ନୂଆଦିଲ୍ଲୀ: କଶ୍ମୀରର ପହେଲଗାମ୍ ଜଙ୍ଗଲରେ ଘଟିଥିବା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ସାରା ବିଶ୍ୱକୁ ଥରାଇ ଦେଇଛି। ଧାରା ୩୭୦ ଉଚ୍ଛେଦ ପରେ ଯେଉଁ ଶାନ୍ତି ଓ ଆସ୍ଥା କଶ୍ମୀର ପ୍ରତି ବୃଦ୍ଧି ପାଇଥିଲା ତାହାକୁ ଏହି ଘଟଣା ମାଧ୍ୟମରେ ହରଣ କରିବାକୁ ଚାହିଁଛନ୍ତି ଆତଙ୍କବାଦୀ। ଘଟଣାକୁ ନେଇ ସାରା ବିଶ୍ୱରୁ ଆତଙ୍କବାଦକୁ ନିନ୍ଦା କରାଯାଇଛି। ଭା
Trending Photos
Pahalgam Terror Attack: ନୂଆଦିଲ୍ଲୀ: କଶ୍ମୀରର ପହେଲଗାମ୍ ଜଙ୍ଗଲରେ ଘଟିଥିବା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ସାରା ବିଶ୍ୱକୁ ଥରାଇ ଦେଇଛି। ଧାରା ୩୭୦ ଉଚ୍ଛେଦ ପରେ ଯେଉଁ ଶାନ୍ତି ଓ ଆସ୍ଥା କଶ୍ମୀର ପ୍ରତି ବୃଦ୍ଧି ପାଇଥିଲା ତାହାକୁ ଏହି ଘଟଣା ମାଧ୍ୟମରେ ହରଣ କରିବାକୁ ଚାହିଁଛନ୍ତି ଆତଙ୍କବାଦୀ। ଘଟଣାକୁ ନେଇ ସାରା ବିଶ୍ୱରୁ ଆତଙ୍କବାଦକୁ ନିନ୍ଦା କରାଯାଇଛି। ଭାରତ ପକ୍ଷରୁ କୂଟନୀତିକ ସ୍ତରରେ ପାକିସ୍ତାନ ଉପରେ ଚାପ ଜୋରଦାର ହୋଇଛି। କିନ୍ତୁ ଏତିକିରେ କ’ଣ ଥମିଯିବ ଭାରତ? ନା ପ୍ରତିଶୋଧ ପରାୟଣ ହେବ? ୨୦୧୬ ଅକ୍ଟୋବରରେ ପାକିସ୍ତାନ ମାଟିରେ ପାକ୍ ନାଗରିକଙ୍କୁ ବାଛି ବାଛି ହତ୍ୟା କଲା ଭଳି ସର୍ଜିକାଲ୍ ଷ୍ଟ୍ରାଇକ୍ କ’ଣ ପୁଣିଥରେ ହେବାକୁ ଯାଉଛି? ଏମିତି ଅନେକ ପ୍ରଶ୍ନ ସାରା ଦେଶବାସୀଙ୍କ ମନରେ। ମୁଖ୍ୟସ୍ରୋତ ଗଣମାଧ୍ୟମଠାରୁ ସୋସାଲ୍ ମିଡିଆଯାଏ ଏହିପରି ଚର୍ଚ୍ଚା ଚାଲିଛି। ସତରେ କ’ଣ ଭାରତ ପୁଣିଥରେ ଏକ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ପ୍ରସ୍ତୁତ ହେଉଛି। ମେ’ ପହିଲା କ’ଣ ସହନଶୀଳତାରେ ଶେଷ ତାରିଖ ହେବ?
