ଆସନ୍ତା କାଲିଠୁ ସଂସଦର ମୌସୁମୀ ଅଧିବେଶନ: ଓଡ଼ିଶା ବଦନାମ ହେବା ଆଶଙ୍କା
Advertisement
Article Detail0/zeeodisha/odisha2848209

ଆସନ୍ତା କାଲିଠୁ ସଂସଦର ମୌସୁମୀ ଅଧିବେଶନ: ଓଡ଼ିଶା ବଦନାମ ହେବା ଆଶଙ୍କା

ନିର୍ଦ୍ଧାରିତ ସୂଚୀ ଅନୁସାରେ ୨୧ଟି କାର୍ଯ୍ୟ ଦିବସରେ ଏହି ଅଧିବେଶନ ବସିବ। ଏଥିଲାଗି ସଂସଦର କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି। ଆଜି ସର୍ବଦଳୀୟ ବୈଠକ ବି ବିସିଛି।  ଏହି ଅଧିବେଶନରେ ସରକାରୀ କାର୍ଯ୍ୟକ୍ରମ, ବିଧେୟକତ ସ୍ଥିର ହୋଇଛି କିନ୍ତୁ ସବୁଠାରୁ ବଡ଼ ଆଶଙ୍କା ହେଉଛି ଏ ଅଧିବେଶନରେ ଓଡ଼ିଶାର ପ୍ରତିଚ୍ଛବିରେ କଳଙ୍କ ଲାଗିବା ଆଶଙ୍କା ରହିଛି। 

ଆସନ୍ତା କାଲିଠୁ ସଂସଦର ମୌସୁମୀ ଅଧିବେଶନ: ଓଡ଼ିଶା ବଦନାମ ହେବା ଆଶଙ୍କା

ଭୁବନେଶ୍ୱର: ସୋମବାରଠୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଏକ ଦୀର୍ଘ କାଳୀନ ଅଧିବେଶନ ହେବାକୁ ଯାଉଛି। ନିର୍ଦ୍ଧାରିତ ସୂଚୀ ଅନୁସାରେ ୨୧ଟି କାର୍ଯ୍ୟ ଦିବସରେ ଏହି ଅଧିବେଶନ ବସିବ। ଏଥିଲାଗି ସଂସଦର କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି। ଆଜି ସର୍ବଦଳୀୟ ବୈଠକ ବି ବିସିଛି।  ଏହି ଅଧିବେଶନରେ ସରକାରୀ କାର୍ଯ୍ୟକ୍ରମ, ବିଧେୟକତ ସ୍ଥିର ହୋଇଛି କିନ୍ତୁ ସବୁଠାରୁ ବଡ଼ ଆଶଙ୍କା ହେଉଛି ଏ ଅଧିବେଶନରେ ଓଡ଼ିଶାର ପ୍ରତିଚ୍ଛବିରେ କଳଙ୍କ ଲାଗିବା ଆଶଙ୍କା ରହିଛି। ଯେଉଁ ରାଜ୍ୟ ଦିନେ ଶାନ୍ତିପ୍ରିୟ ରାଜ୍ୟ ଥିଲା ସେଠାରେ ମହିଳାଙ୍କ ବିରୋଧ଼ରେ ବଢୁଥିବା ଅତ୍ୟାଚାରକୁ ନେଇ କଂଗ୍ରେସ ଓ ବିଜେଡି ସମସ୍ତ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି। ନିକଟକରେ ଘଟିଥିବା ନିମାପଡ଼ା ଛାତ୍ରୀ ନିର୍ଯାତନା ଏବଂ ଏଫ୍‍ଏମ୍‍ କଲେଜ ଛାତ୍ରୀଙ୍କ ଆତ୍ମହୁତି ଏହାକୁ ଖୋରାକି ଦେଇପାରେ।  ଏହାସହ କ’ଣ ହେବ ଏଥରର ଅଧିବେଶନ, ଆସନ୍ତୁ ନଜର ପକାଇବା। 

