା ସ୍ଥାୟୀ ଏବଂ ଦକ୍ଷ ରେଳ ପରିଚାଳନାକୁ ପ୍ରୋତ୍ସାହିତ କରିବ। ପ୍ରକଳ୍ପଗୁଡ଼ିକର ମୋଟ ଆନୁମାନିକ ମୂଲ୍ୟ ରହିଛି ୬,୪୦୫ କୋଟି ଟଙ୍କା। ନିର୍ମାଣ ସମୟରେ, ଏହି ପ୍ରକଳ୍ପଗୁଡ଼ିକ ପ୍ରାୟ ୧୦୮ ଲକ୍ଷ ମାନବ ଦିବସର ସିଧାସଳଖ ନିଯୁକ୍ତି ସୃଷ୍ଟି କରିବ।

Headlines 05- ଜୁନ୍ ୧୨ ତାରିଖ ବଦଳରେ ଜୁନ୍ ୨୦ ତାରିଖ ଦିନ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କର ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ବର ଜନତା ମୈଦାନରେ ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି । କାର୍ଯ୍ୟକ୍ରମ ପାଇଁ ପ୍ରାୟ ୬୦ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟସ୍ତରୀୟ ଏହି ଉତ୍ସବ ପାଳନ କରାଯିବା ନେଇ ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

Headlines 06- ବେଙ୍ଗାଲୁରୁରେ ଆରସିବି ଦଳାଚକଟା ଘଟଣାରେ ବିଜେପିର ଇସ୍ତଫା ଦାବିକୁ "ସମ୍ପୂର୍ଣ୍ଣ ରାଜନୈତିକ" ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ। ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ଘଟଣାରେ ଅବହେଳା ଅଭିଯୋଗକୁ ଆଧାର କରି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏବଂ ଗୃହମନ୍ତ୍ରୀ ଜି ପରମେଶ୍ୱରଙ୍କ ଇସ୍ତଫା ଦାବି କରିଥିଲା ବିଜେପି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ ଯେ, ପ୍ରୟାଗରାଜ କୁମ୍ଭମେଳା ସମୟରେ ଦଳାଚକଟା ହୋଇଥିବାବେଳେ କେହି ଇସ୍ତଫା ଦେଇଥିଲେ କି? କୋଭିଡ୍ ସମୟରେ ମଧ୍ୟ ଅନେକ ଲୋକ ମରିଥିଲେ। ସେତେବେଳେ କିଏ ଇସ୍ତଫା ଦେଇଥିଲେ? 

Headlines 07- ଜୁନ୍ ୧୨ ତାରିଖରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆବୁଧାବିକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏୟାରଲାଇନ୍ସର ୱେବସାଇଟ ସୂଚନା ଅନୁଯାୟୀ, ଏହି ନନ୍-ଷ୍ଟପ୍ ବିମାନ ସେବା ମାଧ୍ୟମରେ ସପ୍ତାହରେ ତିନି ଦିନ ବୁଧବାର, ଶୁକ୍ରବାର ଏବଂ ରବିବାର ଉଡ଼ାଣ କରି ଭୁବନେଶ୍ୱରକୁ ଆବୁଧାବି ସହିତ ସଂଯୋଗ କରିବ। ଭୁବନେଶ୍ୱରରୁ ପୂର୍ବାହ୍ନ ୯ଟା ୩୫ରୁ ଉଡ଼ାଣ ଆରମ୍ଭ ହେବ ଏବଂ ସ୍ଥାନୀୟ ସମୟ ଅନୁସାରେ ମଧ୍ୟାହ୍ନ ୧୨ଟା ୩୫ରେ ୟୁଏଇରେ ବିମାନ ଅବତରଣ କରିବ। ପ୍ରାୟ ଚାରି ଘଣ୍ଟା ତିରିଶ ମିନିଟ୍‌ରେ ଏହି ଯାତ୍ରା ଶେଷ କରିବ ।

Headlines 08- ରାଜ୍ୟରେ ହଟିଲା ପାର୍ଟ ପ୍ଲଟ୍ ବିକ୍ରି ପାଇଁ ସମସ୍ତ କଟକଣା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଝିଅ ବାହାଘର ଓ ଉଚ୍ଚ ଶିକ୍ଷା ପାଇଁ ଟଙ୍କା ଯୋଗାଡ଼ ସମସ୍ୟା ହଟିଛି ଏବଂ ୫ ହଜାର ୨୦୦ ବର୍ଗଫୁଟ୍‌ର ପାର୍ଟ ପ୍ଲଟ୍ ବିକ୍ରି କଟକଣା ହଟିଛି । ଷ୍ଟେକ୍‌ ହୋଲଡର୍‌ଙ୍କୁ ଆଖି ଆଗରେ ରଖି ଏପରି ବ୍ୟବସ୍ଥା କରାଯାଇଛି । କୃଷି ଜମି ଉପରେ ସମସ୍ତ କଟକଣା ହଟିଛି କେବଳ ଘର ବାଡ଼ି ଜମିରେ କଟକଣା ରହିଛି । ଖୁବଶୀଘ୍ର ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ନେଇ ବାଟ ଫିଟିବ ବୋଲି ମନ୍ତ୍ରୀ କହିଛନ୍ତି ।

Headlines 09- ଯାଜପୁର ଝାଡ଼ାବାନ୍ତି, ଡାଇରିଆ ନେଇ ରିପୋର୍ଟ ଆସିଛି ବୋଲି ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟ ସଚିବ ଅଶ୍ବତି ଏସ୍‌ । ଘଟଣାସ୍ଥଳରେ ଡାକ୍ତରୀ ଟିମ୍‌ ଯାଇ ପହଞ୍ଚି ସାରିଛନ୍ତି ଉକ୍ତ ଟିମ୍‌ରେ ଡାକ୍ତର, ମାଇକ୍ରୋ ବାୟୋଲୋଜିଷ୍ଟ, ଖାଦ୍ୟ ନିରାପତ୍ତା ଅଧିକାରୀ ରହିଛନ୍ତି । କାହିଁକି ଡାଇରିଆ ବ୍ୟାପିଲା ସେନେଇ ଅନୁଧ୍ୟାନ କରୁଛନ୍ତି ଟିମ୍‌ । ଚିକିତ୍ସା ପାଇଁ ଅତିରିକ୍ତ ମେଡିକାଲ୍‌ ଟିମ୍‌ ପଠା ଯାଉଛି  ଏବଂ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସବୁ ମନିଟରିଂ କରୁଛନ୍ତି । ଟିମ୍‌ ରିପୋର୍ଟ ଦେବା ପରେ ମୃତାହତ ସଂଖ୍ୟା ଜଣାପଡ଼ିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

Headlines 10- ଆଜି କାଳବୈଶାଖି ବର୍ଷା ନେଇ ୨୨ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ବେଳେ  ୬ ଜିଲ୍ଲାକୁ ଉଷ୍ଣ ଆଦ୍ର ସ୍ଥିତି ବା ଗୁଳୁଗୁଳି ନେଇ ଆଲର୍ଟ ଜାରି ହୋଇଛି। ତେବେ, ସେହି ଜିଲ୍ଲା ଗୁଡିକ ହେଲା ମୟୂରଭଂଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ସୋନପୁର,ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ତି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ୍, ମାଲକାନଗିରି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଜିଲ୍ଲାକୁ ଉଷ୍ଣ ଆଦ୍ର ସ୍ଥିତି ନେଇ ସତର୍କତା ଜାରି କରାଯାଇଛି।

;