ମୋଦୀ ହୈ ତୋ ମୁମ୍କିନ୍ ହୈ। ପ୍ରଧାନମନ୍ତ୍ରୀଙ୍କ ଏହି କିଛି ଶବ୍ଦ ସାରା ଭାରତବାସୀଙ୍କ ମନରେ ଅନେକ ଆସ୍ଥା, ବିଶ୍ୱାସ ସୃଷ୍ଟି କରେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଛାତି ପିଟି ଭାରତୀୟଙ୍କ ମନରେ ଆସ୍ଥା ସୃଷ୍ଟି କରି ସେମାନଙ୍କୁ ଭାରତୀୟତା ପ୍ରତି ପ୍ରତିବଦ୍ଧ ରହିବାକୁ ସାହସ ଦିଏ। ସେଇ ସାହସରେ କଶ୍ମିର ଘାଟି ବୁଲିବାକୁ ପ୍ରତିଟି ଭାରତୀୟ ବୁଲିବାକୁ ଇଚ୍ଛା କରୁଛି। ଦକ୍ଷିଣ ପ୍ରାନ୍ତରୁ ହେଉ ବା ପଶ୍ଚିମ ପ୍ରାନ୍ତ ଅବା ଓଡ଼ିଶାର ଲୋକେ ଖରାଦିନେ ବରଫ ଖୋଜି କଶ୍ମିର ଯିବାକୁ ବି ଚାହୁଁଛନ୍ତି। ଯେକୌଣସି ସ୍ଥାନ ବୁଲି ପାରୁଛନ୍ତି। କଶ୍ମୀରର ଲୋକେ ସେମାନଙ୍କୁ ଅତିଥି ଭାବେ ଗ୍ରହଣ କରି ସେବା କରୁଛନ୍ତି। ତାଙ୍କ ରହିବାର ଅନୁଭୂତିକୁ ଆହୁରି ଉନ୍ନତ କରିବା ପାଇଁ ହୃଦୟ ଖୋଲି ସହାୟତା କରୁଛନ୍ତି। ସେଇଥିପାଇଁ ପର୍ଯ୍ୟଟକଙ୍କ ଆଗମନ ଦ୍ୱିଗୁଣିତ ହୋଇପାରିଛି। ହେଲେ ଏହା ପାକିସ୍ତାନକୁ ହଜମ ହୋଇପାରୁ ନାହିଁ। ପାକିସ୍ତାନ ଜମ୍ମୁ ଓ କଶ୍ମୀର ରେ ଘଟୁଥିବା ବିକାଶକୁ ସହ୍ୟ କରିପାରୁ ନାହିଁ। ଯେଉଁ ଭିତ୍ତିଭୂମିସବୁ ବିକାଶ ହେଉଛି ତାହାକୁ ଦେଖି ଛାନିଆ ହେଉଛି। ନିଜ ଦେଶରେ ଅଟା, ଚିନି, ପେଟ୍ରୋଲ୍ ପାଇଁ ବିଦେଶୀଙ୍କ ଆଗରେ ହାତ ପତାଉଥିବା ପାକିସ୍ତାନ ନିଜପଡ଼ୋଶୀ କଶ୍ମୀରରେ ଏପରି ବିକାଶ ଦେଖି ନିଜ ଦେଶରେ ଅସ୍ଥିରତାକୁ ଆଶଙ୍କା କରୁଛି। ଏଣୁ ପ୍ରଚ୍ଛଦ ସହାୟତାରେ ଆତଙ୍କବାଦକୁ ପ୍ରଶ୍ରୟ ଦେଉଛି। ନିଜ ନାଗରିକଙ୍କୁ ଗୁଳି ଗୋଳା, ବାରୁଦ ଦେଇ ଧର୍ମଯୁଦ୍ଧ ପାଇଁ ପ୍ରବର୍ତ୍ତାଉଛି। ଏହାର ଅନେକ ନମୁନା ରହିଛି କିନ୍ତୁ ପହଲଗାମରେ ଘଟିଥିବା ସଦ୍ୟ ଘଟଣା ସହନଶୀଳତାର ସୀମା ପାର କରିଛି।
ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ଆସିଥିବା ପର୍ଯ୍ୟଟକଙ୍କୁ ତାଙ୍କ ଧର୍ମ ପଚାରି କେବଳ ହିନ୍ଦୁ ଧର୍ମର ପୁରୁଷଙ୍କୁ ହତ୍ୟା କରିବା କେବଳ ଦେଶର ବିଭିନ୍ନ ପ୍ରାନ୍ତରେ ଭୟ ସୃଷ୍ଟି କରିବାକୁ ହିଁ ଉଦ୍ଦିଷ୍ଟ ହୋଇପାରେ। ଏପରି ଭାରତରେ କେବେ ହୋଇ ନଥିଲା। ଏହି ଘଟଣାକୁ ଭାରତ ସରକାରଙ୍କ ଗୁଇନ୍ଦା ବିଫଳତା ବୋଲି ଅଭିଯୋଗ କରାଯାଉଛି। ଏହାକୁ ସେନା ଏବଂ ପୁଲିସର ଅତ୍ୟଧିକ ଆତ୍ମବିଶ୍ୱାସ ବୋଲି କୁହାଯାଉଛି। ସାଧାରଣ ଜନତା ତ ଏମିତି ଅନେକ ଚର୍ଚ୍ଚା