ସମୁଦାୟ ୩୧ ଦିନର ପ୍ରସ୍ତୁତି ହୋଇଛି ଉଭୟ ଗୃହର ମୌସୁମୀ ଅଧିବେଶନ ପାଇଁ। ୨୧ଟି ବୈଠକ ଦିବସରେ ଏଥର ବିରୋଧୀ ଓ ସରକାରଙ୍କ ପାଖରେ ଅନେକ ପ୍ରସଙ୍ଗ ରହିଛି ଆଲୋଚନା, ସମୀକ୍ଷା ଓ ସମାଲୋଚନା କରିବାକୁ। କିନ୍ତୁ ଗୁରୁତ୍ୱ କ’ଣ ନେବ? ରାଜନୀତିକ ପୃଷ୍ଠଭୂମିକୁ ଦେଖିଲେ  ଦେଶରେ ବିହାର ନିର୍ବାଚନ ଆସନ୍ନ ହୋଇଛି। ଏଥରେ ପୁଣି ସୃଷ୍ଟି ହୋଇଛି  ଭୋଟର ତାଲିକା ସଂଶୋଧନ କଥା। ଯାହାକୁ ନେଇ ସୁପ୍ରିମ କୋର୍ଟ ଯାଏ କଥା ଯାଇଛି। ସୁପ୍ରିମ କୋର୍ଟ ଏହାକୁ ନିର୍ବାଚନ କମିଶନଙ୍କ ଅଧିକାର କଥା କହିଥିଲେ ମଧ୍ୟ ବର୍ତ୍ତମାନର ସମୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଏଣୁ ବିରୋଧୀ ଦଳ ଏହାକୁ ଏକ ପ୍ରସଙ୍ଗ କରିପାରନ୍ତି। ସେହିପରି ମଣିପୁରରେ ହିଂସା, ରାଷ୍ଟ୍ରପତି ଶାସନ ଏବଂ ଏହାର ସମୟକାଳ ବୃଦ୍ଧି ମଧ୍ୟ ସଂସଦରେ ଚର୍ଚ୍ଚାର କାରଣ ହୋଇପାରେ। ଏ ଭିତରେ ବି ଉଠିପାରେ ଓଡ଼ିଶାରେ ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣା। କଂଗ୍ରେସ ଏ ପ୍ରସଙ୍ଗ ଉଠାଇବାକୁ ଥିଲେ ମଧ୍ୟ ଲୋକସଭାରେ ଏ ପ୍ରସଙ୍ଗ ଉଠାଇବାକୁ ମାତ୍ର ଜଣେ ଓଡ଼ିଆ ରହିବେ ଆଉ ସେ ହେୁଛନ୍ତି ସପ୍ତଗିରି ଉଲାକା।  ଏହି ଗୃହରେ ବିଜେଡିର କୌଣସି ସଦସ୍ୟ ନଥିବାରୁ ପ୍ରସଙ୍ଗ ଆଲୋଚନା ହେଲେ ତାହା ଓଡ଼ିଶାକୈନ୍ଦ୍ରିକ ନହୋଇ ସାରା ଦେଶରେ ମହିଳାଙ୍କ ଉପରେ ବଢ଼ୁଥିବା ଅତ୍ୟାଚାରକୁ ଆଲୋଚନା କରିବାର ସୁଯୋଗ ଦେଇପାରେ।

ଭାରତ-ପାକିସ୍ତାନ ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ। ସରକାର ଅପରେସନ୍‍ ସିନ୍ଦୂରରେ ବିଜୟ ହାସଲ କରିଛନ୍ତି ତଥା ଏନେଇ ଜାତୀୟ ଏକତାକୁ ପ୍ରଦର୍ଶନ କରୁଥିବାବେଳେ ଏହି ଅଧିବେଶନ ସରକାର-ବିରୋଧୀଙ୍କ ଭିତରେ ଫାଟକୁ ସ୍ପଷ୍ଟ କରିପାରେ, ଯାହା ବିଦେଶୀ ମିଡିଆରେ ଭାରତର ଛବିକୁ ଉଖାରିବାରେ ସମର୍ଥ ହେବ। ଏହି  ଅଧିବେଶନର ୨୧ କାର୍ଯ୍ୟଦିବସରୁ ୪ ଦିନ ରହିଛି ଘରୋଇ ସଦସ୍ୟଙ୍କ ବିଧେୟକ ବା ସଂକଳ୍ପ ଆଣିବା ପାଇଁ ସୁଯୋଗ ଦିନ। ଅର୍ଥାତ୍‍ ଏହିଦିନଗୁଡ଼ିକରେ ସରକାର ନୁହେଁ କୌଣସି ବି ସଦସ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି କୌଣସି ବିଧେୟକ ବା ସଂକଳ୍ପ ଆଣିପାରିବେ। ଏଥିନେଇ ବିଧି ଅନୁସାରେ ବାଚସ୍ପତିଙ୍କ ଅନୁମତି ଆବଶ୍ୟକ ରହିବ। ପୂର୍ବରୁ ବିମାନ ଭଡ଼ାକୁ ନେଇ ଏକ  ସଂକଳ୍ପ ଲୋକସଭାରେ ଆଲୋଚନା ହୋଇଛି କିନ୍ତୁ ତାହା ଏଯାଏ କାର୍ଯ୍ୟରେ ପରିଣତ ହୋଇ ନାହିଁ। 

ଏବେ ଆସନ୍ତୁ ନଜର ପକାଇବା ଏଥର ଲୋକସଭାରେ କେଉଁ ବିଧେୟକଗୁଡ଼ିକ ସାଧାରଣ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାକୁ ଯାଉଛି।

ପ୍ରମୁଖ ବିଧେୟକ ଭାବେ ଏଥରେ ଆୟକର ସଂଶୋଧନ ବିଧେୟକକୁ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଆଲୋଚନା କରାଯିବ। ଏହି ବିଧେୟକ ଗତ ଅଧିବେଶନରେ ଉପସ୍ଥାପନ କରାଯାଇଥିଲା। ଯେଉଁଥିରେ ମୁଖ୍ୟତଃ ଆୟକର ବର୍ଷକୁ ନେଇ ଥିବା ଦ୍ୱନ୍ଦ୍ୱକୁ ଦୂର କରାଯିବ। ଏବେ ଆୟକର ଦାତା ପିଛିଲା ଭାବେ ମୂଲ୍ୟାୟନ ବର୍ଷକୁ ନିର୍ଦ୍ଧାରଣ କରୁଛନ୍ତି। ହେଲେ ନୂଆ ବିଧେୟକ କାର୍ଯ୍ୟକାରୀ ହେଲେ ଗୋଟିଏ ବର୍ଷ ରହିବ। ୨୦୨୬ରୁ ଏହା ଲାଗୁ ହେବ ବୋଲି ଅନୁମାନ କରାଯାଉଛି।

ଏହା ବାଦ ସରକାର ଭାରତୀୟ ବନ୍ଦର ବିଲ୍, ୨୦୨୫ ଆଗତ କରିବା ସମ୍ଭାବନା ରହିଛି। ଏହା ୧୯୦୮ ମସିହାର ବନ୍ଦର ଆଇନକୁ ବଦଳାଇବ। ସେହିପରି ମସିପିଂ ବିଲ୍, ୨୦୨୪ ଦ୍ୱାରା ଜାହାଜ ଚଳାଚଳ ନିୟମକୁ ଆଧୁନିକ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କୋଷ୍ଟାଲ ସିପିଂ ବିଲ୍- ୨୦୨୪ ଦ୍ୱାରା ଉପକୂଳବର୍ତ୍ତୀ ଜାହାଜ ନିୟନ୍ତ୍ରଣକୁ ସୁରୁଖୁର କରାଯିବ। ଏବଂ ଅନ୍ତର୍ଦ୍ଦେଶୀୟ ନୌ ପରିବହନ ବ୍ୟବସ୍ଥା ତ୍ୱରାନ୍ୱିତ ତଥା ପ୍ରୋତ୍ସାହିତ ହେବ।  ସେହିପରି ଗତ ଲୋକସଭାରେ ଉପସ୍ଥାପନ ହୋଇଥିବା ଗୋଆ ବିଧାନସଭା ଆସନ ସଂରକ୍ଷଣ ବିଲ୍, ୨୦୨୪ ଅନୁସୂଚିତ ଜନଜାତି ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଭାରତୀୟ ବାୟୁଯାନ ବିଲ୍, ୨୦୨୪ ଦ୍ୱାରା ସରକାର ବେସାମରିକ ବିମାନ ଚଳାଚଳ ନିୟମକୁ ଅଧିକ ସମୟୋପଯୋଗୀ କରିବା ସହ ଭାରତରେ ବିମାନ ଯନ୍ତ୍ରଂଶ ଆସେମ୍ବି୍ଲିଂ କରିବା କ୍ଷେତ୍ରରେ ଘରୋଇ ନିବେଶକଙ୍କୁ ଆକୃଷ୍ଟ କରିପାରିବେ।  ବୟଲର ବିଲ୍ ଦ୍ୱାରା  ପୁରୁଣା ବୟଲର ଆଇନ ସଂଶୋଧନ କରାଯିବ।

ଏହି ସମୟରେ ସରକାର ଆର୍ଥିକ ବିଧେୟକ ୨୦୨୫କୁ ମଧ୍ୟ ଉପସ୍ଥାପନ କରିବେ। ଏହାଦ୍ୱାରା ଅତିରିକ୍ତ ଖର୍ଚ୍ଚ ଅଟକଳ ଉପସ୍ଥାପନ ହେବ। ଜୁଲାଇ ୨୩ରେ ଏହା ଉପସ୍ଥାପନ ହେବ। ଯୁଗ୍ମ ସଂସଦୀୟ କମିଟିରେ ଥିବା ଓ୍ଵାକଫ (ସଂଶୋଧନ) ବିଲ୍ ଏଥର ଲୋକସଭାରେ ବିସ୍ତୃତ ଆଲୋଚନା କରାଯାଇପାରେ। ବୀମା ଆଇନ ସଂଶୋଧନ ବିଲ୍, ଅବୈଧ ଋଣ ରୋକିବାପାଇଁ ଅନିୟନ୍ତ୍ରିତ ଋଣ କାର୍ଯ୍ୟ ନିଷେଧ ବିଲ୍,  ଦେବାଳିଆ ଓ ଦିବାଳିଆପଣା କୋଡ ସଂଶୋଧନ ବିଲ୍ ଆସିବାର କାର୍ଯ୍ୟକ୍ରମ ରହିଛି। 

ଏସବୁ ପୁରୁଣା ବିଧେୟକ ବାବଦରେ ଆଲୋଚନା ହେବା ସହ ମିଳିଥିବା ସୂଚନା ଅନୁସାରେ ଏଥର ଲୋକସଭାରେ   ୮ଟି ନୂଆ ବିଧେୟକ ଉପସ୍ଥାପନ ହେବ।  ସେଥିରେ ରହିଛି ମଣିପୁର ଜିଏସଟି (ସଂଶୋଧନ) ବିଲ୍, ୨୦୨୫, ଟିକସ ନିୟକ ସଂଶୋଧନ ବିଲ୍, ୨୦୨୫, ଛୋଟ ଛୋଟ ଅପରାଧକୁ ସମାଧାନ କରିବା ଲକ୍ଷ୍ୟରେ ଜନ ବିଶ୍ୱାସ (ସଂଶୋଧନ) ବିଲ୍, ୨୦୨୫, ଆଇଆଇଏମ ଗୁଆହାଟୀକୁ ଆଇନରେ ଅନ୍ତର୍ଭୁକ୍ତ କରିବା ପାଇଁ ଭାରତୀୟ ମ୍ୟାନେଜମେଣ୍ଟ ସଂସ୍ଥାନ (ସଂଶୋଧନ) ବିଲ୍, ୨୦୨୫, ଐତିହ୍ୟ ସଂରକ୍ଷଣ ପାଇଁ ଜିଓହେରିଟେଜ ସାଇଟ୍ ଓ ଜିଓ-ରେଲିକ୍ସ ବିଲ୍, ୨୦୨୫, କ୍ରୀଡ଼ା ସଂଘରେ ସ୍ୱଚ୍ଛତା ରକ୍ଷା ଲାଗି ଜାତୀୟ କ୍ରୀଡ଼ା ଗଭର୍ନାନ୍ସ ବିଲ୍, ୨୦୨୫, ଆଣ୍ଟି-ଡୋପିଂ ନିୟମ ସଂଶୋଧନ ପାଇଁ ଜାତୀୟ ଆଣ୍ଟି-ଡୋପିଂ (ସଂଶୋଧନ) ବିଲ୍, ୨୦୨୫ ଏବଂ  ଖଣିଜ କାର୍ଯ୍ୟର ସରଳୀକରଣ ଲାଗି ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍, ୨୦୨୫ ଏ ହି ଅବସରରେ ଆସିବାର ସମ୍ଭାବନା ରହିଛି। 

ତେବେ ଏହି ବିଧେୟକସବୁ କେଉଁ ସମୟରେ ଆଗତ ହେବ ତାହା ଲୋକସଭାର କାର୍ଯ୍ୟ ପରିଚାଳନା କମିଟି ନିଷ୍ପତ୍ତି ନେବ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସବୁ ଦଳର ପ୍ରତିନିଧିତ୍ୱରେ ଏହି କମିଟି କାର୍ଯ୍ୟ କରିଥାଏ। ଆସନ୍ତା ଦିନଗୁଡ଼ିକରେ ଦେଶର ଆକାଂକ୍ଷାକୁ ପୂରଣ କରିବା ପାଇଁ ସଂସଦର ଅଧିବେଶନ ଆମକୁ ଯଥେଷ୍ଟ ସୁଯୋଗ ଦେଇଥାଏ। କିନ୍ତୁ ସଂସଦରେ ଲଗାତାର ବାଧା ଯୋଗୁ ଅନେକ ସମୟରେ କାର୍ଯ୍ୟ ବ୍ୟାହତ ହୁଏ ଏବଂ ଯେଉଁ ବିଧେୟକ ବାବଦରେ ଆଲୋଚନା କରିବା କଥା ତାହା ହୋଇପାରେ ନାହିଁ। ଏଣୁ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ରକ୍ଷା ଲାଗି ଆବଶ୍ୟକ ଏକ ଦାୟିତ୍ୱବାନ ବିରୋଧୀ ଦଳ, ଯାହା ଏବେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ରହିଛି। ଏଣୁ ଉଭୟ ସରକାର ଓ ବିରୋଧୀ ଦଳଙ୍କ କମର କଷା ଦେଶ କଥାକୁ କେତେ ଧ୍ୟାନ ଦେଉଛି ତାହା ଆସନ୍ତା କାଲିଠାରୁ ସ୍ପଷ୍ଟ ହେବ।

Also Read- ଭିଜିଲାନ୍ସ ଜାଲରେ ଡିଏଫଓ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସନ୍ଦେହ

Also Read- IBJA Weekly Gold Rate: ହ୍ରାସ ପାଇଲା ସୁନା ଏବଂ ରୂପା ଦର, ଜାଣନ୍ତୁ ଅପଡେଟ୍

;