କରିବେ, କଳୁଷିତ ରାଜନେତା ତ ଏହି ବିପତ୍ତି ସହାୟତାରେ ଫାଇଦା ନେବାକୁ ଚାହିଁବେ କିନ୍ତୁ ଭାରତର ସମସ୍ତ ରାଜନୀତିକ ଦଳ ଏବେ ସରକାରଙ୍କ ସହିତ। ଏହାକୁ ଏକ ବିପଦ ମୁହୂର୍ତ୍ତ ବୋଲି ଗ୍ରହଣ କରି ସରକାରଙ୍କ ସମସ୍ତ ପଦକ୍ଷେପକୁ ସମର୍ଥନ କରିବାକୁ ପ୍ରତିଶୃତି ଦେଇଛନ୍ତି ସବୁ ରାଜନୀତିକ ଦଳ। ଆଜି ସୁରକ୍ଷା ବ୍ୟପାର ସମ୍ବନ୍ଧିତ କ୍ୟାବିନେଟ୍ କମିଟିର ନିଷ୍ପତ୍ତିକୁ ସରକାର ସମସ୍ତ ଦଳର ସଦସ୍ୟଙ୍କୁ ଜଣାଇବେ। ଏହାପରେ ଆସନ୍ତା କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ।
କ୍ୟାବିନେଟ୍ କମିଟି ମୁଖ୍ୟତଃ ୫ଟି ବିନ୍ଦୁରେ ପାକିସ୍ତାନକୁ ଚେତାବନୀ ଦେବାକୁ ଚାହିଁଛି। ପ୍ରଥମେ କୌଣସି ପାକିସ୍ତାନୀଙ୍କୁ ଭାରତରେ ପ୍ରବେଶ ନିଷିଦ୍ଧ କରାଯାଇଛି। ଏପରିକି ସାର୍କ ଦେଶ ଛାଡ଼ ଯୋଜନାରେ ମିଳୁଥିବା ଭିସାକୁ ମଧ୍ୟ ରଦ୍ଦ କରାଯାଇଛି। ଏହିଗଳି ଭିସା ନେଇ ଭାରତରେ ଥିବା ପାକିସ୍ତାନୀଙ୍କୁ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ଆଦେଶ ଦେଇଛନ୍ତି ସରକାର। ଦୁଇ ଦେଶ ମଧ୍ୟରେ କୂଟନୀତିକ ସମ୍ପର୍କକୁ ଆହୁରି କଠୋର କରିବାକୁ ଯାଇ ଦ୍ୱିତୀୟ ବନ୍ଦୁରେ ଭାରତ ସରକାର ପାକିସ୍ତାନସ୍ଥିତ ଭାରତର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ସେନା ପରାମର୍ଶଦାତାଙ୍କୁ ପ୍ରତ୍ୟାହାର କରାଯାଇଛି। ସେହିପରି ୭ ଦିନ ମଧ୍ୟରେ ନୂଆଦିଲ୍ଲୀସ୍ଥିତ ପାକ୍ ଉଚ୍ଚାୟୁକ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ପ୍ରତିରକ୍ଷା ପରାମର୍ଶଦାତାଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାସହ ଏହି ପରାମର୍ଶଦାତାଙ୍କର ୫ ସହଯୋଗୀ କର୍ମଚାରୀଙ୍କୁ ମଧ୍ୟ ବାହାର କରାଯାଇଛି। ୧ ମେ ସୁଦ୍ଧା କମିଶନଙ୍କ କାର୍ଯ୍ୟଳୟରେ କର୍ମକର୍ତ୍ତାଙ୍କ ସଂଖ୍ୟା ୫୫ରୁ ୩୦କୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚତୁର୍ଥରେ ଅଟ୍ଟାରୀ ସୀମାନକୁ ବନ୍ଦ କରାଯାଇଛି। ପଞ୍ଚମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଛି ପାକିସ୍ତାନର ଅର୍ଥନୀତି ଉପରେ ଆକ୍ରମଣ। ଏହି ଅନୁସାରେ ୧୯୬୦ର ସିନ୍ଧୁନଦୀ ଜଳ ଚୁକ୍ତିକୁ ସ୍ଥଗିତ କରାଯାଇଛି। ଏହାଦ୍ୱାରା ପାକିସ୍ତାନର କୃଷି ଉତ୍ପାଦନ ପ୍ରଭାବିତ ହେବ। ସମ୍ପୂର୍ଣ୍ଣ ପଞ୍ଜାବ ପ୍ରଦେଶରେ କୃଷି ଓ ଅନ୍ୟ ଉତ୍ପାଦନକୁ ଏହା ସମସ୍ୟା ଭିତରକୁ ଟାଣି ଆଣିବ। ଖାଲି ସେତିକି ନୁହେଁ, ସିନ୍ଧୁ ନଦୀରେ ଆସୁଥିବା ବନ୍ୟା ସମ୍ପର୍କରେ ମଧ୍ୟ ଭାରତ ଆଉ ପାକିସ୍ତାନକୁ ସୂଚନା ଦେବ ନାହିଁ। ଏହା ହେଲେ ପାକିସ୍ତାନ ଅଗଷ୍ଟ ମାସରେ ବନ୍ୟା ଜଳରେ ମଧ୍ୟ ଧୋଇ ହୋଇଯିବାର ଆଶଙ୍କା ରହିଛି। ଭାରତ ଏବେ ସିନ୍ଧୁ ନଦୀ ଉପରେ ବନ୍ଧ ନିର୍ମାଣ କରିପାରିବ। ଭାରତ ଏବେ ଜମ୍ମୁ କଶ୍ମୀରରେ ଜଳ ସେଚନ ବ୍ୟବସ୍ଥାକୁ ଉନ୍ନତ କରିପାରିବ। ଉପରମୁଣ୍ଡରେ ଥିବା ଭାରତ ଏହି ଚୁକ୍ତି ବାଜ୍ୟାପ୍ତ ଦ୍ୱାରା ଅନେକ ଲାଭ ହାସଲ କରିବ।
କିନ୍ତୁ ପ୍ରଶ୍ନ ହେଉଛି ଏହା କ’ଣ ପହଲଗାମଠାରେ ୨୬ ଜଣଙ୍କ ପ୍ରାଣହାନୀ ହେବାର ଜବାବ? ଆମେ କ’ଣ ଶକ୍ତି ହରାଇ ବସିଲୁ। ୨୦୧୬ରେ ଉରିରେ ପାକିସ୍ତାନ ଆତଙ୍କବାଦୀଙ୍କ ଏହିପରି କାର୍ଯ୍ୟକଳାପର ଜବାବ ଦେଇ ଭାରତ ପାକିସ୍ତାନରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା। ଏବେ କ’ଣ ଆମେ ସେ ଆତଙ୍କୀଙ୍କର କିଛି ବି କରିପାରିବା ନାହିଁ? ଆମେ କ’ଣ କେବଳ କୂଟନୀତିକ ଚାପରେ ସୀମିତ ରହିବା?
ଭାରତ ଯୁଦ୍ଧ ଚାହେଁ ନାହିଁ, ଏହା ସତ୍ୟ। କିନ୍ତୁ ନିଜ ଦେଶର ନାଗରିକଙ୍କୁ ଯଦି ବାହାର ଦେଶର କିଏ ଆସି ଇଜ୍ଜତ ଲୁଟେ, ନବ ବିବାହିତଙ୍କ ପତିଙ୍କୁ ପତ୍ନୀ ସାମ୍ନାରେ ଗୁଳି କରେ, ପୁରୁଷଙ୍କୁ ଧର୍ମ ପଚାରି ତାଙ୍କୁ ଲଙ୍ଗଳା କରି ମୁସଲମାନ କି ନୁହେଁ ପରୀକ୍ଷା କରିବା କେଉ ପ୍ରକାର ବର୍ବର ମାନସିକତା ହୋଇପାରେ? ଏସବୁ କଥା ଟିଭି ପରଦ୍ଦାରେ ଦେଖିବା ପରେ ସାଧାରଣ ଲୋକଟିଏ ଆଉ ଶାନ୍ତିରେ ଶୋଇପାରୁ ନାହିଁ। ଉଗ୍ରବାଦର ବିନାଶ କଥା ସବୁ ବେଳେ ଚିନ୍ତା କରୁଛି। ଏଣୁ ଭାରତର କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଇବାରେ ସୀମିତ ରହିବା ଉଚିତ ନୁହେଁ, ବରଂ ଆତଙ୍କୀର ବିନାଶ ପାଇଁ ପ୍ରସ୍ତୁତି ହେବା ଦରକାର।
ବିଶ୍ୱ ଏବେ ଭାରତକୁ ଅପେକ୍ଷା କରୁଛି। ଆମେରିକାର ରାଷ୍ଟ୍ରପତି ହୁଅନ୍ତୁ କି ଋଷର ରାଷ୍ଟ୍ରପତି ଅଥବା ଚୀନ ୟୁଏଇ ସମସ୍ତେ ଭାରତ ସହ ଏଇ ମୁହୂର୍ତ୍ତରେ ଠିଆ ହେବାର ପ୍ରତିଶୃତି ଦେଇଛନ୍ତି। ଏଣୁ ଏହା ଉଚିତ ମୁହୂର୍ତ୍ତ ହୋଇପାରେ ଭାରତରେ ସୀମାପାର ଆତଙ୍କବାଦ ଚଳାଉଥିବା ସଂଗଠନ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ।